spot_img
Home Blog Page 2345

ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ଜାପାନ

ଟୋକିଓ: ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ଜାପାନ। ଶକ୍ତିଶାଳୀ ଭୂକମ୍ପରେ ଏଯାଏଁ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ କୋଠା ଭୁଶୁଡ଼ିଥିବାରୁ ଲୋକମାନେ କୋଠା ତଳେ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି। ଏଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୋମବାର ଇଶିକାଓ୍ବାରାରେ ୭.୫ ତୀବ୍ରତାର ଭୂକମ୍ପନ ଅନୁଭୂତ ହେବା ପରେ ଜାପାନ ସମେତ ୪ଟି ଦେଶରେ ଖେଳିଥିଲା ଆତଙ୍କ। ହୋନସୁରେ ଏକ ମିଟର ଉଚ୍ଚତା ଓ ଓ୍ବାଜିମାରେ ଦେଢ ମିଟର ଉଚ୍ଚତାର ଜୁଆର ଆସିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ବୃହତ କୋଠା ଟଳିପଡିଥିବାବେଳେ ହଜାର ହଜାର ଘରେ ଫାଟ ସୃଷ୍ଟି ହୋଇଛି।

ହଜାର ହଜାର ଲୋକ ବିଦ୍ଯୁତରୁ ବଞ୍ଚିତ ହୋଇଛନ୍ତି। ପ୍ରାୟ ଏକ ହଜାର ସାମରିକ ଅଧିକାରୀଙ୍କ ୨୦ଟି ସାମରିକ ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

କଲବଲ କରୁଛି ଘନ କୁହୁଡି, ରାତିରେ ଦୂର ସ୍ଥାନକୁ ଯାଉଥିଲେ ସତର୍କ ରୁହିବାକୁ ପରାମର୍ଶ

ଭୁବନେଶ୍ୱର: ରାତିରେ ଦୂର ସ୍ଥାନକୁ ଯାଉଥିଲେ ସତର୍କ ରୁହନ୍ତୁ, ନହେଲେ ହୋଇପାରେ ଭୟଙ୍କର ଦୁର୍ଘଟଣା। କାରଣ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି। ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର। ଆଜି ଘନ କୁହୁଡ଼ି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଆସନ୍ତାକାଲି ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୨୦ରୁ ୫୦ ମିଟର ମଧ୍ୟରେ ଦୃଶ୍ୟମାନ କ୍ଷମତା ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଘନ କୁହୁଡିର ଆସ୍ତରଣ ବୃଦ୍ଧି ପାଇଛି। ଦୁଇ ଦିନ ପରେ ୫ ତାରିଖ ବେଳକୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ କେନ୍ଦୁଝର, ସୁନ୍ଦରଗଡ ଏବଂ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

୭ ତାରିଖରେ ପର୍ଯ୍ୟନ୍ତ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନ ଥିବା ବେଳେ ପରବର୍ତ୍ତୀ ସମୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି।

ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର

ବଲାଙ୍ଗୀର: ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର। ଲୋକାର୍ପିତ ହେବ ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ବଲାଙ୍ଗୀର ଯାଇ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ।

୫ହଜାର ୨୮୪ କିମି ବିଶିଷ୍ଟ ଦୀର୍ଘ ଜଳସେଚନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ୮୦ ହଜାର କୃଷକ ଉପକୃତ ହେବେ। ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯାଉଛି। ପ୍ରକଳ୍ପରୁ ପ୍ରାୟ ଲକ୍ଷେ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ବଲାଙ୍ଗୀର ଜିଲ୍ଲାର ୨ଟି ସହରାଞ୍ଚଳର ୭୦ ହଜାର ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଡ୍ୟାମର ଜଳଧାରଣ କ୍ଷମତା ରହିଛି ୩୨୦.୨୮ ଲକ୍ଷ କ୍ୟୁବିକ ମିଟର।

୧୯୯୮ ମସିହାରେ ଲୋୟର ସୁକତେଲ ଜଳସେଚନ ପାଇଁ ଯୋଜନା ହୋଇଥିଲା। ୨୦୨୧ ମସିହାରେ ପ୍ରକଳ୍ପଟି 5Tକୁ ଅଧୀନକୁ ଆସିବା ପରେ ତୀକ୍ର ବେଗରେ ଆଗେଇଥିଲା କାମ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡ ସମୀକ୍ଷା କରିବା ସହ ସପ୍ତାହକୁ ସପ୍ତାହ ଅପଡେଟ୍ ନେଇଥିଲେ। ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଯାଇ ପ୍ରକଳ୍ପ ଅଗ୍ରଗତି ତଦାରଖ କରିଥିଲେ। ଲୋୟର ସୁକତେଲର ପାଣିକୁ ମୁଣ୍ଡରେ ମାରି ପ୍ରଣାମ କରିଥିଲେ ପାଣ୍ଡିଆନ। 5T ଉପକ୍ରମରେ ତ୍ବରିତ କାର୍ଯ୍ୟଯୋଗୁ ମାତ୍ର ୩ ବର୍ଷରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି। ଲୋୟର ସୁକତେଲ ଛଡ଼ା ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

୩୦୫ କୋଟି ଟଙ୍କାର ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ହେବାକୁ ଥିବାବେଳେ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୯ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୃହରକ୍ଷୀ ବାହିନୀ ମୁତୟନ ହେବେ।

ଆଜି ବନକଲାଗି ନୀତି, ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ବିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି।

ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରଶାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।

ଆଜି ବିଧାୟକ ଦଳ ବୈଠକ, ବଦଳିପାରେ ଝାଡ଼ଖଣ୍ଡର ରାଜନୈତିକ ସମୀକରଣ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଏବେ ସଙ୍କଟରେ। ୭ଥର ସମନ ସତ୍ୱେ ଇଡି ନିକଟରେ ହାଜର ନହେବା ପରେ ସୋରେନଙ୍କୁ ଘାରିଛି ଗିରଫ ଭୟ। ଏହା ଭିତରେ ନିଜ ପଦ ସୁରକ୍ଷିତ ରଖିବା ପାଇଁ ନିଜ ପତ୍ନୀଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ବିଚାର କରୁଛନ୍ତି ହେମନ୍ତ।

ଆଜି ଏନେଇ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହା ପରେ ପରେ ବିଧାୟକ ଦଳ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ। ଆଉ କିଛି ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡ ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହୋଇପାରେ। ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ହେମନ୍ତ ସୋରେନ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି।

ଆଗକୁ ତାଙ୍କ ପତ୍ନୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବିଜେପି ନେତା ନିଶିକାନ୍ତ ଦୁବେଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଗଛକଟା ଅନୁକୂଳ ପୂଜାର୍ଚ୍ଚନା

ନୟାଗଡ଼: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ରାଉଳ ପୀଠରେ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା  କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଁଚିଥିଲେ । ନୟାଗଡ଼ ବନବିଭାଗ ସହାୟତାରେ ପ୍ରତିନିଧି ଦଳ ପୀଠରେ ପହଁଚିଥିଲେ ।  ଏହି ପୁଜାର୍ଚ୍ଚନାରେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ,  ଦଶପଲ୍ଲା ବନାଂଚଳ ଅଧିକାରୀ  ସୁଦର୍ଶନ ଦେହୁରୀଙ୍କ ସହ ଗଣିଆ ରେଞ୍ଜର ସୁମନ ମାଝୀ  ଉପସ୍ଥିତ ରହିଥିଲେ  । ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବବର୍ଷ ୫୩ ଖଣ୍ଡ କାଠ ବଳକା ରହିଥିବା ଜଣାପଡ଼ିଛି । ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ ।

ଵଡ ଭାଇର ଗୁଳିମାଡ଼ରେ ‌ସାନଭାଇର ମୃତ୍ୟୁ

ରାଉରକେଲା: ଵଡ ଭାଇର ଗୁଳିମାଡ଼ରେ ‌ସାନଭାଇର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ନଦୀଘାଟ ନିକଟରେ ଘଟିଛି ଘଟଣା  । ଗତକାଲି ରାତିରେ ପିକନିକ ଚାଲିଥିବା ସମୟରେ ଚାରି ରାଉଣ୍ଡ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ମୃତ ସାନ ଭାଇଙ୍କ ମୃତଦେହ ଆଇଜିଏଚ ମର୍ଗ ହାଉସରେ ରଖାଯାଇଥିବା ଵେଳେ ପୋଲିସ ଵ୍ୟଵଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ହତ୍ୟାକାରୀ ଵଡ ଭାଇକୁ ଵିଶ୍ରା ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ଵେଳେ ବିଶ୍ରା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରୁ  ପୋଲିସ ୪ ଟି ଖୋଖା ଜଵତ ହୋଇଛି । ହତ୍ୟା ଘଟଣାରେ ଦୁଇଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା  । ଡ୍ରାଇଭର ଫେରାର ମାରିବା ବେଳେ ସ୍କୁଟି ଲାଗି ଜଳିଗଲା  ହାଇଓ୍ବା  । ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ ସ୍କୁଟି ଆରୋହିକୁ ଧକ୍କା ଦେଇଥିଲା  ।  ଘଟଣା ସ୍ଥଳରେ ହିଁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା  । ଦୁର୍ଘଟଣା ଘଟାଇ  ଫେରାର ମାରିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷଡି ହୋଇଯାଇଥିଲା । ଫଳରେ କିଛିବାଟ ଗଲା ପରେ ରାସ୍ତାରେ ଜଳିଗଲା ହାଇଓ୍ବା । ଜିଲ୍ଲାପାଳ ଅଫିସ୍ ଆଗରେ ହାଇଓ୍ବାରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ଜଳନ୍ତା ଗାଡିକୁ ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ଦୁର୍ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି  । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।

କମୁଛି ଅଶୋଧିତ ତୈଳ ଦର, କିନ୍ତୁ କମିଲାନି ପେଟ୍ରୋଲ ଡିଜେଲ ଦାମ

ଭୁବନେଶ୍ବର: ଅଶୋଧିତ ତୈଳ ଦର ଦିନକୁ ଦିନ କମୁଛି । ବ୍ୟାରେଲ ପିଛା ଦର ୭୯ ଡଲାରରୁ ୭୭ ଡଲାର ହେଲାଣି। ତୈଳ କମ୍ପାନୀଙ୍କ କଚ୍ଚେ ପୁଅ ବାର। ଉଭୟ କେନ୍ଦ୍ର ସରକାର ଓ କମ୍ପାନୀଙ୍କ ଲାଭ ଉପରେ ଡବଲ ଲାଭ । ଏବେ ପୁଣି ଥରେ ଉତ୍ପାଦ ଶୁଳ୍କ ଆଉ ୩ ଟଙ୍କା ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଏପରି ହେଲେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ବଢିବ ନା କମିବ। କେନ୍ଦ୍ର ସରକାର ୨୦୨୪ ନିର୍ବାଚନକୁ ଆଖେଇ ଥିବା ବେଳେ ସମତାଳ ଦେଇ ତୈଳ ରାଜନୀତିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ। ହେଲେ ଲୋକଙ୍କ ଦୁଃଖ ସରୁନି ।

ନୂଆବର୍ଷ ଗଲା। କମିଲାନି ପେଟ୍ରୋଲ ଓ ଡିଜେଲ ଦର । ଏନେଇ ମୁହଁ ବି ଖୋଲିଲେନି କେନ୍ଦ୍ର ସରକାର। ନିଜ ଆୟ ବୃଦ୍ଧି ପାଇଁ ଉତ୍ପାଦନ ଶୁଳ୍କ ବୃଦ୍ଧି କରିପାରେ କେନ୍ଦ୍ର। ନୂଆବର୍ଷରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିପାରେ। ମହଙ୍ଗା ରାକ୍ଷସରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକାର।  ଡିସେମ୍ବର ମାସ ଆଡ଼କୁ ଜାତୀୟସ୍ତରରେ ଏପରି ଖବର ଦେଖିବାକୁ ମିଳିଲା। ହେଲେ ନୂଆବର୍ଷ ଆସିଲା ପଛେ ନା କମିଲା ପେଟ୍ରୋଲ ଓ ଡିଜେଲ ଦର, ନା କେନ୍ଦ୍ର ସରକାର ତୈଳ ଦର ଉପରେ ପଦୁଟିଏ କହିଲେ। ଫୁସୁକିଗଲା ଜାତୀୟ ଗଣମାଧ୍ୟମର ଏପରି ଦାବି। ମଉଳିଗଲା ଲୋକଙ୍କ ଆଶା । ବରଂ ଚର୍ଚ୍ଚା ହେଲାଣି, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିଥିବା ଯଥାକ୍ରମେ ୧୩ ଟଙ୍କା ଓ ୧୬ ଟଙ୍କା ଉତ୍ପାଦ ଶୁଳ୍କରେ ଆଉ ୩ ଟଙ୍କା ଲେଖାଏଁ ବୃଦ୍ଧି କରିବେ।

ଆସନ୍ତା ଦିନରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବା ଆଶା କ୍ଷୀଣ । ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବ, ପେଟ୍ରୋଲ ଓ ଡିଜେଲର ବେସ୍ ଦରରେ କିଛିଟା ହ୍ରାସ କରି ବାହାବା ନେବାକୁ କେନ୍ଦ୍ର କରୁଛି ଚାଲ୍। ଏବେ ପେଟ୍ରୋଲ ଲିଟର ପିଛା ଉତ୍ପାଦ ଶୁଳ୍କ ୧୯ ଟଙ୍କା ୯୦ପଇସା ଏବଂ ଡିଜେଲ ଲିଟର ପିଛା ୧୫ ଟଙ୍କା ୮୦ ପଇସା ନେଉଛି କେନ୍ଦ୍ର । ୩ଟଙ୍କା ଲେଖାଏଁ ବଢିଲେ ପେଟ୍ରୋଲ ଉତ୍ପାଦ ଶୁଳ୍କ ୨୨ ଟଙ୍କା ୯୦ ଓ ଡିଜେଲ ଉତ୍ପାଦ ଶୁଳ୍କ ଲିଟର ପିଛା ୧୮ ଟଙ୍କା ୮୦ ପଇସା ହେବ। ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥା ୨୦୧୭ରୁ ପ୍ରଣୟନ ହୋଇଥିଲେ ବି ଗତ ଦେଢ଼ବର୍ଷ ହେଲାଣି ଏହି ବ୍ୟବସ୍ଥାକୁ ପଙ୍ଗୁ କରିଦିଆଯାଇଛି। ଗତବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ୧୧୨ ଡଲାର ଛୁଇଁଥିଲା। କିଛିଟା କ୍ଷତି ସହିଥିଲେ ତୈଳ କମ୍ପାନୀ । ହେଲେ ୨୦୨୨ ମେ’ ରୁ ଲଗାତର ଅଶୋଧିତ ତୈଳ ଦର କମି ଏବେ ୭୭.୪୨ ଡଲାରରେ ପହଞ୍ଚିଲାଣି । କ୍ଷତି ଭରଣା କରି ତୈଳ କମ୍ପାନୀ ଲାଭ କରିଚାଲିଛନ୍ତି। ହେଲେ କମୁନି ଲୋକଙ୍କ ଦୁଃଖ।

ତୈଳକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଗତବର୍ଷର କ୍ଷତି ଭରଣା ହୋଇ ଲାଭ ହେଉଛି ଓ ଅଶୋଧିତ ତୈଳ ଦର ଲଗାତାର କମୁଛି। ଦର ହ୍ରାସ ପାଇଁ ଏବେ ଆଉ କେଉଁ ଅବସ୍ଥାକୁ ଅପେକ୍ଷା କରିଛନ୍ତି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର? କାହିଁକି ହ୍ରାସ କରୁନାହାନ୍ତି ଖୁଚୁରା ଦର ? ୨୦୧୭ରୁ ପ୍ରଣିତ ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥାକୁ କାହିଁକି ଅକାମୀ ରଖିଛନ୍ତି ? ଏହା ପ୍ରମାଣିତ କରୁନି କି କେନ୍ଦ୍ର ସରକାରଙ୍କ ଗୁମାସ୍ତା ପରି ତୈଳ କମ୍ପାନୀ ବି ନିର୍ବାଚନକୁ ଅପେକ୍ଷା କରିଛନ୍ତି? ସେପଟେ ତୈଳ ବୋଝେଇ ଭାରତ ଆସୁଥିବା ଜାହାଜ ଉପରେ ଲୋହିତ ସାଗରରେ ଆକ୍ରମଣ ଜାରି ବି ରହିଛି । ଏଭଳି ସ୍ଥିତିରେ ଆଗକୁ ଅଶୋଧିତ ତୈଳ ଆସିବା ବାଟ ଲମ୍ବା ବି ହୋଇପାରେ।

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀକୁ ଆଧାର କରି ଓଡିଆ ଭାଷାର ଉନ୍ନତି ଓ ଲୋକପ୍ରିୟତା ପାଇଁ ସରକାର ପଦକ୍ଷେପ ନେବେ । ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି ।