ମ୍ୟାଚ୍ ଖେଳୁଖେଳୁ ଗ୍ରାଉଣ୍ଡରେ ଟଳିପଡିଲେ ଯୁବ କ୍ରିକେଟର

1 min read

ବେଙ୍ଗାଲୁରୁ: ଗ୍ରାଉଣ୍ଡରେ ଟଳିପଡିଲେ ଯୁବ କ୍ରିକେଟର। ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲାରେ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଟିମ୍ ୱିକେଟ ନେବା ଖୁସୀ ମନାଉଥିବା ବେଳେ କେ. ହୋୟସାଲ ହଠାତ ଟଳି ପଡିଥିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁରେ । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।

ସୂଚନା ମୁତାବକ, କର୍ଣ୍ଣାଟକର କ୍ରିକେଟର କେ. ହୋୟସାଲା ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଛନ୍ତି। ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ହୋୟସାଲା ମ୍ୟାଚ ଜିତିବା ଖୁସିରେ ବିଜୟ ଉତ୍ସବ ମନାଉଥିବା ବେଳେ ହାର୍ଟ ଆଟାକ ଆସିଥିଲା।

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ ହୋଇ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୋୟସାଲାଙ୍କ ବିୟୋଗ ନେଇ ଚାରିଆଡ଼େ ଶୋକର ଲହରୀ ଖେଳିଯାଇଥିଲା। କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ରୀଡ଼ା ଜଗତର ବହୁ ବରିଷ୍ଠ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି ।

ହୋୟସାଲା ଜଣେ ଦକ୍ଷ କ୍ରିକେଟର ଭାବରେ ଜଣାଶୁଣା । ସେ ଅଣ୍ଡର-୨୫ ବର୍ଗରେ କର୍ଣ୍ଣାଟକ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଜଣେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଓ ବୋଲର ଥିଲେ। ଏଥିସହିତ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ ।