spot_img
Home Blog Page 2121

ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡିଆ ଡାକ୍ତର

ପୁଣେ : ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡିଆ ଡାକ୍ତର। ହଠାତ୍ ଉଡୁଥିବା ବିମାନରେ ଅସୁସ୍ଥ ହୋଇପଡିଥିଲେ ହୃଦ୍‌ଘାତରେ ପୀଡିତ ଥିବା ଜଣେ ମହିଳା। ମହିଳାଙ୍କ ଜୀବନ ରକ୍ଷା କରିବା ପାଇଁ ବିମାନରେ ଚହଳ ପଡିଯାଇଥିଲା। ସେହି ସମୟରେ ଦେବଦୂତ ସାଜିଥିଲେ ବିମାନରେ ଉପସ୍ଥିତ ଥିବା କିମସ୍ ଡାକ୍ତର। ହୃଦରୋଗ ବିଶେଷଜ୍ଞ ଅଶୋକ କୁମାର ବଡମାଳି ଅସୁସ୍ଥ ହୋଇଥିବା ମହିଳାଙ୍କ ଜୀବନ ରକ୍ଷା କରିଥିଲେ ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୭ ରବିବାର ସକାଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଦିଲ୍ଲୀରୁ ପୁଣେକୁ ଯାଉଥିଲେ ଡାକ୍ତର ଅଶୋକ ବଡମାଳି। ସେହି ବିମାନରେ ଜଣେ ମହିଳାଙ୍କର ହୃଦଘାତ ହୋଇଥିଲା। ହଠାତ୍ ମଝି ଆକାଶରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ କ୍ୟାବିନ କ୍ରୁ ସଦସ୍ୟ ଘୋଷଣ କରିଥିଲେ ଯେ, ବିମାନରେ ଯଦି କେହି ଡାକ୍ତର କିମ୍ୱା ନର୍ସ ଅଛନ୍ତି ତେବେ ଜଲଦି ସହାୟତା କରନ୍ତୁ । ଏହି ଘୋଷଣା ଶୁଣି ଡାକ୍ତର ଅଶୋକ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଅସୁସ୍ଥ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ସେ ହୃଦଘାତ ବିଷୟରେ ଜାଣିବାକୁ ପାଇଥିଲେ। ଡାକ୍ତର ଅଶୋକ କ୍ରୁ ମେମ୍ୱରଙ୍କ ସାହାଯ୍ୟରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ତୁରନ୍ତ ଯୋଗାଇ ଦେଇଥିଲେ। ଏହାପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଶୁଦ୍ଧାର ଆସିଥିଲା।

ବିମାନଟି ପୁଣେରେ ଅବତରଣ କରିବା ବେଳକୁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା। ମହିଳା ଜଣଙ୍କ ଡାକ୍ତର ଅଶୋକଙ୍କ ସମେତ ବିମାନର କ୍ରୁ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ବ୍ୟୁରୋ ରିପୋର୍ଟ: ନିର୍ବାଚନ ପୂର୍ବରୁ ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଜଣ ଏସପିଙ୍କୁ ବଦଳି କରିବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଏସପି ଓ ଦେବଗଡ଼ ଏସପିଙ୍କୁ  ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅଣ-କ୍ଯାଡର ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଅଣକ୍ୟାଡର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ରାଜ୍ୟର ମୋଟ ୫ ଜିଲ୍ଲାପାଳ, ୮ ଜଣ ଏସପି ଏବଂ ଏସଏସପିଙ୍କୁ ବଦଳି କରିବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନିର୍ବାଚନ ଆୟୋଗ ଯେଉଁ ଅଣକ୍ୟାଡର ଅଧିକାରୀମାନେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ ସୁପରିଟେଣ୍ଡେଣ୍ଟ (ପୁଲିସ ଅଧୀକ୍ଷକ) ପଦବୀରେ ଅଛନ୍ତି ସେମାନଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ଚାରୋଟି ରାଜ୍ୟକୁ ଏହି ନୋଟିସ୍ ପଠାଯାଇଛି।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ। ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ କ୍ଷମା ପ୍ରାର୍ଥନା କରିଛି ପତଞ୍ଜଳି। ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ମାନ୍ୟବର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି।

ସୂଚନା ଅନୁଯାୟୀ, କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ସୁପ୍ରିମକୋର୍ଟ ପତଞ୍ଜଳିକୁ ନୋଟିସ୍ ପଠାଇଥିଲେ। ଆଜି ପତଞ୍ଜଳି ପକ୍ଷରୁ ଏନେଇ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଆଫିଡେଭିଟ୍‌ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶୃତି ଦେଉଛି।

ସେ ଆହୁରି କହିଛନ୍ତି, କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଏବଂ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହରକୁ ଗୁରୁତ୍ୱ ଦେବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର

ଭୁବନେଶ୍ୱର:  କମିଶନରେଟ ପୋଲିସ ଟାର୍ଗେଟରେ ନିଶାଡ଼ି ଡ୍ରାଇଭର। ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ହୋଇଛି ଚେକିଂ। ରସୁଲଗଡ଼,ବମିଖାଲ, ଲକ୍ଷ୍ମୀସାଗର,ରାଜମହଲ, ଡେଲ୍ଟା ଛକ, ଆପୋଲୋ ହସ୍ପିଟାଲ ଓ କିଟ ଛକରେ ଚେକିଂ ଓ ବ୍ଳକିଂକୁ ବ୍ୟାପକ କରାଯାଇଛି। ଗତକାଲି ସେଫ ସିଟି ଡ୍ରାଇଭ ଅଧୀନରେ ୧୨ଟି ସେକ୍ସନ ଫୋର୍ସ ମୁତୟନ ହୋଇ ଚେକିଂ କରିଥିଲେ।

ନିଶାପାନ କରି ଗାଡ଼ିଚଳାଉଥିବା ଡ୍ରାଇଭରଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ମଦ ପିଇ ଗାଡି ଚଲାଉଥିଲେ ମୋଟା ଅଙ୍କର ଜରିମାନା ସହ ଗାଡ଼ିଗୁଡିକୁ ସିଜ କରାଯିବ। ଆଗକୁ ମଧ୍ୟ ଏଭଳି ଚେକିଂ ଚାଲିବ ବୋଲି ଡିସିପି କହିଛନ୍ତି।

ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି, ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି। ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା। ଆଜି ତିନୋଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳ ସାଢେ ୧୦ଟାରୁ ବ୍ରହ୍ମପୁର ଓ ସାଢେ ୧୧ଟାରୁ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ବ୍ରହ୍ମପୁର ସାଂସଦଙ୍କ ସହ ଲୋକସଭା କ୍ଷେତ୍ରରେ ଆସୁଥିବା ସମସ୍ତ ବିଧାନସଭା ଆସନର ବିଧାୟକ, ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ଯବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚିକିଟି ବିଧାୟିକା ଉଷା ଦେବୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ବିଜେଡି ନେତା ସୁବାସ ମହାରଣା, ବିପ୍ଳବ ପାତ୍ର, ନାରାୟଣ ଜେନା ପ୍ରମୁଖ ବୈଠକରେ ଯୋଗଦେଇଛନ୍ତି। ସବୁ ନେତାଙ୍କ ସହ ୱାନ ଟୁ ୱାନ କରୁଛନ୍ତି ମୁଖ୍ଯମନ୍ତ୍ରୀ ।

ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ ସହ ଲୋକଙ୍କର ଅଧିକ ନିକଟର ହୋଇ ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଉଛନ୍ତି ନବୀନ। ବୈଠକରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି। ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଉଛି। ସେହିପରି ଅପରାହ୍ମରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ଆକ୍ସନ ମୋଡରେ କୁଲଡିହା ବନବିଭାଗ, ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ

ବାଲେଶ୍ବର: ଶିକାରୀ ଗୁଳିରେ ୨ ସବୁଜ ବାହିନୀ ଗୁରୁତର ପରେ ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି।

ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି । କୁଲଡିହାରେ ଦୁଇଜଣ ସବୁଜ ବାହିନୀ କର୍ମଚାରୀ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ।

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଚୋଟରେ ଦୁଇ ଯୁବକ ଆହାତ

ଚାନ୍ଦବାଲି: ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ। ଯୁବକଙ୍କ ଟାଙ୍ଗିଆ ଆକ୍ରମଣରେ ଦୁଇ ଆହାତ । ଚାନ୍ଦବାଲି ପଳାଶପୁର ଗାଁର ଘଟଣା। ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା ଘଟାଇଲା ଉନ୍ମତ କାଣ୍ଡ। ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ଗୋଡାଇ ଗୋଡାଇ ହାଣିଲା ଯୁବକ।

ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗାଁର ଦୁଇ ଜଣ ଆହତ ହୋଇଛନ୍ତି। ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି । ଚାନ୍ଦବାଲି ପୋଲିସ ଗାଡି ସହ ୧୦୮ ଆମ୍ବୁଲାନ୍ସ ଗାଡିକୁ ଟାଙ୍ଗିଆରେ ଚୋଟ ପକାଇଛନ୍ତି ଯୁବକ।  ଶେଷରେ ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଛି । ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର।

ବିଷାକ୍ତ ମଦ ପିଇ ପଞ୍ଜାବରେ ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ପଞ୍ଜାବର ସଙ୍ଗରୁରେ ୪ ଜଣଙ୍କର ମୃତ୍ୟୁ। ଦିର୍ବା ଥାନା ଅଧୀନସ୍ଥ ଗୁଜରନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ୪ଜଣ ବ୍ଯକ୍ତି ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମଦ ଯୋଗାଣ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ୍ କହିଛି। ମୃତ ବ୍ୟକ୍ତିମାନେ ହେଲେ ଭୋଲା ସିଂ, ନିର୍ମଲ ସିଂ ଓ ପରଗେଟ୍ ସିଂ ଏବଂ ଜଗଜିତ୍ ସିଂ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତିରେ ମଦ ପିଇବା ପରେ ସକାଳୁ ଗାଁ ରାସ୍ତାରେ ସେମାନଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ୨୦୨୩ ଏପ୍ରିଲରେ ମଧ୍ୟ ସଙ୍ଗରୁରରେ ବିଷାକ୍ତ ମଦ ପିଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୦ ଅଗଷ୍ଟରେ ପଂଜାବର ୩ଟି ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ବାଲେଶ୍ବର ରାଇବଣିଆ ଅଞ୍ଚଳରେ ୬୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ୬୦ଟିକିଆ ହାତୀପଲ ପ୍ରବେଶ କରି କରୁଛନ୍ତି ଉତ୍ପାତ। ସର୍ଦ୍ଦାରବନ୍ଧ, ରାଇବଣିଆ, ଓଲମରା  ପଞ୍ଚାୟତର ବିଭିନ୍ନ ଗାଁରେ ହାତୀ ପଶି ବ୍ଯାପକ କ୍ଷୟକ୍ଷତି କରୁଛନ୍ତି। ଗାଆଁ ଭିତରେ ଏକାବେଳେ ଏତେ ହାତୀ ପଶୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଦେଇ ହାତୀପଲ ସର୍ଦ୍ଦାରବନ୍ଧ ଅଂଚଳରେ ପ୍ରବେଶ କରିଥିବା ସୂଚନା ମିଳିଛି।

ହାତୀପଲ ଦୁଇଟି ଦଳରେ ବିଭକ୍ତ ହୋଇ ଗୋଟିଏ ଦଳ କାଲାଯୋଡ଼ି ଜଙ୍ଗଲରେ ଥିବାବେଳେ ଅନ୍ୟ ଦଳଟି ରାଇବଣିଆ ଦୁର୍ଗ ନିକଟରେ ଥିବା କାଜୁ ଜଙ୍ଗଲରେ ରହିଥିବା ଜଣାପଡିଛି। ଜଳେଶ୍ବର ବିନବିଭାଗ ଏବଂ ଗଜସାଥି ପହଞ୍ଚି ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ଯମ କରୁଛି।

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହେଲେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର

ବାଲିଗୁଡ଼ା: ବିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ । ଗିରଫ ହେଲେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ରସାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ନ୍ଯାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରିଥିଲେ ରସାନନ୍ଦ।

ସୂଚନା ଅନୁୟାୟୀ, ଗତ ଜାନୁଆରୀ ମାସରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ନିଜ ଆକାଉଣ୍ଟକୁ ନେଇ ତାହାକୁ ସେୟାର ମାର୍କେଟରେ ଲଗାଇଥିଲେ ରସାନନ୍ଦ କର। ସରକାରୀ ଅର୍ଥର ଅପବ୍ଯବହାର ଓ ହଡ଼ପ ଅଭିଯୋଗରେ ରସାନନନ୍ଦଙ୍କ ଉପରେ ଗତ ମାସେ ଧରି ନଜର ରଖିଥିଲା ଭିଜିଲାନ୍ସ। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ରସାନନ୍ଦ ଏତେଟଙ୍କା କିପରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଏବଂ ତାଙ୍କୁ ଏଥିରେ ଆଉ କେହି ସହଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ଼ କରାଯାଉଛି। ପୂର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।