ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀକୁ ଆଧାର କରି ଓଡିଆ ଭାଷାର ଉନ୍ନତି ଓ ଲୋକପ୍ରିୟତା ପାଇଁ ସରକାର ପଦକ୍ଷେପ ନେବେ । ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି ।