spot_img
Home Blog Page 2229

ଲାଞ୍ଚ ନେବା ପଡିଲା ମହଙ୍ଗା, ବନ୍ଧା ହେଲେ ଅମିନ ନିର୍ମଳେନ୍ଦୁ କବି

ବଲାଙ୍ଗୀର: ଜମି ମାପ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଅମିନ ଗିରଫ।  ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ ଭିଜିଲାନ୍ସ ଗିରଫ କରିଛି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ସଇଁତଳା ତହସିଲରେ ଆବେଦନ କରିଥିଲେ। ହେଲେ ସଇଁତଳା ଅମିନ ନିର୍ମଳେନ୍ଦୁ କବି ଏଥିପାଇଁ ୮ ହଜାର  ଟଙ୍କା ଦାବି କରିଥିଲେ।

ଆଜି ନିରଞ୍ଜନ ସାହୁଙ୍କ ପାଖରୁ ଅମିନ ନିର୍ମଳେନ୍ଦୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ  ଗିରଫ କରିଛି। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସର ବରିଷ୍ଠ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ଜାଲ ବିଛାଇଥିଲେ। ଆଉ ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଟିମ୍ ।

୧୦୦ ଫୁଟର ବୋରୱେଲ ଭିତରେ ଫସିଛି ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଗଙ୍ଗାପୁର: ରାଜସ୍ଥାନ ଗଙ୍ଗାପୁରରେ ଅଭାବନୀୟ ଘଟଣା। ବୋରୱେଲ ମଧ୍ଯରେ ଫସିଛି ଜୀବନ। ୧୦୦ ଫୁଟର ବୋରୱେଲ ଭିତରକୁ ଖସିପଡିଛନ୍ତି ଗୁଦଲା ଗ୍ରାମର ୨୫ ବର୍ଷୀୟ ଯୁବତୀ ମୋନା ବାଇ । ସୂଚନା ମୁତାବକ ଯୁବତୀ ଜଣଙ୍କ ମଙ୍ଗଳବାର ଦିନ ସନ୍ଧ୍ଯାରୁ ନିଖୋଜ ଥିଲେ । ଏକ ମୁକୁଳା ବୋରୱେଲ ବାହାରୁ ଯୁବତୀଙ୍କ ଚପଲ ଦେଖି ଘର ଲୋକ ପୋଲିସକୁ ଜଣାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀଙ୍କ ସମେତ ଏନଡିଆରଏଫ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି। ବୋରୱେଲ ମଧ୍ଯକୁ ଅମ୍ଲଜାନ ପଠାଇବା ସହିତ କ୍ଯାମେରା ଲଗାଇ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ସୌଭାଗ୍ଯବଶତଃ ବୋରୱେଲ ମଧ୍ଯରେ ପାଣି ନାହିଁ। ମାତ୍ର ଯୁବତୀ ଜଣଙ୍କ କେମିତି ବୋରୱେଲ ମଧ୍ଯକୁ ଖସି ପଡିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଦିଲ୍ଲୀ ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ଅଘଟଣ, ଧସିଲା କାନ୍ଥ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋକୁଲପୁରୀ ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମର ପାର୍ଶ୍ୱ କାନ୍ଥର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ଜଣାଯାଇଛି। ତେବେ ମୋଟ୍ କେତେ ଜଣ କ୍ଷତାକ୍ତ ହୋଇଛନ୍ତି ଏଯାବତ୍ ଜଣାପଡିନାହିଁ ।

ଚିନ୍ତାର କଥା ହେଉଛି ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟ୍ ନିକଟ ଅତୀତରେ ନିର୍ମାଣ ହୋଇଥିଲା। ଏଭଳି ପରିସ୍ଥିତିରେ ମେଟ୍ରୋ ଷ୍ଟେସନ ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।  ମେଟ୍ରୋ ଷ୍ଟେସନ ନିକଟରେ ବ୍ୟାରିକେଡ୍ କରାଯାଇଛି। ରାସ୍ତାରୁ ଭଗ୍ନାବଶେଷ ହଟାଯାଉଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣା ପରେ ଶିବ ବିହାର ଏବଂ ଗୋକୁଲପୁରୀ ମଧ୍ୟରେ ଏହି ମାର୍ଗରେ ଡିଏମଆରସି ପକ୍ଷରୁ ମେଟ୍ରୋ କାର୍ଯ୍ୟ ବନ୍ଦ କରିଦିଆଇଛି । ମେଟ୍ରୋ ପ୍ଲାଟଫର୍ମରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ଅନୁସନ୍ଧାନ କରାଯାଉଛି।

 

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର।  ୨୦୧୧ରେ ଦାରିଦ୍ର୍ୟ ହାର  ୩୩ ଦଶମିକ ୬ ପ୍ରତିଶତ ଥିଲା। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ  ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫ ଦଶମିକ ୬୮  ପ୍ରତିଶତକୁ ହ୍ରାସ ପାଇଛି । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର BRGF ପରି ଅନେକ ଯୋଜନା ବନ୍ଦ କରି ଦେଇଥିଲେ ମଧ୍ଯ ରାଜ୍ଯ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଜାରି ରଖିରିଛନ୍ତି।  ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଅନ୍ୟାନ୍ୟ ନିଜସ୍ୱ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି। ମାଓବାଦୀ ଉପଦ୍ରୁତ  ଅଞ୍ଚଳରେ ମଧ୍ଯ କେନ୍ଦ୍ର ସରକାର  BRGF ଓ  ଅନ୍ୟ ଯୋଜନା ବନ୍ଦ କରିଦେଇଛନ୍ତି। ସେଠାରେ ରାଜ୍ୟ ସରକାର IDF ପରି ନିଜସ୍ୱ ଯୋଜନା କରିଛନ୍ତି।

ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ ଆଗତ ହେବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟାରେ କାମଚଳା ବଜେଟ ଉପସ୍ଥାପନ କରିବେ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବୃଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ମ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏବେ ରାଜ୍ଯସଭାରେ ବିଜେଡିର ୯ ଜଣ ସାଂସଦ ରହିଛନ୍ତି। ଏଥର ସଂଖ୍ଯା ଦୃଷ୍ଟିରୁ ବିଜେଡି ତିନୋଟି ଯାକ ଆସନ ଦଖଲ କରିବାର ସମ୍ଭାବନା ରହିଛି। ବିଜେଡି ତିନୋଟି ଯାକ ଆସନ ଦଖଲ କଲେ ରାଜ୍ଯସଭାରେ ବିଜେଡିର ଶକ୍ତି ୧୦କୁ ବୃଦ୍ଧି ପାଇବ।

ରାଜ୍ଯରେ ବଦଳିଲା ପାଗ, କାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୁଇଦିନର ପ୍ରବଳ ତାତିପରେ ରାଜ୍ଯରେ ବଦଳିଲା ପାଗ । ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ମେଘୁଆ ପାଗ ପ୍ରଭାବରେ ଗତକାଲି ରାତିର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏହି ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ୧୧ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ।

ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୦ ଜିଲ୍ଲାରେ ବର୍ଷା ହୋଇପାରେ।

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ।  ରେପୋ ରେଟ୍ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଶେଷ ଥର ଲାଗି ଗତବର୍ଷ ଫେବ୍ରୁଆରୀରେ ରେପୋ ରେଟକୁ ୬ ଦଶମିକ ୨୫ରୁ ୬ ଦଶମିକ ୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ଯାଙ୍କ। ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ଘୋଷଣା କରାଯାଇଛି। ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ଦଶମିକ ୪୪ ଥିବାବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି। ତେବେ ଡିସେମ୍ବର ଏହି ହାର ରହିଥିଲା ୫ ଦଶମିକ ୬୯ ପ୍ରତିଶତ।

ଯଦିଓ ରିଜର୍ଭ ବ୍ଯାଙ୍କର କମ୍ଫୋର୍ଟ ଜୋନ ୪ରୁ ୬ ପ୍ରତିଶତ ବୋଲି ଧାର୍ଯ୍ୟ କରାଯାଇଛି, ତଥାପି ଗତବର୍ଷ ଠାରୁ ଏହି ହାର ଅଧିକ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାର ବସିଥିବା ମନିଟାରି ପଲିସି କମିଟି ବୈଠକରେ ଏହି ଘୋଷଣା କରାଯାଇଛି।

ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ଯ

ବଣାଇ: ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଞ୍ଚଳରେ ଗୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟରେ ୫ ଜଣ ଦୁର୍ବୃତ୍ତ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ।

ପରେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତମାନେ ଡ୍ରାଇଭର ବେଶରେ ଆସିଥିବାବେଳେ ସାଥିରେ ଟାଙ୍ଗିଆ ଓ ବନ୍ଧୁକ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।

ଅଲଗା ହେଲେ ଷ୍ଟାର ଦମ୍ପତି ବର୍ଷା-ଅନୁଭବ, ସୋସିଆଲ ମିଡିଆରେ ଦେଲେ ସୂଚନା

ଭୁବନେଶ୍ୱର: ଅଲଗା ହେଲେ ଷ୍ଟାର ଦମ୍ପତି ବର୍ଷା-ଅନୁଭବ। ବିବାହର ୧୦ ବର୍ଷ ପୂର୍ତ୍ତୀ ପୂର୍ବରୁ ଉଭୟଙ୍କର ଛାଡପତ୍ର ହୋଇଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି। ଆଜି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହକୁ ପୂରୁଛି ୧୦ ବର୍ଷ।

ଆଉ ଏହାପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁରୀ ମିଳିଛି। ଅନୁଭବ ଲେଖିଛନ୍ତି, ୧୦ ବର୍ଷ ଧରି ମିଛ ବିବାହ ବନ୍ଧନରେ ରହିଥିଲି। ଯାହାକି ହୃଦୟହୀନ ସମ୍ପର୍କ ଓ କଷ୍ଟଦାୟକ ବର୍ଷ ଥିଲା। ଗତ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟ ଖାରଜ କରି ଏଭଳି ରାୟ ଶୁଣାଇଥିଲେ।

୨୦୧୪, ଫେବ୍ରୁଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ୨୦୨୦ ମସିହାରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ବର୍ଷା ମଧ୍ୟ କଟକ ପରିବାର ଅଦାଲତରେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ଏକ ପୃଥକ ଆବେଦନ ଦାୟର କରିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଅଦାଲତ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା।

ପୋଷଣ ଅଭିଯାନରେ ଓଡ଼ିଶାକୁ କମୁଛି ସହାୟତା

ଭୁବନେଶ୍ୱର: ପୋଷଣ ଅଭିଯାନର କାର୍ଯ୍ୟକାରୀତାକୁ ନେଇ ସଂସଦରେ ପ୍ରଶ୍ନ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପୋଷଣ ଅଭିଯାନରେ ରାଜ୍ୟଗୁଡିକୁ ଦିଆଯାଉଥିବା ସହାୟତା ନେଇ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ। ପୋଷଣ ଅଭିଯାନରେ ଓଡ଼ିଶାକୁ କମୁଛି ସହାୟତା ।

୨୦୨୧/୨୨ରେ ପୋଷଣ ଅଭିଯାନରେ ଓଡ଼ିଶାକୁ ମିଳିଥିଲା ୧୦୬୫କୋଟି ୯୮ଲକ୍ଷ । ୨୦୨୨-୨୩ରେ ରାଜ୍ୟକୁ ମିଳିଲା ୮୭୫କୋଟି ୬ଲକ୍ଷ ଟଙ୍କା। ୨୦୨୩-୨୪ ଜାନୁଆରୀ ସୁଦ୍ଧା ରାଜ୍ୟକୁ ମିଳିଛି ୫୯୦କୋଟି ୫୪ଲକ୍ଷ ଟଙ୍କା । ନୀତି ଆୟୋଗଙ୍କ ପକ୍ଷରୁ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ହୋଇଥିଲା ସର୍ଭେ। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୁଷ୍ଟିହୀନତା ଓ ଶିଶୁଙ୍କ ଶିକ୍ଷା ପାଇଁ ଆରମ୍ଭ ହୋଇଥିଲା ପୋଷଣ ଯୋଜନା।