spot_img
Home Blog Page 2384

କେବଳ ଆର୍ଥିକ ପରିଚାଳନା ନୁହେଁ ଡିବିଟି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ବର: ଆର୍ଥିକ ସୁପରିଚାଳନାରେ ଓଡ଼ିଶାର ଶ୍ରେଷ୍ଠତା । କେବଳ ଏହା ନୁହେଁ ଡିବିଟି କ୍ଷେତ୍ରରେ ବି ଉଲ୍ଲେଖନୀୟ ସଫଳତା । ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଛି ସରକାରୀ ଅର୍ଥ । ଦୁର୍ନୀତି ମୁକ୍ତ ପ୍ରଶାସନର ଅନନ୍ୟ ଉଦାହରଣ ଭାବେ ଡିବିଟିର ସଫଳ ପରିଚାଳନାକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ଓଡ଼ିଶାରେ ଡିବିଟିକୁ ବ୍ୟାପକ ସଫଳତା । ୨୦୨୧ରେ ୨୦ ହଜାର ୯୬ କୋଟି, ୨୦୨୨ରେ ୨୫ ହଜାର ୯୦୩ କୋଟି, ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୮ ହଜାର ୭୦୮କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଇଛି ଅର୍ଥ । ମନରେଗା ଓ ଗ୍ରାମୀଣ ଗୃହ ଯୋଜନା ହିତାଧିକାରୀଙ୍କୁ ମିଳିଛି ସିଂହ ଭାଗ । ସ୍ଥିତିର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥ ସଚିବ ବିଶାଳ ଦେବ । ଚଳିତବର୍ଷ ମନରେଗାରେ ଡିବିଟି ମାଧ୍ୟମରେ ୩୪ ଲକ୍ଷ ୬୧ ହଜାର ୩ ଶହ ହିତାଧିକାରୀଙ୍କୁ ୫ ହଜାର ୭୫ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି । ଗ୍ରାମୀଣ ଗୃହ ଯୋଜନାରେ ୨୭ ଲକ୍ଷ ୪୬ ହଜାର ୭୫୪ ହିତାଧିକାରୀଙ୍କୁ ୫ ହଜାର ୧୮୧ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସେହିଭଳି ଧାନ କିଣା ବାବଦକୁ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ୮୦୯ କୋଟି ଟଙ୍କା ଦିଆଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୯ ଶହ ୮୯ କୋଟି, କାଳିଆ ଯୋଜନାରେ ୧୭ ଶହ ୮୬ କୋଟି, କେନ୍ଦୁପତ୍ର ତୋଳାଳିଙ୍କୁ ୨୧୮ କୋଟି ଓ କୃଷି ଯାନ୍ତ୍ରିକ ସବସିଡି ଅଧୀନରେ ୧୯୭ କୋଟି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇଛି ।

କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ୨୫ଟି କାର୍ଯ୍ୟକ୍ରମ ଅଧୀନରେ ୬୧ଟି ଯୋଜନାରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର ହୋଇଛି ସରକାରୀ ଅର୍ଥ । ଛାତ୍ରବୃତ୍ତି ଯୋଜନାରେ ୨୮୫ କୋଟି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୪୨୮ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୯୯ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୯ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସରକାରୀ ଯୋଜନାରେ ଜାଲିଆତି ରୋକିବା, ମଧ୍ୟସ୍ଥଙ୍କ ଭୂମିକାକୁ ମୂଳପୋଛ କରିବା, ସବୁଥିରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ୨୦୧୩ ଜାନୁଆରୀ ପହିଲାରୁ ଡିବିଟି ବ୍ୟବସ୍ଥା ସାରା ଦେଶରେ ଆରମ୍ଭ ହୋଇଥିଲା । ଏକ୍ଷେତ୍ରରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଓଡିଶା । ଡିବିଟି କାରବାର ବୃଦ୍ଧି ହେଉଥିବାରୁ ଲୋକଙ୍କ ଭରସା ସରକାରଙ୍କ ଉପରେ ବଢୁଛି ।

ଓଡ଼ିଶାର ଆର୍ଥିକ ପରିଚାଳନା, ଅର୍ଥନୀତିରେ ଅଭିବୃଦ୍ଧି, ବଳକା ରାଜସ୍ବ ଦିଗକୁ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ବାରମ୍ବାର କରିଆସିଛନ୍ତି ପ୍ରଶଂସା ।

ସବୁଠି ଗୋଟିଏ ଉତ୍କଣ୍ଠା: ୨୦୨୪ରେ ରାଜ୍ୟବାସୀଙ୍କୁ କ’ଣ ଭେଟି ଦେବେ ରାଜ୍ୟ ସରକାର ?

ଭୁବନେଶ୍ବର: ଡିସେମ୍ବରର କ୍ୟାଲେଣ୍ଡର ଯେତିକି ଓଲଟୁଛି ଉତ୍କଣ୍ଠାର ହାର୍ଟବିଟ୍ ସେତିକି ବଢୁଛି । କୁହାଯାଏ ଅନେକ ଆଶା ଆଉ ସମ୍ଭାବନାକୁ ନେଇ ଆସେ ନୂଆବର୍ଷ । ଆଉ ଦିନକ ପରେ ୨୦୨୩ ବିଦାୟ ନେଇ ଇତିହାସ କାନ୍ଥରେ ନିଜକୁ ସାମିଲ କରିବ । ନୂଆବର୍ଷର ଉତ୍ସାହ ଭିତରେ ଓଡ଼ିଶାବାସୀଙ୍କୁ କ’ଣ ଭେଟି ଦେବେ ରାଜ୍ୟ ସରକାର ? ବିକାଶକୁ ଜୋସ ଦେବାକୁ ଲୋକଙ୍କୁ କେଉଁ ଉପହାର ଭେଟି ଦେବେ ନବୀନ ସରକାର ତାକୁ ନେଇ ଏବେ ସବୁଠି ଆଲୋଚନା ।

୨୦୨୪ର ଉତ୍ସାହ ସାଥିରେ ରୂପାନ୍ତରଣର ଜୋସ୍ । ସ୍ବପ୍ନରୁ ବାସ୍ତବତାର ଯାତ୍ରା, ପ୍ରତିଶ୍ରୁତିରୁ ପରିପାଳନର ପ୍ରତୀକ୍ଷା । ନୂଆବର୍ଷ ସାଥିରେ ଓଡ଼ିଶା ଲେଖିବ ସମୃଦ୍ଧିର ନୂତନ କାହାଣୀ । ଜାନୁଆରୀରେ ହେବ ବିକାଶର ବର୍ଷା । ବର୍ଷ ଆରମ୍ଭ ଅର୍ଥାତ ଜାନୁଆରୀ ୧ ତାରିଖରୁ ହିଁ ପ୍ରଗତିର ପଥରେ ଲମ୍ବା ପାଦ ବଢାଇବ ନୂଆ ଓଡ଼ିଶା । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ ନିବେଶ ହୋଇଥିବାବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡ଼ିବ । ଯାହାକି ନବୀନ ସରକାରଙ୍କ କାମରେ ବିଶ୍ବାସ ନୀତିର ଆଉ ଏକ ଉଦାହରଣ ସାଜିବ ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶା ରୂପାନ୍ତରଣ ସର୍ବଶ୍ରେଷ୍ଠ ଉଦାହରଣ ସହ ବିଶ୍ବସ୍ତରୀୟ ଐତିହ୍ୟ କ୍ଷେତ୍ର ଭାବେ ବିଶ୍ବର ଦୃଷ୍ଟି ଆକର୍ଷଣ କରିବ । ସାରା ଦେଶ ପୁରୀରେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଆରାଧନାରେ ନିମଗ୍ନ ହେବ । ଏହାଛଡ଼ା 5T ରୂପାନ୍ତରଣ ଓ ନବୀନ ସରକାରଙ୍କ ପ୍ରତିବଦ୍ଧତାକୁ ଅଙ୍ଗେ ନିଭାଇବେ ଓଡ଼ିଶାବାସୀ । ସେହିପରି ପଶ୍ଚିମ ଓଡ଼ିଶାର ଆରାଧ୍ୟଦେବୀ ମାଆ ସମଲେଇ ପୀଠର ନବକଳେବର ମଧ୍ୟ ବିକାଶର ବାର୍ତ୍ତାବହ ସାଜିବ । ସମଲେଇ ପ୍ରକଳ୍ପର ଲୋକାର୍ପଣ କରି ଆଧ୍ୟାତ୍ମିକତାର ନୂଆ ଏକ ଅଧ୍ୟାୟ ଲେଖିବେ ମୁଖ୍ୟମନ୍ତ୍ରୀ  । ଅନ୍ୟପଟେ ଭୁବନେଶ୍ବର ଛାତିରେ ରୂପାନ୍ତରଣର ନୂଆ ରୂପ ଦେଖାଇ ସଭିଙ୍କୁ ମନମୋହିବ ବରମୁଣ୍ଡା ବସ ଟର୍ମିନାଲ । ବିମାନବନ୍ଦର ଢାଞ୍ଚାରେ ନିର୍ମିତ ବିଶ୍ବସ୍ତରୀୟ ବସଷ୍ଟାଣ୍ଡକୁ ଲୋକାର୍ପିତ କରିବେ ଜନନାୟକ ନବୀନ ପଟ୍ଟନାୟକ ।

ଏତିକି ନୁହେଁ,  ୨୦୨୪ରେ ଆହୁରି ସମୃଦ୍ଧ ହେବ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି । ବିଶ୍ବରେ ଚମକିବ ଓଡିଆ ଅସ୍ମିତା । ସତ୍ୟବାଦୀରେ ପ୍ରତିଷ୍ଠିତ ସ୍ବପ୍ନର ପ୍ରୋଜେକ୍ଟ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକି ଓଡ଼ିଆ ଭାଷାର ଗବେଷଣା ପାଇଁ ଉତ୍କୃଷ୍ଟ ସ୍ଥାନ ସାଜିବା ସହ ସଭିଙ୍କୁ ଗୌରବ ଭେଟି ଦେବ । ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ପୂରା ବିଶ୍ବରେ ଓଡ଼ିଆ ଭାଷାକୁ ବ୍ରlଣ୍ଡିଂ କରିବାକୁ ରାଜ୍ୟ ସରକାର ଏଭଳି ଅଭିଯାନ ହାତକୁ ନେଇଛନ୍ତି ।

ସେହିପରି ଚାଷୀ ଓ ଚାଷର ଉନ୍ନତି ପାଇଁ ନବୀନ ସରକାରଙ୍କ ପ୍ରତିଶ୍ରୁତିର ପରିପାଳନ ଦେଖିବ ସାରା ରାଜ୍ୟ । ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ସେହିପରି ପୂରଣ ହେବ ବରଗଡ଼ ଜିଲ୍ଲାବାସୀଙ୍କ ସ୍ବପ୍ନ । ପାଇପ ଲାଇନ ଜଳସେଚନରେ ଦେଶର ସର୍ବବୃହତ ଜଳସେଚନ ପ୍ରକଳ୍ପ କୁହାଯାଉଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଏତିକି ନୁହେଁ, ୨୦୨୪ରେ ଆହୁରି ଅନେକ ବିକାଶର ଉପହାର ପାଇବେ ରାଜ୍ୟବାସୀ ।

ତାରିଖ ବଦଳେ, ନୂଆବର୍ଷ ପୁରୁଣା ହୁଏ । ଇଏ ତ କ୍ୟାଲେଣ୍ଡରର ପ୍ରକୃତି । ହେଲେ ଓଡ଼ିଶାବାସୀଙ୍କୁ ସବୁବେଳେ କିଛି ନୂଆ ଦେବାକୁ ଉଦ୍ୟମ କରିଥାନ୍ତି ରାଜ୍ୟ ସରକାର । ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଅହରହ ନୂଆ ଚିନ୍ତା କରନ୍ତି ମୁଖ୍ୟମନ୍ତ୍ରୀ । କେବଳ ନୂଆବର୍ଷରେ ନୁହେଁ, ନବୀନ ଓଡ଼ିଶା ସବୁବେଳେ ନୂଆ ।

ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ଏମଏସଏମଇ ବିଭାଗ ଅଧୀନରେ ଓଡ଼ିଶା ଶିଳ୍ପ ସେବା- ଓଆଇଏସ କ୍ୟାଡରର ବିଭିନ୍ନ ପଦବୀରେ ନିଯୁକ୍ତିର ପଦ୍ଧତି ଏବଂ ସେବା ସର୍ତ୍ତ ନିୟମ ୨୦୨୩କୁ କ୍ୟାବିନେଟ ଅନୁମୋଦନ ମିଳିଛି  । ସେହିଭଳି ରାଜ୍ୟର ୧୧୦ ପୌର ସଂସ୍ଥାରେ ଏଲଇଡି ପାଇଁ ୩୧୨.୧୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ମିଳିଛି  । ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବୈଷୟିକ ଏବଂ ଅଣ ବୈଷୟିକ ସେବା ସଂଶୋଧନ ନିୟମାବଳୀ ୨୦୨୩ ଉପରେ କ୍ୟାବନେଟ ମୋହର ବାଜିଛି  ।

ଅନ୍ୟପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ଓଡ଼ିଶା ଡିପ୍ଲୋମା ଯନ୍ତ୍ରୀ ସେବା ଓ ଓଡ଼ିଶା ଯନ୍ତ୍ରୀ ସେବା ପୁର୍ନଗଠନକୁ ଅନୁମତି ମିଳିଛି  । ଓଡ଼ିଶା ଡିପ୍ଲୋମା ଯନ୍ତ୍ରୀ ସେବା ଅଧୀନରେ  ୩୬୫ଟି ନୂଆ କନିଷ୍ଠ ଯନ୍ତ୍ରୀ ପଦବୀ ସୃଷ୍ଟି ଓ ଓଡ଼ିଶା ଯନ୍ତ୍ରୀ ସେବା ଅଧୀନରେ ୯୧ଟି ସହକାରୀ ନିର୍ବାହି ଯନ୍ତ୍ରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ମିଳିଛି  । ସେହିଭଳି କ୍ରୁଟ ବସ ସଂଖ୍ୟାରେ ସାମିଲ କରାଯିବ ଅଧିକ ୨୦୦ ଇ-ବସ୍  । ରାଜଧାନୀ ସହ ଅନ୍ୟ ସହରରେ ଏହି ଇ-ବସ୍‌ ଗଡିବ ।

ଓଡ଼ିଶା ଅଗ୍ନିଶମ ନିୟମାବଳୀ ୨୦୨୧ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି  । ଅଗ୍ନିଶମ ସେବାରେ ଖାଲି ଥିବା ପଦବୀ ପୂରଣ ପାଇଁ ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀଙ୍କୁ ଶାରିରୀକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷା ପାଇଁ ବିଚାର କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି  । ସେହିଭଳି ଆଇଆଇପିଏଚ କ୍ୟାମ୍ପସ ପାଇଁ ରାଜଧାନୀରେ ୫ ଏକର ଜାଗା ଦିଆଯିବ ପାଇଁ କ୍ୟାବିନେଟ ଅନୁମୋଦ ମିଳିଛି ।

ଥାନା ଅଧିକାରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା

ଯାଜପୁର: ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଓ‌ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କଲେ କୋର୍ଟ । ମେଡିକାଲରେ ଚିକିତ୍ସାଧୀନ ଥାନାର ଡ୍ରାଇଭର ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ସୁକିନ୍ଦା କୋର୍ଟ । ଶିବ ବର୍ତ୍ତମାନ କଟକ ଜିଲ୍ଲା ବାଙ୍କୀ ଥାନାରେ କାର୍ଯ୍ୟରତ ଅଛନ୍ତି ।

୨୦୨୨ ମାର୍ଚ୍ଚ ୩ ତାରିଖରେ ସୁକିନ୍ଦା ଥାନାରେ କାର୍ଯ୍ୟରତ ଡ୍ରାଇଭର ସୁକୁମାର ସ୍ବାଇଁ ଅସୁସ୍ଥତା କାରଣରୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟା ସମୟରେ ତତ୍କାଳୀନ ସୁକିନ୍ଦା ଥାନା ଅଧିକାରୀ ଶିବ ସେଠାରେ ପହଞ୍ଚି ଥିଲେ । କୌଣସି କାରଣରୁ ଉଭୟଙକ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ ହୋଇଥିଲା । ଥାନା ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଡ୍ରାଇଭର ସୁକୁମାରଙ୍କୁ ମେଡ଼ିକାଲରୁ ଥାନାକୁ ନିଆଯାଇଥିଲା । ଘଟଣାକୁ ନେଇ ସେହି ମାସ ୧୬ ତାରିଖ ଦିନ ସୁକୁମାରଙ୍କ ମାଆ ସୁକିନ୍ଦା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଥାନା ଅଧିକାରୀ ଶିବ ଚରଣ ବେହେରା ମେଡ଼ିକାଲରେ ଚିକିତ୍ସାଧୀନ ସୁକୁମାର ଓ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିବା ଓ ଥାନା ଭିତରେ ତାଙ୍କ ବାପା ପଞ୍ଚାନନ ବେହେରା ସୁକୁମାରଙ୍କୁ ମାଡ଼ ମାରିଥିବା ନେଇ ମଧ୍ୟ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ମାମଲାକୁ ବିଚାରକୁ ନେଇ ସାକ୍ଷ୍ୟ ପ୍ରମାଣ ଆଧାରରେ ଶିବ ଚରଣ ବେହେରା ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।

ଠାକୁରଙ୍କୁ ଦର୍ଶନ କରାଇବାକୁ କହି ଠକି ଦେଲେ ଭଣ୍ଡ ବାବା

ଢେଙ୍କାନାଳ: ବାବାଙ୍କ ଉପରେ ଭରଷା କରି ଫସିଗଲେ ମାଆ, ଝିଅ । ବାବା ବେଶରେ ଆସିଥିବା ଠକ ଲୁଟି ନେଲା ନଗଦ ଟଙ୍କା ସହ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା । ଘଟଣା ଘଟିଛି ଢେଙ୍କାନାଳ ସହର ମୀନାବଜାରରେ । ଠାକୁରଙ୍କ ଦର୍ଶନ କରାଇବାକୁ କହି ଠକ ମାଆ, ଝିଅଙ୍କୁ ଲୁଟିଥିବା ହୋଇଛି ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ମୀନାବଜାରକୁ ସ୍ବର୍ଣ୍ଣପ୍ରଭା ସାହୁ ଝିଅ ସହ ଯାଇଥିଲେ । ମୋବାଇଲ ରିପ୍ୟାରିଂ କରି ଫେରୁଥିବା ବେଳେ ବାଟରେ ଅଟକାଇଥିଲେ ବାବା ବେଶଧାରୀ ଭଣ୍ଡ ଜଣଙ୍କ । ସ୍ୱର୍ଣ୍ଣପ୍ରଭାଙ୍କୁ ଠାକୁରଙ୍କୁ ଦର୍ଶନ କରାଇ ଦେବାକୁ କହିଥିଲେ । ଏହାସହ ତାଙ୍କ ନାବାଳକ ପୁଅଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇ ଥିଲେ ଦୁଇ ଭଣ୍ଡ ବାବା । ପରେ ସ୍ୱର୍ଣ୍ଣପ୍ରଭାଙ୍କଠାରୁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଦେବାକୁ କହିଥିଲେ । ପରେ ୫୧ ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ । ସ୍ୱର୍ଣ୍ଣପ୍ରଭା ଆଗକୁ ଯାଇ ବୁଲି ଦେଖିବା ବେଳକୁ ଚମ୍ପଟ ମାରିଥିଲେ ଦୁଇ ଭଣ୍ଡ ।  ଖବରପାଇ ଟାଉନ ଥାନା ପୋଲିସ ବଜାରରୁ ସିସିଟିଭି ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେବଳ ଗୋଟିଏ ଭୁଲ ପାଇଁ ଡିଲିଟ ହୋଇଯିବ ଫେସବୁକ୍, ଇନଷ୍ଟାଗ୍ରାମ ଆକାଉଣ୍ଟ!

ନୂଆଦିଲ୍ଲୀ : ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ । ଯଦି ବହୁ ଦିନ ଧରି ଆକାଉଣ୍ଟ ଓପେନ କରି ନାହାନ୍ତି ତାହା ହେଲେ ଆପଣଙ୍କ ପାଇଁ ସତର୍କ ସୂଚନା । କାରଣ ନୂଆ ନିୟମ ଅନୁଯାୟୀ, ଯଦି ଆପଣ କେବଳ ଗୋଟିଏ ଭୁଲ କରନ୍ତି, ତେବେ ଆପଣଙ୍କର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ ।         ଯଦି ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହା ହେଲେ ଆପଣଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ ।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନର ସୁପାରିଶ ପରେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି । ଯେଉଁଥିରେ ୟୁଜର୍ସ ଜାଣିବା ଆଗରୁ ଡିଲିଟ ହୋଇଯିବ ଆକାଉଣ୍ଟ । ଆସନ୍ତୁ ଜାଣିବା କଣ ହୋଇଛି ନିୟମରେ ପରିବର୍ତ୍ତନ

ସରକାରଙ୍କ ନିୟମ ଅନୁଯାୟୀ, ଯେଉଁ ଉପଭୋକ୍ତାମାନେ ଗତ ତିନି ବର୍ଷ ଧରି ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ଓପେନ କରି ନାହାନ୍ତି କି ସେଥିରେ କିଛି ପୋଷ୍ଟ କରି ନାହାନ୍ତି, ସରକାର ସେହି ଆକାଉଣ୍ଟ ସବୁ ବନ୍ଦ କରିପାରିବେ ।

ସୋସିଆଲ ମିଡିଆ ସମ୍ବନ୍ଧରେ ପ୍ରସ୍ତୁତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ୍ ମାର୍କେଟପ୍ଲେସ୍, ଗେମିଂ କମ୍ପାନୀ ଏବଂ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀ ଉପରେ ମଧ୍ୟ ଲାଗୁ  କରାଯାଇପାରିବ  । ଏହା ସହିତ ଭାରତରେ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ଜଣା ପଡ଼ିବ ।

ସରକାରଙ୍କ ଏହି ନିୟମ ସେହି ଉପଭୋକ୍ତାମାନଙ୍କ ପାଇଁ ଅଧିକ କ୍ଷତି ପହଞ୍ଚାଇବ ଯେଉଁମାନେ ମାସ ମାସ ଧରି ଆକାଉଣ୍ଟ ଖୋଲନ୍ତି ନାହିଁ ଏବଂ ନିଜ ଆକାଉଣ୍ଟର ପାସୱାର୍ଡ ଭୁଲିଗଲେ, ସେମାନେ ଆଉ ଏକ ଆକାଉଣ୍ଟ ଓପେନ କରନ୍ତି । ଯଦି ଆପଣ ଏପରି ଆକାଉଣ୍ଟ କରିଛନ୍ତି, ତେବେ ଆପଣଙ୍କର ବନ୍ଦ ହୋଇଯାଇଥିବା ପୁରୁଣା ଆକାଉଣ୍ଟ ଡିଲିଟ୍ ହୋଇଯିବ ।

ଜଣେ ସରକାରୀ ଅଧିକାରୀ ସୂଚନା ଅନୁଯାୟୀ, ‘ସୋସିଆଲ ମିଡିଆ କମ୍ପାନୀଗୁଡିକରୁ ସରକାର ମତାମତ ଗ୍ରହଣ କରିଛନ୍ତି । ଯେଉଁଥିରେ କୁହାଯାଇଥିଲା, ଯଦି ଆଇନ ପ୍ରଣୟନକାରୀ ସଂସ୍ଥା ବନ୍ଦ ଆକାଉଣ୍ଟର ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି, ତେବେ ଆକାଉଣ୍ଟ ବନ୍ଦ କରି ଏହାକୁ ତିନି ବର୍ଷ ପରେ ପାଇପାରିବ  ।

୧୮୨୬ ନିର୍ମାଣ ଶ୍ରମିକଙ୍କୁ ୧୧ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ

ଦେବଗଡ଼: ନୂଆବର୍ଷ ପୂର୍ବରୁ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ଖୁସି । ଦେବଗଡ଼ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ।  ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ଶ୍ରମ ବିଭାଗ ଜରିଆରେ ୧୮୨୬ ଜଣ ନିର୍ମାଣ ଶ୍ରମିକଙ୍କୁ ୧୧ କୋଟି ୩୦ ଲକ୍ଷ ୯୭ ହଜାର ୪ ଶହ ଟଙ୍କାର ସହାୟତା ପ୍ରଦାନ କରାଯାଇଛି  l ଏଥିମଧ୍ୟରୁ ୨୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦକୁ ୧୫ ଲକ୍ଷ ୫୭ ହଜାର ୪ ଶହ ଟଙ୍କା ଦିଆଯାଇଛି ।

ସେହିପରି ୮୮୭ ଜଣ ଶ୍ରମିକଙ୍କୁ ବିବାହ ସହାୟତା ବାବଦକୁ ୪ କୋଟି ୪୨ ଲକ୍ଷ ୭୫ ହଜାର ଟଙ୍କା ଦିଆଯାଇଛି । ୩୭ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ ୩ ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଛି । ୩୨୮ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୬ କୋଟି ୫୩ ଲକ୍ଷ ଓ ୩୨୦ ଶ୍ରମିକଙ୍କୁ ମୃତଦେହ ସଂସ୍କାର ନିମନ୍ତେ ୧୫ ଲକ୍ଷ ୯୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି l ଗରିବ ଶ୍ରମିକ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ ।

ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଦାୟିତ୍ବ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଦାୟିତ୍ବ । ଡିସେମ୍ବର ୩୧ରେ ଡିଜିପି ସୁନୀଲ ବଂଶଲ ଅବସର ନେଉଥିବା ବେଳେ ଅରୁଣଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ନୂଆ ଡିଜିପିଙ୍କୁ ନିଯୁକ୍ତି ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇବେ ଅରୁଣ ।

ସୂଚନାଯୋଗ୍ୟ, ଅରୁଣ ୧୯୯୦ ବ୍ୟାଚ ଆଇପିଏସ ଅଫିସର । ତାଳଚେର ଏସଡିପିଓ ଭାବେ ଆରମ୍ଭ କରିଥିଲେ କ୍ୟାରିୟର । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ ଏସପି ଭାବେ କାର୍ଯ୍ୟ ତୁଲାଇଛନ୍ତି । ଭୁବନେଶ୍ୱର ଓ ରାଉରେଲାରେ ମଧ୍ୟ ଏସପି ଥିଲେ । ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ କାମ କରିଛନ୍ତି ।

ଗୁଗଲ ଟ୍ରେଣ୍ଡ୍ ହିସାବରେ ୨୦୨୩ରେ ଚର୍ଚ୍ଚାରେ ଥିଲେ ଏହି ୧୦ ଖବର

ନନ୍ଦିଘୋଷ ବ୍ୟୁରୋ: ସରି ଆସୁଛି ୨୦୨୩ । ତେବେ ଏହି ବର୍ଷର ଟ୍ରେଣ୍ଡ୍ ରେ ରହିଥିବା ଘଟଣାଗୁଡିକ ଗୁଗୁଲ୍ ତାର ବ୍ଲଗ୍ ରେ ସେୟାର କରିଛି  । ୨୦୨୩ରେ ଚର୍ଚ୍ଚିତ ଥିବା ଖବର ଗୁଡିକ ଗୁଗୁଲ୍  ପ୍ରକାଶ କରିଛି  ।  ଚନ୍ଦ୍ରାୟାନ -୩ ଠାରୁ ଆରମ୍ଭ କରି ସତୀଶ କୌଶିକ୍ ଙ୍କ ପର୍ଯ୍ୟନ୍ତ ୨୦୨୩ରେ ଯାହା ଚର୍ଚ୍ଚାରେ ରହିଥିଲା ତେବେ ଆସନ୍ତୁ ଜାଣିବା ସେହି ବିଷୟରେ  ।

ଚଳିତବର୍ଷ ଭାରତର ତୃତୀୟ ମୁନ୍ ମିଶନ୍ ସମଗ୍ର ବିଶ୍ବରେ ଦୃଷ୍ଟି ଆକର୍ଷଣ କରିଥିଲା  । ଏହି ମିଶନ୍ କେବଳ ମହାକାଶ ଅନୁସନ୍ଧାନ ପାଇଁ ନୁହେଁ  ବରଂ ବିଶ୍ବ ମହାକାଶ ଦୌଡରେ ଭାରତ ଆଗକୁ ବଢୁଥିବାର ନଜର ଆସିଛି  । ଗୁଗୁଲ୍ ଇଣ୍ଡିଆରେ ଚନ୍ଦ୍ରାୟାନ୍ -୩ ହେଉଛି ୨୦୨୩ର ସବୁଠୁ ଖୋଜା ଯାଇଥିବା ଖବର  ।

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ଏକ ରାଜନୈତିକ ପରିବର୍ତନ କୁ ସୂଚାଇଥିଲା । ନିର୍ବାଚନର ଏହି ପରିଣାମ ଭାରତରେ ରାଜନୀତିର ଭବିଷ୍ୟତ ଏବଂ ରାଷ୍ଟ୍ରୀୟ ନୀତି କୁ ଦର୍ଶାଇଥିଲା  ।

ହମାସର ୭ ଅକ୍ଟୋବର ୨୩ ରେ ଆକ୍ରମଣ ଏବଂ ଗାଜାରେ ଇସ୍ରାଏଲ୍ର  ସାମରିକ କାର୍ଯ୍ୟ,  ଇସ୍ରାଏଲ୍ ରେ ଚାଲୁଥିବା ଘଟଣାଗୁଡିକ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା  । ଏହି ଘଟଣା ସୋସିଆଲ୍ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା  ।

ଭେଟରାନ୍ ବଲିଉଡ୍ ଅଭିନେତା ସତୀଶ କୌଶିକ୍ ଙ୍କ ଅକାଳ ମୃତ୍ୟୁର ଖବର ମଧ୍ୟ ଗୁଗୁଲ୍ ଅନୁଯାୟୀ ଚଳିତବର୍ଷର ଭାରତରେ ଖୋଜାଯାଇଥିବା ଖବର ମଧ୍ୟରୁ ଅନ୍ୟତମ  । ଏଥିରୁ ଜଣାପଡିଥିଲା ଯେ ସତୀଶ କୌଶିକ୍ କେବଳ ମନୋରଞ୍ଜନ ଜଗତରେ ନୁହେଁ ବରଂ ଲୋକଙ୍କ ମନରେ ବି ତାଙ୍କର ଛାପ ଛାଡିଯାଇଛନ୍ତି  । ତେବେ ବଲିଉଡ୍ ଜଗତରେ  ତାଙ୍କର ଅବଦାନ ଫ୍ୟାନ୍ସ ମାନେ ନିଶ୍ଚୟ ମନେ ରଖିବେ  ।

୨୦୨୩ର ବାର୍ଷିକ ବଜେଟ୍  ବିଭିନ୍ନ କ୍ଷେତ୍ର ଉପରେ ଧ୍ୟାନ ଦେଇ ପ୍ରଯୁକ୍ତି ବିଦ୍ୟା , ନିଯୁକ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯାଇଥିଲା  ।  ଦୈନନ୍ଦିନ ଜୀବନ ଏବଂ ବ୍ୟବସାୟ ଉପରେ ବଜେଟ୍ ର ପ୍ରଭାବ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିତର୍କ ସୃଷ୍ଟି କରିଥିଲା  ।

ତୁର୍କୀ ଏବଂ ଉତ୍ତର ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଚଳିତବର୍ଷର ହେଡଲାଇନ୍ ପାଲଟିଥିଲା  । ଏହି ଭୂକମ୍ପର ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ଅର୍ନ୍ତଜାତୀୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା କରାଯାଉଥିଲା  ।

ସମାଜବାଦୀ ପାର୍ଟିର ପୂର୍ବତନ ସାସଂଦ ତଥା ଗ୍ୟାଙ୍ଗଷ୍ଟର୍ ଅତିକ୍ ଅହମଦ୍ ହାଇପ୍ରୋଫାଇଲ୍ ହତ୍ୟା ଏବଂ ଅପରାଧିକ ମାମଲାରେ ଜଡିତ ଥିବାରୁ ଚଳିତବର୍ଷର ମୁଖ୍ୟଖବରରେ ପାଲଟିଥିଲେ  । ଏହି ମାମଲା ରାଜନୈତିକ କ୍ଷେତ୍ରରେ  ଥାଇ  ଅପରାଧ ମୂଳକ କାର୍ଯ୍ୟ କରିବା ବିଷୟରେ ଲୋକଙ୍କ ଚିନ୍ତା ବଢାଇଦେଇଥିଲା  ।

ଚଳିତବର୍ଷ ଚର୍ଚ୍ଚିତ ଚଳଚ୍ଚିତ୍ର ଫ୍ରେଣ୍ଡସ୍ ର ଅଭିନେତା ମାଥ୍ୟୁ ପେରିଙ୍କର ଅକସ୍ମାତ ମୃତ୍ୟୁ ତାଙ୍କର ପ୍ରଶଂସକଙ୍କର ହୃଦୟ ଭାଙ୍ଗିଦେଇଥିଲା  । ଏହା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ତାଙ୍କ ମୃତ୍ୟୁ ଖବର ଏହି ବର୍ଷ ଗୁଗୁଲ୍ ରେ ଖୋଜାଯାଇଥିବା ମୁଖ୍ୟ ୧୦ ଖବର ମଧ୍ୟରେ ରହିଥିଲା  । ଡିପ୍ରେସନ୍ କାରଣରୁ ସେ ଖାଉଥିବା ଔଷଧ କେଟାମାଇନ୍ ର ପ୍ରଭାବ  ପାଇଁ ମାଥ୍ୟୁ ପେରିଙ୍କର ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳିଥିଲା  ।

ମଣିପୁରରେ ଜାତିଗତ  ହିଂସା ଏବଂ ଅଶାନ୍ତି ଉତ୍ତରପୂର୍ବ ଭାରତୀୟ ରାଜ୍ୟ କୁ ହେଡଲାଇନ୍ ରେ ରଖିଥିଲା  । ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଏକ ବଡ ଧରଣର ସଂଘର୍ଷ ହୋଇଥିଲା । ଯେଉଁଥିରେ କି ସମଗ୍ର ମଣିପୁର ନିଆଁ ଲାଗିବା , ଅପହରଣ , ହତ୍ୟା ଭଳି ଅପରାଧ ସହ ସଂଘର୍ଷ କରୁଥିଲା ।

ବାଲେଶ୍ବରର ବାହାନଗାରେ ହୋଇଥିବା ଏକ ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା  । ଜୁନ୍ ୨ରେ ଓଡିଶାରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ,ଏସଏମ୍ବିଟି ବାଙ୍ଗଲୋର୍ – ହାଓଡା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡି ୩ଟି ଯାକ ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା  । ଯେଉଁଥିରେ କି ଶହ ଶହ ଲୋକ ପ୍ରାଣ ହରାଇଥିଲେ  । ଘଟଣାଟି ଲୋକଙ୍କ ମନରେ ଏକ ଗଭୀର ଛାପ ଛାଡିଦେଇଯାଇଥିଲା  । ତେବେ କୌଣସି ନା କୌଣସି କାରଣରୁ ୨୦୨୩ ବର୍ଷଟି ବେଶ୍ ଚର୍ଚ୍ଚାରେ ରହିଥିଲା  ।

 

 

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଗିବେ ୯୦ ପ୍ଲାଟୁନ୍ ଫୋର୍ସ

ପୁରୀ: ଦିନକ ପରେ ବିଦାୟ ନେବ ୨୦୨୩ ଓ ଆସିବ ୨୦୨୪ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ଦିନ ଆରମ୍ଭ କରିବାକୁ ପୁରୀରେ ଲାଗିବ ଗହଳି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ପୁରୀରେ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ଅବସରରେ ପୁରୀରେ ମୁତୟନ ହେବେ ୯୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଲେଣ୍ଟର ମୁତୟନ ରହିବେ ।

ସୁରକ୍ଷା ଦାୟିତ୍ବରେ ୨୦ ଡିଏସପି, ୫୦ରୁ ଊର୍ଦ୍ଧ୍ବ ଇନ୍ସପେକ୍ଟର ଓ ୧୪୦ ଏଏସଆଇ ରହିବେ । ପାନୀୟ ଜଳ, ଟଏଲେଟ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକ, ଛୋଟ ପିଲାଙ୍କୁ ଧରି ଆସିଥିବା ମହିଳା ଓ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଛି । ଏମାନଙ୍କୁ ଦର୍ଶନରେ ସହଯୋଗ କରିବାକୁ ପ୍ରାୟ ୫୦ ଜଣ ଭଲେଣ୍ଟର ନିୟୋଜିତ ରହିବେ । ଯେଉଁ ବରିଷ୍ଠ ନାଗରିକ ନିଜ ପରିବାର ସହ ଦର୍ଶନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଏହାସହ ସିଂହଦ୍ବାରରେ ପ୍ରବେଶ ପରେ ଦିବ୍ୟାଙ୍ଗଙ୍କୁ ନେଇ ଶ୍ରୀଜୀଉଙ୍କ ଦର୍ଶନ କରାଇବାକୁ କଲେଣ୍ଟର ନିୟୋଜିତ ରହିବେ । ସେହିପରି ମନ୍ଦିର ଭିତରେ ମହାପ୍ରଭୁଙ୍କ ସମ୍ମୁଖରେ ଯେମିତି ଗହଳି ନହେବ ସେଥିପାଇଁ ପୋଲିସ ମୁତୟନ ରହିବେ ।

ନୂଆବର୍ଷରେ ପୁରୀକୁ ଆସି ଭକ୍ତ ଏକ ନୂଆ ଅନୁଭୂତି ସାଉଣ୍ଟିବେ । ସେହିଦିନ ଏସି ସେଡ କାର୍ଯ୍ୟକ୍ଷମ ହେବ । ଯାହା ପୁରୀ ଆସିଥିବା ଭକ୍ତଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ । ସେହିପରି  ନିୟମ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ । ଏନେଇ ଜେଟିପି, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ସହ ପୋଲିସ ପ୍ରଶାସନର ବୈଠକ ହୋଇଛି । ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ପୁରୀ ଏସପି କନଓ୍ବର ବିଶାଲ ସିଂ ।

ଡିସେମ୍ବର ୩୧ ରାତି ୧୨ଟାରୁ ପୁରୀରେ ଟ୍ରାଫିକ କଟକଣା ଲାଗୁ ହେବ । ପୁରୀବାସୀଙ୍କ ପାଇଁ କୌଣସି ଟ୍ରାଫିକ କଟକଣା ରହିବ ନାହିଁ । ପୁରୀର ଦୁଇଟି ସ୍ଥାନରେ ନୋ ଭେଇକିଲ ଜୋନ୍ କରାଯାଇଛି । ମରିଚକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ ରହିବ । ସେହିପରି ଲାଇଟ୍ ହାଉସରୁ ସି-ବିଚ୍ ଥାନା ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ୍ ରହିବ । ମାଳତିପାଟପୁରରେ ପୁରୀକୁ ଆସୁଥିବା ବସ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ତିନି ଓ ଚାରିଚକିଆ ଯାନ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ, ଶରଧାବାଲି ଓ ଯାତ୍ରିକାରେ ଚାରିଚକିଆ ଜାନ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି । ମାର୍କେଟ ଛକ ଓ ବଡଦାଣ୍ଡରେ ଦୁଇଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସମୁଦ୍ର କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର କୂଳକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବ ପୋଲିସ ପ୍ରଶାସନ । ଏଥିପାଇଁ ୪ଟି ପୋଲିସ ପୋଷ୍ଟ କରାଯାଇଛି । ସମୁଦ୍ର କୂଳରେ ହଟସ୍ପଟ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହାସହ ସମୁଦ୍ର କୂଳରେ ଦୁଇଟି ମେଡିକାଲ ଏଡ ପୋଷ୍ଟ ରହିବ । ଯାହା କୌଣସି ଅଘଟଣରେ ତୁରନ୍ତ ମେଡିକାଲ ସହାୟତା ଯୋଗାଇ ପାରିବେ । ଏହାସହ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ଉପରେ ପୋଲିସ ପ୍ରଶାସନ ସମେତ ଲାଇଫ୍ ଗାର୍ଡଙ୍କ ମଧ୍ୟ ନଜର ରହିବ । କୌଣସି ଅଘଟଣ ଘଟିଲେ ତୁରନ୍ତ ପୋଲିସ ପ୍ରଶାସନ ଓ ଲାଇଫ ଗାର୍ଡଙ୍କ ସହାୟତା ନେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ହୋଟେଲ ଆସୋସିଏସନ ସହ ବୈଠକ କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି ।