ଭୁବନେଶ୍ବର : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏକାଧିକ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ସାଗର। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯାଇଥିଲା। ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର। ଆଜି ଟିଟିଲାଗଡ଼ର ଜନ୍ମମାଟିରେ ହେବ ଶେଷକୃତ୍ୟ। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ଥିଲେ। ଇସ୍କ ତୁହି ତୁରେ ସିନେମାରେ ପ୍ରଥମ ଗୀତ ଗାଇଥିଲେ। ହ୍ୟୁମାନଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ହ୍ୟୁମାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ନଭେମ୍ବର ୧୪ ତାରିଖରୁ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଫୁସଫୁସ, କିଡନି, ଲିଭର ଏବଂ ବ୍ରେନ୍ ଭଳି ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିଲା । ଡାକ୍ତରୀ ଟିମର ସୂଚନା ଅନୁସାରେ, ହ୍ୟୁମାନ ସାଗର ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ଥିଲେ । ଏଥିସହ ଆକ୍ୟୁଟ୍ ଅନ୍-କ୍ରୋନିକ୍ ଲିଭର ଫେଲ୍ୟୁଓର, ଡିଲେଟେଡ୍ କାର୍ଡିଓମାୟୋପ୍ୟାଥି, ନିମୋନିଆ ଓ ରକ୍ତ ସଂକ୍ରମଣ ଭଳି ସମସ୍ୟାରେ ପୀଡ଼ିତ ଥିଲେ । ହ୍ୟୁମାନ୍ ସାଗର ୧୯୯୦ ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଟିଟିଲାଗଡ଼଼ଠାରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତ ସହ ଜଡ଼ିତ ପରିବାରରୁ ଆସିଥିବା ହ୍ୟୁମାନ ମାତ୍ର ୮ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ଓ ମାତା ଉଭୟ ମଧ୍ୟ ଗାୟକ ଥିଲେ । ଆରମ୍ଭରୁ ଏମବିବିଏସ୍ ପଢ଼ିବାର ଲକ୍ଷ୍ୟ ଥିଲେ ମଧ୍ୟ ପରେ ସେ ସଂପୂର୍ଣ୍ଣ ଭାବେ ସଙ୍ଗୀତକୁ ସମର୍ପିତ ହୋଇଥିଲେ । ୨୦୧୨ ମସିହାରେ ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨ରେ ପ୍ରଥମ ସ୍ଥାନ ହାସଲ କରି ସେ ଓଲିଉଡରେ ପ୍ରବେଶ କରିଥିଲେ । ୨୦୧୫ରେ ଇସ୍କ ତୁ ହିଁ ତୁ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲେବ୍ୟାକ୍ ଗୀତ ଗାଇ ସେ ଖ୍ୟାତି ଲାଭ କରିଥିଲେ । ତାଙ୍କ ସୁମଧୁର କଣ୍ଠସ୍ୱର ତାଙ୍କୁ ଯୁବ ପିଢ଼ିର ଅତି ପ୍ରିୟ ଗାୟକ କରି ଦେଇଥିଲା । ଶତାଧିକ ଆଲବମ୍, ଫିଲ୍ମ ଏବଂ ମେଲୋଡିୟସ୍ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି।
ଆନ୍ଧ୍ରପ୍ରଦେଶ ସୀମାନ୍ତ ହେଉକି ଛତିଶଗଡ଼ର ସୀମା, ସବୁଠି ଓଡିଶା ଉପରେ ଚାଲିଛି ଜୁଲମ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ବାରମ୍ବାର କୋଟିଆ ଅଂଚଳରେ ଅନୁପ୍ରବେଶ କରି ସେଠାକାର ଲୋକଙ୍କୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରୁଛି। ପୂର୍ବରୁ ଅନେକ ଥର କୋଟିଆରେ ଆଧିପତ୍ୟ ବିସ୍ତାର ପାଇଁ ଆନ୍ଧ୍ର ବିଭିନ୍ନ କାର୍ଯ୍ୟ କରିଥିବାବେଳେ କିଛିଦିନ ତଳେ କୋଟିଆରେ ଆଦିବାସୀ ମେଳା ଓ ସ୍ୱାସ୍ଥ୍ୟ ଶିବିର କରିଛି।ପୂର୍ବ ସରକାର ସମୟରେ ଉଚ୍ଚସ୍ତରୀୟ କମିଟି ଗଠନ ସହ ମୁଖ୍ୟସଚିବ ସ୍ତରରେ ଏହାର ଶାନ୍ତିପୂର୍ଣ ସମାଧାନ ପାଇଁ ଉଦ୍ୟମ ହୋଇଥିଲା।କିନ୍ତୁ ବର୍ତ୍ତମାନ ସରକାର କୋଟିଆରେ ସ୍ୱାଧୀନତା ଦିବସ ପାଳନ କରିବା ସହ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି। କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଆନ୍ଧ୍ର ନିଜ ଇଚ୍ଛାରେ କାମ ଜାରି ରଖିଛି। ତେଣୁ ଏହା ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବା ସହ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ଆନ୍ଧ୍ର ଓଡିଶା ସୀମା ବିବାଦ ଉପରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛି ଓଡ଼ିଆ ଅସ୍ମିତା ପରିଷଦ। ରାଜ୍ୟର ଅନେକ ସୀମାନ୍ତ ଅଂଚଳ ଭାଷା ସଂକଟରେ ଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ରାଜ୍ୟର ସ୍ୱାର୍ଥକୁ ବଳି ଦେଇ କେବଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଶାସକ ଦଳ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।
ସେପଟେ ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ନେଇ ବାମପନ୍ଥୀ ଦଳ ନୂଆପଡା ଉପନିର୍ବାଚନ କଥା ଉଠାଇଛି। ନୂଆପଡାରେ ଶାସକ ଦଳ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ନେଇ ପ୍ରଚାର କଲା। କିନ୍ତୁ ଛତିଶଗଡ଼ ଯେଭଳି ଓଡିଶା ପ୍ରତି ଅନ୍ୟାୟ କରୁଛି ସେ କଥା ପ୍ରଭାବୀ ଢଙ୍ଗରେ ଏ ଯାଏ ଉପସ୍ଥାପିତ ହେଲା ନାହିଁ। ଏପରିକି ନୂଆପଡାର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ନ ମିଳିବା ଓ ଓଡ଼ିଆ ଭାଷା ଅବହେଳିତ ହେଉଥିବା ଅଭିଯୋଗ ହୋଇଛି।ସେପଟେ ଶାସକ ଦଳର କହିବା କଥା ଲୋକଙ୍କ ଆଗ୍ରହ ଅନୁସାରେ ସେମାନେ ଭାଷା ବ୍ୟବହାର କରିବେ ଓ ଚଳଣି ଆପଣାଇବେ। ତେଣୁ ଏସବୁକୁ ପ୍ରସଙ୍ଗ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶାସକ ଦଳ ବିଧାୟକ । ଆନ୍ଧ୍ର, ଛତିଶଗଡ଼ ହେଉ କିମ୍ବା ପଶ୍ଚିମବଙ୍ଗ ସବୁବେଳେ ଓଡ଼ିଶାର ଜମି, ଜଳ ଓ ଜଙ୍ଗଲ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାର ମାଟିର ସୁରକ୍ଷା ପାଇଁ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।
ଯୌନ ନିର୍ଯାତନା ରୋକିବାକୁ ଆଇନ ଅଛି, ଉଚ୍ଚଶିକ୍ଷାନୁଷ୍ଠାନରେ ହେଉନି କଡ଼ାକଡ଼ି
ଭୁବନେଶ୍ବର : କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଛାତ୍ରୀ ଆତ୍ମାହୁତି ଦେଲଣି ତ କେଉଁଠି କଲେଜରେ ସହପାଠୀର ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ରଶି ଲଗାଇ ଝୁଲି ପଡ଼ୁଛି ଛାତ୍ରୀ । ଏପରି ସମ୍ବେଦନଶୀଳ ଘଟଣା ବଢୁଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । କଲେଜରେ ଇଣ୍ଟରନାଲ କମ୍ପଲେଣ୍ଟ କମିଟି ତ ଅଛି । ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ନ ହେଉଥିବାରୁ ଯୌନ ନିର୍ଯାତନା ଅଭିଯୋଗ ବଢୁଥିବା ନେଇ ଚର୍ଚ୍ଚା ହେଲାଣି । ଏନେଇ ଏବେଠୁ ଆରମ୍ଭ ହେବ କ୍ୟାମ୍ପସ କଲିଂ। ଉଚ୍ଚଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛନ୍ତି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ) ର ପ୍ରଭାବଶାଳୀ କାର୍ଯ୍ୟକାରିତା କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି। ଏଥିସହ ଜାତୀୟ ମହିଳା ଆୟୋଗ ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସଚେତନତା ଓ ପୋସ୍ ୨୦୧୩ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବା ପ୍ରତି ଉଚ୍ଚଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ ଦୂତ ବି ମନୋନୀତ ହେବେ । ଏହାକୁ ପାଳନ କରିବାକୁ ୟୁଜିସି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି କରିଛି । ହେଲେ ଆଇନ ଥିବା ସତ୍ତ୍ବେ ଯୌନ ନିର୍ଯାତନା ରୋକିବାକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଶାସନିକ ଅପାରଗତାକୁ ଶିକ୍ଷାବିତ ଟାର୍ଗେଟ କରିଛନ୍ତି ।
ସେପଟେ ମହିଳା କଲେଜରେ ଛାତ୍ରୀ ନିଜକୁ ଅଧିକ ସୁରକ୍ଷିତ ମନୁଛନ୍ତି । ହେଲେ କ୍ୟାମ୍ପସ ବାହାରେ ସେମାନେ ଅଶ୍ଳୀଳ ଇଙ୍ଗିତର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତେବେ କୋ-ଏଡ୍ କଲେଜ ଗୁଡ଼ିକରେ ନିୟମ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି । କିଛି ମାସ ତଳେ ବିଜୁ ଜନତା ଦଳ ପକ୍ଷରୁ ଛାତ୍ରୀ ସୁରକ୍ଷା ପାଇଁ ଏସପି ଓ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ । ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ଓ୍ବେବସାଇଟରେ ରହିବ | ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ । କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ । ଏତେ ସବୁ ନିୟମ ସତ୍ତ୍ବେ, ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ପ୍ରମୁଖ ମୁଦ୍ଦା ପାଲଟିଥିବାରୁ, ଚିନ୍ତା ବଢିବାରେ ଲାଗୁଛି ।

