ରାଜଧାନୀରେ ଘଟିଯାଇଛି ଏକ ବଡ଼ ଅଘଟଣ । ପାହାଳ ଥାନା ଜୟରଶାସନ ବସ୍ତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ କଲାମ ଖାଁ ଓ ସଲିମ ଖାଁଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଦୁଇଟି ବାଇକ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁ ନିଆ ଲାଗି ସଲିମ ଖାଁଙ୍କ ଘରକୁ ବ୍ୟାପିଥିଲା । ଗ୍ରାମର ଯୁବକ ମାନେ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭାଇବା ସମୟରେ ଜଣେ ଯୁବକ ଆହତ ହୋଇଛନ୍ତି । ପାହାଳ ଦମକଳବାହିନୀ ନିଆଁ ଲିଭାରେ ସାହାଯ୍ୟ କରିଥିଲେ । ସର୍ଟସର୍କିଟ କାରଣରୁ ଘଟିଥିବା ଏହି ଅଗ୍ନିକାଣ୍ଡକୁ ନେଇ ଏବେ କ୍ଷତିଗ୍ରସ୍ତ ପରିବାର ଚିନ୍ତାରେ ରହିଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ଗ୍ରାମର ଯୁବକମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଫଳରେ ଏକ ବଡ଼ ଅଘଟଣକୁ ଏଡ଼ାଇ ପାରିଥିଲେ ।
ନିମ୍ନମାନର କାମ କରି କୋଟି କୋଟି ଟଙ୍କା ହଡପ
ନିମ୍ନମାନର କାମ କରି କୋଟି କୋଟି ଟଙ୍କା ହଡପ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ଅଧୀନରେ ଥିବା ୯ ଟି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି ଜଟଣୀ ପୌରପରିଷଦ। ଉଦେଶ୍ୟ ଥିଲା ପୌରାଞ୍ଚଳରେ ବସବାସ କରୁଥିବା ଜନ ସାଧାରଣ ଡ୍ରେନେଜ ଓ ରାସ୍ତା ଭଳି ମୌଳିକ ସୁବିଧା ପାଇ ପାରିବେ। ହେଲେ ବିଡ଼ମ୍ବନାର ବିଷୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା କିଛି ରାସ୍ତାର କାମ ଆରମ୍ଭ କରାଯାଇ ରାତି ଅଧରେ ଭଲ ଥିବା ରାସ୍ତା ଉପରେ ପିଚୁ ପକା ଯାଉଛି । ପଡ଼ିଥିବା ପିଚୁର ମାନ ଅତି ନିମ୍ନମାନର ହୋଇଥିବାରୁ ପିଚୁରୁ ଗୋଡି ବାହାରି ପଡୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଜଟଣୀ ପୌରପରିଷଦ ଓ ପୂର୍ତ୍ତ ବିଭାଗଙ୍କ ମଧୁଚନ୍ଦ୍ରୀକା ପାଇଁ ଭଲ ଥିବା ରାସ୍ତାରେ ନିମ୍ନ ମାନର ପିଚୁ ପକାଇ କୋଟି କୋଟି ଟଙ୍କା ହଡପ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ମହାନଦୀରେ କୁମ୍ଭୀର ଆତଙ୍କ: ଯୋବ୍ରା ବ୍ରିଜ ନିକଟରେ ପାଖାପାଖି ୧୮ ଫୁଟର କୁମ୍ଭୀର ଦେଖି ଲୋକେ ଆତଙ୍କିତ
ମହାନଦୀରେ କୁମ୍ଭୀର ଆତଙ୍କ । କଟକ ଯୋବ୍ରା ବ୍ରିଜ ନିକଟ ମହାନଦୀରେ ବିରାଟ କୁମ୍ଭୀର ଦେଖି ଆତଙ୍କିତ ଲୋକେ । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଛି । ପ୍ରାୟ ୧୮ ଫୁଟ୍ ର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି କଟକ ଯୋବ୍ରା ଆନିକଟରେ । କୁମ୍ଭୀରଟି ପାଣି ଉପରକୁ ଆସି ବିଶ୍ରାମ କରୁଥିବା ଲୋକେ ଦେଖିଥିଲେ । କଟକର ଚାରିପାଖରେ ଏକାଧିକ ନଦୀ ରହିଥିବା ବେଳେ ବିଭିନ୍ନ ସେତୁରେ ଅନେକ ସମୟରେ କୁମ୍ଭୀର ଦେଖିବାକୁ ମିଳିଥାଏ । ମତ୍ସ୍ୟଜୀବୀମାନେ ମାଛ ମାରି ସେମାନଙ୍କର ଜୀବିକା ନିର୍ବାହ କରୁଥିବା ବେଳେ କୁମ୍ଭୀରକୁ ଦେଖିବା ପରେ ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି । ଯୋବ୍ରା ଆନିକଟର ଗେଟ ଠାରୁ ପାଖାପାଖି ୧୦୦ ଦୂରତାରେ ବାଲି ଟାପୁ ଉପରେ କୁମ୍ଭୀରଟି ପଡ଼ି ରହିଛି ।
ବିଦ୍ୟାଳୟ ଛାତରୁ ସ୍ଲାବ ଖସି ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତର
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ଗ୍ରାମରେ ଥିବା ୟୁପି ବିଦ୍ୟାଳୟରେ ଅଘଟଣ l ବିଦ୍ୟାଳୟ ଛାତରୁ ବଡ଼ ବଡ଼ ସ୍ଲାବ ଖସି ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତର ହୋଇଛନ୍ତି । ଗ୍ରାମବାସୀମାନେ ଶିକ୍ଷୟିତ୍ରୀଙ୍କୁ ଏରସମା ମେଡିକାଲରେ ଭର୍ତ୍ତି କରିଛନ୍ତି । ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଡୁଥିବା ଦେଖିବାକୁ ମିଳିଛି l ଏହି ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ସହିତ ଗ୍ରାମବାସୀ ମାନେ ବିଦ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ।
ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ, ୫ ଜଣ ଗିରଫ
ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ, ୫ ଜଣ ଗିରଫ
ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ପୋଲିସ ହାତରେ ସାଇବର କ୍ରାଇମରେ ବ୍ୟବହାର ହେଉଥିବା ବ୍ୟାଙ୍କ ଜମା ଖାତାଧାରୀ ରାକେଟ । ରାକେଟ ଚଳାଉଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ସମେତ ୫ ଜଣଙ୍କୁ କନ୍ଧମାଳ ସାଇବର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ବିଭିନ୍ନ ବ୍ୟାଙ୍କରେ ଖୋଲା ଯାଇଥିବା ୧୬ଟି ଜମା ଖାତା, ୮ଟି ଏଟିଏମ, ଗୋଟିଏ ଲାପଟପ, ୧୧ଟି ମୋବାଇଲ ଓ ଗୋଟିଏ ପାସପୋର୍ଟ ଜବତ ।
ଗିରଫ ହୋଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନାମ ତୁଷାରକାନ୍ତି ଦାସ । ସେ ଭୁବନେଶ୍ୱରର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ଅନ୍ୟ ୪ ଜଣଙ୍କ ନାମ ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଏବଂ ବାଦଲ କୁମାର ସ୍ୱାଇଁ । ଏମାନଙ୍କ ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ବୋଲି କନ୍ଧମାଳ ଏଏସପି ରାମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।
ଆମେରିକାକୁ ଡେନମାର୍କର ଖୋଲା ଚେତାବନୀ, ଆକ୍ରମଣକୁ ବରଦାସ୍ତ କରିବୁନି
ଆମେରିକାକୁ ଡେନମାର୍କର ଖୋଲା ଚେତାବନୀ, ଆକ୍ରମଣକୁ ବରଦାସ୍ତ କରିବୁନି
ନନ୍ଦିଘୋଷ ବ୍ୟୁରୋ: ଆମେରିକାକୁ ଡେନମାର୍କର ଖୋଲା ଚେତାବନୀ । ଯଦି ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କରେ ତେବେ ଏହାର ସୁରକ୍ଷା ଲାଗି ଡେନମାର୍କ ଆଗେଇ ଆସିବ ବୋଲି କହିଛନ୍ତି ସାଂସଦ ତଥା ଦେଶର ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ରାସମସ ଜାର୍ଲୋଭ। ସେ କହିଛନ୍ତି, ଯଦିଓ ଆମେରିକା ସହ ଡେନମାର୍କ ସୈନ୍ୟ ଟକ୍କର ଦେବାକୁ ସକ୍ଷମ ହେବେ ନାହିଁ ତଥାପି ଆମେରିକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ।
ସେ ଆଗକୁ କହିଛନ୍ତି, ସାମରିକ ଭାବେ ଡେନମାର୍କ ଉପରେ ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ । ଯଦି ଏହା ଘଟେ ତେବେ ନାଟୋ ମେଣ୍ଟରେ ଥିବା ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଘଟିବ ଯାହା ବିପର୍ଯ୍ୟୟ ସୃଷ୍ଟି କରିବ । ଗ୍ରୀନଲ୍ୟାଣ୍ଡରେ ଆମେରିକାର ପ୍ରବେଶ ଘଟି ସାରିଛି । ତେଣୁ ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାର କୌଣସି ମାନେ ନାହିଁ । ଗ୍ରୀନଲ୍ୟାଣ୍ଡ ବିକ୍ରି ଲାଗି ଉଦ୍ଦିଷ୍ଟ ନୁହେଁ । ଆମେରିକୀୟ ହେବାକୁ ଆମେ ୫୭ ହଜାର ଡେନମାର୍କ ନାଗରିକଙ୍କୁ ବିକ୍ରି କରିପାରିବୁ ନାହିଁ ।
ସେପଟେ ଯଦି ଗ୍ରୀନଲ୍ୟାଣ୍ଡକୁ ନେବା ଲାଗି ଆକ୍ରମଣ କରାଯାଏ ତେବେ ସେଠାରେ ୭୬ ବର୍ଷ ଧରି ଚାଲିଥିବା ପାଶ୍ଚାତ୍ୟ ସାମରିକ ଆଧିପତ୍ୟର ବିଲୋପ ଘଟିବ ବୋଲି ଚେତାବନୀ ଦେଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସନ ।

