spot_img
Home Blog Page 21

ପିଡିଏସ ଚାଉଳର ଚୋରାକାରବାର ବିରୋଧରେ ତଦନ୍ତ ଜୋରଦାର

ନନ୍ଦିଘୋଷ ବ୍ୟୁରୋ : ପିଡିଏସ ଚାଉଳର ଚୋରାକାରବାର ବିରୋଧରେ ତଦନ୍ତ ଜୋରଦାର । ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର, ଟ୍ରକ ଡ୍ରାଇଭର ଓ ରାଇସ ମିଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବଢୁଛି ପିଡିଏସ୍ ଚୋରା କାରବାର ।  ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଓ ଟ୍ରକ ଡ୍ରାଇଭର କଣ୍ଟ୍ରୋଲ ଡିଲରଙ୍କ ଗୋଦାମକୁ ୨୮୦ ବସ୍ତା ପିଡିଏସ ଚାଉଳ ନେବା ପରିବର୍ତ୍ତେ କୁଆଁରମୁଣ୍ଡା ଠାରେ ଥିବା ଜୟ ଗୋସାଇଁ ରାଇସ ମିଲ ପରିସରକୁ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇ ଟ୍ରକ ସହିତ ଚାଉଳ ଜବତ କରାଯାଇଥିଲା। ଏହାସହ ସରକାରୀ କଣ୍ଟ୍ରୋଲ ଡିଲରଙ୍କ ଗୋଦାମରୁ ଷ୍ଟକ ରେକର୍ଡ ଠାରୁ ୧୫୧ ବସ୍ତା  ଅଧିକ ଚାଉଳ ଥିବା ଜଣା ପଡିଥିଲା । ଏନେଇ ସମସ୍ତ ଚାଉଳ ଜବତ କରାଯାଇ ଡିଲରଙ୍କୁ ନିଲମ୍ବିତ କରାଯିବା ସହ କଣ୍ଟ୍ରୋଲ ଡିଲରଙ୍କ ନାମରେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଯୋଗାଣ ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପିଡିଏସ ଚୋର କାରବାରରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଉରକେଲା ସରକାରୀ ଡିଲର ଆସୋସିଏସନ୍ ପକ୍ଷରୁ ଦାବି ହୋଇଛି।….

ପିଡିଏସ  ଚାଉଳର ଚୋରା କାରବାରର ତଦନ୍ତ କରିବା ପାଇଁ ଗଠିତ ହୋଇଥିବା ୭ ଜଣିଆ ଟିମ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । RMC ଜଏଣ୍ଟ କମିଶନର,  ଦୂଇଜଣ ଆଡିସନାଲ CSO,  ଦୁଇଜଣିଆ କମିଟି ମାର୍କେଟିଙ୍ଗ ଇନ୍ସପେକ୍ଟର ଓ ଦୁଇଜଣ ତହସିଲଦାର  ଘଟଣାର ପ୍ରାର୍ଥମିକ ତଦନ୍ତ ଶେଷ କରିବା ପରେ ରିପୋର୍ଟ ଦେଇଛନ୍ତି ।

ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସନ୍ତୋଷ ଯାଦବ ଓ ଟ୍ରକ୍ ଡ୍ରାଇଭରଙ୍କ ନାମରେ ରଘୁନାଥପାଲ୍ଲି ଥାନାରେ ମାମଲା ରୁଜୁ ହେବା ପରେ ଉଭୟ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସୁଚନା ମିଳିଛି।

ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ : ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ଜମିଛି ପିଠା ପଣାର ଆସର । ବଡ଼ଙ୍କ ଆର୍ଶୀବାଦ ନେଇଛନ୍ତି ସାନ । ମାଟିର ସଂସ୍କୃତି, ପରମ୍ପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ । ବର୍ଷ ଯାକର ପରିଶ୍ରମର ଶସ୍ୟକୁ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିଥିଲା ଚାଷୀ । ପରେ ସମସ୍ତ ଘରେ ଏକାଠି ଖାଇଛନ୍ତି ନୂଆ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ପରେ ଭକ୍ତ ଦର୍ଶନ କରିଥିଲେ । ବିଧି ମୂତାବକ ଧାର୍ଯ୍ୟ ଲଗ୍ନରେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି । ବଲାଙ୍ଗୀରବାସୀ ମଧ୍ୟ ଗଣପର୍ବକୁ ପରମ୍ପରା ସହ ପାଳନ କରିଛନ୍ତି I ପ୍ରତିବର୍ଷ ଭଳି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ରାଜ ପରିବାର ପକ୍ଷରୁ ନୂଆଁଖାଇ ପାଳନ କରାଯାଇଛି  I ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବୋହୁ ମେଘ୍ନା ରାଣା ଏକାଠି ନୂଆ ଖାଇ ପରସ୍ପରକୁ ଜୁହାର ଭେଟ ହୋଇଛନ୍ତି  I

ରାଉରକେଲା ସହରରେ ମଧ୍ୟ ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି  । ସହରର ହନୁମାନ ବାଟିକା ପରିସରରେ ଥିବା ମାଆ ସମଲେଶ୍ଵରୀଙ୍କ ମନ୍ଦିରରେ ପୁଜାର୍ଚନା କରିବା ପାଇଁ ଭକ୍ତମାନଙ୍କ ଭିଡ ଲାଗି ରହିଛି । ପାରମ୍ପରିକ ରିତିନିତୀରେ ମାଆ ସମଲେଶ୍ଵରୀଙ୍କ ପୁଜାର୍ଚ୍ଚନା କରାଯାଉଛି ।….

ସନ୍ଧ୍ୟାରେ ପଞ୍ଚବାଦ୍ୟର ଢୋଲ, ନିଶାନ୍, ତାସା ଧ୍ୱନିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ସାଂସ୍କୃତିକ ଓ ଭେଟଘାଟ୍ କାର୍ଯ୍ୟକ୍ରମ  I

ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା କଟକ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା କଟକ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ । ସରକାର ବଦଳିଲା ପରେ ଏହା ଅଧାରେ ଅଟକିଗଲା  ।  ସିଡିଏ କଡେ କଡେ ନଦୀର ଏକ ଜୋର ଭାବେ ପେଟ୍ଟାନାଳ ସେକ୍ଟର ୧୦ ରୁ କାଠଯୋଡି ପର୍ଯ୍ୟନ୍ତ ଲମ୍ବିଛି । ଏହି ପୁରୁଣା ନାଳ କଡେ ପୂର୍ବ ସରକାରଙ୍କ ଅମଳରେ ସେକ୍ଟର-୧ ରୁ ୧୦ ପର୍ଯ୍ୟନ୍ତ ଏକ ସୁନ୍ଦର ଚାରି ଲେନ ରାସ୍ତା ହୋଇଥିଲା । ପରେ ପେଟ୍ଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଯୋଜନା କରାଯାଇଥିଲା। ଗଲା ସରକାର ୪୦ କୋଟି ଟଙ୍କା ମଞ୍ଜୁର କଲେ ଓ କାମ ଆରମ୍ଭ ହେଲା। ଉଚ୍ଛେଦ ସହ ନାଳର ଉଭୟ କଡ ମାଟି ଫିଲିଂ କରାଯାଇ ଦୁଇ କିଲୋମିଟର ଗାର୍ଡ ୱାଲ କରା ଯାଇଥିଲା। ପରେ ସରକାର ବଦଳି ଗଲା,  ଫଳରେ ଆଉ ୬୦ କୋଟିର ଦୁଇ ପର୍ଯ୍ୟାୟର କାମ ଶୀତଳ ଭଣ୍ଡାରକୁ ଚାଲିଗଲା। ଏବେ ସରକାର ମୁଳ କାମ ନ ସାରି ପେଟ୍ଟାନାଳ ଉପରେ ୫ ଟି ଛୋଟ ସେତୁ କରିବାକୁ ଯୋଜନା କରୁଛନ୍ତି । ଏ ନେଇ କଟକ ମେୟର ଅସନ୍ତୋଷ ପ୍ରକାଶ କରିବା ସହଂ ପୂର୍ବକାମ ସାରିବାକୁ ଅନୁରୋଧ କରିଛନ୍ତି ।

ଏବେ ପେଟ୍ଟାନାଳ  ଅତ୍ୟନ୍ତ ଅପରିଷ୍କାର ହୋଇ ପଡିଛି । ମଶା,ପୋକ,ଦୁର୍ଗନ୍ଧ ଦାଉରେ ସଡୁଛନ୍ତି ସିଡିଏ ଲୋକମାନେ। ଅନ୍ଯ ପକ୍ଷରେ କୃଷକ ବଜାର କୁ ସିଡିଏ-୬ ଓ ବିଡାନକସୀକୁ ସିଡିଏ-୮ ସହିତ ସଂଯୋଗ କରିବା ପାଇଁ ପୂର୍ବରୁ ଦୁଇଟି ପୁରୁଣା ବ୍ରିଜ ରହିଛି ।ଏ ଦୁଇଟି ଏବେ ପୁରୁଣା ହୋଇ ଗଲାଣି। ତେଣୁ ସାଧାରଣ ଲୋକଙ୍କ ମତ ଏ ଦୁଇଟି ଭାଙ୍ଗି ନୂଆ କରିବା ସହ ୫ ବ୍ରିଜ ନିର୍ମାଣ କରାଯାଉ । …

ଅତିଶୀଘ୍ର ପୁଣି କାମ ଆରମ୍ଭ କରାଯାଇ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ବୋଲି ସିଡିଏବାସୀ ଦାବି କରିଛନ୍ତି ।

ସରିଲାଣି ଡେଡଲାଇନ, ସରୁନି କାମ

ନନ୍ଦିଘୋଷ ବ୍ୟୁରୋ : ସରିଲାଣି ଡେଡଲାଇନ, ସରୁନି କାମ । ମନ୍ଥର ଗତିରେ ଚାଲିଛି ୫ ପ୍ରକଳ୍ପ । ବିପଦଶଙ୍କୁଳ ସେତୁ ପାଲଟିଛି ଯୋଗାଯୋଗର ମାଧ୍ୟମ ।… ବର୍ଷା ଦିନେ ନଦୀ ନାଳରେ ପାଣି ବଢିଲେ ମାଲକାନଗିରି ଜିଲ୍ଲାର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ପୋଲ ଉପରେ ପାଣି ଚାଲେ । ଯାହାକୁ ଦୃଷ୍ଟିରେ ରଖି ୭୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ପୋଟେରୁ, ପାଙ୍ଗାମ, କାଙ୍ଗୁରୁକଣ୍ଡା, ଏମଭି – ୯୦ ଓ ଏମଭି – ୯୬ ଭଳି ସ୍ଥାନରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଜୁଲାଇ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଏବେ ସୁଦ୍ଧା ୨୦ ପ୍ରତିଶତ କାମ ସରିଛି । କେତେକ ସ୍ଥାନରେ କାମ ବନ୍ଦ ରହିଛି ତ ଆଉ କେଉଁଠି ମନ୍ଥର ଗତିରେ ଚାଲିଛି ବ୍ରିଜ କାମ ।…

ବ୍ରିଜ କାମ ଯେତିକି ବିଳମ୍ବ ହେଉଛି । ଲୋକଙ୍କ ଚିନ୍ତା ସେତିକି ବଢୁଛି । ବର୍ଷାରେ ପୁଣି ବନ୍ଦ ହୋଇଯିବ କି ରାସ୍ତା ? ବିଭିନ୍ନ ଗାଁକୁ ହୋଇଯିବ କି ଯୋଗଯୋଗ ବିଚ୍ଛିନ୍ନ ? ଏଭଳି ଆଶା ଆଶଙ୍କାରେ ଅଞ୍ଚଳବାସୀ । ଅନ୍ୟପଟେ ପୋଲ ନିର୍ମାଣ ପାଇଁ ଟାର୍ଗେଟ ଧାର୍ଯ୍ୟ କରାଯାଇଛି । ଗୋଟିଏ ପୋଲର ଟେଣ୍ଡର ବାତିଲ ହୋଇଛି । ପୁଣି ଟେଣ୍ଡର କରାଯାଇ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।…

କେବେ ପ୍ରଶାସନର ପ୍ରତିଶୃତି ବାସ୍ତବ ରୂପ ନେଉଛି ? ମାଲକାନଗିରି ବାସୀ କେବେ ଦୁର୍ଦ୍ଦଶାରୁ ମୁକ୍ତି ପାଉଛନ୍ତି ? ତାହା ଦେଖିବାକୁ ବାକି ରହିଲା ।

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ… ୫୪୦ ଗ୍ରାମର ଅପରିପକ୍ଵ ଶିଶୁକୁ ମିଳିଲା ନୂଆ ଜୀବନ

ନନ୍ଦିଘୋଷ ବ୍ୟୁରୋ : ୫୪୦ ଗ୍ରାମର ଅପରିପକ୍ଵ ଶିଶୁକୁ ମିଳିଲା ନୂଆ ଜୀବନ । ୭୮ ଦିନର ଚିକିତ୍ସା ପରେ ସୁସ୍ଥ ନବଜାତକ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ବଡ଼ ସଫଳତା । ପାପଡ଼ାହାଣ୍ଡି ବ୍ଲକ ଡାଲଛାପର ଗାଁର ତୁଳାବତୀ ୭ ମାସରେ ୫୪୦ ଗ୍ରାମର ଶିଶୁ କନ୍ୟାକୁ ଜନ୍ନ ଦେଇଥିଲେ । ପରେ ଶିଶୁକୁ ନବରଙ୍ଗପୁର SNCUରେ ଭର୍ତ୍ତି କରାଯାଇଥିଲା । ଏତେ କମ୍ ଓଜନର ଅପରିପକ୍ୱ ଶିଶୁକୁ ବଞ୍ଚାଇବା ଡାକ୍ତର ଓ ମେଡିକାଲ ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ହେଲେ ଡାକ୍ତର ହାର ମାନିନଥିଲେ । SNCUରେ ୭୮ ଦିନର ନିରନ୍ତର ଚିକିତ୍ସା ପରେ ଶିଶୁର ବଢୁଛି ଓଜନ । …

ଶିଶୁଟିର ଏବେ ବି SNCU ବିଭାଗରେ ଚିକିତ୍ସା ଚାଲିଛି । ଶିଶୁ ବିଶେଷଜ୍ଞ ଡକ୍ଟର ରଜନୀକାନ୍ତଙ୍କ ନିରନ୍ତର ନଜର ଓ ମେଡିକାଲ ଟିମର ଯତ୍ନରେ ଶିଶୁଟି ସୁସ୍ଥ ଅଛି । ସଫଳତା ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ମଧ୍ୟ ନବରଙ୍ଗପୁର ମେଡିକାଲର ଉଦ୍ୟମକୁ ପ୍ରଶଂସା କରିଛି ।…

ମାତ୍ର ୫୪୦ ଗ୍ରାମ ଓଜନରୁ ଆରମ୍ଭ ହୋଇଥିଲା ଜୀବନର ଯାତ୍ରା । ୭୮ ଦିନର ଚିକିତ୍ସା ଓ ଯତ୍ନ ପରେ ଓଜନ ୧ କିଲୋ ୬୦୦ ଗ୍ରାମ ହୋଇଛି । ଏହି ସଫଳତା ନବରଙ୍ଗପୁର ସ୍ୱାସ୍ଥ୍ୟସେବାରେ ଯୋଡ଼ିଛି ଏକ ନୂଆ ଅଧ୍ୟାୟ ।

ଦିନକ ପରେ ବିଶ୍ଵକର୍ମା ପୂଜା । ସଜେଇ ହେଲାଣି ବନ୍ଦର ନଗରୀ ପାରଦୀପ

ନନ୍ଦିଘୋଷ ବ୍ୟୁରୋ : ଦିନକ ପରେ ବିଶ୍ଵକର୍ମା ପୂଜା । ସଜେଇ ହେଲାଣି ବନ୍ଦର ନଗରୀ ପାରଦୀପ । ଚଳିତ ବର୍ଷ ପାଖାପାଖି ୩୦ ରୁ ୪୦ ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ଵକର୍ମା । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । କେଉଁଠି କାରିଗର ମାନେ ତୋରଣକୁ ଆକର୍ଷଣୀୟ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ତ ଆଉ କେଉଁଠି ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ପ୍ରତିବର୍ଷ ଭଳି ଜୟଦେବ ସଦନ ନିକଟରେ ବିଭିନ୍ନ ଶ୍ରମିକ ସଂଗଠନ, ବୋଟ ମାଲିକ ସଂଗଠନ, ଡ୍ରମ୍ଫର ଓ ଟ୍ରକ ମାଲିକ ସଂଘ ପକ୍ଷରୁ ତୋରଣ ମାନ କରାଯାଇଛି ।…

୭ ଦିନ ଧରି ଚାଲିବାକୁ ଥିବା ପୂଜାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିବ । ବିଶ୍ଵକର୍ମା ପୂଜାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଲାଗି ପଡିଛନ୍ତି । ପ୍ରତିଦିନ ସଂଧ୍ୟାରେ ମେଲୋଡି, ରେକର୍ଡ ଡ୍ୟାନ୍ସ , ଭଜନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।…

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ବିଶ୍ଵକର୍ମା ପୂଜା । ଏଥିପାଇଁ ପ୍ରତ୍ୟେକ ଛକ ମାନଙ୍କରେ ଆଲୋକୀରଣ ବ୍ୟବସ୍ଥା କରାଯାଉଛି ।

ବିଶ୍ୱକର୍ମା ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

ନନ୍ଦିଘୋଷ ବ୍ୟୁରୋ : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଘର ଲିପାପୋଛା କରିବା ପାଇଁ ନଦୀକୁ କାଦୁଅ ଆଣିବା ପାଇଁ ଯାଇ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତ ମହିଳା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମର ସମର ଦାସଙ୍କ ସ୍ତ୍ରୀ ହେମବାଳା । ବିଶ୍ବକର୍ମା ପୂଜା ପାଇଁ ନିଜ ଘରକୁ ଲିପାପୋଛା କରିବାକୁ ହେମବାଳା ରାମନଗର – ଖରିନାସୀ ନଦୀରୁ ମାଟି ଆଣିବାପାଇଁ ଯାଇଥିଲେ । ମାଟି ଆଣିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । ନଦୀ ଉପରେ ଥିବା କିଛି ଲୋକେ ହେମବାଳାଙ୍କ ଚିକ୍ତାର ଶୁଣି ଗାଁକୁ ଖବର ଦେଇଥିଲେ । ପରିବାର ଲୋକେ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ପରେ ହେମବାଳାଙ୍କୁ ପାଇଥିଲେ। ପ୍ରଥମେ ରାମନଗର ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ହେମବାଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଗମ୍ଭାରିଆ ନାଳରେ ବଢ଼ିଲା ଜଳସ୍ତର, ଖଟିଆରେ ବୁହା ହେଲା ଦୁଇଭାଇଙ୍କ ଶବ

ନନ୍ଦିଘୋଷ ବ୍ୟୁରୋ : ଗମ୍ଭାରିଆ ନାଳରେ ଜଳସ୍ତର ବଢ଼ିବାରୁ ଗାଁକୁ ଯାଇପାରିଲାନି ଶବବାହକ ଗାଡ଼ି। ଶେଷରେ ମୃତ ଦୁଇଭାଇଙ୍କ ଶବକୁ ଖଟିଆରେ ବୋହି ନାଳ ପାର କରାଇଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଝରିପାଳ ବସ୍ତିରେ ଦେଖିବାକୁ ମିଳିଛି। ଝରିପାଳ ଗ୍ରାମର ଜୟଦେବ ସିଂଙ୍କ ଦୁଇ ପୁଅ ରଞ୍ଜନ ଓ ଗଣେଶ୍ୱର ଗତ ରବିବାର ରାତିରେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦଦରାଘାଟି ଜଳପ୍ରକଳ୍ପ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ ସେମାନଙ୍କୁ ମଣ୍ଡାପାଳ ମେଡିକାଲ ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଭାଇଙ୍କ ମୃତ୍ୟୁ ହୋଇଥିଲା।

ମୃତଦେହ ନେଇ ପରିବାର ଗାଁକୁ ଫେରିଥିବା ବେଳେ ଗମ୍ଭାରିଆ ନାଳରେ ଜଳସ୍ତର ବୃଦ୍ଧି ଯୋଗୁ ଶବବାହକ ଗାଡ଼ି ଆଗକୁ ଯାଇପାରିନଥିଲା। ଫଳରେ ଦୁଇଟି ଖଟିଆରେ ମୃତଦେହ ବୋହି ପ୍ରାୟ ଏକ କିଲୋମିଟର ରାସ୍ତା ପାର କରି ଗାଁରେ ପହଞ୍ଚାଇଥିଲେ ପରିବାର ଲୋକେ। ଗମ୍ଭାରିଆ ନାଳ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଓ ସ୍ଥାନୀୟ ରାଜନେତା ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ବୈଶିଙ୍ଗାରେ ବଡ଼ ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ରୁ ଅଧିକ ସନ୍ଦିଗ୍ଧ ଅଟକ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିବାରେ ପୋଲିସ ସଫଳ ହୋଇଛି । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ର ୫ ଜଣଙ୍କୁ ଅଟକ ରଖିବା କାର୍ ଜବତ କରିଛି ପୋଲିସ୍ । ମାନଗୋବିନ୍ଦପୁର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ କିଛି ଦୁର୍ବୃତ୍ତ ପଶି ଲୁଟ୍ ଉଦ୍ୟମ ଚଳାଇଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ପୁଲିସ ଗାଡ଼ିର ସାଇରନ ଶୁଣି ଡକାୟତ ଦଳ ତରବରିଆ ଭାବେ ଏକ କାର୍ ଯୋଗେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ମାଣତ୍ରୀ–ବୈଶିଙ୍ଗା ମୁଖ୍ୟ ରାସ୍ତାରେ ସେମାନଙ୍କୁ ପିଛା କରି ବୈଶିଙ୍ଗା ଛକ ନିକଟରେ କାର୍‌ଟିକୁ କାବୁ କରିଥିଲା ପୋଲିସ । ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା ଏକ କାର୍ ଜବତ କରାଯିବା ସହ ୫ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ଥାନାରେ ପଚରାଉଚରା କରାଯାଉଛି । ପ୍ରାଥମିକ ତଦନ୍ତରୁ ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ବ୍ୟାଙ୍କ ଚୋରି ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

କମ୍ବଳ ଘୋଡ଼ାଇ ଆସିଲା, ପେଟ୍ରୋଲ ଢାଳି ୨ ଦୋକାନ ଓ କାରରେ ଲଗାଇଲା ନିଆଁ

ନନ୍ଦିଘୋଷ ବ୍ୟୁରୋ :  ବିଳମ୍ବିତ ରାତିରେ କମ୍ବଳ ଘୋଡ଼ାଇ ଆସିଲା ଦୁର୍ବୃତ୍ତ। ପେଟ୍ରୋଲ ଢାଳି ଦୁଇଟି ଦୋକାନ ଓ ଏକ କାରରେ ନିଆଁ ଲଗାଇ ଦୌଡ଼ି ପଳାଇଲା। ଏଭଳି ଘଟଣା ଘଟିଛି ଅନୁଗୋଳ ପଞ୍ଚମହଲା ନିକଟରେ। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ଅନୁଗୋଳ ପଞ୍ଚମହଲା ଠାରେ କୁମୁଦ ନାଏକଙ୍କ ଦୋକାନରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି, ଦୁର୍ବୃତ୍ତ ଜଣକ କମ୍ବଳ ଘୋଡ଼ାଇ ଆସି କୁମୁଦଙ୍କ ଦୋକାନ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଦୌଡ଼ି ପଳାଉଛି।

କୁମୁଦଙ୍କ ଦୋକାନରେ ନିଆଁ ହୁହୁ ହୋଇ ଜଳିବା ସହ ପାଖରେ ଥିବା ସାଗର ସାହୁଙ୍କ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏଥିସହ ପାଖରେ ଥିବା ଏକ ଗ୍ୟାରେଜକୁ ମରାମତି ପାଇଁ ଆସିଥିବା କାରଟି ମଧ୍ୟ ନିଆଁ କବଳରେ ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଉଭୟଙ୍କ ଦୋକାନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।