spot_img
Home Blog Page 2185

ଅଧାରେ ରହିଗଲା ଗଙ୍ଗାରେ ବୁଡ଼ ପକାଇବା; ଦୁର୍ଘଟଣାରେ ୭ ଶିଶୁଙ୍କ ସମେତ ୧୫ ମୃତ

କାସଗଞ୍ଜ: ଗଙ୍ଗାରେ ଗାଧୋଇବାକୁ ଯାଉଥିବା ବେଳେ ଘଟିଲା ଅଘଟଣ। ଭକ୍ତଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଉତ୍ତରପ୍ରଦେଶର ଦରିଆବଗଞ୍ଜ ପଟିଆଲି ରାସ୍ତାରେ ଥିବା ଗଡଇ ଗାଁ ନିକଟ ପୋଖରୀରେ ଓଲଟି ପଡିଛି। ପାଣିରେ ବୁଡ଼ିଯାଇ ୭ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୭ ଶିଶୁ ଏବଂ ୮ ମହିଳାଙ୍କ ସମେତ ମୋଟ୍ ୧୫ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ତିନି ଜଣ ଆହତ ହୋଇଥିବା କୁହାଯାଉଛି। ତେବେ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡିଯାଇ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ। ପୋଖରୀରୁ ଉଦ୍ଧାର ହୋଇଥିବା ଭକ୍ତମାନଙ୍କୁ ପଟିଆଲିସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ତେବେ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ଼ ପକାଇବାକୁ ଲୋକମାନେ କସଗଞ୍ଜର ପାଟିଆଲି ତହସିଲ ଅଞ୍ଚଳର କାଦରଗଞ୍ଜ ଗଙ୍ଗା ଘାଟକୁ ଯାଉଥିଲେ। ପରେ ଦରିଆବଗଞ୍ଜ ଅଞ୍ଚଳର ଗଡଇ ଗାଁ ନିକଟରେ ଦୁର୍ଘଟଣାରୁ ବଞ୍ଚିବାକୁ ଯାଇ ଚେଷ୍ଟା ନିୟନ୍ତ୍ରଣ ହରାଇଦେଇଥିଲା ଡ୍ରାଇଭର୍ । ଫଳରେ ଟ୍ରଲି ପୋଖରୀକୁ ଖସିପଡିଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହାବ୍ୟତୀତ ସମସ୍ତ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମ୍ୟାଚ୍ ଖେଳୁଖେଳୁ ଗ୍ରାଉଣ୍ଡରେ ଟଳିପଡିଲେ ଯୁବ କ୍ରିକେଟର

ବେଙ୍ଗାଲୁରୁ: ଗ୍ରାଉଣ୍ଡରେ ଟଳିପଡିଲେ ଯୁବ କ୍ରିକେଟର। ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲାରେ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଟିମ୍ ୱିକେଟ ନେବା ଖୁସୀ ମନାଉଥିବା ବେଳେ କେ. ହୋୟସାଲ ହଠାତ ଟଳି ପଡିଥିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁରେ । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।

ସୂଚନା ମୁତାବକ, କର୍ଣ୍ଣାଟକର କ୍ରିକେଟର କେ. ହୋୟସାଲା ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଛନ୍ତି। ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ହୋୟସାଲା ମ୍ୟାଚ ଜିତିବା ଖୁସିରେ ବିଜୟ ଉତ୍ସବ ମନାଉଥିବା ବେଳେ ହାର୍ଟ ଆଟାକ ଆସିଥିଲା।

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ ହୋଇ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୋୟସାଲାଙ୍କ ବିୟୋଗ ନେଇ ଚାରିଆଡ଼େ ଶୋକର ଲହରୀ ଖେଳିଯାଇଥିଲା। କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ରୀଡ଼ା ଜଗତର ବହୁ ବରିଷ୍ଠ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି ।

ହୋୟସାଲା ଜଣେ ଦକ୍ଷ କ୍ରିକେଟର ଭାବରେ ଜଣାଶୁଣା । ସେ ଅଣ୍ଡର-୨୫ ବର୍ଗରେ କର୍ଣ୍ଣାଟକ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଜଣେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଓ ବୋଲର ଥିଲେ। ଏଥିସହିତ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ ।

ଭାଇର ବାହାଘର ଭାଙ୍ଗୁଛି ଭାଇ; ଜିଲ୍ଲାପାଳଙ୍କୁ ଏମିତି ଗୁହାରି କଲେ ଶିକ୍ଷକ…

ଗୋପାଲଗଞ୍ଜ: ସାର୍, ମୁଁ ଜଣେ ସରକାରୀ ଶିକ୍ଷକ ଏବଂ କିନ୍ତୁ ଏଯାଏଁ ଅବିବାହିତ ରହିଛି। ମୋ ଭାଇ ମୋ ବାହାଘର ହେବାକୁ ଦେଉନାହିଁ ।  ସେ ମୋ ଜୀବନର ସବୁଠୁ ବଡ଼ ଶତ୍ରୁ ପାଲଟିଛି । ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି, ମୋ ଅଭିଯୋଗ ଶୁଣନ୍ତୁ ସାର୍…
ବିଜୟିପୁର ସୁଆରା ଗାଁର ବାସିନ୍ଦା ଓମ ପ୍ରକାଶ ସିଂ ଏଭଳି ଅଭିଯୋଗ ନେଇ ଜିଲ୍ଲାପାଳ ମାକସୁଦ ଆଲାମଙ୍କ ଦ୍ୱାରସ୍ତ ହୋଇଛନ୍ତି । ୩୫ ବର୍ଷୀୟ ଓମଙ୍କ ଅଭିଯୋଗ ଅନୁଯାୟୀ, ଯେତେବେଳେ କେହି ତାଙ୍କ ପାଇ ବିବାହ ପ୍ରସ୍ତାବ ଆଣୁଛନ୍ତି, ସେତେବେଳେ ନିଜ ଭାଇ ହିଁ ବାହାଘର ଭାଙ୍ଗିଦେଉଛି । ଏପରିକି ସେମାନଙ୍କୁ ଅଧାରାସ୍ତାରୁ ଭଗାଇ ଦେଉଛି ।  ଫଳରେ ଏଯାବତ୍ ସେ ଅବିବାହିତ ରହିଛନ୍ତି । ଭାଇ ଓ ଭାଇ ପୁଅ ଦୁଇ ଜଣ ମିଶି ତାଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ଯାହାଫଳରେ ତାଙ୍କ ବାହାଘର କରାଇ ଦେଉନାହାଁନ୍ତି।

ଓମ ପ୍ରକାଶ ସିଂ, ଗୋପାଳଗଞ୍ଜ ଡିଏମଙ୍କ ସଙ୍ଗେସଙ୍ଗେ ଏସପିଙ୍କୁ ମଧ୍ୟ ଭେଟିଥିଲେ। ଭାଇ ଓ ପୁତୁରାର ଏଭଳି କାରନାମା ପାଇଁ ସେ ଏବେ ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଛନ୍ତି । ଓମ ସେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେମାନେ ଚାରି ଭାଇ। ତାଙ୍କର ଦୁଇ ଭାଇ ଝାଡଖଣ୍ଡରେ ରହୁଥିବା ବେଳେ ଆଉ ଜଣେ ଭାଇ ତାଙ୍କ ସହିତ ଗାଁରେ ରୁହନ୍ତି ।

ଓମ୍ ପ୍ରକାଶ ସିଂ କହିଛନ୍ତି ଯେ ତାଙ୍କୁ ଡିଏମଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ । ତେବେ ସରକାରୀ ଶିକ୍ଷକଙ୍କ ଏପରି ଅଭିଯୋଗରେ ଡିଏମ ଏବଂ ଏସପି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଦେଖିବାକୁ ବାକି ରହିଲା, ଅଧିକାରୀ ମାନେ କି ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକଙ୍କ ବିବାହ ହେଉଛି କି ନା ।

ମାଟ୍ରିକ ପରୀକ୍ଷା: ଏଆଇ କ୍ୟାମେରାରେ ଧରାପଡ଼ିଲା ତ୍ରୁଟି

ଭୁବନେଶ୍ୱର: ଏଆଇ କ୍ୟାମେରାରେ ଧରାପଡ଼ିଲା ଅବ୍ୟବସ୍ଥା। ଧରାପଡ଼ିଲା ୭ଟି ସ୍କୁଲର ପରୀକ୍ଷା କେନ୍ଦ୍ରର ବିଭ୍ରାଟ। ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଦେଖିବାକୁ ମିଳିଛି। ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ ତ୍ରୁଟି ଧରିଛି ଏଆଇ। କେନ୍ଦୁଝର ସାହାରପଡା ନୋଡାଲ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ବରୁ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ସାହୁଙ୍କୁ ହଟାଯାଇଛି। ତାଙ୍କ ସ୍ଥାନରେ ରାଇଡିହା ଆଦିବାସୀ ଆବାସିକ ହାଇସ୍କୁଲର ଶିକ୍ଷକ ସୁରେନ୍ଦ୍ରନାଥ ନାଏକଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ବ ଦିଆଯାଇଛି।

ସେହିପରି ଭଦ୍ରକ ମଦନ ମୋହନଜୀଉ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି। ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଭଦ୍ରକ ବନ୍ଧଗାଁରେ ପ୍ରଶ୍ନପତ୍ର ଗୁଡ଼ିକୁ ବାକ୍ସରେ ରଖାଯାଇନଥିଲା। ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡ଼ିକ ବାହାରେ ରହିଥିଲା। ଅନ୍ୟପଟେ ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା କ୍ୟାମେରାରେ ଦେଖିବାକୁ ମିଳିଥିଲା।

ସେହିପରି ଗଜପତି ଆର. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନବରଙ୍ଗପୁର ଡାବୁଗାଁ ପରୀକ୍ଷା କେନ୍ଦ୍ରରେ ମଧ୍ୟ ବିଭ୍ରାଟ ଧରିଛି ଏଆଇ। ସେପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛି ବୋର୍ଡ। AIର କଡା ନଜରରେ ପରୀକ୍ଷା ହେଉଛି। ଦୁଇଟି ପରୀକ୍ଷାରେ ଯେଉଁଠି ଅନିୟମିତତା ନଜର ଆସିଛି, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବୋର୍ଡ କହିଛି।

ଆସନ୍ତା ମାର୍ଚ୍ଚ ୨ ସୁଦ୍ଧା ପାକିସ୍ତାନରେ ଗଠନ ହୋଇପାରେ ନୂଆ ସରକାର

କରାଚି: ଆସନ୍ତା ମାର୍ଚ୍ଚ ୨ ସୁଦ୍ଧା ପାକିସ୍ତାନରେ ନୂଆ ସରକାର ଗଠନ । ମାର୍ଚ୍ଚ ୯ ସୁଦ୍ଧା ହେବ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ପରଠାରୁ ଜାରି ରହିଥିବା ଅସ୍ଥିରତାର ଖୁବ ଶୀଘ୍ର ଅନ୍ତ ଘଟିବ ବୋଲି ସୂଚନା ମିଳିଛି । ସରକାର ଗଠନ ପାଇଁ ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ମଧ୍ୟରେ ହୋଇଥିଲା ସହମତି। ପିିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ପିପିପି ସହ-ଅଧ୍ୟକ୍ଷ ଅସିଫ ଅଲ୍ଲି ଜର୍ଦ୍ଦାରୀ ପୁଣି ଥରେ ରାଷ୍ଟ୍ରପତି ହେବେ।

ଗତ ଫେବ୍ରୁଆରୀ ୮ରୁ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ସମ୍ଭବ ହୋଇପାରିନାହିଁ। ନିର୍ବାଚନରେ ପିଟିଆଇ ୯୩ ଆସନ ହାସଲ କରିଥିଲେ ବି ସମର୍ଥନ ଅଭାବରୁ ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା। ସେହିପରି ପିଏମଏଲ-ଏନ ୭୫ ଆସନ ହାସଲ କରିଥିବାବେଳେ ପିପିପି ୫୪ ଆସନ ହାସଲ କରିଛି । ଏମକ୍ୟୁଏମ-ପି ୧୭ ଆସନ ପାଇଛି।

୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩। ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି। ସେପଟେ ପାକିସ୍ତାନରେ ଋଣ ଭାର ଚରମ ସୀମାକୁ ଯାଇଛି। ଋଣ ବାବଦରେ ଦେୟ ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ନିକଟରେ ହାତ ପତାଇଛି ପାକିସ୍ତାନ। ୬ ବିଲିୟନ ଡଲାର ସହାୟତା ଲାଗି ପାକିସ୍ତାନ କରିଛି ଅନୁରୋଧ।

ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଦୁଇବର୍ଷ, ତଥାପି ଥମୁନି ଯୁଦ୍ଧର ବିଭୀଷିକା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ଦୁଇବର୍ଷ। ହୋଇପାରିଲାନି ହିସାବନିକାଶ ।  ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସାରା ବିଶ୍ବ ହୋଇଯାଇଥିଲା ସ୍ତମ୍ଭୀଭୂତ। ଏକଦା ସୋଭିଏତ ରାଷ୍ଟ୍ର ସଂଘରେ ଦୁଇ ପ୍ରମୁଖ ଶକ୍ତି ଥିବା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସାରା ବିଶ୍ବରେ ପକାଇଛି ପ୍ରଭାବ। କେବଳ ଋଷର ୩ ଲକ୍ଷ ୧୫ ହଜାର ସୈନ୍ୟ ମୃତାହତ, ଯାହାକି ଯୁଦ୍ଧ ପୂର୍ବବର୍ତ୍ତୀ ସମୟରେ ଥିବା ସୈନ୍ୟ ସଂଖ୍ୟାର ୯୦ ପ୍ରତିଶତ।

ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ହଜାରରୁ ଅଧିକ ଓ୍ବାଗନର ବାହିନୀ ସୈନ୍ୟ । ସେପଟେ ୟୁକ୍ରେନର ନିହତ ସୈନ୍ୟ ସଂଖ୍ଯା ହେଲାଣି ପ୍ରାୟ ୩୦ ହଜାର। ଯୁଦ୍ଧ ଯୋଗୁ ପ୍ରାୟ ୬୦ ଲକ୍ଷ ୟୁକ୍ରେନ ନାଗରିକ ପଳାୟନ କରି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଶରଣାର୍ଥୀ ସାଜିଥିବାବେଳେ ଦେଶ ଭିତରେ ପ୍ରାୟ ୮୦ ଲକ୍ଷ ନାଗରିକ ବାସହୀନ କିମ୍ବା ବେସାହାରା ହୋଇଛନ୍ତି। ଯୁଦ୍ଧ ଜାରି ରହିଥିବାବେଳେ ଗତ ସପ୍ତାହରେ ୟୁକ୍ରେନର ଆଭିଦିଭକା ସହରକୁ ଋଷ ବାହିନୀ କରିଥିଲେ କବଜା ଯାହା ଥିଲା ୟୁକ୍ରେନ ଲାଗି ବିରାଟ ଧକ୍କା ।

ଯୁଦ୍ଧ ଯୋଗୁ ଋଷର ଦୈନିକ କ୍ଷତି ପରିମାଣ ହାରାହାରି ୧ ବିଲିୟନ ଡଲାର ହେଉଥିବାବେଳେ ଏହି କାରଣକୁ ରାଜକୋଷ ଉପରେ ଜବରଦସ୍ତ ପ୍ରଭାବ ପଡିଛି । କେବଳ ଏତିକି ନୁହେଁ ବିଶ୍ବର ଷ୍ଟକମାର୍କେଟ, ଇନ୍ଧନ, ଗହମ, ଖାଇବା ତେଲ ବଜାରର ନାହିଁ ନଥିବା କ୍ଷତି ଘଟାଇଛି ଯୁଦ୍ଧ। ଯୁଦ୍ଧକୁ ସମାଧାନ କରିବା ବଦଳରେ ଆମେରିକା ପରି ରାଷ୍ଟ୍ର ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସରିବା ସମ୍ଭାବନା ଦିଶୁନାହିଁ। ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ଗିରଫ ପରଓ୍ବାନା ଜାରି କରିଛି। ବାରମ୍ବାର ଜାତିସଂଘରେ ଯୁଦ୍ଧ ପ୍ରସଙ୍ଗରେ ବୈଠକ ବସିଥିଲେ ବି ଯୁଦ୍ଧ ବନ୍ଦ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇପାରିନାହିଁ ।

ତେଣେ ଯୁଦ୍ଧକୁ ୨ ବର୍ଷ ପୂରିଥିବାବେଳେ ଋଷ, ଆମେରିକା, ଚୀନ, ୟୁଏଇ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ଥିବା ଋଷ ସହ ସମ୍ପର୍କିତ ୫୦୦ଟି କ୍ଷେତ୍ର ଉପରେ ନୂଆ କଟକଣା ଜାରି କରିଛି ଆମେରିକା। ଜାପୋରଜିଆ, ଖେରସନ, ଦୋନେସ୍କ, ଆଭିଦିଭକା ଆଦି ଇଲାକା ବର୍ତ୍ତମାନ ଋଷ କବଜାରେ ରହିଛି।

ସୁକୁମାରେ ସୁରକ୍ଷା କର୍ମୀ ଓ ନକ୍ସଲ ଗୁଳି ବିନିମୟ; ଜଣେ ମୃତ

ସୁକୁମା: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ବୁର୍କାଲଙ୍କା ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

ଯାହାକୁ ଆଧାର କରି ଡିଆରଜି ବାହିନୀ ପକ୍ଷରୁ ଆଜି ସକାଳେ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଯାହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ।

ପାକିସ୍ତାନ ସୀମାରେ ପଶି ଆକ୍ରମଣ କଲା ଇରାନ ସେନା

ଲାହୋର: ପାକିସ୍ତାନ ସୀମାରେ ପଶି ଆକ୍ରମଣ କରିଛି ଇରାନ ସେନା। ସୀମାରେ ପଶି ବହୁ ଆତଙ୍କବାଦୀଙ୍କୁ ନିପାତ କରିଛି ଇରାନ ସେନା। ଜୈସ ଅଲ ଅଦଲର ଠିକଣା ଉପରେ ଆକ୍ରମଣ କରିଛି। ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଜୈସ ଅଲ ଅଦଲର କମାଣ୍ଡର ନିପାତ ହୋଇଥିବା ସୂଚନା ମିଳିଛି।

ଜୈସ ଅଲ ଅଦଲର କମାଣ୍ଡର ଇସ୍ମାଇଲ ଶାହବକ୍ସ ନିପାତ ହୋଇଥିବା ଜଣାପଡ଼ିଛି। ଜୈସ ଅଲ ଅଦଲକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା ଇରାନ। ୨୦୧୨ ରେ ଗଠନ ହୋଇଥିଲା ଏହି ଆତଙ୍କବାଦୀ ସଂଗଠନ ଜୈସ ଅଲ ଅଦଲ। ମାସକ ପୂର୍ବରୁ ପାକିସ୍ତାନ ଓ ଇରାନ ମଧ୍ୟରେ ଆକାଶମାର୍ଗରୁ ହମଲା ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଆଜି ପାକିସ୍ତାନ ସୀମାରେ ପଶି ଆକ୍ରମଣ କରିଛି ଇରାନ।

କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ.ଭି ଦେବୀ ସିଜ୍

ପାରାଦୀପ: କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ.ଭି ଦେବୀ ସିଜ୍। ଏହି ଜାହାଜକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ ଆଦାୟ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଅସୁଲ ପାଇଁ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ ଭି. ନରସିଂହ ମାମଲାର ଶୁଣାଣି କରି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ନଭେମ୍ବର ୩୦ ତାରିଖରେ ଏମ.ଭି ଦେବୀ ଜାହାଜ ପାରାଦୀପ ବନ୍ଦର ଆସିଥିବା ବେଳେ ଏଥିରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ସେବେ ଠାରୁ ଏହି ଜାହାଜ ୨୧ ଜଣ କ୍ରିୟୁ ସଦସ୍ୟଙ୍କ ସହିତ ପାରାଦୀପରେ ଅଟକ ରହିଛି।

ଜାହାଜଟି ଭିଏତନାମର ହୋଇଥିବା ବେଳେ ଇଣ୍ଡୋନେସିଆରୁ ପାରାଦୀପକୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିଲା। ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସମ୍ପର୍କିତ ମୂଳ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

୨୯ ଯାଏଁ ଚାଷୀ ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଯୁକ୍ତ କିଶାନ ମୋର୍ଚ୍ଚାର ନିଷ୍ପତ୍ତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସ୍ଥଗିତ। ଆସନ୍ତା ୨୯ ତାରିଖ ଯାଏଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଏମଏସପି ଦାବି ନେଇ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଏହି ଘୋଷଣା କରିଛି। ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ। ହରିୟାଣାରେ ଲାଗି ରହିଛି ଉତ୍ତେଜନା। ଚାଷୀଙ୍କ ଉପରେ ପୁଣି ଲୁହବୁହା ଗ୍ଯାସ ସହ ଲାଠିମାଡ଼ କରିଛି ପୋଲିସ। ଖନୌରୀ ସୀମାକୁ ଯିବାକୁ ଚାଷୀ ଏକାଠି ହୋଇଥିବାବଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଚାଷୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।

ଚାଷୀଙ୍କୁ ଘଉଡ଼ାଇବାକୁ ପୋଲିସ ଲୁହବୁହା ଗ୍ଯାସ୍ ମାଡ଼ କରିଥିଲା। ଏହାକୁ ନେଇ ପୋଲିସ-ଚାଷୀ ମଧ୍ଯରେ ସଂଘର୍ଷ ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା। ଉତ୍ତେଜିତ ଚାଷୀ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ହମଲାରେ ଅନେକ ପୋଲିସ କର୍ମୀଙ୍କ ସହ ଚାଷୀ ଆହତ ହୋଇଛନ୍ତି। ଅନେକ ଚାଷୀଙ୍କୁ ପୋଲିସ ଅଟକ ରଖିଛି। ଉଭୟ ପକ୍ଷରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେପଟେ ଆନ୍ଦୋଳନରତ ଚାଷୀ ନେତାଙ୍କ ବିରୋଧରେ ହରିୟାଣା ପୋଲିସ ଜାତୀୟ ସୁରକ୍ଷା ନିରାପତ୍ତା ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ପ୍ରତ୍ଯାହାର କରିଛି।

ଅମ୍ବାଲା ପୋଲିସ ଗୁଳିରେ ମୃତ୍ଯୁ ହୋଇଥିବା ଚାଷୀ ଶୁଭକରଣଙ୍କ ମୃତ୍ୟୁକୁ ନେଇ ହରିୟାଣା ଗୃହମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର କରିବାକୁ ଦାବି କରିଛନ୍ତି ଚାଷୀ। ଶୁଭକରଣଙ୍କୁ ସହିଦ ମାନ୍ଯତା ଦେବାକୁ ଚାଷୀ ଦାବି କରିଛନ୍ତି। ହରିୟାଣା ପୋଲିସ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଖନୌରୀ ସୀମାରେ ପୋଲିସ ସହ ସଂଘର୍ଷ ଘଟି ଚାଷୀ ଶୁଭକରଣଙ୍କ ମୃତ୍ଯୁ ଘଟିଥିଲା। ଶୁଭକରଣଙ୍କ ମୃତ୍ଯୁକୁ ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା କଳାଦିବସ ପାଳନ କରିଛି। ସେପଟେ ଚାଷୀ ଆନ୍ଦୋଳନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।