spot_img
Home Blog Page 2256

ୟେମେନସ୍ଥିତ ହାଉଥି ଆଡ୍ଡାସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ଧରଣର ଏୟାରଷ୍ଟ୍ରାଇକ

ନନ୍ଦିଘୋଷ ବ୍ୟୁରୋ: ୟେମେନସ୍ଥିତ ହାଉଥି ଆଡ୍ଡାସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ଧରଣର ଏୟାରଷ୍ଟ୍ରାଇକ । ଉଭୟ ଆକାଶ ମାର୍ଗ ଓ ସ୍ଥଳଭାଗରୁ ଫାଇଟର ଜେଟ ଜରିଆରେ କରାଯାଇଛି ଆକ୍ରମଣ । ୧୩ଟି ଅଞ୍ଚଳର ୩୬ଟି ସ୍ଥଳୀ ଉପରେ ଏହି ହମଲା ହୋଇଛି । ଆକ୍ରମଣରେ ଆମେରିକା ଓ ବ୍ରିଟେନକୁ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ସମର୍ଥନ କରିଛନ୍ତି । ଗତ ସପ୍ତାହରେ ଆମେରିକୀୟ ବାହିନୀ ଉପରେ ହୋଇଥିବା ଆକ୍ରମଣର ଜବାବରେ ଉତ୍ତ୍ୟକ୍ତ ହୋଇଛନ୍ତି ଦୁଇ ସୁପରପାଓ୍ବାର ।

ୟେମେନର ବିଭିନ୍ନ ସ୍ଥାନରେ ପୋତାଯାଇଥିବା ଅସ୍ତ୍ରସ୍ଥଳୀ, ମିସାଇଲ ସିଷ୍ଟମ, ଲଞ୍ଚର ସିଷ୍ଟମ, ଡ୍ରୋନ, ରାଡାର, ହେଲିକପ୍ଟର ମହଜୁଦ ସ୍ଥଳୀ ଉପରେ ଏହି ହମଲା ହୋଇଛି । ଲୋହିତ ସାଗରରେ ବିଭିନ୍ନ ଜାହାଜ ଉପରେ ହାଉଥି ସଂଗଠନ ହମଲା କରୁଥିବାରୁ ପ୍ରତିବାଦରେ ଏହି ଆକ୍ରମଣ କରାଯାଇଥିବା କହିଛି ପେଣ୍ଟାଗନ । ହାଉଥି ବିରୋଧରେ ଆକ୍ରମଣରେ ଆମେରିକା ଓ ବ୍ରିଟେନକୁ ସହାୟତା କରିଛନ୍ତି ଅଷ୍ଟ୍ରେଲିଆ, ବାହାରିନ, କାନାଡା, ଡେନମାର୍କ, ନେଦରଲ୍ୟାଣ୍ଡସ ଓ ନ୍ଯୁଜିଲାଣ୍ଡ । ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି- ଯଦି ହାଉଥି ନିଜ ମନୋବୃତ୍ତିରେ ପରିବର୍ତ୍ତନ ନ ଆଣେ ତେବେ ଆଗକୁ ଅଧିକ ଆକ୍ରମଣ କରାଯିବ । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ସାପସ୍ କହିଛନ୍ତି ହାଉଥି ସଂଗଠନର ବିଭିନ୍ନ ସ୍ଥଳୀ ଉପରେ ରୟାଲ ଏୟାର ଫୋର୍ସ ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ ଆମେରିକା ସହ ତାଙ୍କ ବାୟୁସେନା ବାହିନୀ ସାମିଲ ହୋଇଛି ।

ଗତ ଶୁକ୍ରବାର ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସର ଇରାକ ଓ ସିରିଆରେ ଥିବା ୮୫ଟି ଆଡ୍ଡାସ୍ଥଳୀ ଉପରେ ଆମେରିକା ହମଲା କରିଥିଲା । ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୪୦ ଜଣ । ସେପଟେ ହାଉଥି କହିଛି ଆମେରିକା ବାହିନୀ ଉପରେ ହୋଇଥିବା ଆକ୍ରମଣ ପାଲେଷ୍ଟାଇନକୁ ସମର୍ଥନ କରି କରାଯାଇଛି । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସହଜରେ ବରଦାସ୍ତ କରିପାରିନାହିଁ ହାଉଥି ।

ଗୋଟିଏ ଜାତି ମାତୃଭାଷାକୁ ହରାଇ ପ୍ରକୃତ ଜୀବନ ବଞ୍ଚିପାରିବନି: ଡକ୍ଟର ଗାୟତ୍ରୀବାଳା ପଣ୍ଡା

ଭୁବନେଶ୍ବର: ପ୍ରତ୍ୟେକ ଭାଷା ହେଉଛି ଲୋକଙ୍କ ଆତ୍ମାର ପରିଚୟ। ଜାତି ଯଦି ମାତୃଭାଷାକୁ ହରାଏ, ସେ ବଞ୍ଚି ପାରିବନି। ସେ ପରିଚୟ ହରାଏ। ଭାଷାକୁ ନେଇ ଗଢି ଉଠେ ଜାତିର ସ୍ୱାଭିମାନ, ଐତିହ୍ୟ, ସଂସ୍କୃତି, କଳା। ଏହା ଭାବ ପ୍ରକାଶର ମାଧ୍ୟମ। ଏହାର ସୁରକ୍ଷା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା। ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଅବସରରେ ସୋଆରେ ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିମର୍ଶରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ପ୍ରାଚୀନ ମୁଖ୍ଯ ଡକ୍ଟର ପଣ୍ଡା କହିଛନ୍ତି- ଯଦି ଗୋଟିଏ ଜାତି, ବଂଶ ବା ଜନସାଧାରଣ ମାତୃଭାଷାକୁ ହରାନ୍ତି ତେବେ ତାଙ୍କର ପ୍ରକୃତ ଜୀବନ ବଞ୍ଚିପାରିବ ନାହିଁ। ଭାଷାର ବ୍ୟବହାର ବଢିଲେ, ଏହାର ବିକାଶ ହୋଇଥାଏ। ଏହାର ଶୁଦ୍ଧ ବ୍ୟବହାର ହେବା ଦରକାର। ଭାଷା ହିଁ ସଂସ୍କୃତିର ମୂଳମନ୍ତ୍ର। ଗୋଟିଏ ଜାତିକୁ ଏକତାର ସୂତ୍ରରେ ଭାଷା ବାନ୍ଧି ଥାଏ।  ଭାଷା ହିଁ ଜାତିର ଅସ୍ମିତାର ପରିଚୟ। ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଦରକାର। ଓଡ଼ିଆ ଭାଷା ସମ୍ମିଳନୀ ନୂଆ ପିଢ଼ିକୁ ଯୋଡିବା ସହ ଗବେଷଣା ବଢାଇବ। ସୋଆର ପ୍ରାଚୀନ ବିଭାଗ ମାଧ୍ୟମରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାମ ଚାଲିଛି। ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଓଡ଼ିଶା ସରକାରଙ୍କ ଏକ ଅଭିନବ ପଦକ୍ଷେପ। ଗୋଟିଏ ଜାତିର ଐତିହ୍ଯ, ସସ୍କୃତି, ପରମ୍ପରା, ଜୀବନ ଚର୍ଯ୍ୟା, କଳା ଓ ସାହିତ୍ଯର ବାହକ ହୋଇଥାଏ ଭାଷା। ଜାତୀୟ ଜୀବନ ଗଠନ ତଥା ସଂସ୍କୃତିରେ ଭାଷାର ବଳିଷ୍ଠ ଭୂମିକା ରହିଛି। ଓଡ଼ିଆ ଭାଷା ୨ ହଜାରରୁ ଅଧିକ ବର୍ଷ ପୁରାତନ। ଅଶୋକଙ୍କ ସମୟର ଭାଷା ହେଉ କମ୍ବା ଉଡ୍ର, ପ୍ରାକୃତ ଭାଷା ହେଉ- ସମସ୍ତ ପର୍ଯ୍ଯାୟରେ ଓଡ଼ିଆ ଭାଷାର ବିବର୍ତ୍ତନ ଘଟିଥିବାବେଳେ ସାରଳା ଦାସଙ୍କ ସମୟରେ ଉତ୍କର୍ଷତା ଲାଭ କରିଛି। ପରେ ବିଭିନ୍ନ ଶାସକଙ୍କ ସମୟରେ ଇଂରାଜୀ, ପାର୍ସି, ତୁର୍କୀ, ପର୍ତ୍ତୁଗୀଜ, ଫରାସୀ ଓ ଅନେକ ବୈଦେଶିକ ଶବ୍ଦ ଓଡ଼ିଆ ଶବ୍ଦ ଭଣ୍ଡାରକୁ ଆସିଛି । ଭାଷାର ବ୍ଯବହାର ଯେତେ ହେବ ତାହା ସେତେ ବିକଶିତ ହେବ ବୋଲି ସେ କହିଛନ୍ତି। ଅନ୍ଯତମ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ଯମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି- ଓଡ଼ିଆ ଭାଷା ଓ ସାହିତ୍ୟ ସର୍ବଦା ନିଜ ପରିଚୟ ସୃଷ୍ଟି କରିଛି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ ହୋଇଥିଲା। ଭାଷା ଅସ୍ମିତାର ପରିଚୟ। ଏହି ସମ୍ମିଳନୀ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆର ପ୍ରଚାର ପ୍ରସାର ହୋଇ ପାରିଵ। ଓଡ଼ିଆ ଭାଷାର ଗବେଷଣା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି।

ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ରାସ୍ତା ଦେଖାଇଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଜିଲ୍ଲା ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗୁରୁମନ୍ତ୍ର। ତାଳବଣିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦେଖାଇଛନ୍ତି ସଫଳତାର ରାସ୍ତା। କାହିଁକି ଏ ନୂଆ ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ଛାତ୍ରଛାତ୍ରୀମାନେ ସେମାନଙ୍କର ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି। ଯାହାବି କରିବେ ଏହାର ପ୍ରଭାବ ଆସନ୍ତା ୫୦ ବର୍ଷ ପଡିବ। ଯଦି ଭଲ କରିବେ ତେବେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ। ଏଥିଲାଗି ଆପଣଙ୍କ ଲାଗି ମୁଖ୍ୟ ପାଠ ପଢିବା। ହେଲେ କେବଳ ପାଠ ପଢିଲେ ସଫଳତା ମିଳିବନି। ଆପଣଙ୍କୁ ପାଠ ସହ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ। ଏଥିଲାଗି ଏ ନୂଆ-ଓ କାର୍ଯ୍ୟକ୍ରମ କରାଯାଇଛି।

ଏହାଦ୍ଵାରା ଛାତ୍ରଛାତ୍ରୀଙ୍କର  ଯାହାବି ପ୍ରତିଭା ଅଛି ସେସବୁ ବାହାରକୁ ଆଣିବାକୁ ଏହି ପ୍ଲାଟଫର୍ମ ହୋଇଛି। କଲେଜ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି କାର୍ଯକ୍ରମର ଆଯୋଜନ ହେଉଛି। ପ୍ରତିଯୋଗିତାରେ ଭାଗ ନେଲେ ସାମଗ୍ରିକ ବିକାଶ ହେବ। ପାଠ ସାଙ୍ଗେ ସାମଗ୍ରିକ ବିକାଶ ହେଲେ ଜୀବନରେ ସଫଳତା ହାସଲ କରିବେ। ଜିତିଲେ ଖୁସି ଲାଗିବ। ତେବେ  ଜିତିବା ଗୁରୁତ୍ଵପୂର୍ଣ୍ଣ ନୁହେ ଭାଗ ନେବା ଗୁରୁତ୍ଵପୂର୍ଣ୍ଣ। ଭାଗନେଲେ ଜୀବନରେ କିଛି ଗୁରୁତ୍ଵପୂର୍ଣ୍ଣ ଶିଖିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଆତ୍ମବିଶ୍ବାସର ସହ ସମସ୍ୟାର ମୁକାବିଲା କରିବେ। ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଶାରିରୀକ ଏବଂ ମାନସିକ ଭାବେ ଫିଟ୍ ରହିବା ଆବଶ୍ୟକ। ଦିନକୁ ୩୦ ମିନିଟ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ। ସଫଳତା ହାସଲ କରିବାକୁ ଦିନକୁ ଅତି କମରେ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ସୋସିଆଲ ମିଡିଆରେ ଖରାପ ଏବଂ ଭଲ ବିଷୟ ଅଛି। ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କ କଥା ମାନିବାକୁ ଦେଇଛନ୍ତି ପରାମର୍ଶ। ଯେଉଁମାନେ ଏହି ବାଟରେ ଯାଉନାହାନ୍ତି ସେମାନଙ୍କୁ ଆତ୍ମସମୀକ୍ଷା କରିବାକୁ ପଡିବ। ଏହି ଅବସରରେ ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅବସରପ୍ରାପ୍ତ ଆଇଏଏସ ପ୍ରସନ୍ନ କୁମାର ହୋତା, ଆଇପିଏସ ଗୋପାଳ ନନ୍ଦ, କ୍ରୀଡ଼ାବିତ କିଶୋର କୁମାର ଜେନା, ପାରା ଆଥଲେଟ ଜୟନ୍ତୀ ବେହେରା, ବରିଷ୍ଠ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର, ରାଷ୍ଟ୍ରଦୂତ ମଳୟ କୁମାର ମିଶ୍ର, ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନ, ବିଭିନ୍ନ ବିଷୟରେ ହେଉଛି ଆଲୋଚନା

ଭୁବନେଶ୍ବର: ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଆମ ଭାଷାର ଇତିହାସ ସମୃଦ୍ଧ। ଓଡ଼ିଆ ଭାଷାର ପ୍ରସାର ବିକାଶ ତଥା ଭବିଷ୍ଯତର ଆହ୍ବାନର ସଫଳ ମୁକାବିଲା ପାଇଁ ପାଳନ ହେଉଛି ଭାଷାର ଉତ୍ସବ। ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତି କରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଉଛି । ବହୁ ବୁଦ୍ଧିଜୀବୀ ଓ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଆଲୋଚନାରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ଯ ଏହି ମହୋତ୍ସବରେ ଯୋଗ ଦେଇ ଏହାକୁ ଅଧିକ ପ୍ରାଣବନ୍ତ କରିଛନ୍ତି। ଏହି ଅବସରରେ ଆଜି ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଆୟୋଜନ କରାଯାଇଛି । ଏଥିସହ ପଦ୍ମ ପୁରସ୍କାର ଓ ଅନ୍ଯାନ୍ଯ ମର୍ଯ୍ୟାଦାଜନକ ପୁରସ୍କାର ପ୍ରାପ୍ତ ବ୍ଯକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସପ୍ତାହକ ଭିତରେ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଦର ୮ ପ୍ରତିଶତ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ସୁନା ଦର । ସପ୍ତାହକ ଭିତରେ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଦର ୮ ପ୍ରତିଶତ ବୃଦ୍ଧି ପାଇଛି । ଏବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୬୧ ହଜାର ଟଙ୍କାରୁ ୬୫ ହଜାର ଟଙ୍କା । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କାରୁ ୫୮ ହଜାର ଟଙ୍କାରେ ବିକ୍ରି ହେଉଛି । ୨୦୨୪ରେ ସୁନାଦର ୧୦ ଗ୍ରାମ ୭୦ ହଜାର ଟଙ୍କା ଛୁଇଁବ ବୋଲି ପୂର୍ବରୁ ଆକଳନ ହୋଇଥିଲା । ଭାରତ ବିଦେଶରୁ ସୁନା ଆମଦାନୀ କରୁଥିବାରୁ ସୁନା ଦର ଅନ୍ତରାଷ୍ଟ୍ରୀୟ ବଜାର ଉପରେ ନିର୍ଭର କରିଥାଏ । ଋଷ-ୟୁକ୍ରେନ୍‌ ଯୁଦ୍ଧ ଓ ଇସ୍ରାଏଲ-ହମାସ୍‌ ଲଢେଇ ଯୋଗୁ ବିଶ୍ବରେ ଏକ ପ୍ରକାର ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଏହାର ପ୍ରଭାବ ସୁନା କାରବାର ଉପରେ ପଡ଼ିଛି । ଲୋକେ ଏବେ ସୁନାରେ ଇନଭେଷ୍ଟ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗହଣା ଦୋକାନୀଙ୍କ ମତରେ ସୁନା କିଣିଲେ ବାର୍ଷିକ ୯ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଅନ୍ୟ କୌଣସି ସେଭିଙ୍ଗସ୍‌ ଏତେ ରିଟର୍ଣ୍ଣ ଦେଉନାହିଁ । ଅନ୍ୟପଟେ ବଜାର ବିଶେଷଜ୍ଞଙ୍କ ମତ ଭିନ୍ନ । ବାସ୍ତବ ସୁନାରେ ବିନିଯୋଗ କରିବା ଅପକ୍ଷେ ଯଦି ଲୋକେ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ରେ ବିନିଯୋଗ କରିବେ ତାହେଲେ ଅଧିକ ଲାଭରେ ରହିବେ । ସୁନା ଗ୍ରାମ ପିଛା ବଜାରରେ ଯେତିକି ରହିଛି ସମାନ ଦରରେ ବଣ୍ଡ କିଣି ନିଜର ଅର୍ଥ ଲଗାଇପାରିବେ । ଏଥିରେ ବାର୍ଷିକ ଅଢେଇ ପ୍ରତିଶତ ସୁଧ ମିଳିବା ସହିତ ୮ ବର୍ଷ ପରେ ସୁନା ଦର ଯାହା ଥିବା ସେହି ହିସାବରେ ଟଙ୍କା ପାଇବେ । ଆଉ ଗୋଟିଏ ହେଲା ସେୟାର ବଜାରରେ ମିଳୁଥିବା ଗୋଲ୍ଡ ଇଟିଏଫ୍‌ । ଦୈନିକ ସୁନା ଦର ବଢିବା ଓ କମିବା ସହିତ ଜଣେ ବ୍ୟକ୍ତି ସେୟାର ମାର୍କେଟ୍‌ରୁ ରିଟର୍ଣ୍ଣ ପାଇପାରିବେ ।

ଆମେରିକା ଆରମ୍ଭ କଲା ଯୁଦ୍ଧ, ଇରାନଠୁ ପ୍ରତିଶୋଧ ନେବା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏପଟେ ଆମେରିକା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ସେ ଇରାନଠୁ ପ୍ରତିଶୋଧ ନେବା ଆରମ୍ଭ କରିଛି । ଏହି ଯୁଦ୍ଧ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଇରାକ ଏବଂ ସିରିଆର ଆତଙ୍କବାଦୀ ଗୋଷ୍ଠୀକୁ ଦୃଢ଼ ଚେତାବନୀ ଦେଇଛନ୍ତି ।

ଏହି ଗୋଷ୍ଠୀଗୁଡିକ ଆମେରିକା ସେନା ଉପରେ ଆକ୍ରମଣ କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆଉ ଏହି ସବୁ ଭିତରେ ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଆମେରିକା । ସିରିଆ ଓ ଇରାକ ସମର୍ଥୀତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା ସେନା । ୮୫ ଟି ଠିକଣା ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରି କଡ଼ା ଜବାବ ଦିଆଯାଇଛି । ଆମେରିକା କୌଣସି ପ୍ରକାର ସଂଘର୍ଷ ଚାହେଁନି । କିନ୍ତୁ ଦେଶ ଉପରେ ଯିଏ ଆକ୍ରମଣ କରିବ ତାକୁ କଡ଼ା ଜବାବ ଦିଆଯିବ ବୋଲି ଜୋ ବାଇଡେନ କହିଛନ୍ତି ।

ଦୁଇ ଦିନ ଲାଗି ରହିବ ଘନ କୁହୁଡ଼ି, ୧୦ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ବର: ଦୁଇ ଦିନ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୪ ତାରିଖରେ ଘନ କୁହୁଡି ନେଇ ୬ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ।

ବାକି ଓଡ଼ିଶାର କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ପାଣିପାଗ କେନ୍ଦ୍ରର ସତର୍କତା ପରେ ପୋଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି। ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆଜି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଫେବୃଆରୀ ୫ରୁ ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ

ଭୁବନେଶ୍ବର: ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୫ ତମ ଅଧିବେଶନ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ । ସ୍ୱଳ୍ପ କାଳୀନ ଅଧିବେଶନରେ ବିରୋଧୀ ଓ ଶାସକ ଦଳ କେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ସଜବାଜ ।

ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଉଭୟ ପକ୍ଷ । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ସୋମବାର ସକାଳ ୧୦ଟା ୧୫ ମିନିଟରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ଏଥର ଅଧିବେଶନରେ ଗୃହରେ କେଉଁ କେଉଁ ପ୍ରସଂଗ ଉଠାଇବ ସେ ନେଇ ରଣନୀତି ପ୍ରସ୍ତୁତ କରିବ । ଏହାସହ ବିରୋଧୀ ଗୃହରେ ଯେଉଁ ସବୁ ପ୍ରସଂଗ ଉଠାଇବେ ତାହାର ଗଠନ ମୂଳକ ଜବାବ ଦେବାକୁ କାଉଣ୍ଟର ରଣନୀତି ବି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ନୂଆ ଓ ପୁରୁଣାର ଲମ୍ବା ପ୍ରସଙ୍ଗ ନେଇ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ସଜବାଜ ଆରମ୍ଭ କରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧୁବେଶରେ ହୋଇଥିବାରୁ ଉଭୟ ଶାସକ ଓ ବିରୋଧୀ ଗୃହରେ ଆଗ୍ରେସିଭ ଭୂମିକାରେ ରହିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ଆକଳନ କରିଛନ୍ତି ।

ଅନ୍ୟପଟେ ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ଲାଗି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ୪ ତାରିଖ ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିବ । ଗୃହକୁ ସପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି ।

ସଂସଦରେ ପୁଣି ଉଠିଲା ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ସ୍ବର

ନୂଆଦିଲ୍ଲୀ: ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ପାଇଁ ସଂସଦରେ ପୁଣି ଉଠିଲା ଦାବି । ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଉଠାଇଲେ ଦାବି । ପୂର୍ବରୁ ଓଡ଼ିଶା କ୍ୟାବିନେଟରେ ଏନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି ।

ଏହି ପାଞ୍ଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ବାରମ୍ବାର ଦାବି ହେଉଛି । ରାଜ୍ୟର ଏହି ଦାବିକୁ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି । ଭାଷା ଗୋଟିଏ ଜାତିର ପରିଚୟ । ଓଡ଼ିଶାରେ ୨୨ ଦଶମିକ ୮୫ ପ୍ରତିଶତ ଜନଜାତି, ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଓ ୧୩ ପ୍ରକାର ଆଦିମ ଜନଜାତି ଅଛନ୍ତି । ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲେ ଏସବୁ ସମ୍ପ୍ରଦାୟର ଦୀର୍ଘଦିନ ଦାବି ପୂରଣ ହୋଇପାରିବ । ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଓଡ଼ିଶା ସରକାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହା ବେଶ ଫଳପ୍ରଦ ହୋଇଛି । ପାଞ୍ଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲେ ସେମାନଙ୍କ ପରିଚୟ ସୁରକ୍ଷା ସାଙ୍ଗକୁ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ମଧ୍ୟ ଏସବୁ ଜନଜାତିର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ବିଜେପି ନେତାଙ୍କ ଗୁଳିମାଡ଼ରେ ଶିବସେନା ନେତା ଗୁରୁତର

ମୁମ୍ବାଇ: ବିଜେପି ବିଧାୟକଙ୍କ ଗୁଳିମାଡ଼ରେ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ନେତା ଗୁରୁତର । ଜମି ବିବାଦକୁ ନେଇ ମୁମ୍ବାଇ ନିକଟରେ ଘଟିଛି ରକ୍ତାକ୍ତ ପରିଣତି । ବିଧାୟକ ଗଣପତ ଗାଏକଓ୍ବାଡଙ୍କ ଗୁଳିରେ ଆହତ ହୋଇଛନ୍ତି ଶିବସେନା ନେତା ମହେଶ ଗାଏକଓ୍ବାଡ । ଖୋଦ୍ ପୋଲିସ ଷ୍ଟେସନରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଘଟଣା ପରେ ବିଜେପି ନେତା ଗଣପତି ଗାଏକଓ୍ବାଡଙ୍କୁ ଗିରଫ କରିଛି ପୋଲିସ ।

ଉଭୟ ବିଜେପି ଓ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ମେଣ୍ଟ ସରକାରରେ ଥିବା ସତ୍ତ୍ବେ ଏହି ଗୁଳିମାଡ ଘଟଣା ଚର୍ଚ୍ଚାର କାରଣ ହୋଇଛି । କଲ୍ୟାଣ ଇଷ୍ଟ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ବିଧାୟକ ଅଛନ୍ତି ଗଣପତ । ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଡିସିପି ସୁଧାକର ପଥାରେ । ଜମି ବିବାଦ ଘନୀଭୂତ ହେବା ପରେ ଉଭୟ ପକ୍ଷ ମୁମ୍ବାଇ ନିକଟସ୍ଥ ହିଲ୍ ଲାଇନ ପୋଲିସ ଷ୍ଟେସନକୁ ଆସିଥିଲେ । ତେବେ ଥାନା ପରିସରରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉତ୍ତେଜିତ ହୋଇ ମହେଶଙ୍କ ଉପରକୁ ଗୁଳି ଚଳାଇଥିଲେ ଗଣପତ । ଗୁଳିମାଡରେ ଆହତ ମହେଶ ଓ ତାଙ୍କର ଜଣେ ସହଯୋଗୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହେଶଙ୍କ ଦେହରୁ ୫ଟି ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି । ଗଣପତ କହିଛନ୍ତି ତାଙ୍କର ଏକ ଜମିକୁ ମହେଶ ଜବରଦଖଲ କରିଥିଲେ । ଥାନା ପରିସରରେ ଗଣ୍ଡଗୋଳ ହେବାରୁ ସେ ଆତ୍ମରକ୍ଷା ଲାଗି ଗୁଳିଚାଳନା କରିଥିଲେ । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛି ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା ।