ନନ୍ଦିଘୋଷ ବ୍ୟୁରୋ : ନେପାଳ ପ୍ରଳୟରୁ ଅଳ୍ପକେ ବର୍ତ୍ତି ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି ଓଡ଼ିଶାର ଝିଅ କୁଲସୁମ ନିଗାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ୨୩ ନମ୍ବର ୱାର୍ଡ ନାଥ ସାହିରେ ଥିବା ବାସଭବନରେ ପହଞ୍ଚିବା ପରେ ନନ୍ଦିଘୋଷ ଟିଭି ଆଗରେ ବଖାଣିଛନ୍ତି ପ୍ରଳୟ ସମୟର ଭୟାନକ ଅନୁଭୂତି। ନେଟୱର୍କ ନଥିବାରୁ ପ୍ରଥମେ ପ୍ରଳୟ ସମ୍ପର୍କରେ କିଛି ସୂଚନା ମିଳିନଥିଲା। ସେମାନେ ରହୁଥିବା ସ୍ଥାନଠାରୁ ଦୁର୍ଘଟଣା ସ୍ଥଳ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିଲା।
ପରେ ମୋବାଇଲ ନେଟୱର୍କ ଆସିବା ପରେ ସ୍ଥିତିର ଗମ୍ଭୀରତା ଜାଣି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ନେପାଳ ପୋଲିସ ଓ ପ୍ରଶାସନ ସେମାନଙ୍କ ସହ ଯୋଗାଯୋଗ କରି ସହାୟତା ଯୋଗାଇଥିଲା। ସୁରକ୍ଷିତ ଘରକୁ ଫେରିଥିବାରୁ ସେ ଓଡ଼ିଶା ସରକାର ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇବା ସହ ଏବେ ବି ସେଠାରେ ଫସି ରହିଥିବା ଅନ୍ୟ ଲୋକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରିଛନ୍ତି।

