ସ୍ବାମୀ ନୁହେଁ ପ୍ରେମିକ: ବାଂଲାଦେଶୀ ଝିଅର ସ୍ବାମୀ ଖୋଜା ଘଟଣାରେ ନୂଆ ମୋଡ଼

ଜଳେଶ୍ବର: ବାଂଲାଦେଶର ଝିଅ ବାଲେଶ୍ବର ଆସି ସ୍ବାମୀଙ୍କୁ ଖୋଜିବା ଘଟଣା ନୂଆମୋଡ଼ । ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ ଗତକାଲି ରାତିରେ କମର୍ଦ୍ଦା ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ତେବେ ପ୍ରଥମେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସ୍ବାମୀ ବୋଲି କହୁଥିବା ରୁମା ଏତଲାରେ ପ୍ରେମିକ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ରୁମା ପ୍ରଥମେ କହିଥିଲେ ଯେ ବୁଦ୍ଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଛନ୍ତି । ସେ ସ୍ବାମୀଙ୍କୁ ଖୋଜିବା ପାଇଁ ବାଲେଶ୍ବର ଆସିଛନ୍ତି ।  କିନ୍ତୁ ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବୀରେନ୍ଦ୍ର ତାଙ୍କ ସ୍ୱାମୀ ନୁହନ୍ତି, ପ୍ରେମିକ । ତାଙ୍କ ସହିତ ଫେସବୁକରୁ ବନ୍ଧୁତା ହୋଇଥିଲା ଓ ପରେ ପ୍ରେମ ହେଇଥିଲା । ପ୍ରେମ ପରେ ତାଙ୍କ ଅନିଚ୍ଛା ସତ୍ତ୍ବେ ବୀରେନ୍ଦ୍ର ବିବାହର ପ୍ରତିଶ୍ରୁତି ଦେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ସେ ଅଭିଯୋଗ କରିଛନ୍ତି । ରୁମା ମ୍ୟାରିଆମଙ୍କ ଅଭିଯୋଗ ପାଇଲା ପରେ କମର୍ଦ୍ଦା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।