spot_img
Home Blog Page 2139

ବିନା ପରୀକ୍ଷାରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଇଲେକ୍ଟ୍ରିସିଆନ୍ ଓ ଓ୍ବାୟାରମ୍ୟାନ ଲାଇସେନ୍ସ

ଭୁବନେଶ୍ବର: ନିଯୁକ୍ତି ସୃଷ୍ଟିରେ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଗୋଟିଏ ଲେଖାଏଁ ବିଭାଗ ନିଯୁକ୍ତିର ଅପାର ସୁଯୋଗ ଆଣିଛନ୍ତି । ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଇଲେକ୍ଟ୍ରିସିଆନ୍ ଏବଂ ଓୟାରମ୍ୟାନ୍ ନିଯୁକ୍ତି ପାଇଁ ଲାଇସେନ୍ସ ପ୍ରଦାନ କରୁଛି ଶକ୍ତି ବିଭାଗ । ଯେଉଁମାନେ ଆଇଟିଆଇ ପାସ୍ କରିନାହାନ୍ତି ସେମାନେ ଅନଲାଇନ୍ ଯୋଗେ ଆବେଦନ କରିପାରିବେ । ଆବେଦନ କରିବାର ଓ୍ବେବ୍ସାଇଟ୍ ହେଉଛି edistrict.odisha.gov.in. । ଆବେଦନ ପରେ ଇଲେକ୍ଟ୍ରିକାଲ୍ସ୍ ଲାଇସେନ୍ସିଂ ବୋର୍ଡ ଅଫ୍ ଓଡ଼ିଶା ପରୀକ୍ଷା କରି ଲାଇସେନ୍ସ ପ୍ରଦାନ କରିବେ । ଏହି ବ୍ୟବସ୍ଥାରେ ବର୍ଷକୁ ୧୫ରୁ ୨୦ ହଜାର ଲାଇସେନ୍ସ୍ ପ୍ରଦାନ କରୁଛି ଶକ୍ତି ବିଭାଗ ।

ବିଦ୍ୟୁତ ରକ୍ଷଣାବେକ୍ଷଣ କାମ ଅତ୍ଯନ୍ତ ବିପଦପୂର୍ଣ୍ଣ । ଲାଇସେନ୍ସ୍ ନଥାଇ ଦୁର୍ଘଟଣାର ଶିକାର ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ପରିବାରକୁ କୌଣସି ପ୍ରକାର କ୍ଷତିପୂରଣ ପ୍ରଦାନ କରାଯାଏନି । ଯେଉଁଥିପାଇଁ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ୍ ୨୦୦୩ ଅନୁଯାୟୀ ଲାଇସେନ୍ସ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସରକାର ନିଯୁକ୍ତି ପ୍ରଦାନ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ । ପ୍ରଶିକ୍ଷିତ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଲାଇସେନ୍ସ୍ ପ୍ରଦାନ କରାଯିବାରୁ ସରକାରୀ ଓ ଘରୋଇ କମ୍ପାନୀରେ ବ୍ୟାପକ ନିଯୁକ୍ତି ମିଳିପାରୁଛି ।

ବିଦ୍ୟୁତ ସେବା ପାଇଁ ଗୁଣାତ୍ମକ କର୍ମଚାରୀ ଚୟନ ଏକ ବଡ଼ ଚାଲେଞ୍ଜ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏହି ଚାଲେଞ୍ଜକୁ ମୁକାବିଲା କରିବାରେ ନୂଆ ଉଦାହରଣ ସୃଷ୍ଟି କରିପାରିଛି ।

 

ନବୀନ ନିବାସରେ ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼, ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜଣାଉଛନ୍ତି ଧନ୍ୟବାଦ

ଭୁବନେଶ୍ବର: ସମ୍ବଲପୁର ରେଙ୍ଗାଲି ଓ ବାମଣ୍ଡା, ଖୋର୍ଦ୍ଧାର ବୋଲଗଡ଼ ପରି ୧୩ ଜିଲ୍ଲାର ୨୨ଟି  ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହାନଗର ନିଗମ, ମ୍ୟୁନିସିପାଲିଟି, ବିଜ୍ଞାପିତ  ଅଂଚଳ ପରିଷଦ ମେୟର, ଡ଼େପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି କରାଯାଇଛି । ଆଉ ଏସବୁ ପାଇଁ ବିଭିନ୍ନ ଜିଲ୍ଲାର ଜନସାଧାରଣଙ୍କ ସହ ତୃଣମୂଳସ୍ତରର ନିର୍ବାଚିତ ଜନପ୍ରତିନିଧିଙ୍କ ଭିଡ଼ ଲାଗିଛି ନବୀନ ନିବାସରେ । ଶହ ଶହ ସଂଖ୍ୟାରେ ଅଞ୍ଚଳବାସୀ ପ୍ରତିଦିନ ନବୀନ ନିବାସ ଆସୁଛନ୍ତି । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶଂସା । ହାତରେ ବ୍ୟାନର ଓ ପୋଷ୍ଟର ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇ ନବୀନ ନିବାସକୁ ଆସୁଛନ୍ତି । ଜନସଂଖ୍ୟା ଓ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଏନଏସି ଓ ମ୍ୟୁନିସିପାଲଟି ଘୋଷଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ସର୍ବନିମ୍ନ ମଜୁରୀ ବୃଦ୍ଧି ପରେ ବିଭିନ୍ନ ଶ୍ରମିକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପଟେ ତୃଣମୂଳସ୍ତରରେ ଜନପ୍ରତିନିଧିମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ନବୀନ ନିବାସ ଆଗରେ । ରାଜ୍ୟ ସରକାର କରୁଥିବା ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ କରୁଥିବା ଜନପ୍ରତିନିଧିମାନଙ୍କ ଭତ୍ତା ଓ ପାରିତୋଷିତ ବୃଦ୍ଧି ହୋଇଥିବାରୁ ସଭିଏଁ ଖୁସି ପ୍ରକାଶ କରିଛନ୍ତି । ମେୟର , କର୍ପୋରେଟର, ଡ଼େପୁଟି ମେୟର, ଓ ଜିଲ୍ଲା ପରିଷଦର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି  ଧନ୍ୟବାଦ ଦେଇଛନ୍ତି  ।

ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଦେଖିଛି ବ୍ୟାପକ ରୂପାନ୍ତରଣ । ନବୀନଙ୍କ ଦୃଢ ନେତୃତ୍ବ ଯୋଗୁଁ ଏସବୁ ସମ୍ଭବ ହୋଇପାରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଶୁଭେଚ୍ଛା  ଓ ଧନ୍ୟବାଦ ପାଇଁ ପ୍ରତିଦିନ ନବୀନ ନିବାସ ଆଗରେ ଭିଡ଼ ଲାଗୁଛି । ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ କାର୍ଯ୍ୟକ୍ରମ ଜାରି ରଖିଥିବାରୁ, ସମସ୍ତଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।

ବିକାଶ ପାଲଟିଛି ଓଡ଼ିଶାର ନୂଆ ପରିଚୟ, ଦେଶ ପାଇଁ ଓଡ଼ିଶା ରୋଲ୍ ମଡେଲ

ଭୁବନେଶ୍ବର: ବିଶ୍ବାସ ଓ ଭରସାର ପ୍ରତୀକ ବିଜେଡି । ବିଜେଡି ରାଜନୈତିକ ଦଳରୁ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବିଜେଡି । ସବୁକ୍ଷେତ୍ରରେ ଅଗ୍ରଗତି ଯୋଗୁ ଦେଶ ପାଇଁ ଓଡ଼ିଶା ରୋଲ୍ ମଡେଲ ସାଜିଛି । ବିକାଶ ପାଲଟିଛି ଓଡ଼ିଶାର ନୂଆ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃ୍ତ୍ବ, ସ୍ଥିର ସରକାର ଓ ଶାସନ ବ୍ୟବସ୍ଥାରେ ଜନସେବାକୁ ମୂଳମନ୍ତ୍ର କରି ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ସବୁଠି ଚମକୁଛି ନବୀନ ଗ୍ୟାରେଣ୍ଟି । କଥା କମ୍, କାମ ଅଧିକରେ ବିଶ୍ବାସ ରଖୁଥିବା ନବୀନ ନିର୍ବାଚନୀ ପ୍ରତିଶୃତିକୁ ଶତ ପ୍ରତିଶତ ପାଳନ କରିଛନ୍ତି। ପାହାଚ ପରେ ପାହଚ ଚଢ଼ି ଚାଲିଛି ବିକଶିତ ଓଡ଼ିଶା। ନବୀନ ଗ୍ୟାରେଣ୍ଟି  ଉପରେ ଲୋକଙ୍କ ବିଶ୍ବାସ ଓ ଭରସା ଅତୁଟ ରହିଛି । ଯାହା ବିଜେଡିକୁ ପ୍ରତ୍ୟେକ ନିର୍ବାଚନରେ  ବଡ଼ ସଫଳତା ଦେବା ସହ ବଢ଼ି ଚାଲିଛି ଭୋଟ୍ ପ୍ରତିଶତ। ଏହାରି ଭିତରେ ଆସୁଛି ନିର୍ବାଚନ। ଜନସେବାକୁ ରାଜନୀତିର ମୂଳମନ୍ତ୍ର କରିଥିବା ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ବିଧାୟକ କହିଛନ୍ତି ।

ଓଡ଼ିଶା ରୂପାନ୍ତରଣ ପଥେ ଆଗେଇ ଚାଲିଛି। ସବୁଠି ନବୀନଙ୍କ ଗ୍ୟାରେଣ୍ଟି ପ୍ରତିଫଳିତ । ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟିଛି  । ୨୦୧୯ରେ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୃତି ଅକ୍ଷରେ ଅକ୍ଷରେ ପାଳନ କରି ନବୀନ ସାଜିଛନ୍ତି  ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ । ଜଳସେଚନ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ପର୍ଯ୍ୟଟନ, କୃଷି, କ୍ରୀଡ଼ା, ଭିତ୍ତିଭୂମିଠାରୁ ଆରମ୍ଭ କରି  ଓଡ଼ିଶାବାସୀଙ୍କ ପାଇଁ ବହୁ ଲୋକାଭିମୁଖୀ ଯୋଜନା  କରି ନବୀନ ଗ୍ୟାରେଣ୍ଟି ଲୋକଙ୍କ ହୃଦୟ ଜିତିଛି । ପ୍ରତି ଅଞ୍ଚଳ ଓ ସବୁବର୍ଗଙ୍କ ପାଇଁ ଯୋଜନା କରି ଅନ୍ୟ ରାଜ୍ୟ ପାଇଁ ନବୀନ ଆଦର୍ଶ ସାଜିଛନ୍ତି । ବିଶେଷକରି  ମହିଳା ସଶକ୍ତିକରଣ ଓ ଯୁବପିଢ଼ିକୁ ସଶକ୍ତ କରିବା ଦିଗରେ ନବୀନଙ୍କ ଯୋଜନା ପୂରା ଦେଶରେ ସୁପରହିଟ୍ ହୋଇଛି । ନିର୍ବାଚନ ସମୟ ହେଉ ଅବା ଯେକୌଣସି ସମୟ,  ଲୋକଙ୍କ ପାଖରେ ସବୁ ଯୋଜନାକୁ ପହଞ୍ଚାଇବା ପାଇଁ ଦିନରାତି ଏକ୍ କରି ଦେଇଛନ୍ତି ବିଜେଡି ବିଧାୟକ। ନବୀନଙ୍କ  ଲୋକାଭିମୁଖୀ ଗ୍ୟାରେଣ୍ଟି ଆଗାମୀ ନିର୍ବାଚନରେ ବିଜେଡିକୁ ଏକପାଖିଆ ବିଜୟୀ କରାଇବ ବୋଲି ଶାସକ ଦଳ ବିଧାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଆଗାମୀ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ମାଳମାଳ ପ୍ରତିଶୃତି ଦେଇ ଓ ଗ୍ୟାରେଣ୍ଟି କାର୍ଡ ଘୋଷଣା କରି ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି  । ବିଜେଡି କିନ୍ତୁ  ନିର୍ବାଚନ ପାଇଁ ନୁହେଁ, ଜନସେବାକୁ ମୂଳମନ୍ତ୍ର କରି ନବୀନଙ୍କ ଗ୍ୟାରେଣ୍ଟିକୁ ଆଗେଇ ନେଇଚାଲିଛି  ।

ଆସନ୍ତାକାଲି ବାଜିବ ନିର୍ବାଚନ ବିଗୁଲ, ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ଆସନ୍ତାକାଲି ବାଜିବ ନିର୍ବାଚନ ବିଗୁଲ। ଅଷ୍ଟାଦଶ ଲୋକସଭା ଓ ୪ ରାଜ୍ଯର ବିଧାନସଭା ନିର୍ବାଚନ ଲାଗି ଘୋଷଣା ହେବ ତାରିଖ। ୭ କିମ୍ବା ୮ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିପାରନ୍ତି ଇସିଆଇ। ୫୪୩ ଲୋକସଭା ଆସନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର ମୋଟ ୪୧୪ ଆସନ ଲାଗି ଘୋଷଣା ହେବ ତାରିଖ। ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ।

ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ଯାହାର ଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ଯ ଲଗାଇବେ ନିର୍ବାଚନ କମିଶନ। ୨୦୧୯ରେ ୭ ପର୍ଯ୍ୟାୟରେ ଅର୍ଥାତ ୧୧, ୧୮, ୨୩, ୨୯ ଏପ୍ରିଲ ଏବଂ ୬, ୧୨ ଓ ୧୯ ମେରେ ହୋଇଥିଲା ନିର୍ବାଚନ। ୨୦୧୯ ମାର୍ଚ୍ଚ ୧୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ୨୩ମେ’ ରେ ଫଳାଫଳ ଘୋଷିତ ହୋଇଥିଲା ।

ଚଳିତ ବର୍ଷ ରାଜ୍ଯରେ ହେବ ସପ୍ତଦଶ ବିଧାନସଭା ନିର୍ବାଚନ। ୨୧ଟି ଲୋକସଭା ସହ ୧୪୭ ବିଧାନସଭାରେ ଭୋଟ୍ ଲାଗି ଘୋଷଣା ହେବ ତାରିଖ। ଗତ ୨୦୧୯ରେ ଚାରି ପର୍ଯ୍ୟାୟ ଅର୍ଥାତ ୧୧ ଏପ୍ରିଲରେ ୪ଟି, ୧୮ ଏପ୍ରିଲରେ ୫ଟି, ୨୩ ଏପ୍ରିଲରେ ୬ଟି ଓ ୨୯ ଏପ୍ରିଲରେ ୬ଟି ଲୋକସଭା ଆସନରେ ହୋଇଥିଲା ଭୋଟ। ସେହିପରି ୧୧ ଏପ୍ରିଲରେ ୨୮, ୧୮ ଏପ୍ରିଲରେ ୩୫, ୨୩ ଏପ୍ରିଲରେ ୪୨ ଓ ୨୯ ଏପ୍ରିଲରେ ୪୧ଟି ବିଧାନସଭା ଆସନ ଲାଗି ହୋଇଥିଲା ଭୋଟ। ଓଡ଼ିଶାରେ ୩ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୪ ଲକ୍ଷ। ରାଜ୍ୟରେ ୩ ହଜାର ୩୮୦ ତୃତୀୟ ଲିଙ୍ଗୀ, ୬ ଲକ୍ଷ ୮୦ ହଜାର ବରିଷ୍ଠ ନାଗରିକ ଥିବାବେଳେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୯ ହଜାର ୬୦। ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ଲକ୍ଷ ୫୦ ହଜାର ଥିବାବେଳେ ୧୮ରୁ ୧୯ ବର୍ଷ ଭୋଟରଙ୍କ ମଧ୍ଯରେ ମହିଳାଙ୍କ ସଂଖ୍ଯା ୩ ଲକ୍ଷ ୪୦ ହଜାର। ୪ ଲକ୍ଷ ୭୦ ହଜାର ଯୁବକ ପ୍ରଥମ ଥର ପାଇଁ ମତଦାନ କରିବେ। ରାଜ୍ଯରେ ବୁଥ ସଂଖ୍ୟା ୩୭ ହଜାର ୮୦୯ ରହିବ। ୨୨ହଜାର ୬୮୫ ବୁଥରେ ୱେବକାଷ୍ଟିଂ କରାଯିବ। ୩୦୦ ବୁଥକୁ ପରିଚାଳନା କରିବେ ଭିନ୍ନକ୍ଷମ। ସେହିପରି ୭୦୦ ବୁଥକୁ ପରିଚାଳନା କରିବେ ଯୁବକ। ଆଦର୍ଶ ବୁଥ ସଂଖ୍ୟା ରହିବ ୭୦୦। ରାଜ୍ୟର ସବୁଠୁ ଦୁର୍ଗମ ଅଞ୍ଚଳରେ ବି ବୁଥ ପ୍ରତିଷ୍ଠା କରାଯିବ।

ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ୧୯୫୧-୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ଶେଷଥର ଲାଗି ୨୦୧୯ରେ ହୋଇଥିଲା ବିଧାନସଭା ନିର୍ବାଚନ।

ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ମହିଳା, ଗଛ ବଞ୍ଚାଇବା ସହ ରୋକୁଛନ୍ତି ଅଗ୍ନିକାଣ୍ଡ

ଜୟପୁର: ବଢିଲାଣି ତାତି । ଗ୍ରୀଷ୍ମ ଋତୁ ଆସିଲେ ଜଙ୍ଗଲ ନିଆଁ ସୃଷ୍ଟି କରେ ଆତଙ୍କ । କିନ୍ତୁ ଏହାର ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ମହିଳା । ଗତ କିଛିବର୍ଷ ହେଲା ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ଆସୁଥିଲେ ସୁଦ୍ଧା କୋରାପୁଟ ଜିଲ୍ଲାରେ ଏହି ଆଶଂକା କମ ରହିଛି । କାରଣ ଏଠାରେ ଗ୍ରାମ ଜଙ୍ଗଲ ସୁରକ୍ଷା ସମିତି ଓ ଏସଏଚଜି ଗ୍ରୁପ ମିଳିତ ଉଦ୍ଯମ ଯୋଗୁଁ ଏପରି ଜଙ୍ଗଲକୁ ମିଳୁଛି ସୁରକ୍ଷା ।

ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ମହିଳା । ଗଛ ବଞ୍ଚାଇବା ସହ ଅଗ୍ନିକାଣ୍ଡ ରୋକୁଛନ୍ତି ମହିଳା । ଗ୍ରାମ ଜଙ୍ଗଲ ସୁରକ୍ଷା ସମିତି ସହଯୋଗରେ ମହିଳାମାନେ ସଜାଗ ପ୍ରହରୀ ସାଜିଛନ୍ତି । ପ୍ରାକୃତିକ ସମ୍ପଦ ଓ ଜଙ୍ଗଲ ଭରା କୋରାପୁଟ ଜିଲ୍ଲା । ଏହି ଜିଲ୍ଲାରେ ୭୦ ଭାଗ ଲୋକ ଜଙ୍ଗଲ ଉପରେ ନିର୍ଭର କରନ୍ତି । ହେଲେ ଖରାଦିନ ଆସିଲେ ଜଙ୍ଗଲ ନିଆଁ ଆତଙ୍କ ସୃଷ୍ଟି କରେ । ସେଥିପାଇଁ ଜଙ୍ଗଲ ସୁରକ୍ଷା ଦିଗରେ ମହିଳାମାନେ ଆଗକୁ ଆସିଛନ୍ତି । ଗ୍ରାମ୍ଯ ଜଙ୍ଗଲ ସୁରକ୍ଷା ସମିତି ମାଧ୍ୟମରେ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଏସଏଚଜି ଗୃପ ଓ ଗ୍ରାମ୍ଯ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ଯ ମାନଙ୍କୁ ତାଲିମ ଦିଆଯାଉଛି ।

କୋରାପୁଟ ଜିଲ୍ଲା ବନ ବିଭାଗ ଏହି କାମରେ ମହିଳା ମାନଙ୍କୁ ନିଯୋଜିତ କରି ଜଙ୍ଗଲକୁ ବଞ୍ଚାଇବାରେ ଅନେକାଂଶରେ ସକ୍ଷମ ହୋଇଛନ୍ତି । ଏଥିପାଇଁ ତାଲିମ ସହ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ଆଧୁନିକ ଜ୍ଞାନ କୌଶଳ ଦ୍ବାରା କୋରାପୁଟ ଜିଲ୍ଲାର ଜଙ୍ଗଲକୁ ସୁରକ୍ଷା ଦିଆଯାଉଛି । କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ପଶୁ ଶିକାର କରିବା ସହିତ ଜାଳେଣୀ ପାଇଁ ନିଆଁ ଲଗାଇଦେଉଥିବା ଅଭିଯୋଗ ହୋଇଛି ।

ଗଛକୁ ସୁରକ୍ଷା ଦେବା ସହ ଜଙ୍ଗଲ ଲୁଟେରାଙ୍କ କବଳରୁ ସୁରକ୍ଷା ଦେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ । ଏଥିପାଇଁ ବନ ବିଭାଗ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଉଛି ।

ବକ୍ରପାଦ ଚିକିତ୍ସା କ୍ଷେତ୍ରରେ SCBକୁ ମିଳିଛି ଅଭୁତପୂର୍ବ ସଫଳତା, ସୁସ୍ଥ ହେଉଛନ୍ତି ୮୦ ପ୍ରତିଶତ

କଟକ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରେକର୍ଡ କରୁଛି SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । କ୍ଲବ ଫୁଟ ବା ବକ୍ରପାଦ ଚିକିତ୍ସା କ୍ଷେତ୍ରରେ ମିଳିଛି ଅଭୁତପୂର୍ବ ସଫଳତା । ରାଜ୍ଯ ସରକାରଙ୍କ ସହଯୋଗରୁ ବର୍ଷକ ରେ ୮୦  ପ୍ରତିଶତ ବକ୍ରପାଦ ଶିଶୁ ସୁସ୍ଥ ହୋଇ ସାଧାରଣ ଜୀବନ ବିତାଉଛନ୍ତି । ସଚତନତା ଅଭାବରୁ ଶିଶୁଙ୍କ ନିକଟରେ ଏହି ରୋଗ ଦେଖାଦେଉଥିବାରୁ ମାର୍ଚ୍ଚକୁ ସଚେତନତା ମାସ ଭାବେ ପାଳନ କରୁଛି ଅର୍ଥୋପେଡିକ ବିଭାଗ ।

କ୍ଲବ ଫୁଟ୍ ଅର୍ଥାତ ବକ୍ରପାଦ । ଗତ ଏକ ବର୍ଷ ଭିତରେ ୮୦ ପ୍ରତିଶତ ସୁସ୍ଥ ହେଲେଣି । ରାଜ୍ଯ ସରକାରଙ୍କ ସହଯୋଗରୁ ସଫଳ ହେଉଛି ଏସସିବି । ନୂଆ ଜୀବନ ପାଉଛନ୍ତି  ଶିଶୁ । ସଚେତନତା ମାସ ପାଳନ କରୁଛି ଅର୍ଥୋପେଡିକ ବିଭାଗ । ସଚେତନତା ଅଭାବରୁ ଓ ଚିକିତ୍ସାରେ ବିଳମ୍ବ ଯୋଗୁଁ ଶିଶୁମାନେ ଏପରି ରୋଗରେ ଆକ୍ରାନ୍ତ ହୁଅନ୍ତି । ବୟସ ଅତିକ୍ରମ କରିଗଲେ ସାରା ଜୀବନ ଭୋଗିବାକୁ ହୁଏ ଯନ୍ତ୍ରଣା । ତେବେ ରାଜ୍ଯ ସରକାରଙ୍କ ସହଯୋଗରେ ଏଥିରେ ସଫଳତା ହାସଲ କରିଛି କଟକ ଏସସିବି ମେଡିକାଲ । ଏହାର ଚିକିତ୍ସା ପାଇଁ ୨୫ ହଜାରରୁ ଏକଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏସସିବି ମାଗଣାରେ ମିଳୁଛି ସମସ୍ତ ସୁବିଧା । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଓଡ଼ିଶା ସରକାରଙ୍କ BSKY ସହାୟତାରେ ମାଗଣାରେ ଚିକିତ୍ସା ପାଇ ସୁସ୍ଥ ହେଉଛନ୍ତି ଶିଶୁ।

ବକ୍ରପାଦ ଏକ ଜନ୍ମଗତ ଶାରୀରିକ ସମସ୍ୟା । ଗୋଡ଼ର ଅସ୍ଥିକୁ ସଂଯୋଗ କରିଥିବା ମାଂସପେଶୀରେ କୋଷ କମ ରହିଲେ ଏଭଳି ସମସ୍ୟା ଦେଖାଦିଏ । କିଛି ଶିଶୁଙ୍କ ଗୋଟିଏ ଗୋଡ଼ ବଙ୍କା ଥିବା ବେଳେ ଅନ୍ୟ କିଛି ଶିଶୁଙ୍କର ଉଭୟ ଗୋଡ଼ ବଙ୍କା ରହିଥାଏ । ଭାରତରେ ୫୦ ହଜାର ଶିଶୁଙ୍କ ନିକଟରେ ଏପରି ଲକ୍ଷଣ ଦେଖିବାକୁ ମିଳିଥାଏ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ DIC ରହିଛି । ନବଜାତ ଶିଶୁଙ୍କ ଏହି ଲକ୍ଷଣ ଦେଖାଦେଲେ ସେହି କେନ୍ଦ୍ରରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏସସିବି ଅଣାଯାଏ । ଅସ୍ଥିଶଲ୍ୟ ବିଭଗରେ ସେମାନଙ୍କର ଚିକିତ୍ସା କରାଯାଏ ।

ଏହି ଚିକିତ୍ସା ସମୟ ସାପେକ୍ଷ ହେଲେ ରୋଗ ଆରୋଗ୍ୟସାଧ୍ୟ । ସଚତନତା ଅଭାବରୁ ଶିଶୁଙ୍କ ନିକଟରେ ଏହି ରୋଗ ଦେଖାଦେଉଥିବାରୁ ମାର୍ଚ୍ଚକୁ ସଚେତନତା ମାସ ଭାବେ ପାଳନ କରୁଛି ଅର୍ଥୋପେଡିକ ବିଭାଗ ।

ପ୍ରେମ କରି ଫସିଲେ ରୋମିଓ, ବାହା ହେବାକୁ ଗଲା ବେଳେ ଜାଣିଲେ ମହିଳାଙ୍କ ବୟସ ୬୨ ବର୍ଷ

ଭୁବନେଶ୍ବର: କ୍ୟୁଟଗାର୍ଲଙ୍କୁ ପ୍ରେମ କରି ଫସିଗଲେ ରୋମିଓ । ସୁନ୍ଦରୀ ଝିଅକୁ ହୃଦୟ ଦେଇ ଧୋକା ଖାଇଲେ ଯୁବକ । ମଣ୍ଡପ ବୁକିଂ କରି ଭଣ୍ଡେଇ ଦେଲେ ୬୨ ବର୍ଷୀୟ ମହିଳା । କାନମୁଣ୍ଡା ଆଉଁସି ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକ । କଥା ହେଉ ହେଉ ପ୍ରେମ ହେଲା । ସୋସିଆଲ ମିଡିଆରେ ସମ୍ପର୍କ ବଢ଼ିଲା । ଝିଅଟି ସରକାରୀ ଚାକିରୀ କରିଥିବା କହିଲା । ପୁଅ ନାଁ ରେ ଜମିବାଡ଼ି ହୋଇଯାଇଥିବା କହିଲା । କଥା ଏତିକିରେ ସୀମିତ ରହିଲାନି । ବିଭିନ୍ନ ବାହାନା କରି ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା, ସୁନା, ଗହଣା, ଦାମୀ ଜିନିଷ, ଇମ୍ପୋର୍ଟେଡ ବ୍ୟାଗ ମଧ୍ୟ ପୁଅ ଠାରୁ ନେଇଗଲା ଝିଅ । ଝିଅ ପ୍ରେମରେ ଉବୁଟୁବୁ, ଶେଷରେ ବିବାହ ପାଇଁ ଗଲା କଥା । କଲ୍ୟାଣ ମଣ୍ଡପ ମଧ୍ୟ ଫାଇନାଲ ହେଲା । କିନ୍ତୁ ବିବାହ ଦିନ ଜଣାପଡିଲା ଯୁବତୀ ନୁହେଁ ସେ ଜଣେ ୬୦ ବର୍ଷର ମହିଳା । ପ୍ରକୃତ ପକ୍ଷେ କେମିତି ହୋଇଥିଲା ଠକେଇ ଓ କିଭଳି ଜାଲରେ ଫସିଥିଲେ ଯୁବକ ଶୁଣନ୍ତୁ ।

ପ୍ରଥମ ଥର ପାଇଁ ମହିଳାଙ୍କୁ ଦେଖି ଆଖି ଖୋସି ହେଇଗଲା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ ଜଣଙ୍କ । ସେପଟେ ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କିଛି ଟଙ୍କା ଲୋଭରେ ଫେକ୍ ଆକାଉଣ୍ଟ ଖୋଲି ମହିଳା ଜଣଙ୍କ ନିଜକୁ ସୁନ୍ଦରୀ ଯୁବତୀ କହି ଯୁବକଙ୍କୁ ଫସାଇଥିବା ସ୍ଵୀକାର କରିଛନ୍ତି । କିନ୍ତୁ ବଡ଼ କଥା ହେଉଛି ଯୁବତୀ ଜଣଙ୍କୁ ନଦେଖି, କେବଳ ତାଙ୍କ କଣ୍ଠସ୍ୱର ଶୁଣି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଘଟଣା ରାଜଧାନୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସୋସିଆଲ ମିଡିଆରେ ପ୍ରେମ କରୁଥିବା ଯୁବକ ଯୁବତୀଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବା ପାଇଁ ଅନୁରୋଧ କରିଛନ୍ତି ଠକେଇର ଶିକାର ଯୁବକ ।

ପ୍ରେମ କରିବା ଭୁଲ ନୁହେଁ । କିନ୍ତୁ ଭୁଲ ମଣିଷକୁ ପ୍ରେମ କରି ବସିଲେ ଏଭଳି ଦଶା ଭୋଗିବାକୁ ପଡେ ବୋଲି କହିଛି ପୋଲିସ ।

ପରିବାରର ହସ ଛଡ଼ାଇ ନେଇଛି ଅଜଣା ରୋଗ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ପୁରୀ: ପୁରୀ ନିମାପଡା ନୂଆପାଟଣା ଗାଁର ବା ରଞ୍ଜନାବାଳା ପାଳ। ପରିବାର କହିଲେ ଦୁଇପୁଅ ଆଉ ସ୍ୱାମୀ ରବିନାରାୟଣ ପାଳ। ଦିନ ଥିଲା ସ୍ୱାମୀ ରୋଜଗାରରେ ଚଳୁଥିଲା ଘର। ଦଇବର ଇଚ୍ଛା କଣ ଥିଲା କେଜାଣି, ଅକସ୍ମାତ ମାଡି ବସିଲା ଅଜଣା ରୋଗ। ଅକ୍ରମଣ୍ୟ ହେଇଗଲେ ରବିନାରାୟଣ। ସେଇଦିନ ଠୁ ସତେ ଯେମିତି ପରିବାରର ହସ ଖୁସି କୁଆଡେ ହଜିଯାଇଛି। ସ୍ବାମୀ ଅସୁସ୍ଥ ହେବା ପରେ ତାଙ୍କ ଚିକିତ୍ସା ତ ଦୂରର କଥା ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ଯ ସଂଘର୍ଷ କରୁଛି ପରିବାର।

ରଞ୍ଜନାଙ୍କ ଦୁଇଟି ପୁଅ। ବଡ ପୁଅ ଶିବପ୍ରସାଦ ପାଳ ଜନ୍ମରୁ ଦିବ୍ୟଙ୍ଗ। ନା କାନକୁ କିଛି ଶୁଣାଯାଏ ନା ସେ କିଛି କହିପାରେ। ସମସ୍ତଙ୍କ ଦୁଃଖ କଷ୍ଟକୁ କାନ୍ଧରେ ବୋହି ରଞ୍ଜନା ଏବେ ପରିବାର ଚଳାଉଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଚିକା ରୂପେ କାମ କରୁଛନ୍ତି। ଏଥିସହ ରଞ୍ଜନା ଦିନ ମଜୁରିଆ ରୂପେ କାମ କରିବା ସହ ସୂତା ମଧ୍ୟ କାଟନ୍ତି। ସେତିକିରେ ଚଳିବା କଷ୍ଟ ହେଉଥିବାରୁ ଆର୍ଥିକ ସହାୟତା ପାଇଁ ପରିବାର ନିବେଦନ କରିଛି। ଗରିବ ପରିବାରକୁ କେହି ସହୃଦୟ ବ୍ଯକ୍ତି ସହଯୋଗ କଲେ ପରିବାରର କଷ୍ଟ ଦୂର ହୋଇପାରନ୍ତା।

ମା’ ଉଗ୍ରତାରାଙ୍କ ମନ୍ଦିର ଉନ୍ନତିକରଣ ପାଇଁ ହେଲା ଶିଳାନ୍ୟାସ, ୨୫ କୋଟି ବ୍ୟୟରେ ହେବ ସୌନ୍ଦର୍ଯ୍ୟକରଣ

ଖୋର୍ଦ୍ଧା: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଖୋର୍ଦ୍ଧା ଟାଙ୍ଗି ବ୍ଲକ  ମୂଳିଝର ଗଡ଼ରେ ଥିବା ମା’ ଉଗ୍ରତାରାଙ୍କ ମନ୍ଦିର। ଏହାର ଉନ୍ନତିକରଣ ସହ ମାଙ୍କ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ହୋଇଛି ଶିଳାନ୍ୟାସ।  ଭିଡିଓ କନଫରେନ୍ସ ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶିଳାନ୍ଯାସ ହୋଇଛି। ୨୫ କୋଟି ଟଙ୍କା ବ୍ୟୟରେ ମା ଉଗ୍ରତାରାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ହେବ।

ଉଗ୍ରତାରାଙ୍କ ମନ୍ଦିର 16ନଂ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂର ସହ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ବହୁ ପୁରାତନ ମନ୍ଦିର ହୋଇଥିବାରୁ ପ୍ରତ୍ଯେକ ଦିନ ଏଠାରେ ଭକ୍ତଙ୍କର ଭିଡ଼ ଜମେ।  ତେଣୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକେ ମାଆଙ୍କ ପୀଠର ଉନ୍ନତି ପାଇଁ ଦାବି କରିଆସୁଥିଲେ। 5T  ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ମାଆ ଉଗ୍ରତାରାଙ୍କ ମନ୍ଦିରକୁ ପରିଦର୍ଶନ କରି ଏହାର ରୂପାନ୍ତରୀଣ ଯୋଜନାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ତାହା ପରଖି ଥିଲେ। ମା ଉଗ୍ରତାରାଙ୍କ ପରୀକ୍ରମା ମାର୍ଗ ସହ,  ସେବାୟତଙ୍କ ବିଶ୍ରାମ ଭବନ,  ତୀର୍ଥ ଯାତ୍ରୀ ବିଶ୍ରାମ ଗୃହ , ଦୋକାନ ଘର,  ଭୋଗ ମଣ୍ଡପ ଆଦିର ଯୋଜନା ହୋଇଛି। ଶକ୍ତିପୀଠର ବାକିଶମୂଳକ କାର୍ଯ୍ୟ ନେଇ ଅଞ୍ଚଳବାସୀ ଖୁସି।

ସ୍ବାବଲମ୍ବୀ କରୁଛି କ୍ୟାପସିକମ୍ ଚାଷ, ଆଦିବାସୀ ଅଞ୍ଚଳରେ ବଢ଼ୁଛି ଚାଷ ପ୍ରତି ଆଗ୍ରହ

କନ୍ଧମାଳ: କ୍ଯାପସିକମ ଚାଷ କରି ସ୍ବାବଲମ୍ବୀ ପାଲଟିଛନ୍ତି ଚାଷୀ । କନ୍ଧମାଳ ଜିଲ୍ଲା ଆଦିବାସୀ ଅଞ୍ଚଳରେ ଲୋକେ କ୍ୟାପସିକମ ଚାଷ କରୁଛନ୍ତି । ରାଜ୍ଯ ସରକାରଙ୍କ ଜିବିକା ମିଶନ ଓ ଆଇଟିଡିଏର ପ୍ରୋତ୍ସାହନରେ ଉପକୃତ ହେଉଛନ୍ତି ଚାଷୀ ।  ପ୍ରଥମ ପର୍ଯ୍ଯାୟରେ ସରାକାରଙ୍କ ପକ୍ଷରୁ ତିନୋଟି ବ୍ଲକର ୮୦ ଜଣ ଚାଷୀଙ୍କୁ କ୍ଯାପସିକମ ମଞ୍ଜି ଯୋଗାଇ ଦିଆଯାଇଛି । ଏହାର ବଜାରରେ ଚାହିଦା ଭଲ ରହିଛି । କିଲୋପିଛା ୭୦ ରୁ ୮୦ ଟଙ୍କାରେ ହେଉଛି ବିକ୍ରି । ଚାଷ କରି ଭଲ ଦୁଇ ପାଇସା ରୋଜଗାର କରୁପାରୁଛନ୍ତି ଚାଷୀ । ଏନେଇ ରାଜ୍ଯ ସରକାରଙ୍କୁ ଚାଷୀ ଧନ୍ଯବାଦ ଜଣାଇଛନ୍ତି ।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଖଜୁରୀପଡ଼ା, ବ୍ଲକର ଚାଷୀ ଏହି କ୍ୟାସିକମ୍ ଚାଷ କରିଛନ୍ତି l ଫୁଲବାଣୀ ଗୁମାଗଡ଼ ପଞ୍ଚାୟତ ପ୍ରାଡ଼ିପଦର ଗାଁର ପ୍ରମୋଦ କହଁର ଚାଷ କରି ୬ କୁଇଣ୍ଟାଲ କ୍ଯାପସିକମ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି l ପ୍ରତ୍ଯେକ ଚାଷୀ ୧୫ ରୁ ୨୦ ଏକର  କ୍ଯାପସିକମ ଚାଷ କରୁଛନ୍ତି l ଏହି ଚାଷ ଭଲ ହୋଇଥିବାରୁ ଅନ୍ୟ ଚାଷୀ ମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିବା ନେଇ ଆଇ ଟି ଡି ଏ ର ପ୍ରୋଜେକ୍ଟ ମ୍ୟାନେଜର୍ କହିଛନ୍ତି ।