ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସାମ୍ବାଦିକାଙ୍କୁ ମାଡ଼ ମରିବା ଘଟଣାରେ ଶନିବାର ଦିନ ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ । ଦଫା ୩୫୪, ୩୪୧, ୩୨୩, ୨୯୪ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ରୁଜୁ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ଖରବେଳନଗର ଥାନା ପୋଲିସ ।
ଦିଲ୍ଲୀରେ ଥମିବାର ନାଁ ନେଉନି ପ୍ରଦୂଷଣ : ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ
ନୂଆଦିଲ୍ଲୀ : ଥମୁନି ପ୍ରଦୂଷଣ , ଦିଲ୍ଲୀ ସ୍କୁଲରେ ଆଗୁଆ ଶୀତକାଳୀନ ଅବକାଶ । ପ୍ରଦୂଷଣ ଲାଗି ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ଦିଲ୍ଲୀ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି । ରାଜଧାନୀର ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ୪୫୦ ଉପରେ ରହିଛି । ଦିଲ୍ଲୀ ପ୍ରଦୂଷଣର ମାତ୍ରା ରୋକିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ,ଦିଲ୍ଲୀ,ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ନଡା ନଜାଳିବା ପାଇଁ ନିର୍ଦେଶ ଦେଇଥିଲେ ।
ଗତକାଲି ଦିଲ୍ଲୀ ସମେତ ଏହାର ପଡୋଶୀ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଏଥି ସହିତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହଟସ୍ପଟ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ , କାନ୍ନଟ ପ୍ଲେସରେ ୨୮କୋଟିର ସ୍ମଗ ଟାୱାର ସ୍ଥାପନ, ଧୂଳି କମ୍ କରିବା ପାଉଡର ସହିତ ବ୍ୟାପକ ଜଳ ସିଞ୍ଚନ କରାଯାଉଛି । ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ୧୧୦୦ରୁ ଅଧିକ ଅଧିକାରୀଙ୍କ ସହିତ ୫୧୭ ସର୍ଭେଲାନ୍ସ ଟିମ୍ ନିୟୋଜିତ କରାଯାଇଛି ।
ସେପଟେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୫୨ , ଆରକେ ପୁରମରେ ୪୩୩,ପଞ୍ଜାବୀ ବାଗରେ ୪୬୦, ଇଣ୍ଡିଆ ଗେଟରେ ୪୦୦ ରହିଛି । ଗତକାଲି ରାତିରେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୯୯୯ ଅତି ସଂକଟାପନ୍ନ ଅବସ୍ଥାରେ ଥିଲା ।
ଏସି ସିଟ୍ ଟିକେଟ ଲାଗି ଯାତ୍ରୀଙ୍କଠାରୁ ଟିଟିଇ ନେଲେ ଲାଞ୍ଚ
ଲକ୍ଷ୍ନୌ : ଚଳନ୍ତା ଟ୍ରେନରେ ଏସି ସିଟ ଟିକେଟଟିଏ ଲାଗି ଟିଟିଇ ନେଉଛନ୍ତି ଲାଞ୍ଚ । ଭିଡିଓ ଭାଇରାଲ ହେବା ପରେ ଧରାପଡିଛନ୍ତି ଲାଞ୍ଚୁଆ ଟିଟିଇ । ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରାଦାବାଦରେ । ଭିଡିଓ ଅନୁସାରେ ଜଣେ ଯାତ୍ରୀଙ୍କ ସହ ଟିଟିଇ କଥା ହେଉଛନ୍ତି । ସେ ହାପୁର ନା ମିରଟ ନା ମୁଜାଫରନଗର ଯାଏଁ ଯିବେ କି ବୋଲି ଯାତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି ଟିଟିଇ ।
ଶେଷରେ ଯାତ୍ରୀଙ୍କଠାରୁ ଟଙ୍କା ଗ୍ରହଣ କରି ଥାର୍ଡ ଏସିରେ ଆରାମରେ ଯାତ୍ରା କରିବା ଲାଗି ଟିଟିଇ ଯାତ୍ରୀଙ୍କୁ କହୁଛନ୍ତି । ଏପରିକି ଟଙ୍କା ଗ୍ରହଣ ପରେ ସେ ଯାତ୍ରୀଙ୍କୁ ନିଜର ଟାବଲେଟଟି ବି ଦେଖାଇ ସିଟ୍ କନଫର୍ମ ହେବା ବିଷୟ କହୁଛନ୍ତି । ବାଟରେ କେହି ଆଉ ହଇରାଣ କରିବେ କି ବୋଲି ଯାତ୍ରୀଙ୍କ ପ୍ରଶ୍ନରେ ଟିଟିଇ କହୁଛନ୍ତି- ସେ ଗ୍ୟାରେଣ୍ଟି ଦେଉଛନ୍ତି ଯେ ବାଟରେ ଆଉ କେହି ହଇରାଣ କରିବେ ନାହିଁ । ପ୍ରୟାଗରାଜରୁ ଶାହାରନପୁର ଯାଉଥିବା ନୌଚାନ୍ଦୀ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓ ସତ ବୋଲି ଜଣାପଡିବା ପରେ ଏହି ଟିଟିଇଙ୍କୁ ସସପେଣ୍ଡ କରାଯାଇ ଅଧିକ ତଦନ୍ତ କରାଯାଉଛି ।
ଭାରତରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ: ନିୟନ୍ତ୍ରଣ ରେଖାରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ସକ୍ରିୟ
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି । ନିୟନ୍ତ୍ରଣ ରେଖାରେ ଅତି ସକ୍ରିୟ ହୋଇଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସକର-ଇ-ତଏବା ଓ ଜୈସ-ଏ. ମହମ୍ମଦ । ଯୁଦ୍ଧ ପରଠାରୁ ପାକିସ୍ତାନ ସମର୍ଥିତ ଏହି ଦୁଇ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜୋରଦାର ଲିପ୍ତ ରହିଛନ୍ତି । ସ୍ପର୍ଶକାତର ସୀମାରେଖାରେ ଏହି ଦୁଇ ସଂଗଠନର କାର୍ଯ୍ୟକଳାପ ନେଇ ଚିନ୍ତିତ ରହିଛି ନିରାପତ୍ତା ବାହିନୀ ।
କୌଣସି ତୃତୀୟ ରାଷ୍ଟ୍ରର ସହାୟତା ବିନା ସେମାନେ କାର୍ଯ୍ୟକରୁଥିବା ନେଇ ସୂଚନା ମିଳୁ ନଥିବାବେଳେ ନିଜର ସ୍ଥିତି ଜାହିର ଲାଗି ସେମାନେ ଏଲଓସିରେ ସକ୍ରିୟ ରହିଥିବା ଦେଖାଯାଉଛି । ପାକିସ୍ତାନରେ ଦେଖାଦେଇଥିବା ଶରଣାର୍ଥୀ ସମସ୍ୟା ତଥା ତେହରିକ-ଇ-ଜିହାଦ ପାକିସ୍ତାନ ବା ଟିଜେପି ଓ ତେହରିକ ଇ ତାଲିବାନ ପାକିସ୍ତାନ ବା ଟିଟିପି ଆକ୍ରମଣ ବଢାଇ ଚାଲିଥିବାବେଳେ ନିଜର ସ୍ଥିତି ପ୍ରତି ଚାଲେଞ୍ଜ ସମ୍ମୁଖୀନ କଲେଣି ଲସ୍କର ଓ ଜୈସ ସଂଗଠନ ।
ଏହି ଦୁଇ ସଂଗଠନ ନିକଟକୁ ମଧ୍ୟ ପାଣ୍ଠି ଆସିବାରେ ବ୍ୟାପକ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି । ହମାସ, ହେଜବୁଲ୍ଲା, ଟିଜେପି, ଟିଟିପି ସହ ସମକକ୍ଷ ହେବା ଲାଗି ଲସକର ଓ ଜୈସ ସଂଗଠନ ଏଲଓସିରେ ଜୋରଦାର ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିଲାଗି ଗତ ମାସରେ ଏଲଓସିରେ ଡ୍ରୋନ କାର୍ଯ୍ୟକଳାପ ଅଧିକ ହୋଇଛି ଏବଂ ଦିନରେ ଭାରତ ସୀମାରେ ୨ରୁ ୩ଟି ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ।
ଏପରିକି ସେମାନେ ଆନ୍ତର୍ଜାତିକ ସୀମା ପାର ହେବା ସହ ଅମୃତସର ଦିଗକୁ ଡ୍ରୋନ ଛାଡୁଛନ୍ତି ବୋଲି କୁହାଯାଇଛି । ଏହି ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଯାଉଛି । ଆତଙ୍କୀ କାର୍ଯ୍ୟକଳାପରେ ଅସ୍ତ୍ରଶସ୍ତ୍ର ବ୍ଯବହୃତ ହେଉଥିବାବେଳେ ପାଣ୍ଠି ସଂଗ୍ରହ ଲାଗି ଡ୍ରଗ୍ସ ବ୍ୟବହୃତ ହେଉଛି । ଚିନ୍ତାର ବିଷୟ ଏହା ଯେ ହମାସର ଆକ୍ରମଣ ପରି ଜୈସ ଓ ଲସ୍କର ସଂଗଠନ ଆକ୍ରମଣ ସମାନ ରହିଛି । ବର୍ତ୍ତମାନ କାଶ୍ମୀରରେ ୬୦ରୁ ଅଧିକ ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁ ନାହିଁ ବୋଲି ଗୁଇନ୍ଦା ବିଭାଗ କହିଛି । ତେଣେ ଏଲଓସିରେ ଆତଙ୍କୀମାନେ ସେମାନଙ୍କ ଲଞ୍ଚିଙ୍ଗ ପ୍ୟାଡ୍ ପରିବର୍ତ୍ତନ କରୁଥିବା ଜଣାଯାଇଛି ।
ପେଟି ପେଟି ମଦ ବୋତଲ ପିଇଗଲେ ମୂଷା
ଭୋପାଲ : ବୋତଲେ ନୁହେଁ କି ଦି ବୋତଲ ନୁହେଁ, ପେଟି ପେଟି ମଦ ବୋତଲ ପିଇଗଲେ ମୂଷା । ଘଟଣା ଆଶ୍ଚର୍ଯ୍ୟ ହେଲେ ବି ସତ । ମଧ୍ୟପ୍ରଦେଶର ଏହି ଘଟଣା ସବୁଠି ଚର୍ଚ୍ଚାର କାରଣ ହୋଇଛି । ମଧ୍ୟପ୍ରଦେଶର ଛିନ୍ଦଓ୍ବାରା ଅନ୍ତର୍ଗତ କୋତଓ୍ବାଲି ଥାନା ନିକଟ ପଣ୍ୟାଗାରରେ ଏହି ଘଟଣା ଘଟିଛି । ପଣ୍ୟାଗାରରେ ଜବତ ହୋଇଥିବା ମଦପେଟିଗୁଡିକୁ ରଖାଯାଇଥିଲା । ହେଲେ ପରେ ଜଣାପଡିଥିଲା ଯେ ସେଥିରୁ ୬୦ରୁ ୬୫ ପ୍ଲାଷ୍ଟିକ ମଦ ବୋତଲକୁ କଣା କରି ମଦ ପିଇଦେଇଛନ୍ତି ମୂଷା ।
ପରେ ଯନ୍ତା ପକାଇ ଗୋଟିଏ ମୂଷାକୁ ଧରାଯାଇଛି । ପଣ୍ୟାଗାରଟି ପୁରୁଣା ହୋଇଥିବାବେଳେ ସେଠାରେ ମୂଷାଙ୍କ ଆତଯାତ ରହିଥିଲା । ତେବେ ସେମାନେ ମଦ ପିଇଦେବା ବିଷୟ ସମସ୍ତଙ୍କ କଳ୍ପନା ବାହାରେ ଥିଲା । କେବଳ ମଦ ନୁହେଁ ଜବତ ଗଞ୍ଜେଇକୁ ମଧ୍ୟ ସେମାନେ ନଷ୍ଟ କରୁଥିବା ସୂଚନା ମିଳିଛି । ଗଞ୍ଜେଇକୁ ସୁରକ୍ଷିତ ରଖିବା ଲାଗି ପୋଲିସ ତାହାକୁ ଟିଣ ବାକ୍ସରେ ରଖିଛନ୍ତି ।
ପାଲେଷ୍ଟାଇନ ରାଷ୍ଟ୍ରପତି ଆବାସଙ୍କ କାରକେଡ ଉପରେ ଆକ୍ରମଣ
ନୂଆଦିଲ୍ଲୀ : ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ କାରକେଡ ଉପରେ ଆକ୍ରମଣ , ଅଳ୍ପକେ ବର୍ତ୍ତିଲେ ଆବାସ । ଗୁଳିମାଡ଼ରେ ଜଣେ ସୁରକ୍ଷା କର୍ମୀ ଗୁରୁତର ହୋଇଥିବାବେଳେ ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ସନସ୍ ଅଫ ଆବୁ ଜନ୍ଦଲ । ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓ୍ବେଷ୍ଟବ୍ୟାଙ୍କ ସ୍ଥିତ ଏହି ସଂଗଠନ 24 ଘଣ୍ଟାର ମହଲତ ଦେବା ପରେ ଆବାସଙ୍କ ଉପରେ ଏହି ହମଲା ହୋଇଛି । ତେଣେ ହମାସର ବହୁ ଟନେଲଗୁଡିକ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ବନ୍ଦ ଲାଗି ଗ୍ରୁପ-୭ର ବୈଠକ ଉପରେ ଜୋର ଦେଇଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ଗତ ରବିବାର ଓ୍ବେଷ୍ଟବ୍ୟାଙ୍କରେ ବ୍ଲିଙ୍କେନଙ୍କ ସହ ଆବାସଙ୍କ ଆଲୋଚନା ପରେ ପରେ ଏହି ଆକ୍ରମଣ ସମସ୍ତ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି ।
ସେପଟେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ହମାସର ମିଲିଟାରୀ ଶାଖ ଇଜ-ଅଲ୍-ଦିନ- ଅଲ୍ କସମ ବ୍ରିଗେଡ । ତେଣେ ଗାଜା ଷ୍ଟ୍ରିପ ମଧ୍ୟକୁ ପ୍ରବେଶ କରି ଧ୍ବଂସକ୍ରିୟା ଜାରି ରଖିଛନ୍ତି ଇସ୍ରାଏଲର ବହୁ ଯୁଦ୍ଧବିମାନ । ଇସ୍ରାଏଲ ଆକ୍ରମଣରେ ଓ୍ବେଷ୍ଟବ୍ୟାଙ୍କରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଲେଣି ୪୮ ସାମ୍ବାଦିକ । ଗାଜା ସିଟିର ମଧ୍ୟଭାଗରେ ଇସ୍ରାଏଲ ବାହିନୀ ପ୍ରବେଶ କରି ଯୁଦ୍ଧ ଜାରି ରଖିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି- ତାଙ୍କ ବାହିନୀ ପ୍ରବଳ ଉତ୍ସାହରେ ଗାଜା ଅଭିଯାନ ଜାରି ରଖିଛନ୍ତି ଏବଂ ଏହି ଭୟଙ୍କର ଆକ୍ରମଣ ନେଇ ହମାସ କେବେ ବି କଳ୍ପନା କରି ନଥିଲା । ଯୁଦ୍ଧରେ ୪ ହଜାରରୁ ୧୦୦ରୁ ଅଧିକ ଶିଶୁଙ୍କ ସମେତ ୧୦ହଜାର ୩୦୦ ଲୋକଙ୍କ ପ୍ରାଣହାନୀ ଘଟିଛି ବୋଲି ଜାତିସଂଘ କହିଛି ।

