ଆଜି ଏକାମ୍ରକୁ ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ଆଜି ଏକାମ୍ର ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ। ଗାଁର କୋଣଅନୁକୋଣରେ ବିକାଶ ହେବ ଆହୁରି ତ୍ବରାନ୍ବିତ। ଆଜି ଏକାମ୍ର ଭୁବନେଶ୍ବରରେ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ। ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ।

ଜଳ ସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍ ନିର୍ମାଣ କରାଯିବ। ଏହାଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂରହେବ। ସେଠାରେ ଭବିଷ୍ୟତରେ ବୋଟିଂ ବ୍ୟବସ୍ଥା ବି କରାଯାଇ ଧଉଳିର ପର୍ଯ୍ୟଟନ ବିକାଶ କରାଯିବ।

ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟାନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩ କେ.ଭି. ଗ୍ରିଡ ସବ୍-ଷ୍ଟେସନ ନିର୍ମାଣ କାର୍ଯ୍ୟର ବି ଶିଳାନ୍ୟାସ କରାଯିବ ।