ଭାରତକୁ ଡେଙ୍ଗୁ ମୁକ୍ତ କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି। ଦେଶରେ ପ୍ରଥମ ଡେଙ୍ଗୁ ଟିକା (Vaccine) ଭାବେ ‘QDENGA’କୁ ବଜାର ପ୍ରବେଶ ପାଇଁ ଅନୁମୋଦନ ମିଳିଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଏହି ଟିକାକୁ ମଞ୍ଜୁରୀ ଦେଇଛନ୍ତି। ଟିକା ପ୍ରସ୍ତୁତକାରୀ ଜାପାନୀ କମ୍ପାନୀ ‘ଟାକେଡା ବାୟୋଫାର୍ମା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ ସୋମବାର ଏହି ବିଷୟରେ ଆନୁଷ୍ଠାନିକ ସୂଚନା ଦେଇଛି।
ଟିକାର ମୁଖ୍ୟ ବୈଶିଷ୍ଟ୍ୟ ଓ ନିୟମ:
-
ବୟସ ସୀମା: ୪ ବର୍ଷରୁ ଆରମ୍ଭ କରି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ଏହି ଟିକା ନେଇପାରିବେ।
-
ପୂର୍ବ ସ୍କ୍ରିନିଂ ଆବଶ୍ୟକ ନାହିଁ: ଜଣକୁ ପୂର୍ବରୁ ଡେଙ୍ଗୁ ହୋଇଛି କି ନାହିଁ, ତାହା ଟିକା ନେବା ପୂର୍ବରୁ ପରୀକ୍ଷା କରିବା ଜରୁରୀ ନୁହେଁ।
-
ଡୋଜ୍ ସଂଖ୍ୟା: ଏହାର ଦୁଇଟି ଡୋଜ୍ ରହିଛି। ପ୍ରଥମ ଡୋଜ୍ ନେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ।
-
ବ୍ୟାପକ ସୁରକ୍ଷା: ଏହି ଟିକା ଡେଙ୍ଗୁ ଭାଇରସର ସମସ୍ତ ଚାରୋଟି ସେରୋଟାଇପ୍ (Serotypes) ବିରୁଦ୍ଧରେ ସ୍ଥିର ଏବଂ ଦୀର୍ଘସ୍ଥାୟୀ ସୁରକ୍ଷା ପ୍ରଦାନ କରେ।
ସୂଚନାଯୋଗ୍ୟ ଯେ, ଭାରତ ପୂର୍ବରୁ ବିଶ୍ୱର ୪୩ଟି ଦେଶ ‘QDENGA’ ଟିକାକୁ ମଞ୍ଜୁରୀ ଦେଇସାରିଛନ୍ତି ଏବଂ ସାରା ବିଶ୍ୱରେ ୩୨ ନିୟୁତରୁ (୩.୨ କୋଟି) ଅଧିକ ଡୋଜ୍ ଲୋକେ ନେଇସାରିଛନ୍ତି। ନିକଟରେ ପ୍ରକାଶିତ ୭ ବର୍ଷର ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ, ଏହି ଟିକା ଡେଙ୍ଗୁ ସଂକ୍ରମଣ ରୋକିବା ଏବଂ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କାକୁ ବହୁ ପରିମାଣରେ କମାଇ ଦେଇଥାଏ।
ଭାରତୀୟଙ୍କ ଉପରେ ହୋଇଛି ସଫଳ ପରୀକ୍ଷଣ
ଟାକେଡା କମ୍ପାନୀ ଅନୁଯାୟୀ, ଏହି ଅନୁମୋଦନ ଏକ ବ୍ୟାପକ କ୍ଲିନିକାଲ୍ ଟ୍ରାଏଲ୍ ଉପରେ ଆଧାରିତ। ବିଶ୍ୱସ୍ତରରେ ୨୮,୦୦୦ରୁ ଅଧିକ ଲୋକଙ୍କୁ ନେଇ ୧୯ଟି କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା। ଏହା ସହିତ ଭାରତରେ ବିଶେଷ ଭାବେ କରାଯାଇଥିବା ‘ଫେଜ୍-୩’ କ୍ଲିନିକାଲ୍ ପରୀକ୍ଷଣ (DEN-302) ରୁ ମିଳିଥିବା ସଫଳ ତଥ୍ୟକୁ ଆଧାର କରି ଏହି ମଞ୍ଜୁରୀ ମିଳିଛି, ଯାହା ଭାରତୀୟ ଜନସଂଖ୍ୟା ମଧ୍ୟରେ ଏହି ଟିକାର ପ୍ରତିରକ୍ଷା ଶକ୍ତି (Immunogenicity) ଏବଂ ସୁରକ୍ଷାକୁ ପ୍ରମାଣିତ କରିଛି।
WHOର ସୁପାରିଶ:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ‘QDENGA’କୁ ସାମିଲ କରିବାକୁ ସୁପାରିଶ କରିଛି। ଏହା ସହିତ ଏହି ଟିକା WHO ଠାରୁ ‘ପ୍ରି-କ୍ୱାଲିଫିକେସନ୍’ ମଧ୍ୟ ପାଇଛି, ଯାହା ଏହାର ଗୁଣବତ୍ତା ଓ ବିଶ୍ୱସ୍ତରୀୟ ମାନଦଣ୍ଡକୁ ସୂଚାଉଛି। ଭାରତରେ ବିଶେଷ କରି ବର୍ଷା ଦିନରେ କାୟା ବିସ୍ତାର କରୁଥିବା ଡେଙ୍ଗୁ ବିରୁଦ୍ଧରେ ଏହି ଭ୍ୟାକ୍ସିନ୍ ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବ।

