ଜାହାଜରୁ କୋକେନ ଜବତ ଘଟଣା: କର୍ମଚାରୀଙ୍କ ଭାଷା ବୁଝିବାକୁ ଆସିଲେ ଦୁଇ ଇଣ୍ଟରପ୍ରିଟର୍

1 min read

ପାରାଦୀପ: ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ତଦନ୍ତ ପାଇଁ ଆସିଲେ ୨ ଇଣ୍ଟରପ୍ରିଟର୍ । ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଏହି  ଇଣ୍ଟରପ୍ରିଟର ପାରାଦୀପରେ ପହଞ୍ଚିଛନ୍ତି । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତରେ ସମସ୍ୟା ହେଉଥିଲା । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି । ଜାହାଜରେ ୧୮ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଏହି ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା ।

ସୂଚନାଯୋଗ୍ୟ, ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ ୨୨ ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜଟି । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ । ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା । ଏହାପରେ ଜାହାଜକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଏଥିରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖିଯାଇଛି ।