spot_img
Home Blog Page 236

ଏଵେ ଚର୍ଚ୍ଚାରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର

ନନ୍ଦିଘୋଷ ବ୍ୟୁରୋ : ଏଵେ ଚର୍ଚ୍ଚାରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର । ସଵୁଵେଳେ ମିଠା ମିଠା କଥା କହୁଥିଵା ଶୁଭଙ୍କର ଏଵେ ତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଚଚ୍ଚାରେ। ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରିବାରୁ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ ଏବଂ ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧା ରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ। ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି,ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁଭଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ସବୁ ମହଲରେ ଦାବୀ ହୋଇଛି।

‘ଅମର୍ ପ୍ରେମ୍’ରେ ନୂଆ ମୋଡ଼ ; ପୂଜାଙ୍କ ବୟଫ୍ରେଣ୍ଡ ଅମରକୁ ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ତାଙ୍କୁ ଆଜି ଦେଖା କରିବାକୁ ଆସିଥିଲେ ଅମର। ଅଭିଯୋଗ ଅନୁସାରେ ନାରୀ ଶକ୍ତି ସଦନରେ ପ୍ରବେଶ କରିବାକୁ ବଳପୂର୍ବକ ସେ ଚେଷ୍ଟା କରିଥିଲେ। ଏହାକୁ ନେଇ ପୋଲିସକୁ ଖବର ଦେଇଥିଲେ କର୍ତ୍ତୃପକ୍ଷ। ଏହା ପରେ ସହଦେବଖୁଣ୍ଟା ପୋଲିସ ଆସି ଅମରଙ୍କୁ ଟେକି ନେଇଛି। କାଉନସେଲିଂ ସମୟରେ ଆମେରିକାରେ ଥିବା ପୂଜାଙ୍କ ବାପା ମାଆଙ୍କୁ ଅମର କୋଟିଏ ଟଙ୍କା ମାଗିଥିବା ଜଣାପଡ଼ିଛି। ସହଦେବଖୁଣ୍ଟା ପୋଲିସ ଅମରର ମୋବାଇଲକୁ ଜବତ କରି ତାକୁ ଅଟକ କରି ଅଧିକ ପଚରା ଉଚୁରା କରୁଛି।

କଂଗ୍ରେସ ବିରୋଧରେ ବିଷ ଓଗାରିଲେ ନରସିଂହ ,ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ !

ନନ୍ଦିଘୋଷ ବ୍ୟୁରୋ :ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ। କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର। ଗତ ସାଧାରଣ ନିର୍ବାଚନ ପରଠାରୁ ତାଙ୍କୁ ଅଣଦେଖା କରାଯିବା ସହ ଦଳର କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନାହିଁ। ଏପରିକି ତାଙ୍କୁ ଫୋନ ଟିଏ ମଧ୍ୟ କରାଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ଆଇନମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ଆଇନ ପରିଷଦ ସଦସ୍ୟ ରହିଥିଲେ। ସେହି ସମୟରେ ଦଳ ତାଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଥିଲା। କିନ୍ତୁ ଭକ୍ତ ଦାସ ପିସିସି ସଭାପତି ହେବା ପରଠୁ ଦଳ ତାଙ୍କୁ ପଚାରୁନଥିବା କହିଛନ୍ତି ନରସିଂହ। ଗତ ନୂଆପଡ଼ା ଉପନିର୍ବାଚନରେ ତାଙ୍କୁ ଡ଼କା ଗଲାନାହିଁ  । ତେବେ ସେ ଦଳ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମାଟିରେ ମିଶିଲା ରାଉରକେଲା ସହରର ବିପିୟୁଟି ବସ୍ତି

ନନ୍ଦିଘୋଷ ବ୍ୟୁରୋ : ମାଟିରେ ମିଶିଲା ରାଉରକେଲା ସହରର ବିପିୟୁଟି ବସ୍ତି। ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ଉପସ୍ଥିତିରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବସ୍ତିରେ ଥିବା ଘରକୁ ଭାଙ୍ଗି ଦିଆଯାଇଛି। ସମସ୍ତ ଵସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ନଥିଲେ ବି ଘର ଭାଙ୍ଗି ଦିଆଯାଇଥିଵା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ଘର ଭାଙ୍ଗି ଦିଆଯିବା ପରେ ବସ୍ତି ବାସିନ୍ଦା ଖୋଲା ଆକାଶ ତଳେ ନିଜ ନିଜର ଆସବାବପତ୍ର ଓ ପିଲାଛୁଆଙ୍କୁ ଧରି ପଡି ରହିଛନ୍ତି। ଅନ୍ୟପକ୍ଷରେ ବିପିୟୁଟି ବସ୍ତିରେ ରହୁଥିବା ୮୧ ଜଣ ଵସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ କିଛି ବର୍ଷ ତଳେ ବସ୍ତିରେ ଘର କରି ରହୁଥିବା ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନଥିବା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଵସ୍ତି ବାସିନ୍ଦାଙ୍କୁ ବାସଗୃହ ଯୋଗାଇ ଦିଆନଯାଇ ଵସ୍ତି ଭାଙ୍ଗି ଦିଆଯିବା ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ଘଟଣାସ୍ଥଳରୁ ଆହୁରି ଅଧିକ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ତାଇ ପୋ ଜିଲ୍ଲାର ଫୁକ୍ କୋର୍ଟ ଇଷ୍ଟେଟରେ ନିଆଁ ଲାଗିଥିଲା । ୩୨ ମହଲା ବିଶିଷ୍ଟ ୮ଟି ଟାୱାରରେ ନିଆଁ ଲାଗିଥିଲା। ମରାମତି ପାଇଁ ବାଉଁଶ ମଞ୍ଚା ବନ୍ଧା ଯାଇଥିଲା। ସେଥିରେ ପ୍ରଥମେ ନିଆଁ ଲାଗିଥିଲା। ସାତଟି ଯାକ ବିଲଡିଂ ଏମିତି ଜଳି ଯାଇଛି ଯେ, ଯେମିତି ଆଉ କିଛି ନାହିଁ। ପବନ ଓ ସୁରକ୍ଷା ପାଇଁ ଲଗାଯାଇଥିବା ଜାଲ ପାଇଁ ଭୟଙ୍କର ରୂପ ଧାରଣ କରିଥିଲା ନିଆଁ।

ଏହି ସବୁ ଆପାର୍ଟମେଣ୍ଟରେ ଅଧିକାଂଶ ବୟସ୍କ ଲୋକ ରହୁଥିଲେ। ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ଥିଲା। ଏପରିକି କେତେକ ଲୋକ ଜାଣି ବି ପାରିନଥିଲେ ଯେ, ନିଆଁ ଲାଗିଛି। ସେଥିପାଇଁ ମୃତ୍ୟୁ ସଂଖ୍ୟା ବଢିଛି। ଉଦ୍ଧାର ପରେ ପ୍ରାୟ ହଜାରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ କରାଯାଇଛି ସ୍ଥାନାନ୍ତର। ୧୯୮୦ ଦଶକରେ ଏହି ବିଲଡିଂ ନିର୍ମିତ ହୋଇଥିଲା। ପୁରୁଣା ହୋଇଥିବାରୁ ଏବେ ଚାଲିଥିଲା ମରାମତି। ଏହି ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଅଗ୍ନିକାଣ୍ଡ ପାଇଁ ସେମାନଙ୍କୁ ଦାୟୀ କରାଯାଇଛି। ବିଲଡିଂ ମରାମତି ବେଳେ ଏମିତି ସାମଗ୍ରୀ ବ୍ୟବହାର କରାଯାଇଥିଲା, ଯାହା କି ଅତ୍ୟଧିକ ଦହନଶୀଳ। ଏହା ଦ୍ଵାରା ନିଆଁ ଅଧିକ ବ୍ୟାପିଥିଲା। ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର। ବର୍ତ୍ତମାନ ସୁଦ୍ଧା ପ୍ରଥମେ ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର ମୂଳ କାରଣ କଣ, ତାହା ସ୍ପଷ୍ଟ ହୋଇ ନାହିଁ।

ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ

ନନ୍ଦିଘୋଷ ବ୍ୟୁରୋ : ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ। ଗୃହରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ। ପ୍ରଶାସନିକ ଖର୍ଚ୍ଚ ୩୩୮୯ କୋଟି। ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି। ସାମାଜିକ ସେବା ପାଇଁ ପାଇଁ ୫୯୪୮ କୋଟି। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି । ମମତା ଯୋଜନା ପାଇଁ ୧୪୨ କୋଟି । ମିଶନ ଶକ୍ତି ପାଇଁ ୪୦୫ କୋଟି । ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି। ପାଇପ ଜଳ ଯୋଗାଣ ପାଇଁ ୧୧୬ କୋଟି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୫୭ କୋଟି । ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି।

ମାଓବାଦୀଙ୍କ ବଢିଲା ଆତ୍ମସମର୍ପଣ ଅର୍ଥ ରାଶି

ନନ୍ଦିଘୋଷ ବ୍ୟୁରୋ : ମାଓବାଦୀଙ୍କ ବଢିଲା ଆତ୍ମସମର୍ପଣ ଅର୍ଥ ରାଶି। ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା। AK 47 ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ସେହିଭଳି SLR ରାଇଫଲ ସହ ଆତ୍ମସମର୍ପଣ କଲେ ପୂର୍ବରୁ ୧ ଲକ୍ଷ ୬୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ସେମାନେ ମଧ୍ଯ ୪ ଲକ୍ଷ ୯୫ ହଜାର ଟଙ୍କା ଆତ୍ମସମର୍ପଣ ରାଶି ପାଇବେ। ସେହିଭଳି ଯେଉଁ ମାଓବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଅର୍ଥ ରାଶି ରହିଛି ସେମାନେ ଆତ୍ମସମର୍ପଣ କଲେ ରାଜ୍ଯ ସରକାର ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଏପରିକି ସେମାନଙ୍କ ନାମରେ ଥିବା ଛୋଟମୋଟ ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ରାଜ୍ଯ ସରକାର

ସାଙ୍ଗ ହେବ ତ ଏମିତି ; ରାତ୍ରୀଭୋଜନ ପାଇଁ ଡାକିଲେ ନିଜେ ନେଇ ହୋଟେଲ୍ ଛାଡିଲେ

ନନ୍ଦିଘୋଷ ବ୍ୟୁରୋ : କିମ୍ବଦନ୍ତୀ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ୱିକେଟକିପର-ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ‘ୟାରୋ କା ୟାର’ ବୋଲି ଖାଲିରେ କୁହାଯାଏନି, ବରଂ ସେ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ଗୁରୁବାର ସେ ବିରାଟ କୋହଲି ଏବଂ ରିଷଭ ପନ୍ତଙ୍କୁ ରାଞ୍ଚି ସ୍ଥିତ ତାଙ୍କ ବାସଭବନରେ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଖାଲି ଏତିକି ନୁହେଁ, ଏବେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଧୋନି ବ୍ୟକ୍ତିଗତ ଭାବରେ ଧୋନି କୋହଲିଙ୍କୁ ଗାଡ଼ି ଚଲାଇ ହୋଟେଲରେ ଛାଡିବାକୁ ଯାଉଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରୁଛନ୍ତି । ଧୋନି କୋହଲିଙ୍କୁ ଟିମ୍ ହୋଟେଲରେ ଛାଡିବାର ଅନେକ ଫଟୋ ଏବଂ ଭିଡିଓ ସେୟାର ହେଉଥିବା ଦେଖିବାକୁ ମିଳିଛି।

 

ଧୋକା ଦେଲା ନାଭିଗେସନ୍ ଆପ୍ , ମୃତ୍ୟୁ ମୁହଁରୁ ଅକ୍ପକେ ବର୍ତ୍ତିଲେ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ : ଟେକ୍ନୋଲୋଜି ଆମ ପାଇଁ ଯେତିକି ସୁବିଧାଦାୟକ, ସେତିକି କ୍ଷତିକାରକ। ଅପରିଚିତ ରାସ୍ତାରେ ଆମର ସବୁଠାରୁ ବିଶ୍ୱସ୍ତ ସାଥୀ,କିନ୍ତୁ ନାଭିଗେସନ୍ ଆପ୍ ମଧ୍ୟ ଆମକୁ ମଝି ରାସ୍ତାରେ ବିପଦରେ ପକାଇପାରେ। ଏବେ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ନାଭିଗେସନ୍ ଆପ୍ ଜଣେ ବ୍ୟକ୍ତିଙ୍କୁ ରାସ୍ତା ଦେଖାଇବା ବଦଳରେ ଏକ ବଡ଼ ପଙ୍କ ପୋଖରୀକୁ ନେଇଗଲା ।

ବୁଧବାର ପୁରୁଣା ରାଜେନ୍ଦ୍ର ନଗରର ବାସିନ୍ଦା ରାଜନ ସାହାଣୀ ତାଙ୍କ ଭାଇଙ୍କ ସହିତ ପିହାନି ଚୁଙ୍ଗୀ ନିକଟରେ ତାଙ୍କ ବନ୍ଧୁ ଗୋବିନ୍ଦଙ୍କୁ ଭେଟିବାକୁ ଯାଉଥିଲେ। ଆପ୍‌ରେ ଠିକଣା ଲେଖିବା ପରେ, ସେମାନଙ୍କୁ ଭୁଲ ରାସ୍ତା ଦେଖାଯାଇଥିଲା, ଯାହା ଫଳରେ ସେମାନଙ୍କ କାର ସିଧା ପଙ୍କ ପୋଖରୀକୁ ନେଇଯାଇଥିଲା। କାରକୁ ବାହାର କରିବାକୁ ଚେଷ୍ଟା କରିବା ସମୟରେ, ଚକଗୁଡ଼ିକ ଆହୁରି ଗଭୀରକୁ ବୁଡ଼ିଗଲା ଏବଂ ଇଞ୍ଜିନ୍ ଅଧିକ ଗରମ ହୋଇଗଲା। କାରରୁ ଧୂଆଁ ବାହାରି ନିଆଁ ଲାଗିଗଲା । ସଙ୍ଗେ ସଙ୍ଗେ ତାଙ୍କ କାରରୁ ବାହାରି ସାହାଣୀଙ୍କୁ ମଧ୍ୟ କାରରେ ନିଆଁ ଲାଗିବା ପୂର୍ବରୁ ବାହାର କରିଦେଲେ। ଆପ୍ ରେ ଠିକଣା ଦେଖି ଭୁଲ ରାସ୍ତାରେ ଯାଇ ଏପରି ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ବୋଲି କହିଛନ୍ତି ରାଜନ ସାହାଣୀ ।

ଭୋପାଳରେ ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି, ପୋଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ପରେ ଫାୟାରିଂ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶ ଭୋପାଳରେ ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି। ମଧ୍ୟରାତ୍ରୀରେ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମବେଳେ ଫରାହାନ ନାମକ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ।ଶୌଚାଳୟ ଯିବାକୁ କହି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ। ପୋଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ପରେ ଫାୟାରିଂ କରିଥିଲେ ସୁରକ୍ଷାକର୍ମୀ। ଫରାହାନର ଗୋଡ଼ରେ ବାଜିଛି ଗୁଳି। ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ।

ଅଭିଯୁକ୍ତ ଜଣକ ଶୌଚାଳୟ ଯିବା ବାହାନାରେ ଗାଡ଼ିକୁ ଅଟକାଇ ଜଣେ ସବ-ଇନ୍ସପେକ୍ଟରଙ୍କ ପିସ୍ତଲ ଛଡ଼ାଇ ନେଇ ଖସିଯିବାକୁ ଚେଷ୍ଟା କରିଥିଲା। ଧସ୍ତାଧସ୍ତି ବେଳେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ପୋଲିସ ହାତରୁ ଫେରାର ହୋଇଯାଇଥିବା ଆଉ ଜଣେ ଅଭିଯୁକ୍ତ ଅବରାରର ସମ୍ଭାବ୍ୟ ଆଡ୍ଡା ଖୋଜିବା ପାଇଁ ଫରହାନକୁ ବିଲକିସଗଞ୍ଜ ଗାଁକୁ ନେଇ ଯାଉଥିଲା ପୋଲିସ।

ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ହମିଦିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫରହାନ ଭୋପାଳରେ ସକ୍ରିୟ ଗ୍ୟାଙ୍ଗଷ୍ଟର ଗୋଷ୍ଠୀର ସଦସ୍ୟ। ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ସହ ଭିଡିଓ କରିଥିଲେ। ପରେ ସେହି ଚିତ୍ରକୁ ବ୍ୟବହାର କରି ସେମାନଙ୍କୁ ବ୍ଲାକମେଲ୍ କରିଥିଲେ। ଏକ ଘରୋଇ କଲେଜର ୩ ଜଣ ଛାତ୍ର ସାମ୍ନାକୁ ଆସିବା ପରେ ପୋଲିସ ମାମଲା ରୁଜୁ କରି ତନାଘନା କରୁଥିଲା। ମହିଳାଙ୍କ ବୟାନକୁ ଆଧାର କରି, ପୋଲିସ ଅଭିଯୁକ୍ତ ଫରହାନ ଏବଂ ଅଲି ବିରୁଦ୍ଧରେ ଗଣଦୁଷ୍କର୍ମର ଅଭିଯୋଗ ଯୋଡିଛି। ମାମଲାରେ ଫରହାନ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ।…