ଏବେ ବି ଚାଲିଛି କଙ୍ଗାରୁ କୋର୍ଟ, ଗାଁ ଲୋକଙ୍କ ଟାହି ଟାପରା ସହିନପାରି ବିଷ ପିଇଦେଲେ..

ନୟାଗଡ଼: ୨୦୨୪ ମସିହାରେ ବସୁଛି ଖାପ ପଂଚାୟତ । ଖାପ ପଞ୍ଚାୟତ ନିଷ୍ପତି ଅନୁସାରେ ପଡୁଛି ଦଣ୍ଡ । କଥା ନଶୁଣିଲେ ବସୁଛି କଙ୍ଗାରୁକୋର୍ଟ । ଟଙ୍କା ନିଆଁ ପାଣି ବାସନ୍ଦ କରାଯାଉଛି  । ଏଭଳି କଙ୍ଗାରୁ କୋର୍ଟ ନିଷ୍ପତ୍ତିକୁ ସହି ନପାରି ଆତ୍ମହତ୍ଯା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଯୁବକ । ଏଭଳି ଘଟଣା ଆସିଛି ନୟାଗଡ ଜିଲ୍ଲା ସଦରଥାନା ଚାହାଳି ଗାଁରେ । ସୁବାସ ବେହେରା ଗାଁର ଉପସଭାପତି ଥିଲେ । ତାଙ୍କ ବିରୋଧରେ କିଛି ଅଭିଯୋଗ ଆସିଲା  ।  ଯାହାକୁ ନେଇ ଗାଁରେ ବସିଲା ସଭା । ଚଳିତ ୧୯ ତାରିଖ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଯିଏ ତାଙ୍କ ସାଙ୍ଗରେ କଥାହେବ ତାକୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଗଲା ।  ଏହାକୁ ସହି ନପାରି ଜାନୁଆରୀ ମାସ ୨୭ ତାରିଖ ରାତିରେରେ ସୁବାସ ବିଷ ପିଇ ଦେଇଥିଲେ । ବିଷ ପିଇବା ପୂର୍ବରୁ ଗ୍ରାମବାସୀଙ୍କ ବିରୋଧରେ ଏକ ସୁଇସାଇଟ୍ ନୋଟ ମଧ୍ୟ ଲେଖିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସୁବାସଙ୍କ ଝିଅ ଅର୍ଚ୍ଚନାଙ୍କ ଲିଖିତ ଏତଲା ପରେ ସଦର ଥାନା ପୋଲିସ ଗାଁ ର ୪ ଜଣ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମାକାନ୍ତ ମିଶ୍ର, ସନ୍ତୋଷ ବେହେରା, ବଂଶୀଧର ମିଶ୍ର ଓ ମାଗି ବେହେରା। ଆଜି ସେମାନଙ୍କୁ କୋର୍ଟ ଚଲାଣ କରାଯାଇଛି ।