spot_img
Home Blog Page 2460

ଭୁବନେଶ୍ବରରେ ଭିଣ୍ଟେଜ୍ କାର ମେଳା ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ୱରରେ ପ୍ରଥମ କରି ଓଡିଶା କନକର୍ସ ଡି ଏଲିଗାନ୍ସ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହି ପ୍ରଥମ ଧରଣର ଭିଣ୍ଟେଜ ଓ କ୍ଳାସିକ କାର ପ୍ରଦାର୍ଶନୀ ଆୟୋଜିତ ହୋଇଛି । ପ୍ରଦର୍ଶନୀରେ ଭାରତର ପ୍ରାୟ ୭ ଟି ରାଜ୍ୟରୁ ୫୨ରୁ ଅଧିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଓ ସରଂକ୍ଷିତ କାରକୁ ପ୍ରଦର୍ଶିତ କରାଯାଇଛି ।ଏଠାରେ ପ୍ରଦର୍ଶିତ କାର ମଧ୍ୟରେ ବେଞ୍ଚ ମୋଟର ୱାଗନାର ୧୮୮୬ ପ୍ରତିକୃତି ସମେତ ୧୯୩୪ର ରୋଲସ ରଏସ,୧୯୨୯ର ବ୍ଲୁରାତି ଟିଏସଏସ ଗ୍ରାଣ୍ଡ ପିକ୍ସ, ୧୯୩୨ର ଫର୍ଚ୍ଚ ଭି ସମେତ ସ୍ୱାଧୀନତା ପୂର୍ବର ବହୁ କାର ପ୍ରଦର୍ଶିତ ହୋଇଛି । କାର୍ଯ୍ୟକ୍ରମରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ ଯୋଗ ଦେଇଥିଲେ ।

ଦୁଷ୍କର୍ମକାରୀ ଅଜାକୁ ୨୦ ବର୍ଷ ସଜା

କଟକ: ଦୁଷ୍କର୍ମକାରୀ ଅଜାକୁ ସଜା । ୨୦୧୯ ମସିହାରେ ମଧୁପାଟଣା ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ କଟକ ଫାଷ୍ଟ ଟ୍ରାକ ଅଦାଲତ । ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ ପୀଡିତାର ଅଜା ଗୋପାଳ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି  । ଏଥି ସହିତ ପୀଡିତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ୩ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେ ପାକିସ୍ତାନୀ ଏଜେଣ୍ଟ ନୁହେଁ ତ? ଜାଣନ୍ତୁ ଅଞ୍ଜୁଙ୍କୁ କାହିଁକି କହିଲେ ପାକିସ୍ତାନରୁ ଆସିଥିବା ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ଅଞ୍ଜୁ ସୋସିଆଲ ମିଡିଆ ହେଉ ବା ଗଣମାଧ୍ୟମ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପାକିସ୍ତାନରୁ ଫେରିଥିବା ଭାରତୀୟ ମହିଳା ଅଞ୍ଜୁ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କୁ ଛାଡ଼ି ଭାରତ ଫେରିଥିବାବେଳେ ସେ ଏଠାରେ ରହିବେ କି ପୁଣିଥରେ ଫେରିଯିବେ ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ହରିୟାଣା ପୋଲିସ ତାଙ୍କୁ ପଚରା ଉଚରା କରିଥିବାବେଳେ ଅଞ୍ଜୁଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ସୀମା ହାଇଦର । ସେ କହିଛନ୍ତି କି, ଅଞ୍ଜୁ ପାକିସ୍ତାନୀ ଏଜେଣ୍ଟ ହୋଇ ଫେରିନାହାନ୍ତି ତ? ଭାରତ ଭଳି ସୁନ୍ଦର ଦେଶକୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ପୁଣିଥରେ ଭାରତକୁ ଫେରିବା ପଛରେ କିଛି କାରଣ ରହିନାହିଁ ତ?

ସେପଟେ ପାକିସ୍ତାନରୁ ଫେରିବା ପରେ ହରିୟାଣା ପୋଲିସ ହେପାଜତରେ ରହିଥିଲେ । ତାଙ୍କୁ ୧୨ଟି ପ୍ରଶ୍ନ ପଚରା ଯାଇଥିବାବେଳେ ସେ ନିଜର ଉତ୍ତର ରଖିଛନ୍ତି । ସେପଟେ ଧର୍ମ ପରିବର୍ତ୍ତନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜୁ । ସେ କହିଛନ୍ତି କି, ମୁଁ ଜନ୍ମରୁ ଖ୍ରୀଷ୍ଟିଆନ । ପାକିସ୍ତାନ ଯାଇ ସେଠାରେ ଧର୍ମ ପରିବର୍ତ୍ତନ କରିଛି । ଆଉ ମୋତେ ହିନ୍ଦୁ ଧର୍ମକୁ ନେଇ ଯେଉଁ ପ୍ରଶ୍ନ କରାଯାଉଛି ମୁଁ କିଛି କହିପାରିବି ନାହିଁ । ମୋର ହିନ୍ଦୁ ଧର୍ମ ସମ୍ପର୍କରେ କୌଣସି ଜ୍ଞାନ ନାହିଁ ।

 

ଚାରିଆଡୁ ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କଲେ ସୋନିଆ । ଜନ୍ମଦିନ ଅବସରରେ ସୋନିଆଙ୍କ ପାଖକୁ ଚାରିଆଡୁ ସୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଂସଦୀୟ ଦଳର ଚେୟାରପର୍ସନ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସାଙ୍ଗକୁ ଦୀର୍ଘାୟୁ କାମନା କରିଛନ୍ତି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଓ ଏକ୍ସରେ ଏକ ପୋଷ୍ଟ କରି ସେ ସୋନିଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି ।

ଅନେକ ନେତା ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି  । ସୋନିଆ ସବୁଠୁ ଅଧିକ ସମୟ ଧରି କଂଗ୍ରେସର ସଭାପତି ରହିଥିଲେ । ସେ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ସଭାପତି ପଦରେ ଥିଲେ । ଯଦିଓ ସୋନିଆ ଏବେ ସାଂସଦ ଅଛନ୍ତି, କିନ୍ତୁ ଗତ କିଛି ବର୍ଷ ହେବ ସ୍ୱାସ୍ଥ୍ୟ ଜନିତ କାରଣରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି । ଏବେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ଜାହାଜରୁ କୋକେନ ଜବତ ଘଟଣା: କର୍ମଚାରୀଙ୍କ ଭାଷା ବୁଝିବାକୁ ଆସିଲେ ଦୁଇ ଇଣ୍ଟରପ୍ରିଟର୍

ପାରାଦୀପ: ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ତଦନ୍ତ ପାଇଁ ଆସିଲେ ୨ ଇଣ୍ଟରପ୍ରିଟର୍ । ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଏହି  ଇଣ୍ଟରପ୍ରିଟର ପାରାଦୀପରେ ପହଞ୍ଚିଛନ୍ତି । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତରେ ସମସ୍ୟା ହେଉଥିଲା । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି । ଜାହାଜରେ ୧୮ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଏହି ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା ।

ସୂଚନାଯୋଗ୍ୟ, ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ ୨୨ ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜଟି । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ । ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା । ଏହାପରେ ଜାହାଜକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଏଥିରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖିଯାଇଛି ।

ମହିଳାଙ୍କ ରକ୍ତ ଜୁଡୁବୁଡୁ ଶବ ଜବତ ଘଟଣା: ଶାଶୂଙ୍କୁ ପିଟିପିଟି ମାରିଥିଲା ବୋହୂ

ବାଙ୍କୀ: କଟକ ବାରଙ୍ଗ ଥାନା ମଧୁପୁର ଗାଁରେ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ । ଆଉ କେହି ନୁହେଁ ଲୁହା ରଡରେ ପିଟିପିଟି ବୋହୂ କରିଥିଲା ହତ୍ୟା । ବୋହୂ ସରସ୍ବତୀଙ୍କୁ ଗିରଫ କଲା ବାରଙ୍ଗ ଥାନା ପୋଲିସ ।

ସୂଚନା ଅନୁସାରେ, ୬ ତାରିଖ ବୁଧବାର ରାତିରେ ପୁଅ ସରୋଜ ଘରେ ନଥିବାରୁ ଶାଶୂ ସୁଚିତ୍ରା ସାହୁ ଏବଂ ସରସ୍ୱତୀ ନୂଆ ଘରେ ଶୋଇଥିଲେ । ପୁରୁଣା ଘରକୁ ଶୋଇବାକୁ ଯାଇଥିଲେ ଶ୍ୱଶୁର ଚତୁର୍ଭୁଜ । ସକାଳୁ ଘର ଭିତରେ ସୁଚିତ୍ରାଙ୍କ ରକ୍ତାକ୍ତ ମୃତଦେହ ଦେଖି ସୁଚିତ୍ରାଙ୍କ ଭାଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ କରି ବୋହୂ ସରସ୍ବତୀକୁ ଗିରଫ କରିଛି ।

ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା OPGC ର ପାଉଁଶ ପାଣି

ଝାରସୁଗୁଡ଼ା: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ୟୁନିଟ-୧ ଓ ୨ର ପାଉଁଶ ପୋଖରୀ । ହିଡ଼ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । କଣ୍ଟାଟିକ୍ରା ଓ ଶରଧାପାଲି ଗାଁ ନିକଟରେ ପାଉଁଶ ପୋଖରୀ ହିଡ଼ ଭାଙ୍ଗି ଚାଷଜମି ଓ ଆଖପାଖ ଅଞ୍ଚଳରେ ମାଡ଼ି ଯାଇଛି । ବ୍ୟାପକ ଫସଲ ନଷ୍ଟ ସହ ପରିବେଶ ପ୍ରଦୂଷଣ ଆଶଙ୍କା କରାଯାଉଛି ।

ପାଉଁଶ ପୋଖରୀ ଭାଙ୍ଗିବା ପରେ ଗାଁରେ ଅସନ୍ତୋଷ । ଓପିଜିସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆସପଣ୍ଡ ମରାମତି କରାଯାଉଛି । ଓପିଜିସି କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି ।

ସକାଳ ୬ଟାରୁ ୮ଟା ମଧ୍ୟରେ ଏହି ଅଘଟଣ ଘଟିଛି । ପାଉଁଶ ପାଣି ହିଡ଼ ଭାଙ୍ଗି ପ୍ରାୟ ୧୦ ଏକର ଚାଷ ଜମିରେ ମାଡି ଯାଇଛି । ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଲୋକ ଓ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ନେଇ ଏହି ଆଲୋଚନା କରାଯାଉଛି ।

ସୂଚନାଯୋଗ୍ୟ, କିଛିଦିନ ହେବ ହିଡ଼ରୁ ପାଉଁଶ ପାଣି ଲିକ୍ ହେଉଥିଲା । ଏନେଇ ସ୍ଥାନୀୟ ଲୋକେ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

ସ୍ବାମୀ ନୁହେଁ ପ୍ରେମିକ: ବାଂଲାଦେଶୀ ଝିଅର ସ୍ବାମୀ ଖୋଜା ଘଟଣାରେ ନୂଆ ମୋଡ଼

ଜଳେଶ୍ବର: ବାଂଲାଦେଶର ଝିଅ ବାଲେଶ୍ବର ଆସି ସ୍ବାମୀଙ୍କୁ ଖୋଜିବା ଘଟଣା ନୂଆମୋଡ଼ । ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ ଗତକାଲି ରାତିରେ କମର୍ଦ୍ଦା ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ତେବେ ପ୍ରଥମେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସ୍ବାମୀ ବୋଲି କହୁଥିବା ରୁମା ଏତଲାରେ ପ୍ରେମିକ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ରୁମା ପ୍ରଥମେ କହିଥିଲେ ଯେ ବୁଦ୍ଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଛନ୍ତି । ସେ ସ୍ବାମୀଙ୍କୁ ଖୋଜିବା ପାଇଁ ବାଲେଶ୍ବର ଆସିଛନ୍ତି ।  କିନ୍ତୁ ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବୀରେନ୍ଦ୍ର ତାଙ୍କ ସ୍ୱାମୀ ନୁହନ୍ତି, ପ୍ରେମିକ । ତାଙ୍କ ସହିତ ଫେସବୁକରୁ ବନ୍ଧୁତା ହୋଇଥିଲା ଓ ପରେ ପ୍ରେମ ହେଇଥିଲା । ପ୍ରେମ ପରେ ତାଙ୍କ ଅନିଚ୍ଛା ସତ୍ତ୍ବେ ବୀରେନ୍ଦ୍ର ବିବାହର ପ୍ରତିଶ୍ରୁତି ଦେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ସେ ଅଭିଯୋଗ କରିଛନ୍ତି । ରୁମା ମ୍ୟାରିଆମଙ୍କ ଅଭିଯୋଗ ପାଇଲା ପରେ କମର୍ଦ୍ଦା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମଦଭାଟି ମାଲିକଙ୍କ କଳାଟଙ୍କା: ୪୦ ବ୍ୟାଗରୁ ବାହାରିଲା ୪୬ କୋଟି ଟଙ୍କା

ବଲାଙ୍ଗୀର: ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା । କହିଲେ- ଆସିଛି ୧୭୬ ବସ୍ତା ଟଙ୍କା । ୪୦ ବ୍ୟାଗରୁ ମିଳିଛି ୪୬ କୋଟି ଟଙ୍କା । ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I  ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ସମ୍ବଲପୁରରେ ବି ଚାଲିଛି ଟଙ୍କା ଗଣା

ସେପଟେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ମଧ୍ୟ ଯଙ୍କା ଗଣା ଚାଲିଛି । ଟଙ୍କା ଗଣତି ଲାଗି ଆଉ ଦୁଇଟି ମେସିନ ଅଣାଯାଇଛି । ରୋବଟିକ ମେସିନ ଦ୍ବାରା ଚାଲିଛି ଗଣନା । ମୋଟ ୭ଟି ମେସିନରେ ଟଙ୍କା ଗଣା ଚାଲିଥିବାବେଳେ ନିୟୋଜିତ ଅଛନ୍ତି ୬ ଜଣ କର୍ମଚାରୀ । ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟିଥିବା ସତ୍ବେ ବି ଚାଲିଛି ଗଣତି । ଆସନ୍ତାକାଲି ବି ଟଙ୍କା ଗଣା  କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଷ୍ଟେଟବ୍ୟାଙ୍କର  ଡେପୁଟି ଜେନେରାଲ ମ୍ୟାନେଜର । କୋଟି କୋଟି ଟଙ୍କା ଥିବାରୁ ଓ ନୋଟ ପୁରୁଣା ହୋଇଥିବାରୁ ଟଙ୍କା ଗଣିବାରେ ସମସ୍ୟା ହେଉଛି ।

ଭାଲୁ ସହ ଏକ ଘଣ୍ଟା ଲଢ଼େଇ, ଚାଲିଗଲା ଠିକାଦାରଙ୍କ ଜୀବନ

ନବରଙ୍ଗପୁର: ଭାଲୁ ସହ ଲଢ଼େଇ କରି ଜୀବନ ହାରିଲେ ଠିକାଦାର । ମୃତକ ହେଲେ ବ୍ରିଜେଶ ଦ୍ଵିବେଦୀ । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଘଟଣା । ମୃତ ଠିକାଦାରଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି ।

ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ ନିର୍ମାଣରେ ବ୍ରିଜେଶ ଦ୍ଵିବେଦୀ ଠିକାଦାର ଭାବେ କାମ କରୁଥିଲେ । ରାସ୍ତାପାର୍ଶ୍ଵ କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ ବ୍ରିଜେଶ ଦ୍ଵିବେଦୀ । ଆଜି ଭୋରୁ ଶୌଚ ପାଇଁ ଯିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ମୁକୁଳିବା ପାଇଁ ୧ ଘଣ୍ଟା ଧରି ଭାଲୁ ସହ ଲଢ଼େଇ କରିଥିଲେ ବ୍ରିଜେଶ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଭାଲୁ ଆକ୍ରମଣରେ ଠିକାଦାର ବ୍ରିଜେଶ ଦ୍ଵିବେଦୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।  ମୃତଦେହ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।