spot_img
Home Blog Page 2368

ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ଟର : ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଏନେଇ ତାଙ୍କ ଭାଇ ତଥା ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ୧୯୫୯ ମସିହା ବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।

ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଶରତ ମିଶ୍ର । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ଦୀର୍ଘ ଦିନ ଧରି Raw ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଶେଷ ଦର୍ଶନ କରିଛନ୍ତି ।

ଜାମୁ କାଶ୍ମୀର ସୋପିଆନ ଅଞ୍ଚଳରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ସୋପିଆନ ଅଞ୍ଚଳରେ ସେନାର ଏନକାଉଣ୍ଟର । ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ଆତଙ୍କବାଦୀ ଲସକର ଏ ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ଦୁଇ ନିହତ ଆତଙ୍କବାଦୀ ସ୍ଥାନୀୟ ଅଂଚଳର । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅବରାର ନାମକ ଆତଙ୍କବାଦୀ  କାଶ୍ମୀର ପଣ୍ଡିତଙ୍କ ନରସଂହାରରେ ଜଡ଼ିତ ଥିଲା । ଗତ ଫେବୃଆରୀରେ ପୁଲୱାମା ଅଂଚଳରେ କାଶ୍ମୀର ପଣ୍ଡିତ ସଂଜୟ ଶର୍ମାଙ୍କ ହତ୍ୟାରେ ସାମିଲ ଥିଲା ଜାସିମ ଫାରୁକ ଓରଫ ଅବରାର ।

ଗତକାଲି ରାତିରୁ ଚାଲିଥିଲା କାଶ୍ମୀର ପୋଲିସ ଓ ସେନାର ମିଳିତ ଏନକାଉଣ୍ଟର ।ସୋପିଆନ ଜିଲ୍ଲାର ଆସିପୋରା ଗାଁ ନିକଟରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନର ନିଶିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ସମ୍ପର୍କରେ ଏହି ଦୁଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ଆସୁଥିଲେ । ମାସକ ମଧ୍ୟରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଏହା ତୃତୀୟ ଗୁଳିବିନିମୟ । ଏନକାଉଣ୍ଟରରେ ୩୦ ଦିନ ମଧ୍ୟରେ ସେନାର ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀ ୫୪ ଆତଙ୍କବାଦୀକୁ ସଫା କରିସାରିଲେଣି । ସେମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ଆତଙ୍କବାଦୀ ରହିଛନ୍ତି ।

ଘରକୁ ଫେରିଲେ ସୁନ୍ଦରଗଡରୁ ଉଦ୍ଧାର ଦୁଇ ମହିଳା, ପରିବାର ଲୋକଙ୍କୁ କରାଗଲା ହସ୍ତାନ୍ତର

ସୁନ୍ଦରଗଡ଼ : ଘରକୁ ଫେରିଲେ ସୁନ୍ଦରଗଡରୁ ଉଲଗ୍ନ ଭାବେ ଉଦ୍ଧାର ଦୁଇ ମହିଳା । ମାନସିକ ବିକୃତ ମାଆ ଓ ଝିଅଙ୍କୁ ପରିବାର ଲୋକଙ୍କୁ କରାଗଲା ହସ୍ତାନ୍ତର । ପରିବାର ଲୋକେ ସେମାନଙ୍କୁ ନେଇଯିବା ପାଇଁ ଇଚ୍ଛା ପ୍ରକାଶ କରିବା ପରେ ସୁନ୍ଦରଗଡ଼ ପୋଲିସ ଓ ସାମାଜିକ ସୁରକ୍ଷା ବିଭାଗ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ସୁନ୍ଦରଗଡ଼ ଟାଉନ ଥାନା SDPOଙ୍କ ନେତୃତ୍ବରେ ଏକ୍ ଟିମ୍ ଉଦ୍ଧାର ମହିଳାଙ୍କ ଗାଁ ଛତିଶଗଡର ଖାରିବହାଲ ଯାଇଥିଲା ।

ସେଠାରୁ ଉଦ୍ଧାର ମହିଳାଙ୍କ ବଡ ଭଉଣୀ ଏବଂ ସାନ ଝିଅକୁ ସୁନ୍ଦରଗଡ ଆଣି ବୟାନ ରେକର୍ଡ କରିଥିଲା । ପରେ ଜିଲ୍ଲା ପ୍ରଶାସନର ସହାୟତାରେ ଉଭୟ ମାଆ ଝିଅ ଙ୍କୁ ରାଞ୍ଚି ମାନସିକ ରୋଗୀ ଚିକିତ୍ସାଳୟକୁ ପଠାଇବାର ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଗତକାଲି ସଂଧ୍ୟାରେ ମହିଳାଙ୍କ ଭାଇ ଆସି ତାଙ୍କୁ ଘରକୁ ନେଇଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆଜି ପରିବାର ଲୋକଙ୍କୁ ଉଭୟ ମା’ ଓ ଝିଅଙ୍କୁ ହସ୍ତାନ୍ତର କରାଯାଇଛି । ଗତ ଶୁକ୍ରବାର ଦୁଇ ଜଣ ମହିଳା ଉଲଗ୍ନ ଅବସ୍ଥାରେ ସୁନ୍ଦରଗଡ଼ ଇବ ନଦୀ ପୋଲ ଉପରୁ ଉଦ୍ଧାର ହୋଇଥିଲେ । ସେହି ସମୟରେ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସେମାନଙ୍କ ପରିବାର ଲୋକେ ସୁନ୍ଦରଗଡ ଆସିବା ପରେ ଦୁହେଁ ମାନସିକ ରୋଗୀ ବୋଲି ଜଣାପଡ଼ିଥିଲା ।

ଗାଁ ଗାଁରେ ହେବ ଐତିହ୍ୟ ସ୍ଥଳର ବିକାଶ, ଜଗନ୍ନାଥ ସଂସ୍କୃତିର ହେବ ପ୍ରସାର

ଭୁବନେଶ୍ୱର :  ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ । ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ । ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତ ଜୁଲାଇ ୧୦ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ ।

ଗାଁମାନଙ୍କରେ ଥିବା ଧାର୍ମିକ ପୀଠର ବିକାଶ, ଐତିହ୍ୟସ୍ଥଳର ଉନ୍ନତିକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିବ । ମହିଳା, ଯୁବକଙ୍କୁ ସଶକ୍ତ କରିବାକୁ ଯୋଜନା ହାତକୁ ନିଆଯିବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା କ୍ରିଟିକାଲ ଗ୍ୟାପ ପୂରଣ ପାଇଁ ଅନୁଦାନ ମିଳିବ। ଏହା ସହ ପ୍ରତି ଗାଁରେ ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଗାଁ ପିଲାଙ୍କ ପାଇଁ ହକି, ଫୁଟବଲ, ଭଲିବଲ, ବାସ୍କେଟ ବଲ, କ୍ୟାରମ, ଚେସ୍ ଉପକରଣ ଯୋଗାଇବାକୁ ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଫୋକସ କରାଯିବ।

ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ : ମାନସିକ ଚାପ, ଅସ୍ଥିରତା, ଅବସାଦ ଦୂର ଲାଗି ଆହ୍ବାନ

ଭୁବନେଶ୍ୱର : ଆଜି ଅକ୍ଟୋବର ୧୦, ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ସାରା ବିଶ୍ବରେ ପାଳିତ ହେଉଛି ଏହ ଦିବସ । ମାନସିକ ସ୍ବାସ୍ଥ୍ୟ ପ୍ରତି ଆସୁଥିବା ଚାଲେଞ୍ଜର ମୁକାବିଲା ଲାଗି ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ମଣିଷ ଅନେକ ସମୟରେ ପରିସ୍ଥିତି ଚାପରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ । ଏପରିକି ଚରମ ପଥ ନେବାକୁ ପଛାଏ ନାହିଁ । ତେବେ ପରିସ୍ଥିତିର ମୁକାବିଲା କରିବା ସହ ସମସ୍ତ ନକାରାତ୍ମକ ଦିଗକୁ ତ୍ୟାଗ କରିବା ଲାଗି ଆହ୍ବାନ ଦେଇଥାଏ ଏହି ଦିବସ ।

୧୯୯୨ରୁ ମାନ୍ୟତା ଲାଭ କରିଆସିଥିବା ଏହି ଦିବସକୁ ବିଶ୍ବର ପ୍ରାୟ ୧୨୦ ଦେଶରେ ପାଳନ କରାଯାଉଛି । ମାନସିକ ଚାପ, ଅସ୍ଥିରତା, ଅବସାଦ ଆଦି ସମ୍ପର୍କିତ ମାନସିକ ସ୍ବାସ୍ଥ୍ଯାବସ୍ଥା କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ୧୯୯୨ରେ ଏକ ପ୍ରାଥମିକ ପଦକ୍ଷେପ ନେଇଥିଲା ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଗଠନ ବା WFMH ।

ମାନସିକ ଅସ୍ଥିରତା, ଚାପ ଆଦି କ୍ଷେତ୍ରରେ ନିଜେ କୌଣସି ପଥ ନ ବାଛି ଅନ୍ୟର ସହାୟତା ଆବଶ୍ୟକ କରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥାଏ ସଂଗଠନ । ବିଶେଷ କରି କୋଭିଡ ପରେ ଲୋକଙ୍କ ମଧ୍ଯରେ ସୃଷ୍ଟି ହୋଇଥିବା ଅବସାଦ, ଚାପ, ଦୁର୍ଦ୍ଦଶା, ଅର୍ଥନୈତିକ ଦୁର୍ଗତି, ସାମାଜିକ ସଙ୍କଟର ମୁକାବିଲା କ୍ଷେତ୍ରରେ ମାନସିକ ସ୍ତରରେ ଦୃଢ଼ ରହିବା ଲାଗି ପରାମର୍ଶ ଦେଉଛି ସଂଗଠନ । ୨୦୨୩ର ଆଜିର ଦିବସର ଥିମ ରହିଛି ମାନସିକ ସ୍ବାସ୍ଥ୍ୟ ଏକ ସାର୍ବଜନୀନ ମାନବାଧିକାର । ଏଥିଲାଗି ସଚେତନତା ସୃଷ୍ଟି, ମାନସିକ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମାନସିକ ଅବସ୍ଥାର ସୁରକ୍ଷା ଦିଗରେ ଲୋକଙ୍କୁ ପ୍ରୋତ୍ସାହନ ଦେବା ଏହି ଦିବସର ବାର୍ତ୍ତା ।

ଶ୍ରୀମନ୍ଦିର ପ୍ରବେଶ ଲାଗି ପିନ୍ଧିବାକୁ ପଡିବ ଶାଳୀନତାପୂର୍ଣ୍ଣ ପୋଷାକ

ପୁରୀ : ଶ୍ରୀମନ୍ଦିର ପ୍ରବେଶ କରିବାକୁ ହେଲେ ପିନ୍ଧିବାକୁ ପଡିବ ଶାଳୀନତାପୂର୍ଣ୍ଣ ପୋଷାକ । ଆଜିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ଭାବେ ଭକ୍ତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରାଯିବ । ଧାର୍ମିକ ମନୋଭାବ ଓ ଆଧ୍ୟାତ୍ମିକତା ଭାବନାକୁ ନେଇ ଭକ୍ତମାନେ ପୋଷାକ ପରିଧାନ ଦିଗରେ ଗୁରୁତ୍ବ ଦେବାକୁ ଅନୁରୋଧ କରାଯାଇଛି ।

ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକ ତଦାରଖ ଉପରେ ଗୁରୁତ୍ବ ଦେବେ । ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ପ୍ରବେଶ କରିବା ନେଇ ସେବାୟତ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଏନେଇ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବକମିଟି ବୈଠକରେ ଏହି ପ୍ରସଙ୍ଗକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା ।

ଆଜି ସରୁଛି ଆପ ନେତା ସଞ୍ଜୟ ସିଂଙ୍କ ଇଡି ହେପାଜତ ଅବଧି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଆଜି ସରୁଛି ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଇଡି ହେପାଜତ ଅବଧି । ଗତ ମଦ ନୀତି ମାମଲାରେ ସଞ୍ଜୟଙ୍କୁ ଗତ ୪ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ ସଞ୍ଜୟଙ୍କୁ ଅକ୍ଟୋବର ୧୦ ଯାଏ ଇଡି ହେପାଜତକୁ ନେବା ଲାଗି ଅନୁମତି ଦେଇଥିଲେ ଦିଲ୍ଲୀ କୋର୍ଟ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କରିଥିଲା ରେଡ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଘରେ ରେଡ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାମ ସ୍ଥାନୀତ ଥିଲା ।

ଇଡିର ଚାର୍ଜସିଟରେ କୁହାଯାଇଛି- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ । ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହା ସହ ଦିଲ୍ଲୀ ମଦ ବିଭାଗରେ ଦିନେଶଙ୍କ ବ୍ୟବସାୟ ସମ୍ପର୍କିତ ପଡିରହିଥିବା ଏକ ସମସ୍ୟାକୁ ବି ସମାଧାନ କରିବାରେ ସଞ୍ଜୟ ସହାୟତା କରିଥିଲେ । ଏହି ମାମଲାରେ ପୂର୍ବରୁ ଦିନେଶଙ୍କୁ ଗିରଫ କରିଥିଲା ଇଡି ।

ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଅବସାନ ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ

ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଅବସାନ ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ । ସ୍ଥିତି ସ୍ବାଭାବିକ କରିବା ଲାଗି ଆଜି ବସିବ ୟୁରୋପୀୟ ୟୁନିଅନ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । ଓମାନ ରାଜଧାନୀ ମସ୍କଟରେ ଏହି ବୈଠକ ହେବ । ଇସ୍ରାଏଲୀ ସେନା ଓ ହମାସ ସଦସ୍ୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ସ୍ଥିତି ପ୍ରତି ନଜର ରଖିଛି ଇୟୁ । ସେପଟେ ଶାନ୍ତି ଫେରାଇଆଣିବା ଲାଗି ହମାସ ସହ କଥାବାର୍ତ୍ତା କରିଛି କତାର ।

ଇସ୍ରାଏଲକୁ ଆମେରିକା ସମର୍ଥନ କରିଥିବା ବେଳେ ପାଲେଷ୍ଟାଇନକୁ ସମର୍ଥନ କରିଛି ଇରାନ । ଯୁଦ୍ଧ ବିରତି ଲାଗି ଆହ୍ବାନ ଦେଇଛି ଚୀନ । ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଇସ୍ରାଏଲ ଜୋରଦାର ଉଦ୍ୟମ କରୁଥିବା ବେଳେ ଅନେକ ପଣବନ୍ଦୀଙ୍କ ପତ୍ତା ମିଳୁନି । ହମାସ କବଳିତ ଗାଜାର ସମସ୍ତ ସହରରୁ ନାଗରିକମାନେ ତୁରନ୍ତ ନିରାପଦ ଜାଗାକୁ ଚାଲିଯାଆନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ନୌପଥ, ସ୍ଥଳପଥ, ଆକାଶ ପଥ ଆଦିକୁ ଅବରୋଧ କରି ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିଛି ଇସ୍ରାଏଲ । ସୀମାରେ ସତର୍କ ବ୍ୟବସ୍ଥା କରାଯାଇଛି । ଅର୍ଥନୈତିକ ଅବରୋଧ କାରଣରୁ ଗାଜା ଭିତରକୁ କୌଣସି ପ୍ରକାର ସାମଗ୍ରୀର ଯୋଗାଣ ସମ୍ଭବ ହେଉନାହିଁ । ଉଭୟ ପକ୍ଷର ମୃତକଙ୍କ ସଂଖ୍ୟା ୧୩ଶହ ହୋଇଥିବା ସୂଚନା ମିଳିଛି । ସେପଟେ ହମାସ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମହମବତି ଲଗାଇ ଶୋକବ୍ୟକ୍ତ କରିଛି ନେପାଳ ଷ୍ଟୁଡେଣ୍ଟସ ୟୁନିଅନ ।

ମାଉଣ୍ଟ କୁନରେ ହିମସ୍ଖଳରେ ଫସିଲେ ଭାରତୀୟ ସେନାର ପର୍ବତାରୋହୀ, ଜଣେ ଯବାନ ମୃତ

ଲଦ୍ଦାଖ: ଲଦ୍ଦାଖର ମାଉଣ୍ଟ କୁନୋ ପାଖରେ ସୋମବାର ଅର୍ଥାତ ୯ ଅକ୍ଟୋବରରେ ସେନାର ଏକ ଗ୍ରୁପ ହିମସ୍ଖଳନର ଶିକାର ହୋଇଛନ୍ତି । ଟ୍ରେନିଂ ସମୟରେ ହିମସ୍ଖଳନ ଆସିବାରୁ ଯବାନମାନେ ଏଥିରେ ଫସିଯାଇଛନ୍ତି । ତେବେ ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଯାଇଛି, ସେହିପରି ଅନ୍ୟ ତିନିଜଣ ନିଖୋଜ ଅଛନ୍ତି ।  ଅଧିକାରୀଙ୍କ କହିବା ଅନୁସାରେ ହାଇ ଆଲ୍ଟିଚ୍ୟୁଡ ୱାରଫେୟାର ସ୍କୁଲ ଏବଂ ସେନାର ଆର୍ମି ଆଡଭେଞ୍ଚର୍ସ ୱିଙ୍ଗର ପ୍ରାୟ ୪୦ ସେନା ଯବାନଙ୍କ ଏକ ଗ୍ରୁପର ଲଦ୍ଦାଖରେ ମାଉଣ୍ଟ କୁନ ପାଖରେ ପ୍ରଶିକ୍ଷଣ ଚାଲିଥିଲା । ଏହି ଅବସରରେ ହିମସ୍ଖଳନ ହୋଇଥିଲା । ଦୁର୍ଘଟଣାର ତୁରନ୍ତ ପରେ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିଲା, ଯାହା କି ଏବେ ବି ଜାରି ରହିଛି । ଜଣେ ଯବାନଙ୍କ ଶବ ଉଦ୍ଧାର କରାଯାଇଛି । ଅନ୍ୟ ୩ ନିଖୋଜ ଯବାନଙ୍କ ତଲାସ ଜାରି ରହିଛି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୪ ଅପ୍ରେଲରେ ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରେ ହିମସ୍ଖଳନ ହୋଇଥିଲା । ଏଥିରେ ୭ ଟୁରିଷ୍ଟଙ୍କ ମୃତ୍ୟୁ ହୋଇଯାଇଥିଲା ।  

ବିଶ୍ୱକପରେ ନ୍ୟୁଜିଲାଣ୍ଡର ଲଗାତାର ଦ୍ୱିତୀୟ ବିଜୟ, ନେଦରଲ୍ୟାଣ୍ଡସକୁ ୯୯ ରନରେ ହରାଇଲା

ହାଇଦ୍ରାବାଦ: ଦିନିକିଆ ବିଶ୍ୱକପର ଷଷ୍ଠ ମୁକାବିଲାରେ ନ୍ୟୁଜିଲାଣ୍ଡ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାଜିତ କରିଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନେଦରଲ୍ୟାଣ୍ଡସର ଅଧିନାୟକ ସ୍କଟ ଏଡୱର୍ଡସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ନ୍ୟୁଜିଲାଣ୍ଡ ୫ ଓଭରରେ ୭ ୱିକେଟ୍ ହରାଇ ୩୨୨ ରନ୍ କରିଥିଲା । ଜବାବରେ ନେଦରଲ୍ୟାଣ୍ଡସ ୪୬.୩ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଯାଇଛି । ଏଥିସହିତ ନ୍ୟୁଜିଲାଣ୍ଡ ଏହି ମୁକାବିଲାକୁ ୯୯ ରନରେ ଜିତିନେଇଛି । ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ ଅଟେ ।

ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିଲା କିୱି ଦଳ । ପଏଣ୍ଟ ତାଲିକେରେ ନ୍ୟୁଜିଲାଣ୍ଡ ଏବେ ୪ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନେଦରଲ୍ୟାଣ୍ଡସ ପାଇଁ କୋଲିନ ଏକରମ୍ୟାନ ସବୁଠୁ ଅଧିକ ୬୯ ରନ୍ କରିଥିଲେ । ସ୍କଟ ଏଡୱର୍ଡସ ୩୦ ଏବଂ ସାଇବ୍ରାଣ୍ଡ ଏଙ୍ଗଲବ୍ରେକ୍ଟ ୨୯ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର ମିଚେଲ ସାଣ୍ଟନର ୫ ୱିକେଟ୍ ଅକ୍ତିଆର କରିଥିଲେ । ମାଟ ହେନରୀଙ୍କୁ ତିନୋଟି ସଫଳତା ମିଳିଥିଲା । ମିଚେଲ ସାଣ୍ଟନରଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଛି ।