spot_img
Home Blog Page 2381

ଆଳୁ ସାଜିବ ଜୀବନ ରକ୍ଷକ ଏବଂ କ୍ୟାନସରର ଔଷଧ

ନନ୍ଦିଘୋଷ ବ୍ୟୁରୋ: ଆଳୁ କରିବ କ୍ୟାନସରର ମୁକାବିଲା। ଆଳୁରେ ତିଆରି  ହେବ ଏବେ କ୍ୟାନସରର ଔଷଧ। କର୍କଟ ରୋଗ ଏବେ ବିଶ୍ବରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଆଗାମୀ ୨୦ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟ ୨.୮କୋଟି ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ବୈଜ୍ଞାନିକମାନେ ଆଳୁରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଳୁରେ ଥିବା ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର ଜୀବାଣୁକୁ ମାରିବାକୁ ସହାୟକ ହେବ । ଗ୍ଲାଏକୋଏଲକାଲାଇଡ୍ସ କ୍ୟାନସର କୋଷିକାଗୁଡିକୁ ନଷ୍ଟ କରିବା ସହ ବୃଦ୍ଧି କରିବାରୁ ରୋକିବ । ଏଥିରେ ସୋଲାନାଇନ, ଚାକୋନାଇନ, ସୋଲାସୋନାଇନ, ସୋଲାମାର୍ଜାଇନ ଓ ଟୋମାଟାଇନ ଅଛି। ଯାହା କ୍ୟାନସର ରୋଗୀଙ୍କୁ ଭଲ କରିବାରେ ସାହାଯ୍ୟ କରିବ । ସେଥିପାଇଁ ଭବିଷ୍ୟତରେ କ୍ୟାନସର ରୋଗୀକୁ ଆଳୁ ଭଲ କରିପାରିବ ଏଥିରେ ସନ୍ଦେହ ନାହିଁ।

ମାଳଦ୍ବୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ କଣ ରହିଛି ପାର୍ଥକ୍ୟ?

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷଦ୍ବୀପ ଗସ୍ତର ଫଟୋରୁ ଆରମ୍ଭ ହୋଇଛି  । ଏଭଳିକି ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଲୋକେ ମାଳଦ୍ବୀପକୁ ବୟକଟ କରିବାକୁ ଦାବି ହୋଇଥିଲା । ଛୁଟି କାଟିବା ପାଇଁ ମାଳଦ୍ବୀପ ଅପେକ୍ଷା ଲାକ୍ଷଦ୍ବୀପ ଉତକୃଷ୍ଠ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି  । ତେବ ମାଳଦ୍ବୀପ ଏବଂ ଲାକ୍ଷଦ୍ବୀପ ମଧ୍ୟରେ କଣ ରହିଛି ପାର୍ଥକ୍ୟ ।  ଯଦି ମାଳଦ୍ବୀପର ଇତିହାସ ଦେଖିବା ମାଳଦ୍ବୀପ ଏକ ମାଲାୟାଲମ୍ ଶବ୍ଦ ଯାହାର ଅର୍ଥ ଦ୍ବୀପଗୁଡିକରମାଳ । ୧୯୬୫ରେ ମାଳଦ୍ବୀପ ବ୍ରିଟେନରୁ ସ୍ବାଧୀନତା ପାଇଲା, ଏହା ପରେ ଏଠାରେ ରାଜତନ୍ତ୍ର ପ୍ରତିଷ୍ଠା ହେଲା । ତିନି ବର୍ଷ ପରେ ୧୯୬୮ ମସିହାରେ ମାଳଦ୍ବୀପ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ପ୍ରତିଷ୍ଠା ହେଲା ।

ଏହାର ଅବସ୍ଥାନ ବିଷୟରେ କହିଲେ, ଏହା ଭାରତର ଦକ୍ଷିଣ-ପଶ୍ଚିମରେ ରହିଛି । କେରଳର କୋଚି ଠାରୁ ମାଳଦ୍ବୀପ ପର୍ଯ୍ୟନ୍ତ ଦୂରତା ଏକ ହଜାର କିଲୋମିଟର । ଭାରତ ମହାଶାଗରରେ ଅବସ୍ଥିତ ମାଳଦ୍ବୀପ ଏକ ଅତି ଛୋଟ ଦେଶ । ମାଳଦ୍ବୀପ ହେଉଛି ୧୨୦୦ ଦ୍ବୀପପୁଞ୍ଜର ଏକ ସମିଶ୍ରଣ, ଯାହାର କ୍ଷେତ୍ର ୩୦୦ ବର୍ଗ କିଲୋମିଟର ଉପରେ ବିସ୍ତାର ହୋଇ ରହିଛି । ଏହାର ଜନସଂଖ୍ୟା ପ୍ରାୟ ୫ଲକ୍ଷ । ଦେଶର ଅର୍ଥନୀତି ସୁଦୃଢ କରିବାରେ ପର୍ଯ୍ୟଟନର ସର୍ବାଧିକ ଅଂଶ ରହିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାଳଦ୍ବୀପ ବୁଲିବାକୁ ଆସିଥାନ୍ତି । ଆମେ ମାଳଦ୍ବୀପକୁ ଯୋଗାଯୋଗ କଥା କହିବା ଯଦି ଭାରତରୁ ମାଳଦ୍ବୀପକୁ ବିମାନ ସଂଯୋଗ ବହୁତ ଭଲ । ପ୍ରାୟ ସମସ୍ତ ସହରରୁ ମାଳଦ୍ବୀପକୁ ଯାଇପାରିବେ । ଭାରତୀୟଙ୍କ ପାଇଁ ମାଳଦ୍ବୀପ ଭିସା ମାଗଣା ରହିଛି । ସନ୍ ଦ୍ବୀପ, ଗ୍ଲୋବିଙ୍ଗ ବିଚ୍, ଫିହାଲୋହି ଦ୍ବୀପ, ମାଲେ ସହର, ମାଫୁଶି, ଆର୍ଟିଫିସିଆଲ ବିଚ୍, ମାମିଗିଲି ପରି ପର୍ଯ୍ୟଟନ ସ୍ଥଳି ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ ।

ଲାକ୍ଷଦ୍ବୀପର ଇତିହାସ କହିବା ଯଦି ତେବେ ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଏହା ଗୋଟିଏ । କେରଳ କୋଚି ଠାରୁ ଏହାର ଦୂରତା ୪୪୦ କିଲୋମିଟର । ମାଳଦ୍ବୀପ ଠାରୁ ଏହାର ଦୂରତା ୭୦୦ କିଲୋମିଟର । ଲାକ୍ଷଦ୍ବୀପରେ ୩୬ଟି ଦ୍ବୀପ ରହିଛି । ଏହାର ସମୁଦାୟ କ୍ଷେତ୍ର ୩୨ କିଲୋମିଟର । ମାଳଦ୍ବୀପ ଠାରୂ ଏହା ୧୦ ଗୁଣ ଛୋଟ । ଏଠାର ମୋଟ ଜନସଂଖ୍ୟା ୬୦ ହଜାରରୁ ଅଧିକ । ଲାକ୍ଷଦ୍ବୀପର ୩୬ଟି ଦ୍ବୀପ ମଧ୍ୟରୁ କେବଳ ୧୦ଟି ଦ୍ବୀପରେ ଲୋକ ବସବାସ କରନ୍ତି । ଅବଶିଷ୍ଟ ଦ୍ବୀପପୁଞ୍ଜରେ କେହି ବସବାସ କରନ୍ତି ନାହିଁ । ଏଠାକାର ଆୟର ଉତ୍ସ ହେଉଛି ମତ୍ସ୍ୟଚାଷ ଏବଂ ନଡିଆ ଚାଷ । ତେବେ ନିକଟ ଅତୀତରେ ଏଠାରେ ପର୍ଯ୍ୟଟନ ଶିଳ୍ପରେ ବୃଦ୍ଧି ଘଟିଛି । ବିମାନରେ ଏଠାକୁ ଯାଇହେବ । ଆଗାତୀରେ ଏକମାତ୍ର ବିମାନବନ୍ଦର ରହିଛି  । ଲାକ୍ଷାଦ୍ବୀପରେ ପହଞ୍ଚିବାକୁ ହେଲେ ଡଙ୍ଗାର ସାହାଯ୍ୟ ନେବା ପଡେ । ଏଠାରେ ଅନେକ ଦ୍ବୀପ ଅଛି ଯେଉଁଠାରେ ଲୋକଙ୍କୁ ଯିବାକୁ ବାରଣ କରାଯାଏ । କବାରାଟ୍ଟୀ ଦ୍ବୀପ, ଲାଇଟ ହାଉସ, ଜେଟି ସାଇଟ, ଅଗାତୀ, କଦମତ୍, ବଙ୍ଗାରମ, ଥିନାକାରା ଭଳି ପର୍ଯ୍ୟଟନସ୍ଥଳି ରହିଛି । ବିଶେଷ କରି ଡିସେମ୍ବରରୁ ଫେବ୍ରୃଆରୀ ମାସରେ ଏଠାରେ ପର୍ଯ୍ୟଟଙ୍କ ଭିଡ ଜମିଥାଏ ।

ଚର୍ଚ୍ଚାରେ 12th ଫେଲ୍ ସିନେମା

ନନ୍ଦିଘୋଷ ବ୍ୟୁରୋ: 12th ଫେଲ୍ ସିନେମାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ପ୍ରଶାସନିକ ପଦବୀ ପାଇଁ ଜଣେ ମଧ୍ୟବିତ ପରିବାରର ପିଲା କିପରି ସଙ୍ଘର୍ଷ କରେ ତାହା ଏହି ସିନେମାରେ ଦର୍ଶାଯାଇଛି । ଏଥିସହ UPSC ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଚ୍ଚକୋଟୀର ପ୍ରେରଣା ରହିଛି । ସିନେମାଟି ଆଇପିଏସ ଅଧିକାରୀ ମନୋଜ ଶର୍ମାଙ୍କ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରକୁ ଯୁବପିଢି ଖୁବ୍ ପସନ୍ଦ କରିଛନ୍ତି । ଏହି ସିନେମା ଏକ ଶିକ୍ଷଣୀୟ ସିନେମା। ଜୀବନରେ ବିଫଳତା ସତ୍ତ୍ୱେ କିପରି ସଫଳତା ହାସଲ କରାଯାଏ ତା’ର ଶିକ୍ଷା ଦିଆଯାଇଛି । ଏଥିରେ ଆଇପିଏସ ଅଫିସର ମନୋଜ ଶର୍ମାଙ୍କ କାହାଣୀ ଉଲ୍ଲେଖ ରହିଛି।

ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ପ୍ରିତମ ପାଣ୍ଡେ ଯିଏକି ମନୋଜ ଶର୍ମାଙ୍କ ପାଇଁ ଉତ୍ସାହର ଆଲୋକ ଭାବରେ ଉଭା ହୋଇଥିଲେ ଏବଂ ତାଙ୍କୁ ୟୁପିଏସସି ଦୁନିଆରେ ପରିଚିତ କରାଇଥିଲେ ଏବଂ ଆଇପିଏସ୍ ଅଧିକାରୀ ହେବାର ଆଶା ଦେଖାଇଥିଲେ । ପ୍ରିତମ ପାଣ୍ଡେ ସଂଘର୍ଷ କରୁଥିବା ମନୋଜଙ୍କୁ ଏକ ସାହାଯ୍ୟ ହାତ ବଢାଇ ଆଗକୁ ନେଇଥିଲେ ଏବଂ ତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ । ଏହି ନିଃସ୍ବର୍ଥପର କାର୍ଯ୍ୟ ଏମିତି ଏକ ବନ୍ଧୁତ୍ବ ଆରମ୍ଭ କରେ ଯାହା ସୀମା ଅତିକ୍ରମ କରେ, ଏକ ଗଭୀର ସଂଯୋଗରେ ପରିଣତ ହୁଏ ଯାହା ମନୋଜଙ୍କ ସଫଳତାର ଯାତ୍ରାକୁ ଇନ୍ଧନ ଦିଏ ।

ତେବେ ଚଳଚିତ୍ରରେ ଥିବା ଏହି ପ୍ରିତମ ପାଣ୍ଡଙ୍କ ଚରିତ୍ରକୁ ନେଇ ଅନେଇ ଚର୍ଚ୍ଚା ଭିତରେ ଏବେ ସାମ୍ନାକୁ ଆସିଛନ୍ତି ଆପିଏସ ମନୋଜ ଶର୍ମାଙ୍କ ରିଅଲ ଲାଇଫର ସେହି ବନ୍ଧୁ ପ୍ରିତମ ପାଣ୍ଡେ । ବାସ୍ତବରେ ସେ ହେଉଛନ୍ତି  ଆଇପିଏସ୍ ମନୋଜ କୁମାର ଶର୍ମାଙ୍କ ଜୀବନ ଉପରେ ଆଧାରିତ ଉପନ୍ୟାସର ଲେଖକ ଅନୁରାଗ ପାଠକ । ଯିଏକି ତାଙ୍କ ନିକଟତମ ବନ୍ଧୁ  । ମନୋଜ ଶର୍ମା କହିଛନ୍ତି କି ଅନୁରାଗ ଏପରି ଜଣେ ବନ୍ଧୁ ଯିଏ ମୋତେ ଏଭଳି ଜୀବନରେ ସମର୍ଥନ କରିଛନ୍ତି ଯେପରି ଅନ୍ୟ କେହି କେବେ କରି ପାରିବେ ନାହିଁ । ସେ ହେଉଛନ୍ତି ବନ୍ଧୁତା ଶବ୍ଦର ପରିଭାଷା ବୋଲି ଶର୍ମା ପ୍ରକାଶ କରିଛନ୍ତି ଯେ ଆଇପିଏସ୍ ଅଧିକାରୀ ହେବାର ସ୍ବପ୍ନକୁ ସାକାର କରିବାବେଳେ ତାଙ୍କ ଜୀବନ କାଳରେ ପାଠକଙ୍କ ଗଭୀର ପ୍ରଭାବକୁ ଦୋହରାଇଛନ୍ତି ।

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ପୁରୀ: ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୧୨ ତାରିଖରୁ ଯଜ୍ଞ ଆରମ୍ଭ ହେବାକୁ ଯାଉଛି । ପୁରୀ ଯାଇ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର । ଏହି ଅବସରରେ ସେବାୟତଙ୍କ କଲ୍ୟାଣ ନିମିତ୍ତ ସେ ଆଲୋଚନା କରିଛନ୍ତି । ଲୋକାର୍ପଣ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ ।

ପାଖେଇ ଆସିଲାଣି ଦିବ୍ୟ ଦିବସ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକତ ହୃଦୟ ଉତ୍କଣ୍ଠିତ । ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଆଜି ସିଏମଓ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଯାଇ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞ ସ୍ଥଳର ଟିକିନିଖି ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ର ବୃତ୍ତି, ବର୍ଷକୁ ଦୁଇଥର କାଉନସେଲର ନିଯୁକ୍ତି, ସ୍ବାସ୍ଥ୍ୟ ବୀମା ଦଶଲକ୍ଷକୁ ବୃଦ୍ଧି ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ସେବାୟତଙ୍କ କଲ୍ୟାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସୁରେଶ।

ଜଗାଦର୍ଶନ ପାଇଁ ସାରଥି ସାଜିବ ଲକ୍ଷ୍ମୀ ବସ୍ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପଞ୍ଚାୟତରୁ ବ୍ଲକକୁ ଗଡ଼ୁଛି ଲକ୍ଷ୍ମୀ ବସ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ଗଡ଼ିବ । ଆଗାମୀଦିନରେ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଓ ଭୁବନେଶ୍ବରକୁ ଗଡି଼ବ ଜଗନ୍ନାଥ ଏକ୍ସପ୍ରେସ । ଭବିଷ୍ୟତରେ ଶ୍ରଦ୍ଧାଳୁ ମାନେ ଉପକୃତ ହେବା ସହ ସହଜରେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହାକୁ ନଜରରେ ରଖି ସ୍ବତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛି ପୁରୀ ପୋଲିସ। ସହର ଓ ସହର ବାହାରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ସ୍ପେଶାଲ କଣ୍ଟ୍ରୋଲ ରୁମ ମାଧ୍ୟମରେ ନଜର ରଖାଯିବ। ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ସମସ୍ୟା ଦୂର ପାଇଁ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସାଧାରଣ ଭକ୍ତ ଓ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ଦିଗକୁ ବିଶେଷ ଧ୍ୟାନ ଦିଆଯାଉଛି। ଏବେଠୁ ପୁରୀ ସଜେଇ ହେବା ଆରମ୍ଭ ହୋଇଥିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା କୋଠାଗୁଡିକୁ ଗୋଟିଏ ରଙ୍ଗ କରାଯାଉଛି। ଝୋଟି ଓ ସଫାସୁତୁରାରା ପରିବେଶ ସଭିଙ୍କର ମନମୋହୁଛି  ।

ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି ପ୍ରୋତ୍ସାହିତ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ଚଳିତ ବର୍ଷ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ଯୋଜନା ବା CMRIFP କାର୍ଯ୍ୟାନ୍ବୟନ ହେଉଛି। ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ୩ଶହ ଛାତ୍ରଛାତ୍ରୀ ଓ ୬୦ଅଧ୍ୟାପକଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ପିଏଚଡି ସ୍କଲାର ଓ ଅଧ୍ୟାପକ କିଭଳି ଠିକ୍ ଭାବେ ଗବେଷଣା ପାଣ୍ଠି ପାଇବେ, ସେନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସଚିବ ଅରବିନ୍ଦ ଅଗ୍ରୱାଲ ସମୀକ୍ଷା କରିଛନ୍ତି।

୨୦୨୩-୨୪ରେ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ପ୍ରଦାନ ପାଇଁ ସରିଛି ଆବେଦନ । ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଇନୋଭେସନ୍ ଇନସେନଟିଭାଇଜେସନ୍ ପ୍ଲାନ ବା ଓୟୁଆରଆଇଆଇପି ଜରିଆରେ ଅଧ୍ୟାପକ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା। ବର୍ତ୍ତମାନ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇ ସିଏମ୍ଆରଆଇଏଫପି ଯୋଜନା କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ଯୋଜନାରେ ସହାୟତା ଦିଆଯିବ। ଏସଏସବି ପକ୍ଷରୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା କରାଯିବ। ବିଭାଗ ପକ୍ଷରୁ ମାର୍କ ଆଧାରରେ ପ୍ରସ୍ତୁତ ତାଲିକା ଅନୁସାରେ ମୋଟ ୩ଶହ ଜଣଙ୍କୁ ଗବେଷଣା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ  ମାସିକ ୩୦ହଜାର ଟଙ୍କା ଲେଖାଏଁ ଫେଲୋସିପ୍ ରାଶି ପ୍ରଦାନ କରାଯିବ।

ଏହି ଯୋଜନାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ମଧ୍ୟ ଗବେଷଣା ପାଇଁ ସହାୟତା ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ଗବେଷଣା ପାଇଁ ସହାୟତା ପାଇବାକୁ ମୋଟ ୧୮୫ଜଣ ଅଧ୍ୟାପକ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୬୦ଜଣ ଶ୍ରେଷ୍ଠ ଗବେଷଣା କରୁଥିବା ଅଧ୍ୟାପକଙ୍କୁ ମନୋନୀତ କରାଯାଇଛି। ସେମାନଙ୍କୁ ୭ରୁ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।  ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ପ୍ରକ୍ରିୟା ଚାଲିଛି। ଏଥିରେ ଆର୍ଥିକ ଅନୁଦାନ ପାଇବେ ୩ଶହ ଗବେଷକ ଓ ୬୦ ଜଣ ଅଧ୍ୟାପକ । ସେହିପରି ୪ହଜାର ୧୯୧ ଜଣ ଗବେଷଣାରତ ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷରେ ଦିଆଯିବ ୨ ଲକ୍ଷ ୬ଶହ ୮ କୋଟି ଟଙ୍କାର ଋଣ

ଭୁବନେଶ୍ବର: ନାବାର୍ଡର ନୂଆ ଋଣ ଯୋଜନା । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରେଡିଟ୍ ପ୍ଲାନ ପ୍ରସ୍ତୁତ କରିଛି ନାବାର୍ଡ। ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସମ୍ମତି ପ୍ରକାଶ କରିଛନ୍ତି। ଗତ ବର୍ଷ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଥିବା ବେଳେ ଚଳିତ ବର୍ଷ କୃଷି ସମେତ ଏମ୍ଏସ୍ଏମ୍ଇ ଏବଂ ମିଶନ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ସମ୍ବଳ ଦେଖି ନାବାର୍ଡ ପକ୍ଷରୁ ପ୍ରସ୍ତୁତ ଏହି କ୍ରେଡିଟ୍ ପ୍ଳାନ୍କୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ନାବାର୍ଡ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ କ୍ରେଡିଟ୍ ସେମିନାରରେ ଏହି ଯୋଜନା ହସ୍ତାନ୍ତର କରାଯାଇଥିବାବେଳେ ଗତ ବର୍ଷ ଭଲ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଗୁଡିକୁ ସମ୍ମାନିତ କରାଯାଇଛି।

କୃଷି, ଏମ୍ଏସ୍ଏମ୍ଇ ଏବଂ ମହିଳା ସ୍ବାବଲମ୍ବୀ କ୍ଷେତ୍ରରେ ଲାଗିବ ନୂଆ ଡେଣା। ୨୦୨୪-୨୫ ଆର୍ଥିକ ବର୍ଷରେ ଦିଆଯିବ ୨ ଲକ୍ଷ ୬ଶହ ୮ କୋଟି ଟଙ୍କାର ଋଣ। ରାଜ୍ୟ ସରକାରଙ୍କୁ କ୍ରେଡିଟ୍ ପ୍ଳାନ୍ ଦେଲା ନାବାର୍ଡ। ଫୋକସରେ ମିଶନ ଶକ୍ତି ମହିଳା ଗୋଷ୍ଠୀ। ଏଥର ଉତ୍ପାଦନ ନୁହେଁ ଉତ୍ପାଦ ବିକ୍ରି ନେଇ ସ୍ବତନ୍ତ୍ର ପ୍ଳାନିଂ। ଶତ ପ୍ରତିଶତରୁ ଅଧିକ ରେଜଲ୍ଟ ହାସଲ ଲକ୍ଷ୍ୟ। ଗତ ବର୍ଷ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇ ଶତପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିଲେ ରାଜ୍ୟ ସରକାର। ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି କ୍ରେଡିଟ୍ ପ୍ଳାନ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ନାବାର୍ଡ। ବ୍ୟାଙ୍କରମାନେ ଏବର୍ଷ ଦୁଇ ଲକ୍ଷ କୋଟିରୁ ଅଧିକ ଋଣ ପ୍ରଦାନ ନେଇ ସମ୍ମତି ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ କ୍ରେଡିଟ୍ ପ୍ଳାନ୍ ଓଡ଼ିଶା ସରକାରଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ରହିବ ବୋଲି ନାବାର୍ଡ କ୍ରେଡିଟ୍ ପ୍ଳାନ ସେମିନାରରେ ଯୋଗ ଦେଇ କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ।

ଗତ ବର୍ଷ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇ ପ୍ଳାନ୍ ପ୍ରସ୍ତୁତ କରାଯାଇଥିଲା। ଯାହା ଶତ ପ୍ରତିଶତରୁ ଅଧିକ ହାସଲ ହୋଇଥିଲା । କିନ୍ତୁ ଏବର୍ଷ କୃଷି ସମେତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଏବଂ ମିଶନଶକ୍ତି ମହିଳାଙ୍କୁ ବେଶି ଗୁରୁତ୍ବ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସମ୍ବଳ ଅନୁସାରେ କ୍ରେଡିଟ୍ ପ୍ଳାନ୍ କରାଯାଇଥିବା ବେଳେ ଗାଁ ଗାଁର ବିକାଶ ମୁଖ୍ୟ ଲକ୍ଷ୍ୟ । ଦେଶର କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଯିଏ ଶତ ପ୍ରତିଶତ କ୍ରେଡିଟ୍ ପ୍ଳାନ୍ ହାସଲ କରିଛି । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇଥିବା କହିଛି ନାବାର୍ଡ । ସେମାନଙ୍କ ଦକ୍ଷତା ବୃଦ୍ଧି ସହ ପ୍ରସୁତ ଉତ୍ପାଦର ବିକ୍ରିପାଇଁ ବଜାର ଉପଲବ୍ଧ କରାଇବା ନାବାର୍ଡର ଲକ୍ଷ୍ୟ। ଓଡ଼ିଶାର ଭୁବନେଶ୍ବର ଏବଂ ଖୋର୍ଦ୍ଧାରେ ଦୁଇଟି ମିଶନଶକ୍ତି ଷ୍ଟଲ ଲାଗିଥିବା ବେଳେ ବାକି ରାଜ୍ୟର ୧୬ଟି ଷ୍ଟେସନ୍ ଏବଂ ରାଜ୍ୟ ବାହାରର ସବୁଷ୍ଟେସନରେ ଷ୍ଟଲ ଖୋଲିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ଏକ ସ୍ବତନ୍ତ୍ର ବ୍ରାଣ୍ଡ୍ କରିବାକୁ ଉଦ୍ୟମ କରାଯାଉଛି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । ଆମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଯିବେ ନାହିଁ।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି ଯେ ଗତ ମାସରେ ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ନିମନ୍ତ୍ରଣ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧୁରା ରାମ ମନ୍ଦିରର ଉଦ୍‌ଘାଟନ କରାଯାଉଛି । ଆମ ଦେଶର ଲକ୍ଷ ଲକ୍ଷ ଲୋକେ ଭଗବାନ ରାମଙ୍କ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ମାମଲା। ବିଜେପି ଏବଂ ଆରଏସଏସ ନେତାଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠାକୁ ନିର୍ବାଚନ ଲାଭ ପାଇଁ ବ୍ୟବହାର କରାଯାଉଛି। ୨୦୧୯ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରି ଓ ଭଗବାନ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ସମ୍ମାନପୂର୍ବକ ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି।

ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ମାଷ୍ଟରପ୍ଲାନ

ଭୁବନେଶ୍ବର: ରାଜ୍ୟରେ ଜଳସେଚନକୁ ଆହୁରି ସୁଦୃଢ କରିବାକୁ ଜଳ ସମ୍ପଦ ବିଭାଗର ମାଷ୍ଟରପ୍ଲାନ । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍ । ଏଥିପାଇଁ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ନିର୍ମାଣ ହେବାକୁ ଥିବା ଚେକ ଡ୍ୟାମ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଭୂତଳ ଜଳ ରିଚାର୍ଜ ଓ ଚାଷର ଉନ୍ନତି । ଏଥି ସହ ଦୁର୍ବଳ ଚେକ୍ ଡ୍ୟାମର ମରାମତି ପାଇଁ ବି ଅର୍ଥ ମଞ୍ଜୁର ହୋଇଛି ।

ପ୍ରତି ବ୍ଲକର ଜଳସେଚନ ସୁବିଧାକୁ ସମୀକ୍ଷା କରିବ ଜଳ ସମ୍ପଦ ବିଭାଗ । ଯେଉଁ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜମିକୁ ଜଳସେଚନ ସୁବିଧା ଥିବ, ସେଠାରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୧୧.୪୫କୋଟି ବ୍ୟୟରେ ୧୨୮୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ । ଯେଉଁ ଚେକ୍ ଡ୍ୟାମ୍‌ଗୁଡ଼ିକ ଭାଙ୍ଗିଯାଇଛି ସେଗୁଡ଼ିକର ମରାମତି କରାଯିବ । ୨୦୯୨ଟି ଚେକ୍ ଡ୍ୟାମର ଉନ୍ନତିକରଣ ପାଇଁ ୧୫୭.୫୮କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଏହି ପରି ଚେକ୍ ଡ୍ୟାମ୍ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୬୯କୋଟି ୩ଲକ୍ଷ ଖର୍ଚ୍ଚ କରାଯିବ । ଚେକ୍ ଡ୍ୟାମ୍ ଗୁଡ଼ିକ ଚାଷୀଙ୍କୁ ଖରିଫ ଋତୁରେ ପାଣି ଯୋଗାଇବ । ଏହି ଜଳସେଚନ ଉଦ୍ୟାନ କୃଷି ପାଇଁ ସହାୟକ ହେବ । ସେହିପରି ମୌସୁମୀ ପରବର୍ତ୍ତୀ ସମୟରେ ଲୋକଙ୍କ ପିଇବା ପାଣି ଓ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବ୍ୟବହାର କରାଯିବ । ୧୨୮୦ଟି ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ଦ୍ବାରା ୨୭ ହଜାର ୬୦୦ ହେକ୍ଟର ଜମିକୁ ଏବଂ ୨୦୯୨ଟି ଚେକ୍ ଡ୍ୟାମ୍ ଉନ୍ନତିକରଣ ଦ୍ବାରା ୩୦ ହଜାର ୧୧୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ଚେକ ଡ୍ୟାମ ଦ୍ବାରା ବୋହୁଥିବା ପାଣିକୁ ଅଟକା ଯାଏ । ଯେଉଁ ବାଟ ଦେଇ ପାଣି ଅଟକା ଯାଏ, ସେଠାରେ ମାଟି ସଂଯୋଗରେ ଆସି ଭେଦିଥାଏ । ପାଖାପାଖି ୨୦ରୁ ୩୦ ପ୍ରତିଶତ ପାଣି ଭେଦି ଭୂତଳ ଜଳକୁ ରିଚାର୍ଜ କରେ ।

ଶୀତଦିନେ କାହିଁକି ଗାଧୋଇବା ପରେ ଶୁଖିଯାଏ ଅଧିକାଂଶ ଲୋକଙ୍କ ତ୍ବଚା?

ନନ୍ଦିଘୋଷ ବ୍ୟୁରୋ: ଶୀତ ଦିନରେ ସାଧାରଣତଃ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଆପଣମାନେ ପ୍ରାୟତଃ ଲକ୍ଷ୍ୟ କରିଥିବେ କି, ଗାଧୋଇବା ପରେ ଅଧିକାଂଶ ଲୋକଙ୍କ ଚର୍ମ ଶୁଖିଲା ଦେଖାଯାଏ । ତେବେ ଏହାର ପଛରେ କଣ ରହିଛି କାରଣ ? ଶୀତ ଦିନରେ ସାଧାରଣତଃ ମୁହଁ ଶୁଖିଲା ଭଳି ଲାଗେ । ମୁଖ୍ୟତଃ ଥଣ୍ଡା ପବନ ପାଇଁ ଚର୍ମ ଶୁଖିଯାଇଥାଏ । ଶୀତଦିନରେ ଲୋକେ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପାଇଥାନ୍ତି । ଗରମ ପାଣିରେ ଗାଧୋଇବାକୁ ମଜା ଲାଗେ । ମାତ୍ର ଏହା ତ୍ବଚା ପାଇଁ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଦ୍ବାରା ନାଚୁରାଲ ଅଏଲ ବାହାରିଯାଏ । ଏପରି ପରିସ୍ଥିତିରେ ଚର୍ମକୁ ମଶ୍ଚରାଇଜ୍ କରିବାର ଆବଶ୍ୟକତା ଅଛି । ଅନ୍ୟ ଏକ କାରଣ ହେଉଛି କି, ସାବୁନ ଲଗାଇବା ଦ୍ବାରା ଚର୍ମ ଶୁଖି ଯାଇଥାଏ । ଏଣୁ ଗାଧୋଇବା ପରେ ପ୍ରଥମେ ମଶ୍ଚରାଇଜ କରିବା ଉଚିତ ।

୬ମାସର ଶିଶୁକୁ ଧରି ୧୬ ମହଲାରୁ ଡେଇଁଲେ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳା ନିଜର ୬ ମାସର ନିଷ୍ପାପ ଶିଶୁକୁ ଧରି ଏକ ୧୬ ମହଲା ବିଲ୍ଡିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ବୟସ ୩୩ ବର୍ଷ। ମହିଳା ଜଣକ ଅସୁସ୍ଥ ଥିବା ବେଳେ ସେ ଡିପ୍ରେସନରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମହିଳା ଜଣକ ଗ୍ରେଟର ନୋଏଡା ୱେଷ୍ଟର ଏକ ଗ୍ରୁପ୍ ହାଉସିଂ ସୋସାଇଟିର ୧୬ ମହଲାରୁ ଡେଇଁପଡିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ଝିଅକୁ ସାଙ୍ଗରେ ଧରି ଡେଇଁପଡିଥିଲେ। ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କ ପରିବାର ସହିତ ଏହି ସୋସାଇଟିରେ ରହୁଥିଲେ। ସେ ଡିପ୍ରେସନରେ ଥିବା ନେଇ ମହିଳାଙ୍କ ଭାଇ ସୂଚନା ଦେଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଘଟଣା ପରେ ତୁରନ୍ତ ମା’ ଓ ଝିଅଙ୍କୁ ମେଡିକାଲ୍ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡିଛି ।