ସଂସଦରେ ପୁଣି ଉଠିଲା ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ସ୍ବର

ନୂଆଦିଲ୍ଲୀ: ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ପାଇଁ ସଂସଦରେ ପୁଣି ଉଠିଲା ଦାବି । ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଉଠାଇଲେ ଦାବି । ପୂର୍ବରୁ ଓଡ଼ିଶା କ୍ୟାବିନେଟରେ ଏନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି ।

ଏହି ପାଞ୍ଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ବାରମ୍ବାର ଦାବି ହେଉଛି । ରାଜ୍ୟର ଏହି ଦାବିକୁ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି । ଭାଷା ଗୋଟିଏ ଜାତିର ପରିଚୟ । ଓଡ଼ିଶାରେ ୨୨ ଦଶମିକ ୮୫ ପ୍ରତିଶତ ଜନଜାତି, ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଓ ୧୩ ପ୍ରକାର ଆଦିମ ଜନଜାତି ଅଛନ୍ତି । ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲେ ଏସବୁ ସମ୍ପ୍ରଦାୟର ଦୀର୍ଘଦିନ ଦାବି ପୂରଣ ହୋଇପାରିବ । ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଓଡ଼ିଶା ସରକାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହା ବେଶ ଫଳପ୍ରଦ ହୋଇଛି । ପାଞ୍ଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲେ ସେମାନଙ୍କ ପରିଚୟ ସୁରକ୍ଷା ସାଙ୍ଗକୁ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ମଧ୍ୟ ଏସବୁ ଜନଜାତିର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।