spot_img
Home Blog Page 2263

ବରଗଡ଼ ଧନୁଯାତ୍ରା: ଆସନ୍ନ ଯୁଦ୍ଧ ପାଇଁ ମନ୍ତ୍ରଣା କରିବେ ମଥୁରାଧିପତି

ବରଗଡ଼: ଆସନ୍ନ ଯୁଦ୍ଧକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂସ ମହାରାଜା । ବାଳକୃଷ୍ଣଙ୍କୁ ମାରିବାକୁ ପଠାଇଥିବା ସମସ୍ତ ଅସୁରଙ୍କୁ ଗୋଟି ଗୋଟି କରି ବଧ କରିଛନ୍ତି ବେନିଭାଇ ।  ଆଜି ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଆସନ୍ନ ଯୁଦ୍ଧ ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିବେ ମଥୁରା ଅଧିପତି । ଏହାସହ ତଥାକଥିତ ଅଧିକାରୀଙ୍କ ସହ ଆଲୋଚନା କରିବେ । କୃଷ୍ଣଙ୍କୁ ନେଇ ମଥୁରାବାସୀଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଛି । କଂସର ତାଡନାରୁ ମୁକ୍ତି ପାଇଁ ନିଜ ତ୍ରାଣକର୍ତ୍ତା ଶ୍ରୀକୃଷ୍ଣଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ମଥୁରାବାସୀ । ଏହାଦେଖି ଭୟଭୀତ କଂସ । ତେଣୁ ନିଜର ଭୟ ଲୁଚାଇବାକୁ ରଙ୍ଗସଭାରେ ନୃତ୍ୟଗୀତ ଆୟୋଜନ କରିଛନ୍ତି ମହାରାଜ । ସେପଟେ ଗୋପରେ କୃଷ୍ଣ ପ୍ରେମରେ ରଙ୍ଗାୟିତ ହୋଇଛନ୍ତି ଗୋପୀ ଗୋପାଙ୍ଗନା । ଆଜି ଗୋପରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ର ହରଣ ଦୃଶ୍ୟ ଅଭିନିତ ହେବ । ଯାତ୍ରାର ପଞ୍ଚମ ଦିନରେ ଜାମଳାର୍ଜୁନଙ୍କୁ ଉଦ୍ଧାର କରିବା ସହ କାଳୀୟ ନାଗର ଗର୍ବ ଖଣ୍ଡନ କରି କାଳୀୟ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏହାସହ ମାଟି ଖାଇ ବିଶ୍ବରୂପ ଦର୍ଶନ କରାଇଛନ୍ତି ।

ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ, ପୁରୁଣା ବିଶ୍ବବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା

ଭୁବନେଶ୍ବର: ମାତୃଭାଷା ଦିବସ ସହ ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ । ରାଜ୍ୟର ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ମିଳିବ ଐତିହ୍ୟ ବିଦ୍ୟାଳୟ ମାନ୍ୟତା । ଲୋକସେବା ଭବନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି  । ଆସନ୍ତା ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହାର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ଅକ୍ଷର ଭୂମିକୁ ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକୁ ନେଇ ୧୬ଟି ଓ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ ଓ କାନ୍ଥରେ ଚିତ୍ରଣ କରାଯିବ । ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ । ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର  ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ । ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ ଲାଇଭ ଓ୍ବେବକାଷ୍ଟ ଦ୍ବାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ । ସେମାନଙ୍କର ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ । ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା ମାଧ୍ୟମରେ ପ୍ରକାଶ କରାଯିବ ।ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର୍ଯ୍ଯାଳୟ,  ସରକାରୀ କାର୍ଯ୍ଯାଳୟ, ବେସରକାରୀ କାର୍ଯ୍ଯାଳୟ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ । ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ ।  ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ମିଳନୀ ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ ।

ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଲୋକାର୍ପିତ ପରିକ୍ରମା ମାର୍ଗରେ କଲେ ପ୍ରଦୀକ୍ଷଣ

ପୁରୀ: ପୁରୀରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସେ ପୁରୀ ଯାଇ ସର୍ବ ପ୍ରଥମେ ଲୋକାର୍ପିତ ହୋଇଥିବା ପରିକ୍ରମା ପ୍ରକଳ୍ପରେ ଥିବା ମାର୍ଗରେ ପ୍ରଦୀକ୍ଷଣ କରିଥିଲେ। ଶ୍ରୀମନ୍ଦିର ଚାରିପଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ବୃହତ କାମ ହୋଇଥିବା ବେଳେ ଏଥିରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପରିକ୍ରମା ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ନିଜେ ପାଣ୍ଡିଆନ ଏହି ପ୍ରଦୀକ୍ଷଣ ମାର୍ଗରେ ଚାଲି ଚାଲି ଶ୍ରୀମନ୍ଦିରର ପ୍ରଦୀକ୍ଷଣ କରିଛନ୍ତି। ନଅ ଥର  ଶ୍ରୀମନ୍ଦିର ଚାରିପଟେ ଚାଲି ଚାଲି ପ୍ରଦକ୍ଷିଣ କରିଥିଲେ ଫାଇଭ ଟି ଅଧ୍ୟକ୍ଷ ।ପ୍ରଦୀକ୍ଷଣ ପରେ ସେ ନିଜ ପରିବାର ସହ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମନକଥା କହିଲେ କାର୍ତ୍ତିକ ପାଣ୍ଡିଆନ, ରାଜନୈତିକ କ୍ୟାରିୟର ନୁହେଁ କାଳିଆ କାମ ଆଗ

ଭୁବନେଶ୍ବର: ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ । ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବବେଗ ଏତେ ଗଭୀର ଭାବେ ଜଡିତ ଯେ, ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି  । ରୂପାନ୍ତରଣ ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କତାମୂଳକ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କିନ୍ତୁ ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ରାଜନୈତିକ ଭବିଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ । ଆଜି ଭୁବନେଶ୍ବରରେ ଆୟୋଜିତ ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପରିକ୍ରମା ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଲୋକମାନେ ମୋତେ ବିଶ୍ବାସ ଓ ଭରସା କରିବା ସହ ଅକୁଣ୍ଠ ଭଲପାଇବା ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡିଶାବାସୀଙ୍କର ରହିଛି ଅକୁଣ୍ଠ ଭଲପାଇବା ଓ ବିଶ୍ବାସ । ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ ନକରିବି ଇତିହାସ ମୋତେ କ୍ଷମା ଦେବନି ।

ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ଏହାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିବା ସହ ପରିକ୍ରମା ପ୍ରକଳ୍ପକୁ ଆଗେଇ ନେଇଥିଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ କହିଥିଲେ ଯେ, ଶ୍ରୀମନ୍ଦିର ରୂପାନ୍ତରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା । ବହୁ ବଡ ବଡ ରାଜା ଓ ବ୍ରିଟିଶ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ ।

କିନ୍ତୁ ଶ୍ରୀମନ୍ଦିର ରୂପାନ୍ତରଣ କାମ ଯିଏ ବି ଆରମ୍ଭ କରିଥିଲେ ସେମାନେ ୧୫ଦିନରୁ ମାସେ ମଧ୍ୟରେ ଓହରିଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଏହି ରୂପାନ୍ତରଣକୁ ଗଜପତି ମହାରାଜ ମଧ୍ୟ ପ୍ରଶଂସା କରିଛନ୍ତି । ୭୦୦ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଆସିଛି ରୂପାନ୍ତରଣ ।

ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ପହଁଚିଲେ କିନ୍ତୁ ମିଳିଲାନି ହୋଟେଲ

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଉ କିଛି ଦିନ ବାକି ଅଛି । ଭକ୍ତଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଛନ୍ତି  । ଏହା ସହ ରାମନଗରୀରେ ସମସ୍ତ ହୋଟେଲ ହାଉସଫୁଲ ବୁକ ହୋଇସାରିଛି  । ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ୧୭ ଜାନୁଆରୀରେ ଅଯୋଧ୍ୟାରେ ପହଞ୍ଚିଥିଲେ । ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି ।

     ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅର୍ଥାତ୍‌ ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲହରୀ ଅଯୋଧ୍ୟା ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହି ସମୟରେ ତିନିଜଣଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା । ଟିଭିର ରାମ, ସୀତା ଏବଂ ଲକ୍ଷ୍ମଣଙ୍କୁ ଦେଖିବା ପାଇଁ ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ନଜର ଆସିଥିଲେ।

      ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଏକ ଗଣମାଧ୍ୟମ ସହ କଥା ହୋଇଛନ୍ତି  । ସେ କହିଛନ୍ତି, ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି । ସମସ୍ତ ହୋଟେଲ ରୁମ୍‌ଗୁଡ଼ିକ ପ୍ରାୟ ଫୁଲ୍‌ ଏବଂ ଉଦ୍‌ଘାଟନ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ରହିବେ ତାକୁ ନେଇ ସେ ଚିନ୍ତିତ ଅଛନ୍ତି ।

ମଧୁର ହସକୁ ମଥାରେ ତିଲକ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏମିତି ଦିଶୁଛନ୍ତି ପ୍ରଭୂ ଶ୍ରୀରାମ

ଅଯୋଧ୍ୟା: ମଧୁର ହସ  । ମଥାରେ ତିଳକ  । ଆସିଲା ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲଲାଙ୍କ ଅପରୂପ ମୁଖମଣ୍ଡଳର ଫଟୋ  । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ପୂର୍ବରୁ ରାମଲଲାଙ୍କ ଫଟୋ ସହ ସାମନାକୁ ଆସିଛି ଅପରୂପ ମୁଖମୁଣ୍ଡଳ  । ପ୍ରଥମେ ବିଧି ଅନୁସାରେ ପ୍ରଭୁ ରାମଙ୍କ ଚକ୍ଷୁରେ ପଟି ବନ୍ଧାଯାଇଥିଲା  । ପରେ କିନ୍ତୁ ଏହାକୁ ଖୋଲିଦିଆଯାଇଥିଲା  ।

ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ୨୩ ତାରିଖଠାରୁ ମନ୍ଦିରରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ । ଗତକାଲି ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ଆସ୍ଥାନରେ ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତି ସ୍ଥାପନ କରିବାକୁ ପ୍ରାୟ ୪ ଘଣ୍ଟାରୁ  ଅଧିକ ସମୟ ଲାଗିଥିଲା। ମନ୍ତ୍ର ଉଚ୍ଚାରଣ  ଏବଂ ପୂଜାର୍ଚ୍ଚନା ନୀତିକାନ୍ତି ସହ ଭଗବାନ ରାମଙ୍କ ବିଗ୍ରହକୁ ବିରାଜମାନ କରାଯାଇଥିଲା ।

ଏହି ଅବସରରେ ମୂର୍ତ୍ତି ନିର୍ମାଣ କରିଥିବା ସ୍ଥପତି ଯୋଗୀରାଜ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ । ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ଏହି ବିଗ୍ରହ ନିର୍ମାଣ କରିଛନ୍ତି । ୫୧ ଇଞ୍ଚ୍‌ ରହିଛି ଏହି ବିଗ୍ରହର ଉଚ୍ଚତା । ବୁଧବାର ଦିନ ମୂର୍ତ୍ତିକୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବୁଧବାର ରାତିରେ କ୍ରେନ ସାହାଯ୍ୟରେ ରାମଲାଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିର ପରିସରରୁ ଭିତରକୁ ଅଣାଯାଇଥିଲା  । ଏହା ପୂର୍ବରୁ ପ୍ରଭୂ ରାମଙ୍କ କିଛି ଫଟୋ ସାମନାକୁ ଆସିଥିଲା  । ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାଙ୍କ ଆସନ ବି ପ୍ରସ୍ତୁତ କରାଯାଇଛି  । ରାମଲାଲାଙ୍କ ଆସନ ୩.୪ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ  । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି  ।

ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ

ଆସାମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର ମଜୁଲିରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ  ବିଜେପି ଚାହୁଁଥିବା କହିଛନ୍ତି ରାହୁଲ । ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇଥିଲା  ।

ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଆମେ ଆପଣଙ୍କୁ ଆଦିବାସୀ ବୋଲି କହୁଛୁ, ଏହାର ଅର୍ଥ ମୂଳ ନିବାସୀ । କିନ୍ତୁ ବିଜେପି ଆପଣଙ୍କୁ ବନବାସୀ ବୋଲି କହିଥାଏ, ଅର୍ଥାତ୍‌ ଜଙ୍ଗଲରେ ରହୁଥିବା ଲୋକ ।

ରାଜ୍ୟ ବିଜେପି ସରକାରଙ୍କୁ ଦୋଷ ଦେଇ  ରାହୁଲ କହିଛନ୍ତି, ବିଜେପି ଆଦିବାସୀମାନଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଏବଂ ସେମାନଙ୍କ ପିଲାମାନଙ୍କୁ ସ୍କୁଲ, ବିଶ୍ୱବିଦ୍ୟାଳୟ ଯିବା, ଇଂରାଜୀ ଶିଖିବା ଏବଂ ବ୍ୟବସାୟ କରିବାର ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଁଛି । କିନ୍ତୁ ଆମେ ଚାହୁଁଛୁ, ଆପଣଙ୍କର ଯାହା ଅଛି ଆପଣଙ୍କୁ ଫେରାଇ ଦିଆଯାଉ । ଆପଣଙ୍କର ଜଳ, ଜମି ଏବଂ ଜଙ୍ଗଲ ଆପଣଙ୍କର ହେବା ଉଚିତ୍ ।

ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶୁକ୍ରବାର ସକାଳେ ଡଙ୍ଗାରେ ଜୋରହାଟରୁ ମଜୁଲିରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀଙ୍କ ସହ ସାଧାରଣ ସଚିବ ଜୟରାମ ରମେଶ, ରାଜ୍ୟ ସଭାପତି ଭୁପେନ କୁମାର ବୋରା ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ଦେବବ୍ରତ ସୌକିଆଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛି । ଏହି ଯାତ୍ରା ୬୭୧୩ କିଲୋମିଟର। ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇଥିଲା। ଏହା ୨୦ କିମ୍ବା ୨୧ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ।

ଲାଲୁ ଯାଦବଙ୍କ ଆବାସରେ ED ଟିମ୍‌, ଶନିବାର ସୁଦ୍ଧା ପହଞ୍ଚିବାକୁ ସମନ୍‌

0

ପାଟନା: ବିହାରରେ ଶାସନ ଗାଦିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାରି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଜଣେ ଅଧିକାରୀ ଲାଲୁ ପ୍ରସାଦ ଯାଦବଙ୍କ ଆବାସରେ ପହଞ୍ଚିଛନ୍ତି  । ଅଧିକାରୀ ଜଣକ ହାତରେ କିଛି କାଗଜପତ୍ର ନେଇ ଭିତରକୁ ଯାଉଥିବା ରିପୋର୍ଟ କହୁଛି  । ସେହିପରି ଇଡି ଟିମ ରାବଡି ଆବାସକୁ ବି ସମନ ଦେବା ପାଇଁ ପହଞ୍ଚିଥିବା ଶୁଣିବାକୁ ମିଳୁଛି  ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ରାବଡି ଆବାସରେ ପହଞ୍ଚି ଲାଲୁ ପରିବାରକୁ ନୋଟିସ ଦେଇଛନ୍ତି  । ଇଡି ଅଧିକାରୀମାନେ ଲାଲୁ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ଶନିବାର ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛନ୍ତି  । ଲ୍ୟାଣ୍ଡ ଫର ଜବ୍‌ ସ୍କାମ ଅର୍ଥାତ୍‌ ଜମି ବଦଳରେ ରେଳ ବିଭାଗରେ ଚାକିରି ଦୁର୍ନୀତିରେ ଲାଲୁଙ୍କ ପରିବାରକୁ ନୋଟିସ ଜାରି କରାଯାଇଥିବା ଅନୁମାନ କରାଯାଉଛି  ।

ସେହିପରି ଜମି ବଦଳରେ ଜବ୍‌ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନରେ ନିଜର ଆଦେଶ ସୁରକ୍ଷିତ ରଖିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ  । ଏଥିରେ ଲାଲୁ ଯାଦବଙ୍କ ପତ୍ନୀ ରାବଡି ଦେବୀ, ଝିଅ ମିସା ଭାରତୀଙ୍କ ସମେତ ସାତ ଜଣଙ୍କୁ ଇଡି ଅଭିଯୁକ୍ତ ଦର୍ଶାଇଛନ୍ତି  । ସେପଟେ ସିବିଆଇ ବି ଏହି ଘୋଟାଲାରେ ଜଡିତ ମାମଲାରେ ନିଜର ପକ୍ଷ ରଖିଛନ୍ତି  ।

ମାଟ୍ରିମୋନି ସାଇଟରେ କରୁଥିଲେ ବାୟା, ଯୁବତୀ ବେଶରେ ଲୁଟିନେଲେ ୩ ଲକ୍ଷ

ଭୁବନେଶ୍ବର: ଯୁବତୀ ବେଶରେ ଯୁବକଙ୍କୁ ଚୁନା । ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ । ନବମ ଶ୍ରେଣୀ ପାଠ ପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା ।

ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ସାଇବର ଥାନା ପୋଲିସ ପୋଲିସ ।

ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ କହିଲେ ପିତା

ଗାଜା : ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଶପଥ ନେଇଛି ଯେ, ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ । ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତା ଅଭିଯୋଗ କରିଛନ୍ତି, ହମାସ ତାଙ୍କ ପୁଅର ମୁଣ୍ଡ କାଟି ନିଲାମ କରିଛି । ଡେଭିଡ ତାହର ନାମକ ଜଣେ ବ୍ୟକ୍ତି ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁଅ ସିପିଏଲ ଆଦିର ତାହରଙ୍କ ମୃତ୍ୟୁ ବିଷୟରେ କହିଛନ୍ତି ।

ଡେଭିଡ କହିଛନ୍ତି, ଅକ୍ଟୋବର ୭ରେ ଗାଜା ସୀମା ନିକଟରେ ଏକ ଇସ୍ରାଏଲର ସାମରିକ ପୋଷ୍ଟରେ ଆଦିରଙ୍କୁ ନିୟୋଜିତ କରାଯାଇଥିଲା। ହମାସ ପକ୍ଷରୁ  ପୋଷ୍ଟ ଉପରେ ଆକ୍ରମଣ କରି ଆଦିରଙ୍କୁ ହତ୍ୟା କରାଯାଇଥିଲା ।  ଏହା ପରେ ହମାସ ଯୋଦ୍ଧାମାନେ ଆଦିରଙ୍କ ମୁଣ୍ଡ କାଟି ୧୦ ହଜାର ଡଲାରରେ ନିଲାମ କରିବାକୁ ଘୋଷଣା କରିଥିଲେ ।

ଡେଭିଡ ଏହା ମଧ୍ୟ କହିଛନ୍ତି, ଆଦିରଙ୍କ ମୃତଦେହକୁ ଇସ୍ରାଏଲର ଜାତୀୟ ଶ୍ମଶାନରେ ପାଇଛନ୍ତି। ସେ କହିଛନ୍ତି, ମୋ ପୁଅ ଶରୀରର ଅବସ୍ଥା ଏତେ ଖରାପ ଥିଲା ଯେ ତାକୁ ଚିହ୍ନିବା କଷ୍ଟସାଧ୍ୟ ଥିଲା । ଡିଏନଏ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଇଥିଲା । ସେ ଦୁଇ ମାସ ଧରି ଆଦିରଙ୍କ ମୁଣ୍ଡ ପାଇଁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ସେ କୌଣସି ସୂଚନା ପାଇପାରିଲେ ନାହିଁ । କିନ୍ତୁ ଡିସେମ୍ବରରେ ସେ ଜାଣିବାକୁ ପାଇଲେ ଯେ ଇସ୍ରାଏଲର ଗୁପ୍ତଚର ବିଭାଗ ତାଙ୍କ ପୁଅର ମୁଣ୍ଡ ପାଇଛି । ଯାହାକୁ ଆତଙ୍କବାଦୀମାନେ ଏକ ଫ୍ରିଜରେ ରଖିଥିଲେ ।