ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାରେ ପାଞ୍ଚଦିନ ବିତିଗଲାଣି । ତଥାପି ଛିଡୁନି ବିଜେପିର ଅଙ୍କକଷା । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ । ନୂଆ ମୁହଁ ନା ପୁରୁଣା ମୁହଁ- ଏହାକୁ ନେଇ ଜାରି ରହିଛି ସସପେନସ । ରାଜସ୍ଥାନର ସିଏମ ଆଶାୟୀ ବସୁନ୍ଧରା ରାଜେ ଦିଲ୍ଲୀରେ ଡେରା ପକାଇଥିବାବେଳେ ବିଜେପିର ଜଣେ ଏମପି ଓ ୫ ବିଧାୟକ ଏକ ରିସର୍ଟରେ ରହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବସୁନ୍ଧରାଙ୍କୁ ଆଉ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ ବୋଲି ଚର୍ଚ୍ଚା ହେଉଛି । ହେଲେ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ବସୁନ୍ଧରା ରାଜି କରାଇବା ମଧ୍ୟ ଜରୁରୀ ହୋଇପଡ଼ିଛି । ତେଣେ ସଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଲକନାଥ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନୂଆ ମୁହଁ ନେଇ ସୂଚନା ଦେଇଥିବା ସତ୍ତ୍ବେ ସେ ଆଶା ହରାଇନାହାନ୍ତି ।
ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ
ଅନୁଗୁଳ: ରାତିରେ ଦୁଇ ଜଣଙ୍କୁ ଦଳିଦେଲା ହାତୀ । ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ଘଟିଛି ଅଘଟଣ । ରାତି ପ୍ରାୟ 10 ଟା ବେଳେ ହାତୀଟି ଗାଁ ମୁହାଁ ହୋଇ ଦୁଇ ଜଣଙ୍କୁ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ୧୮ ବର୍ଷ ଯୁବକ ଓ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶରଧାପୁର ଗାଁର ଗୁରୁ ନାଏକ ଘର ନିକଟରେ ବୁଲୁଥିବା ବେଳେ ହଠାତ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗୁରୁଙ୍କୁ ଆକ୍ରମଣ କରି ହାତୀଟି ଯାଉଥିବା ବେଳେ ଛେଳିଆପଡା ଗାଁର ଅଇଁଠୁ ସାହୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଗୋଟିଏ ରାତିରେ ଦୁଇ ଜଣଙ୍କୁ ମାରିବା ଫଳରେ ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି ।
5T ଅଧ୍ୟକ୍ଷଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ବର: ନୂଆ ଦାୟିତ୍ବ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଗୁରୁବାର 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପରେ, ଜିଲ୍ଲାରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ବର ପାଣିଗ୍ରାହୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଏସଡିସି ପରାମର୍ଶଦାତା ପ୍ରଦୀପ ମାଝି ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଧଡ଼୍ୟବାଦ ଜଣାଇଛନ୍ତି ।

ସେହିଭଳି ପୂର୍ବତନ ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଓଏଲଆଇସି ପରାମର୍ଶଦାତା ପ୍ରମୋଦ ପାଢୀ ଓ ବିଜୁ ମହିଳା ଜନତା ଦଳ ଜିଳ୍ଲା ପର୍ଯ୍ୟବେକ୍ଷକ ରୁନୁ ଜେନା ମଧ୍ୟ 5T ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ପାଣ୍ଡିଆନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ । ଏକ ନୂତନ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଅତୁଳନୀୟ। ଏହି ପରିଶ୍ରମ ଓଡିଶାକୁ ନିଶ୍ଚିତ ରୂପେ ଆଗକୁ ନେବ ବୋଲି ସେମାନେ କହିଥିଲେ ।
୧୬ ମାସରେ ଆଉ ୪ ଥର ହାର୍ଟ ଆଟାକ୍: ତଥାପି ଜୀବିତ ମହିଳା
ନୂଆଦିଲ୍ଲୀ: ୧୬ ମାସରେ ୫୧ ବର୍ଷୀୟ ମହିଳାଙ୍କୁ ୪ ଥର ହୃଦଘାତ, ସମସ୍ତେ ହତବାକ୍ । ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ହାର୍ଟ ଆଟାକ ବା ହୃଦଘାତ କଥା ଶୁଣିଲେ ସମସ୍ତେ ଭୟଭୀତ ଓ ଆତଙ୍କିତ ହୁଅନ୍ତି। କିନ୍ତୁ ଜଣେ ୫୧ ବର୍ଷୀୟ ମହିଳାଙ୍କୁ ୧୬ ମାସରେ ୫ଥର ହାର୍ଟ ଆଟାକ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ମୁମ୍ବାଇ ଉପକଣ୍ଠ ମୁଲୁଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟିଛି। ସେ ମଧ୍ୟ ୫ ଥରର ଚିକିତ୍ସା ପରେ ସୁସ୍ଥ ରହିଛନ୍ତି। ହେଲେ କାହିଁକି ସେ ବାରମ୍ବାର ଏପରି ହୃଦଘାତର ସମ୍ମୁଖୀନ ହେଉଛନ୍ତି, ତାର କାରଣ ଡାକ୍ତରମାନେ ଜାଣି ପାରୁ ନାହାନ୍ତି।
ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ରେଖା(ଛଦ୍ମନାମ) ନାମକ ମହିଳା ଜଣଙ୍କ ଶେଷ ଥର ପାଇଁ ଡିସେମ୍ବର ୧ ଓ ୨ ତାରିଖରେ କ୍ୟାଥ ଲାବକୁ ଯାଇଥିଲେ। ଚିକିତ୍ସା ପରେ ସେ ବାହାରକୁ ଆସିଛନ୍ତି। ସିଲା ପରେ ସେ କହିଛନ୍ତି, “ମୁଁ ଏତିକି ଜାଣିବାକୁ ଚାହେଁ ଯେ ମୋ ସହ ଭୁଲ କ’ଣ ରହିଛି। ଆଉ ୩ ମାସରେ ମୁଁ ପୁଣି ବ୍ଲକେଜର ସମ୍ମୁଖୀନ ହେବି କି ନାହିଁ, ସେକଥା ଜାଣିବାକୁ ଚାହୁଁଛି।”
ରେଖା ପ୍ରଥମଥର ପାଇଁ ୨୦୨୨ ମସିହା ସେପ୍ଟେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ସେ ଟ୍ରେନରେ ଜୟପୁରରୁ ବୋରିଭଲି ଆସୁଥିବା ବେଳେ ହୃଦଘାତ ଘଟିଥିଲା। ତାଙ୍କୁ ରେଳବାଇ ପକ୍ଷରୁ ତୁରନ୍ତ ଅହମଦାବାଦର ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ମୁମ୍ବାଇ ଅଣାଯାଇଥିଲା।
ଏହାପରେ ସେ ୧୬ ମାସରେ ଆଉ ୪ ଥର ହୃଦଘାତର ସାମ୍ନା କରିଛନ୍ତି। ଜୁଲାଇ ମାସରୁ ରେଖାଙ୍କ ଚିକିତ୍ସା କରୁଥିବା ଡାକ୍ତର ହସମୁଖ ରାୱତଙ୍କ କହିବା କଥା ଯେ ତାଙ୍କ ହାର୍ଟ ସମସ୍ୟା ଏବେ ବି ରହସ୍ୟମୟ ରହିଛି। ଡାକ୍ତର ରାୱତ ଜୁଲାଇ ମାସରୁ ଇତି ମଧ୍ୟରେ ରେଖାଙ୍କର ୨ ଥର ଆଞ୍ଜିଓପ୍ଲାଷ୍ଟି କରିଥିବା ବେଳେ ଗୋଟିଏ ଥର ବାଇପାସ୍ ସର୍ଜରୀ କରିଛନ୍ତି।
ରେଖା ନିଜର ସମସ୍ୟା ସମ୍ପର୍କରେ ଏକାଧିକ ବିଶେଷଜ୍ଞ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ତଥାପି କେହି ବି ନିର୍ଦ୍ଦିଷ୍ଟ ଭାବେ କାହିଁକି ସେ ବାରମ୍ବାର ହୃଦଘାତର ସମ୍ମୁଖୀନ ହେଉଛନ୍ତି, ସେକଥା ଜାଣି ପାରୁ ନାହାନ୍ତି। ତେବେ ରକ୍ତ ଶିରାରେ କିଛି ସମସ୍ୟା ରହିଥିବା ସମସ୍ତେ ସନ୍ଦେହ କରୁଛନ୍ତି। ପରୀକ୍ଷାରୁ କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।
ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ ହେଁ କିଛି ମାସର ବ୍ୟବଧାନ ପରେ ସେ ଛାତିରେ ଯନ୍ତ୍ରଣା, ଗ୍ୟାସ ସମସ୍ୟା ଓ ଅଣନିଃଶ୍ୱାସୀ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଖା କହିଛନ୍ତି, “ମୁଁ ଫେବୃଆରୀ, ମେ’, ଜୁଲାଇ ଓ ନଭେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଛି। ଗୋଟିଏ ଥର ହାର୍ଟ ଆଟାକ ଆଶଙ୍କାରେ ମଧ୍ୟ ମୋତେ ହସ୍ପିଟାଲ ନିଆଯାଇଥିଲା।”
ରେଖା ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ଓ ମୋଟାପଣ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ୨୦୨୨ ସେପ୍ଟେମ୍ବର ମାସରେ ତାଙ୍କର ଓଜନ ୧୦୭ କେଜି ଥିଲା। ହେଲେ ପ୍ରଥମ ହୃଦଘାତ ପର ଠାରୁ ଇତି ମଧ୍ୟରେ ସେ ୩୦ କେଜି ଓଜନ ହରାଇ ସାରିଲେଣି। କୋଲେଷ୍ଟ୍ରଲ ହ୍ରାସ ପାଇଁ ତାଙ୍କୁ ପିସିଏସ୍କେ୯ ଇଞ୍ଜେକସନ ମଧ୍ୟ ଦିଆଯାଉଛି। ମଧୁମେହ ନିୟନ୍ତ୍ରଣରେ ରହିଛି। କିନ୍ତୁ ହାର୍ଟ ସମସ୍ୟା ତାଙ୍କର ଜାରି ରହିଛି।
ଡାକ୍ତର ରାୱତଙ୍କ କହିବା କଥା ଯେ ସାଧାରଣତଃ ହାର୍ଟ ରୋଗୀଙ୍କର ବ୍ଲକେଜ ସମାନ ସ୍ଥାନରେ ହୁଏ। ହେଲେ ରେଖାଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି। ତାଙ୍କର ବିଭିନ୍ନ ସ୍ଥାନରେ ବ୍ଲକେଜ ଦେଖାଯାଉଛି। ୯୦% ବ୍ଲକେଜ ଯୋଗୁ ସେ ପ୍ରଥମଥର ହୃଦଘାତର ସମ୍ମୁଖୀନ ହୋଇଥିଲେ। ଦୁଇ ଥର ଡାହାଣ ଆଟରେରୀରେ ୯୯% ବ୍ଲକେଜ ଯୋଗୁ ହୃଦଘାତ ହୋଇଥିଲା। ମୁଖ୍ୟ ଆଟରେରୀ ମଧ୍ୟ ତାଙ୍କର ସମସ୍ୟା ରହିଥିଲା। ଏହାପରେ ଆଉ ୨ଟି ସ୍ଥାନରେ ମଧ୍ୟ ବ୍ଲକେଜ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।
ଡିସେମ୍ବର ୧ ଓ ୨ ତାରିଖରେ ରେଖା ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ଡାକ୍ତରମାନେ ଷ୍ଟେରୋଏଡ ଓ ଅନ୍ୟ କିଛି ଭିନ୍ନ ମେଡିସିନ ଦେବା ଆରମ୍ଭ କରିଛନ୍ତି। ଏହା ତାଙ୍କ ସମସ୍ୟା ସମାଧାନ କରିବ ବୋଲି ରେଖା ଆଶା ରଖିଛନ୍ତି।
ଫିକ୍ସଡ୍ ଡିପୋଜିଟ୍ କରୁଥିଲେ ସାବଧାନ !
ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡିକ ଅନେକ ଗୁଡିଏ ସ୍କିମ୍ ରଖିଛନ୍ତି। ବୟସ ଅନୁଯାୟୀ ସ୍କିମ୍ ରହିଥିବା ବେଳେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍ ଦେଇଥାନ୍ତି ବ୍ୟାଙ୍କ । ସେଥିମଧ୍ୟରୁ ଗୋଟିଏ ହେଉଛି ରିକ୍ୟୋରିଂ ଡିପୋଜିଟ୍ ବା RD। ପ୍ରାୟ ସମସ୍ତ ବ୍ୟାଙ୍କରେ RD ସୁବିଧା ରହିଥିବା ବେଳେ ସୁଧ ହାର ଭିନ୍ନ ରହିଥାଏ । RD ହେଉଛି ବ୍ୟାଙ୍କରେ ଟଙ୍କା ବିନିଯୋଗ ଏବଂ ରିଟର୍ଣ୍ଣ ରୋଜଗାରର ଅନ୍ୟତମ ଉପାୟ । ସ୍ଥିର ଜମା ବା ଫିକ୍ସ ଡିପୋଜିଟ୍ (FD) ପରି ରିକ୍ୟୋରିଂ ଜମା (RD) ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ସୁଧ ହାର ସହିତ ରିଟର୍ଣ୍ଣ ଦେଇଥାଏ।
ଯେଉଁମାନେ ଦୀର୍ଘ ସମୟ ଧରି FDରେ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବାକୁ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ RD ହେଉଛି ଆପଣଙ୍କ ଟଙ୍କା ବିନିଯୋଗ କରିବାର ସର୍ବୋତ୍ତମ ଉପାୟ । FD ବା ଫିକ୍ସ ଡିପୋଜିଟ୍ ଏବଂ RD ବା ରିକ୍ୟୋରିଂ ଡିପୋଜିଟ୍ ମଧ୍ୟରେ ଫରକ୍ ହେଉଛି, FDରେ ଥରେ ମାତ୍ର ଜମା କରିବାକୁ ପଡିବ ଏବଂ RDରେ ମାସିକ ଥରେ ଲେଖାଏଁ ଜମା କରିବାକୁ ହେବ । ତେବେ RDରେ କେଉଁ ବ୍ୟାଙ୍କ କେତେ ପରିମାଣର ସୁଧ ଦେଉଛନ୍ତି ।
ଭୁଲ୍ କାହାର? କାହିଁକି ଦୁଇ ଦିଗଜଙ୍କ ମଧ୍ୟରେ ହେଲା ବିବାଦ
ନୂଆଦିଲ୍ଲୀ: ଲାଇଭ୍ ମ୍ୟାଚ୍ ବେଳେ ଝଗଡ଼ା। ମୁହାଁମୁହିଁ ହେଲେ ଦୁଇ ପୁରୁଣା ଷ୍ଟାର୍ ଭାରତୀୟ କ୍ରିକେଟର୍। ଖଚାଖଚ ଭିଡ ଭିତରେ ପଡିଆରେ ଏସ୍ ଶ୍ରୀସନ୍ଥ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ପରେ ଉଭୟଙ୍କ ମଧ୍ୟରେ ଗ୍ରାଉଣ୍ଡ ପରେ ସୋସିଆଲ ମିଡିଆରେ ବାକ ଯୁଦ୍ଧ ଆରମ୍ଭ ହୋଇଛି ।
ଚାଲିଛି ଲିଜେଣ୍ଡସ କ୍ରିକେଟ୍ ଲିଗ୍। ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳୀଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେଉଛି। ଭାରତର ବିଭିନ୍ନ ସହରରେ ଏହି ଲିଗର ମ୍ୟାଚ୍ ଖେଳାଯାଉଛି। ତେବେ ପୁରୁଣା ଷ୍ଟାର ଖେଳାଳିଙ୍କୁ ପୁଣିଥରେ ପଡିଆରେ ଦେଖିବାକୁ ଦର୍ଶକଙ୍କର ଭିଡ ମଧ୍ୟ ହେଉଛି। ତେବେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି।
ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ଏସ୍ ଶ୍ରୀସନ୍ଥ ଓ ପୂର୍ବତନ ଭାରତୀୟ ଓପ୍ପର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଲାଇଭ୍ ମ୍ୟାଚ୍ ବେଳେ ଝଗଡ଼ା ହୋଇଛି। ମ୍ୟାଚ୍ ଅଧାରେ ଉଭୟଙ୍କ ମଧ୍ୟରେ ହୋଇଛି କଥା କଟାକଟି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସିନିୟର ଖେଳାଳୀ ଭାବେ ଗୌତମ ଗମ୍ଭୀର ପଡିଆ ମଝିରେ ଯାହା କହିଲେ ତାହା ଉଚିତ୍ ନଥିଲା ବୋଲି ଏକ ଭିଡିଓ ଶେଆର କରି କହିଛନ୍ତି ଶ୍ରୀସନ୍ଥ।
ଇନଷ୍ଟାଗ୍ରାମ ଲାଇଭ୍ ଭିଡିଓରେ ଶ୍ରୀସନ୍ଥ କହିଛନ୍ତି, ‘ମିଷ୍ଟର ଫାଇଟର ଓ ମୋ ମଧ୍ୟରେ ଯାହା ହେଲା ତାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ଗମ୍ଭୀର ସବୁବେଳେ ବିନା କାରଣରେ ନିଜର ସାଥୀ ଖେଳାଳୀଙ୍କ ସହ ଝଗଡା କରୁଛନ୍ତି। ବୀରେନ୍ଦ୍ର ସେହୱାଗ ଓ ଅନ୍ୟ ଖେଳାଳୀଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରନ୍ତି । ସିନିୟର ଖେଳାଳୀଙ୍କୁ ସମ୍ମାନ କରନ୍ତିନି। ଆଜି ମଧ୍ୟ ସେଭଳି କିଛି ଘଟିଲା, ବାରମ୍ବାର ପଡିଆରେ ସେ ମୋତେ ଉସକାଉଥିଲେ। ପଡିଆ ଭିତରେ ସେ ମୋ ସହ ବେଶ୍ ଅଭଦ୍ରାମୀ କରିଥିଲେ।
ମୋର କୌଣସି ଭୁଲ ନଥିଲା। ଗୌତମ ଗମ୍ଭୀର ପଡିଆ ମଧ୍ୟରେ କ’ଣ କରୁଥିଲେ ତାହା ଖୁବଶୀଘ୍ର ସମସ୍ତେ ଜାଣିଯିବେ। ପଡିଆ ଭିତରେ ଲାଇଭ ମ୍ୟାଚରେ ଏଭଳି ଶବ୍ଦ ପ୍ରୟୋଗ କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ପରିବାର, ମୋ ରାଜ୍ୟ ଏପରିକି ମୋତେ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ବହୁତ ସହିଲେଣି। କିନ୍ତୁ ଏବେ ବିନା କାରଣରେ କେହି ମୋତେ ନିଚ୍ଚା ଦେଖାଇବା ଏବଂ ଅପମାନିତ କରିବା ଉଚିତ୍ ନୁହେଁ। ଗୌତମ ଗମ୍ଭୀର ମୋତେ କ’ଣ କହିଲେ ତାହା ମୁଁ ଖୁବଶୀଘ୍ର ଆପଣମାନଙ୍କୁ କହିବି।’
ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ ଅତୀତରେ ହୋଇଥିବା ବିବାଦ ବିଷୟରେ ମଧ୍ୟ ଶ୍ରୀସନ୍ଥ ବଖାଣିଛନ୍ତି। ଯଦି ଆପଣ ଆପଣଙ୍କର ସହକର୍ମୀଙ୍କୁ ସମ୍ମାନ ନ ଦିଅନ୍ତି ତେବେ ଲୋକ ପ୍ରତିନିଧିତ୍ୱ କରିବାର କ’ଣ ଆବଶ୍ୟକ? ମୁଁ ଅଧିକ ଆଘାତ ଲାଗିଛି। ଗୌତମଙ୍କ ଏଭଳି ଶବ୍ଦ ପ୍ରୟୋଗ ଯୋଗୁ ମୋ ପରିବାର ଓ ପ୍ରିୟଜନଙ୍କୁ ମଧ୍ୟ ଆଘାତ ଦେଇଛି। ମୁଁ ଗୋଟିଏ ବି ଖରାପ ଶବ୍ଦ କିମ୍ବା ଅପମାନଜନକ ଶବ୍ଦ ବ୍ୟବହାର କରି ନାହିଁ ବୋଲି ଶ୍ରୀସନ୍ଥ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଲିଜେଣ୍ଡସ୍ ଲିଗ୍-୨୦୨୩ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାର ଦ୍ୱିତୀୟ ଓଭର୍ରେ ହିଁ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା। ଗମ୍ଭୀର ଶ୍ରୀସନ୍ତଙ୍କ ପ୍ରଥମ ବଲରେ ଛକା ମାରିଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ। ଚତୁର୍ଥ ବଲ ପରେ ଶ୍ରୀସନ୍ଥ ଏବଂ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ଅମ୍ପାୟାରମାନେ ହସ୍ତକ୍ଷେପ କରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଥମିନଥିଲା।
ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କଲା ଆଇସିସି, ମହମ୍ମଦ ସାମିଙ୍କ ସହ ଏହି ୨ ଖେଳାଳି ମନୋନିତ
ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଘୋଷଣା ହୋଇଛି ପ୍ଲେୟାର ଅଫ ଦ ମନ୍ଥ । ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି ଆଇସିସି । ଭାରତୀୟ ଦୃତ ବୋଲର ମହମ୍ମଦ ସାମିଙ୍କ ନାମକୁ ଘୋଷଣା କରାଯାଇଛି । ସାମିଙ୍କ ସହ ଏହି ତାଲିକାରେ ରହିଛନ୍ତି ୨ ଜଣ ଅଷ୍ଟ୍ରେଲିୟ କ୍ରିକେଟ । ଟ୍ରାଭିସ ହେଡ୍ ଏବଂ ମ୍ୟାକ୍ସଓ୍ବେଲ ମଧ୍ୟ ଏଥିରେ ରହିଛନ୍ତି । ନିକଟରେ ଆିପିଏଲ ଯାଇଥିବାବେଳେ ଏହି ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ସାମି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଘାତକ ବୋଲିଂ କରିଥିବାବେଳେ ଭାରତ ପାଇଁ ବିଜୟ ଭେଟି ଦେଇଥିଲେ । ସେପଟେ ଫାଇନାଲ ମ୍ୟାଚରେ ଟ୍ରାଭିସ ହେଡଙ୍କ ଆକ୍ରମଣାତ୍ମକ ଶତକ ଭାରତକୁ ପରାଜୟ କରିଥିଲା । ଅନ୍ୟପଟେ ମ୍ୟାକ୍ସଓ୍ବେଲ ଆଫଗାନିସ୍ତାନ ବିପକ୍ଷ ଲିଗ ମ୍ୟାଚରେ ଯେଭଳି ଏକାକି ଖେଳିବା ସହ ଦ୍ବିଶତକୀୟ ପାଳି ଖେଳିଥିଲେ ତାହା ସବୁଦିନ ପାଇଁ ମନେ ରହିବ ନିଶ୍ଚିତ । ତେବେ ଏହି ତିନି ଖେଳାଳି ଦିନିକିଆ ବିଶ୍ବକପରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବା ସହ ଅନେକ ରେକର୍ଡ ମଧ୍ୟ କରିଛନ୍ତି ।
ବିବାହ ପାଇଁ ବର ବାହାରିବା ବେଳେ ବଡ ଅଘଟଣ, ନିଆଁ ଲାଗି ୬ ବର୍ଷର ଶିଶୁ ମୃତ
ପଟ୍ଟାମୁଣ୍ଡାଇ: ବିବାହ ପାଇଁ ବର ବାହାରିବା ବେଳେ ବଡ ଅଘଟଣ । ପେଟ୍ରୋଲ ଜାରରୁ ନିଆଁ ଲାଗି ଚାଲିଗଲା ୬ ବର୍ଷର ଶିଶୁର ଜୀବନ । ପଟ୍ଟାମୁଣ୍ଡାଇ ବଡପଡା ମହାନ୍ତି ସାହିରେ ଘଟିଛି ଏହି ଅଘଟଣ । ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରତ୍ନାକର ମଳିକଙ୍କ ପୁଅ ଯାକେଶ୍ୱର ମଳିକ ବାହାଘର ପାଇଁ ବାହାରିବା ବେଳେ ଏହି ଅଘଟଣ ଘଟିଛି । ପାଖରେ ସିଗାରେଟ ଟାଣୁଥିବା ବେଳେ ପେଟ୍ରୋଲରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗି ସମ୍ପୂର୍ଣ ଘର ପୋଡି ଯିବା ସହ ବନ୍ଧୁ ଘରକୁ ଆସିଥିବା ମାଟିଆ ଗାଁକୁ ଆସିଥିବା ଜଣେ ପାଞ୍ଚ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି । ଅଗ୍ନି କାଣ୍ଡରେ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।
ଭୁଲ୍ କଲା ସ୍କୁଲ, ଅନ୍ଧକାରରେ ୨ ଛାତ୍ରୀଙ୍କ ଭବିଷ୍ୟତ
ନୂଆଦିଲ୍ଲୀ: ସ୍କୁଲର ଭୁଲ ପାଇଁ ୨ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର । ୨୦୨୧ ମସିହା ବୋର୍ଡ ପରୀକ୍ଷାରେ କୃତି ଛାତ୍ରୀ ଜଣଙ୍କୁ ଶୂନ ନମ୍ବର ମିଳିଥିଲା । ଦୁଇ ଜଣ ଛାତ୍ରୀଙ୍କ ନାମ ସମାନ ଥିବାରୁ ବୋର୍ଡ ପରୀକ୍ଷାରେ ଶୂନ ନମ୍ବର ମିଳିଥିଲା । ହରିୟାଣା ଗୁରୁଗ୍ରାମର ଏକ ସ୍କୁଲର ଏ ଘଟଣା । ନମ୍ବର ଭୁଲ ପାଇବା ପରେ ଛାତ୍ରୀଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚଣ୍ଡୀଗଡ କୋର୍ଟର ନ୍ୟାୟାଧୀଶ ବିକାଶ ବହଲ ମାମଲାର ଯାଞ୍ଚ କରି ସିବିଏସସି ବୋର୍ଡକୁ ଛାତ୍ରୀ ଜଣଙ୍କୁ ନୂଆ ମାର୍କସିଟ୍ ଦେବାକୁ ନିର୍ଦେଶ ଦେଇଛନ୍ତି । ଏଥି ସହିତ ବିଦ୍ୟାଳୟର ଏପରି ଦାୟିତ୍ୱହୀନତା ପାଇଁ ହାଇକୋର୍ଟ ସ୍କୁଲ ଉପରେ ୩୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ସୂଚନା ମୁତାବକ ୨୦୨୧ ଶିକ୍ଷାବର୍ଷରେ କରୋନା ଯୋଗୁଁ ସ୍କୁଲର ଇଣ୍ଟରନାଲ ଆସେସମେଣ୍ଟ ଜରିଆରେ ବୋର୍ଡ ପିଲାଙ୍କୁ ମାର୍କ ପ୍ରଦାନ କରାଯାଇଥିଲା। ଦୁଇ ଜଣଙ୍କ ନାମ ରିୟା ରହିଥିବାରୁ ଏପରି ସ୍ଥିତି ଉପୁଜିଥିଲା। ଫଳରେ କୃତି ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିଲେ ।
ପଦାରେ ପଡ଼ିଲା ଝୋଟ ଚାଷୀଙ୍କ ପ୍ରତି କେନ୍ଦ୍ରର ଅବହେଳା
ଭୁବନେଶ୍ବର: ପଦାରେ ପଡ଼ିଲା ଝୋଟ ଚାଷୀଙ୍କ ପ୍ରତି କେନ୍ଦ୍ରର ଅବହେଳା। ଜୁଟ କର୍ପୋରେସନ୍ ଅଫ ଇଣ୍ଡିଆ ବନ୍ଦ କରି ଦେଇଛି ବାଲିଆପାଳ ଝୋଟ ପ୍ରୋକିୟୋରମେଣ୍ଟ ସେଣ୍ଟର। ଫଳରେ ଝୋଟ ସଂଗ୍ରହରେ ବଧା ଉପୁଜି ଚାଷୀ ହସ୍ତସନ୍ତ ହେଉଛନ୍ତି। ଏନେଇ ଜୁଟ କର୍ପୋରେସନ ଅଫ ଇଣ୍ଡିଆ ସହ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ସେପଟେ ବାଲିଆପାଳରେ ଝୋଟ ପ୍ରୋକିୟୋରମେଣ୍ଟ ସେଣ୍ଟର ଖୋଲିବାକୁ ଜେସିଆଇକୁ ପ୍ରସ୍ତାବ ଦେଇଛନ୍ତି କୃଷି ମନ୍ତ୍ରୀ। ହେଲେ ଜେସିଆଇ ପାଖରୁ ମିଳିନି ସନ୍ତୋଷଜନକ ଉତ୍ତର।
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ବର, ମୟୂରଭଞ୍ଜ । ଓଡ଼ିଶାର ଏହି ୮ଜିଲ୍ଲାରେ ହୁଏ ଝୋଟ ଚାଷ। ହେଲେ ୨୦୦୮ରୁ ବନ୍ଦ ପଡ଼ିଛି ବାଲେଶ୍ବର ଜିଲ୍ଳା ବାଲିଆପାଳ ଝୋଟ ପ୍ରୋକିୟୋରମେଣ୍ଟ ସେଣ୍ଟର। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଜୁଟ କର୍ପୋରେସନ୍ ଅଫ ଇଣ୍ଡିଆ ଏହାକୁ ବନ୍ଦ କରି ଦେଇଛି। ଏଥିପାଇଁ ହଜାର ହଜାର ଚାଷୀ ପ୍ରଭାବିତ ହେଉଛନ୍ତି।
ସେମାନଙ୍କୁ ୧୨୦କିଲୋମିଟର ଦୂର ଭଦ୍ରକ ଆସି ପ୍ରକ୍ରିୟାକରଣ କେନ୍ଦ୍ରରେ ଝୋଟ ଦେବାକୁ ପଡୁଛି। ଏଥିପାଇଁ ସେମାନେ ଆର୍ଥିକସ୍ତରରେ କ୍ଷତି ସହୁଛନ୍ତି। ଏହାକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବାକୁ ଜୁରୁରିକାଳୀନ ବୈଠକରେ ଜୁଟ କର୍ପୋରେସନ୍ ଅଫ ଇଣ୍ଡିଆ ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ସେହିପରି ନୂଆ ଫାର୍ମ ମେକାନାଇଜେସନ୍, ଇଣ୍ଟର କ୍ରପିଂ, ସଠିକ୍ ଏମଏସପିରେ ଝୋଟ କିଣା, ଦ୍ବିଗୁଣ ଚାଷ, ଋଣ ଉପରେ ବି ଗୁରୁତ୍ବ ଦେବାକୁ କେନ୍ଦ୍ର ସହ ବୈଠକରେ ଆଲେଚନା ହୋଇଛି। କାରଣ କେନ୍ଦ୍ର ଦ୍ବାରା ନିର୍ଦ୍ଧାରତି କ୍ବିଣ୍ଟାଲ ପିଛା ୫୦୫୦ ଟଙ୍କା ଏମଏସପି ଝୋଟ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନି।
ଝୋଟ କର୍ପୋରେସନ୍ ଅଫ ଇଣ୍ଡିଆ କଥାରୁ ଟାଳଟୁଳ ନୀତି ସ୍ପଷ୍ଟ ବାରି ହେଉଛି। ଏନେଇ କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରଣାଳୟକୁ ଅବଗତ କରିବା ଉପରେ ଜୋର ଦେଉଛି ଜେସିଆଇ। ହେଲେ ବାଲିଆପାଳ ଝୋଟ ପ୍ରୋକିୟୋରମେଣ୍ଟ ସେଣ୍ଟର ଖୋଲିବା ନେଇ ସେମାନେ କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି । କେବଳ ସମବାୟ ସଂସ୍ଥା ଜରିଆରେ ଏହାକୁ ଚଲାଇବାକୁ ଚିନ୍ତା କରାଯାଉଥିବା ମତ ଦେଉଛି ଜେସିଆଇ।
ଝୋଟ ଚାଷରେ ପଶ୍ଚିମବଙ୍ଗ ଏକ ନମ୍ବରରେ ରହିଛି । ଓଡ଼ିଶାର ୮ ଜିଲ୍ଲାର ୭ହଜାର ହେକ୍ଟର ଜମିରୁ ଏକ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଝୋଟ ଚାଷ ହେଉଛି। ରାଜ୍ୟରେ ବାଲେଶ୍ବର ରୁପସା ଝୋଟକଳ ଓ ଢେଙ୍କାନାଳ କଳିଙ୍ଗ ଝୋଟ କଳ ରହିଛି। ଏହି ସଂଖ୍ୟା ବୃଦ୍ଧି କରି ପଶ୍ଚିମବଙ୍ଗ ପରି ବ୍ୟାପକ କପା ଚାଷ କରିବା ପାଇଁ ସ୍ବୀକୃତିପ୍ରାପ୍ତ ନୂଆ ବିହନ, ଲାଇନ୍ ସ୍ବିଇଂ ଓ ରେଟିଂ ଆକ୍ସିଲେଟର ବ୍ୟବସ୍ଥା କରିବା ଦିଗରେ କାମ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

