spot_img
Home Blog Page 21

ବାଂଲାଦେଶୀ କ୍ରିକେଟର ମସ୍ତାଫିଜୁର ରହମାନଙ୍କୁ କେକେଆର ଟିମରୁ ବାଦ ଦେବାକୁ ବିସିସିଆଇର ନିର୍ଦ୍ଦେଶ

ବାଂଲାଦେଶୀ କ୍ରିକେଟର ମସ୍ତାଫିଜୁର ରହମାନଙ୍କୁ କେକେଆର ଟିମରୁ ବାଦ ଦେବାକୁ ବିସିସିଆଇର ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ହିଂସା, ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଆକ୍ରମଣ ନେଇ ସବୁଠି ଅସନ୍ତୋଷ । ଯାହାର ପ୍ରଭାବ କ୍ରିକେଟ ଉପରେ ପଡିଛି । ବଲିଉଡ଼ ଷ୍ଟାର ଶାହରୁଖ ଖାନଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ ରାଇଡର୍ସ ବାଂଲାଦେଶୀ ଖେଳାଳିଙ୍କୁ ନିଲାମରେ କିଣି ବିବାଦରେ । ଦିନକୁ ଦିନ ବିବାଦ ତୀବ୍ର ହେଉଥିବା ବେଳେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କେକେଆର ଟିମରୁ ବାଦ ଦେବାକୁ ବିସିସିବିଆଇ ନିର୍ଦ୍ଦେଶ ଦେଇଛି ।

କେକେଆର ଲାଗି ମୁସ୍ତାଫିଜୁରଙ୍କୁ କ୍ରୟ କରି ବିବାଦରେ ଫସିଥିଲେ କିଙ୍ଗ ଖାନ ଶାହରୁଖ । ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିବାରୁ ସାରା ଦେଶରେ ପ୍ରତିକ୍ରିୟାପ୍ରକାଶ ପାଇବାରେ ଲାଗିଛି । ଦେଶର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଶାହରୁଖଙ୍କୁ ଏଥିରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ । ଶାହରୁଖ ଭାରତୀୟଙ୍କ ମନୋଭାବକୁ ସମ୍ମାନ ଦେବା ଉଚିତ । ଶାହରୁଖଙ୍କୁ ଯାହା ସମ୍ମାନ, ପ୍ରସିଦ୍ଧି ମିଳିଛି ତାହା ଭାରତୀୟଙ୍କ ଲାଗି ମିଳିଛି । ତେଣୁ ଶାହରୁଖ ବାଂଲାଦେଶୀ କ୍ରିକେଟରଙ୍କୁ କିଣିବା ଉଚିତ ନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି ।

ଏପରିକି ଏହି ଘଟଣାରେ ଶାହରୁଖଙ୍କୁ ଦେଶଦ୍ରୋହୀ, ଗଦ୍ଦାର ଓ ଆତଙ୍କବାଦୀ ବୋଲି ମଧ୍ୟ କହି ଆକ୍ଷେପ କରାଯାଇଛି । ତଥାକଥିତ ଧର୍ମଗୁରୁ ଦେବକୀନନ୍ଦନ ଠାକୁର ଓ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଶାହରୁଖଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶାହରୁଖ ଯାହା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ତେବେ ପ୍ରଥମେ ଏହାକୁ ନେଇ ଅଙ୍ଗୁଳି ଉଠାଇଥିଲେ ବିଜେପି ନେତା ସଙ୍ଗୀତ ସୋମ । ଶାହରୁଖଙ୍କ ପରି ବ୍ୟକ୍ତି ଭାରତରେ ରହିବା ଉଚିତ ନୁହେଁ । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଥିବାବେଳେ ତାଙ୍କ ଖେଳାଳି କିଣିବା ଗଦ୍ଦାର କାମ ବୋଲି ସେ କହିଥିଲେ । ଏଥିରେ ସ୍ବର ମିଳାଇଥିଲେ କଥାବାଚକ ଧୀରେନ୍ଦ୍ରନାଥ ଶାସ୍ତ୍ରୀ ।

ଅନ୍ୟପଟେ ଅଲ ଇଣ୍ଡିଆ ମୁସଲିମ ଜମାତର ଅଧ୍ୟକ୍ଷ ଶାହବୁଦ୍ଦିନ ରଜଭି ବରେଲିଭ ଶାହରୁଖଙ୍କୁ ସମର୍ଥନମରେ ବାହାରିଛନ୍ତି । ସେ କହିଛନ୍ତି, ଶାହରୁଖ କେବେ କେଉଁଠି ବାଂଲାଦେଶ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ସଠିକ କହିନାହାଁନ୍ତି । ତେଣୁ ତାଙ୍କୁ ଗଦ୍ଦାର, ଆତଙ୍କବାଦୀ କହିବା ଠିକ ନୁହେଁ । ସେହିପରି ସପା ନେତା ଜିଆ ଚୌଧୁରୀ ସଂଗୀତ ସୋମଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସଂଗୀତ ଡିପ୍ରେସନକୁ ଚାଲିଯାଇଛନ୍ତି । ତୃଣମୂଳ କଂଗ୍ରେସର ଜଣେ ନେତା ଫିରହାଦ ହାକିମ ଏହା ଉପରେ ପ୍ରତିକ୍ରିୟ। ଦେଇ ବିଜେପିକୁ ପ୍ରଶ୍ନ କରିଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବା କ’ଣ ଦେଶଦ୍ରୋହୀ କାର୍ଯ୍ୟ ନୁହେଁ ?

ମହିଳା ବିଡିଓଙ୍କୁ ଘେରି ଯାଇ ୪୦ରୁ ଅଧିକ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

ମହିଳା ବିଡିଓଙ୍କୁ ଘେରି ଯାଇ ୪୦ରୁ ଅଧିକ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି । ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ମହିଳା ବିଡିଓଙ୍କୁ ୪୦ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ କରିଥିବା ଅଭିଯୋଗ । ଏପରିକି କମ୍ପ୍ୟୁଟର ଉଠାଇ ତାଙ୍କୁ ମାରିବାକୁ ବିଜେପିର ଲଳିତ କୁମାର ବେହେରା ଉଦ୍ୟମ କରିଥିବା ଅଭିଯୋଗ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି ।

ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ । ତାଙ୍କ କଥାରେ  କାମ କରିବାକୁ କହିଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ । ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷା ପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି । ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି । ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ବ୍ୟବହାର ନେଇ ଉଦବେଗ ପ୍ରକାଶ ପାଇଛି ।

ଶ୍ରୀମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ

ଶ୍ରୀମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ରାଜରାଜେଶ୍ଵର ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ ।

ସକାଳଧୂପ ନୀତି ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଭୂଷିତ ହେବା ପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଶ୍ରୀମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ହରିଡାମାଳ, ବାହାଡା ମାଳ, ସେବତୀମାଳ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ।

ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷେକ ନୀତି ଅନ୍ୟତମ ଉତ୍ସବ । ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଆଜିର ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ । ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଆଜି ଧନୁଯାତ୍ରା ଶେଷ ଦିନ, କଂସଙ୍କୁ ବଧ କରିବେ ଶ୍ରୀକୃଷ୍ଣ

ଆଜି ଧନୁଯାତ୍ରା ଶେଷ ଦିନ, କଂସଙ୍କୁ ବଧ କରିବେ ଶ୍ରୀକୃଷ୍ଣ

ନନ୍ଦିଘୋଷ ବ୍ୟୁରୋ: ଆଜି ଅଧର୍ମ ଉପରେ ଧର୍ମର ହେବ ବିଜୟ । ଆତ୍ୟାଚାରୀ କଂସ ଦାଉରୁ ମିଳିବ ମଥୁରାକୁ ମୁକ୍ତି । ମଞ୍ଚରୁ ପଡ଼ି ମରିବ ମାମୁ କଂସ । ପୁଣି ମଥୁରାର ରାଜା ହେବେ ଉଗ୍ରସେନ । କଂସବଧ ସହ ଶେଷ ହେବ ବରଗଡ଼ ଧନୁଯାତ୍ରା ।

ଯାତ୍ରା ଆଳରେ କୃଷ୍ଣ ଓ ବଳରାମଙ୍କୁ ମାରିବାକୁ ଯୋଜନା କରିଥିଲା କଂସାସୁର । ମତ୍ତ ହସ୍ତୀ, ଅଷ୍ଟମଲ୍ଲ ଓ ବିଭିନ୍ନ ଅସୁରଙ୍କୁ ମାରିବା ପରେ ଶେଷରେ ମଞ୍ଚରେ ବସିଥିବା କଂସକୁ ତଳକୁ ପକାଇ ବଧ କରିବେ ଭଗବାନ ଶ୍ରୀକୃଷ୍ଣ । କଂସ ବଧ ପରେ ମଥୁରାରେ ପୁଣି ଶାନ୍ତି ଫେରିବ ।

ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା । ୧୧ ଦିନ ପରେ କଂସ ବଧ ଶହ ପଡିବ ଯବନିକା ।

ଗ୍ୟାରେଜରେ ଦୁଇ ଯୁବକଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଗ୍ୟାରେଜରେ ଦୁଇ ଯୁବକଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଗ୍ୟାରେଜରେ ଦୁଇ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଙ୍ଗୀ ପୋଲିସ । ଗତ ୩୧ ତାରିଖ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଘଟିଥିଲା ଘଟଣା ।

ମାମଲାରେ ଗ୍ୟାରେଜ ମାଲିକଙ୍କ ସହ ଦୁଇ କର୍ମଚାରୀକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଗ୍ୟାରେଜ ମାଲିକ ଦିଲ୍ଲୀପ କୁମାର ନାୟକ, ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମହାନ୍ତି ଓ ଗ୍ୟାରେଜ କର୍ମଚାରୀ ମିଥୁନ କୁମାର ସିଂ । ଘଟଣାରେ ଆଉ ୫ରୁ ୬ ଜଣ ଅଭିଯକ୍ତ ସାମିଲ ଥିବାବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚୌଦ୍ବାର ଏସଡିପିଓ ଉମାକାନ୍ତ ନାୟକ ।

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ, କ୍ଷମତାକୁ ଫେରିବାକୁ ଦଳୀୟ ନେତା ନେବେ ଶପଥ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ, କ୍ଷମତାକୁ ଫେରିବାକୁ ଦଳୀୟ ନେତା ନେବେ ଶପଥ

ନନ୍ଦିଘୋଷ ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଦିବସକୁ ବିଶେଷ ଭାବେ ପାଳନ କରୁଛି ରାଜ୍ୟ କଂଗ୍ରେସ । ଦଳ କିପରି କ୍ଷମତାକୁ ଫେରିବ ସେନେଇ ନେବେ ଶପଥ ନେବେ ନେତା । ଏବେ ଜାନକୀ ନୀତିକୁ ଆପଣାଇବାକୁ ଅଣ୍ଟା ଭିଡିଛନ୍ତି ନେତା । ଅଶୀ ଦଶକରେ ଜାନକୀ ଥିଲେ ଓଡ଼ିଶା କଂଗ୍ରେସର ଚାଣକ୍ୟ । ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ଓଡ଼ିଶାକୁ ପ୍ରଥମ ସ୍ଥିର ସରକାର ଦେଇଥିଲେ ।

ଗୋଷ୍ଠୀ କନ୍ଦଳ ଓ ଦୁର୍ବଳ ସଙ୍ଗଠନ ଭିତରେ ଦଳକୁ କିପରି ସଶକ୍ତ କରାଯାଏ, ସେ ଫର୍ମୁଲା ତାଙ୍କୁ ବେଶ ଜଣାଥିଲା । ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରି ଶାସନ ଡୋରି ଧରିଥିଲେ ଜାନକୀ । ତାଙ୍କ ସମୟ ଥିଲା ରାଜ୍ୟ କଂଗ୍ରେସ ପାଇଁ ଗୋଲଡେନ ସମୟ । ତାଙ୍କ ପରେ ଆଉ ଉଧାଉନି କଂଗ୍ରେସ ସଙ୍ଗଠନ । ତେଣୁ ରାଜ୍ୟ କଂଗ୍ରେସ ଏବେ ଜାନକୀ ନୀତିରେ ଅନୁପ୍ରାଣିତ ହେବାକୁ ଅଣ୍ଟା ଭିଡିଛି । ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଏହାର ମୂଳଦୁଆ ପକାଇବ କଂଗ୍ରେସ ।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାରେ ହୋଇଥିବା ବିକାଶକୁ ରାଜ୍ୟ କଂଗ୍ରେସ ଏବେ ଜୋରଦାର ପ୍ରଚାର ପ୍ରସାର କରିବ । ଦଳର ବରିଷ୍ଠ ନେତାଙ୍କ ଯୁକ୍ତି, ଜାନକୀଙ୍କ ଶାସନ ସମୟରେ ଆଗେଇଥିଲା ଶିଳ୍ପ କ୍ଷେତ୍ର । ଜଣେ ବିଚକ୍ଷଣ ନେତା ହେବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାର କଳା ତାଙ୍କୁ ବେଶ ଜଣାଥିଲା । ସେପଟେ ଭୁବନେଶ୍ବର ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମଧାମରେ ପାଳନ କରାଯିବ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ  ଶତବାର୍ଷିକୀ । ଜାତୀୟ ସ୍ତରର ନେତା ଏମ୍ ବିରାପା ମୋଇଲି, ଡି ରାଜା, ସରୋଜ ବାଲା, ମୁଖ୍ୟମନ୍ତ୍ରୀ ମହୋନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର  ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।

ବନବିଭାଗ କବଜାରେ ବାଘଛାଲ ବେପାରୀ: ୬ ଜଣ ଗିରଫ

ବନବିଭାଗ କବଜାରେ ବାଘଛାଲ ବେପାରୀ । ନୂଆପଡା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ଦୁଇଟି କଲରା ପତରିଆ ବାଘ ଛାଲ ସହ ଦୁଇଟି ସମ୍ଭର ଶିଙ୍ଗ ଜବତ କରାଯାଇଛି । ଘଟଣାରେ ସହ ୬ ଜଣଙ୍କୁ ଗିରଫ କରାଯାଇଛି । ବନବିଭାଗର ଏକ ଟିମ ବୋଡେ଼ନ ରେଞ୍ଜ ଅଧିନସ୍ଥ ଶରଧାପୁର ଗାଁରେ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘଛାଲ ସହ ଦୁଇଟି ସମ୍ଭର ଶିଙ୍ଗ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଶରଧାପୁର ଗାଁ ର ଦିନେଶ ମାଝୀ, ଶୁକରାମ ଚିନ୍ଦା, କେନ୍ଦୁବାହାରା ଗାଁର କୁମା ଚନ୍ଦ୍ର ମାଝୀ, ଖଇର ପଡ଼ାର ମଧୁସୂଦନ ମାଝୀ । ସେହିପରି ନୂଆପଡା ରେଞ୍ଜର ପାତାଳଗୁଡ଼କରୀ ଗାଁରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ ଜବତ କରିଥିବା ବେଳେ ବାପା ପୁଅକୁ ଗିରଫ କରାଯାଇଛିଛି । ବାପା ମହେଶ ସାହୁ ଏବଂ ପୁଅ ଗଜାନନ ସାହୁ ବୋଲି ଜଣା ପଡିଛି । ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।

ଆସନ୍ତକାଲି ଦେଖାଯିବ ପ୍ରଥମ ସୁପରମୁନ

ଏ ବର୍ଷ ଦେଖାଯିବ ୩ଟି ସୁପରମୁନ୍ ଓ ୩ଟି ମାଇକ୍ରୋମୁନ୍ । ଆସନ୍ତକାଲି ଦେଖାଯିବ ପ୍ରଥମ ସୁପରମୁନ। ସୁପରମୁନ ପୂର୍ଣ୍ଣିମାରେ ହୋଇଥାଏ। କାରଣ ଏହି ଦିନ ପୃଥିବୀର ପୁରାପୁରି ପାଖକୁ ଆସିଥାଏ ଚନ୍ଦ୍ର। ତେଣୁ ଏହା ଅଧିକ ଉଜ୍ଜ୍ଵଳ ଓ ଆକାରରରେ ବଡ଼ ଦେଖାଯାଏ। ସ୍ଵାଭାବିକ ଅପେକ୍ଷା ଚନ୍ଦ୍ର ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜଳ ଦେଖାଯିବ। ଅଣ୍ଡାକୃତି କକ୍ଷପଥରେ ପୃଥିବୀକୁ ଚନ୍ଦ୍ର ପରିକ୍ରମା କରୁଥିବାରୁ ଏପରି ହୋଇଥାଏ। ଆଉ ଦୁଇଟି ସୁପରମୁନ ଦେଖାଯିବ ନଭେମ୍ଵର ୨୪ ଓ ଡିସେମ୍ଵର ୨୩ ତାରିଖରେ ଦେଖାଯିବ। ସେହିପରି ଏବର୍ଷ ୩ଟି ମାଇକ୍ରୋମୁନ ଦେଖାଯିବ। ଏହି ଦିନ ପୃଥିବୀଠାରୁ ସବୁଠୁ ଅଧିକ ଦୂରରେ ରହିବ ଚନ୍ଦ୍ର। ତେଣୁ ଛୋଟ ଓ ଅଳ୍ପ ଉଜ୍ଜ୍ଵଳ ଦେଖାଯିବ ଚନ୍ଦ୍ର। ମେ ୧, ମେ ୩୧ ଓ ଜୁନ୍ ୨୯ ତାରିଖରେ ଦେଖାଯିବ ମାଇକ୍ରୋମୁନ। ଉଭୟ ମାଇକ୍ରୋମୁନ୍ ଓ ସୁପରମୁନ୍ ଖାଲି ଆଖିରେ ଦେଖି ହେବ। ଏହା ସାଧାରଣ ମହାଜାଗତିକ ଦୃଶ୍ୟ ଓ ଏହାର କୌଣସି କୁପ୍ରଭାବ ଆମ ଉପରେ ପଡ଼ିବନି ବୋଲି କହିଛନ୍ତି ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।

ନୂଆବର୍ଷରୁ ନୂଆ ଦାୟିତ୍ବ: ପ୍ରଶାସନିକ ସ୍ତତରେ ଅଦଳବଦଳ

ନୂଆବର୍ଷରୁ ନୂଆ ଦାୟିତ୍ବ । ପ୍ରଶାସନିକ ସ୍ତତରେ ଅଦଳବଦଳ । ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ହେଲେ ନୂଆ ଉନ୍ନୟନ କମିଶନର। ଉନ୍ନୟନ କମିଶନର ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବେ। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ଉନ୍ନୟନ କମିଶନର ପଦବୀ ଖାଲି ହୋଇଥିଲା । ଜଳସମ୍ପଦ ବିଭାଗର ସଚିବ ପଦ ବି ଖାଲି ହୋଇଥିଲା । ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗ ଦାୟିତ୍ବ ମିଳିଛି । ଦେଓ ରଞ୍ଜନ ସିଂହ କଟକ, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଠାରୁ ଆରମ୍ଭ କରି ଏମ୍ଏସ୍ଏମ୍ଇ ବିଭାଗ, ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ଓ ଖଣି ଇସ୍ପାତ ବିଭାଗର ସଚିବ ଦାୟିତ୍ବ ବି ତୁଲାଇଛନ୍ତି। ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ଦିଗରେ କାମ କରିବେ ବୋଲି କହିଛନ୍ତି। ଗୃହ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାଜସ୍ବ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ମିଳିଥିବା ବେଳେ ଶିଳ୍ପ ଓ ସୂଚନା ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଗୃହ ବିଭାଗର ଏସିଏସ୍ ଭାବେ ଦାୟିତ୍ବ ନେଇଛନ୍ତି। ଜନସାଧାରଣ ନିରାପଦ ଓ ସୁରକ୍ଷିତ ରଖିବା ମୋର ପ୍ରାଥମିକତା ହେବ ବୋଲି ହେମନ୍ତ କହିଛନ୍ତି।

ଓଡିଶା ଶାନ୍ତି ପ୍ରିୟ ରାଜ୍ୟ। ଥାନା ଏବଂ ଫାଣ୍ଡିରେ ଉନ୍ନତ ଭିତ୍ତିଭୂମି, ଖାଲି ଥିବା ପଦବୀ ପୂରଣ ସହ ପୁଲିସିଙ୍ଗ କୁ ଗ୍ରାସ ରୁଟ ସ୍ତରରେ ମଜଭୂତ କରାଯିବ। ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇଥିଲେ। ଗତକାଲି ବି ୧୫ ସୂତ୍ରୀ ନିର୍ଦ୍ଦେଶନାମା ଦେଇଛନ୍ତି। ତାକୁ ଆଧାର କରି କାର୍ଯ୍ୟ କରିବି ବୋଲି ଦାୟିତ୍ବ ନେବା ପରେ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ହେଲେ କିଛି ଅଧିକାରୀଙ୍କୂ ଏକାଧିକ ଦାୟିତ୍ବ ଦେବା ପ୍ରସଙ୍ଗରେ ସମୀକ୍ଷକ କହିଛନ୍ତି, ମନ୍ତ୍ରୀମଣ୍ଡଳରେ ୬ ପଦ ଖାଲି ପଡ଼ିଛି। ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଛନ୍ତି । କିଛି ଅଧିକାରୀ ଏକାବେଳେ ୩ରୁ ୪ ବିଭାଗ କଥା ବୁଝୁଛନ୍ତି । ଅଧିକାରୀ ଏଭଳି ଓଭରଲୋଡ଼ ହେଲେ ସରକାରଙ୍କ ବିକଶିତ ଓଡ଼ିଶା ୨୦୬ ଲକ୍ଷ ସାଧନ କଷ୍ଟକର ହେବ ବୋଲି ସମୀକ୍ଷକ କହିଛନ୍ତି।

ପ୍ରମୁଖ ସଚିବ ପାହ୍ୟାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନୀତ ହୋଇଥିବା ଅରବିନ୍ଦ ପାଢୀ ବି ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବ ସମ୍ଭାଳିଛନ୍ତି। ଅବକାରୀ ବିଭାଗର ସଚିବ, ଓପିଟିସିଏଲ୍ ସିଏମ୍ଡ଼ି, ମଦ ନିଗମର ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଦାୟିତ୍ବ ମିଳିଥିବା ବେଳେ ସମବାୟ ବିଭାଗର ସଚିବ, ପଣ୍ୟାଗାର ନିଗମର ଅଧ୍ୟକ୍ଷ, ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ଏସ୍ଆରସି ଓ ଓସଡ଼ମା ଦାୟିତ୍ବ ଅତିରିକ୍ତ ଭାବେ ମିଳିଛି।

ଲୋକସେବା ଭବନ ପରିସରରେ ଭାଇରାଲ ରିଲ୍ସକୁ ନେଇ ଚର୍ଚ୍ଚା: ଆଇନ ମନ୍ତ୍ରୀଙ୍କ ଉଦବେଗ

ନବବର୍ଷର ପ୍ରଥମ ଦିନରେ ହେବ ନାହିଁ ଉତ୍ସବ। ନା ଭୋଜିଭାତ ନା ଫୁଲତୋଡ଼ା । ସରକାରୀ କାର୍ଯ୍ୟଦିବସରେ କେବଳ କାମ ହେବ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶକୁ ମୁଖ୍ୟ ସଚିବଙ୍କ ସହ ଅନ୍ୟାନ୍ୟ ସଚିବମାନେ ପାଳନ କରିଛନ୍ତି। ସମସ୍ତେ ନିଜ ନିଜ କାର୍ଯ୍ୟାଳୟରେ ବ୍ୟସ୍ତ ଥିଲେ। ହେଲେ କିଛି କର୍ମଚାରୀ ଲୋକସେବା ଭବନ ଲନ୍ ଓ ଲବିରେ ଫଟୋ ଉଠାଇବା ପାଇଁ ଭିଡ଼ ଜମାଇଥିଲେ। କିଛି କର୍ମଚାରୀ ନିଜ ପରିବାର ସହ ଆସି ଜାନୁଆରୀ ପହିଲାକୁ ସ୍ମରଣୀୟ କରିବାକୁ ଉଦ୍ୟମ କରିଥିଲେ। ଆଜି ସୋସିଆଲ ମିଡିଆରେ ଲୋକସେବା ଭବନ କର୍ମଚାରୀଙ୍କ ରିଲ୍ସ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି। ଆଇନ ମନ୍ତ୍ରୀ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଲୋକସେବା ଭବନ ରିଲ୍ସ ପାଇଁ ଉଦ୍ଦିଷ୍ଟ ନୁହଁ। ଏମିତି ହେବା ଠିକ୍ ନୁହଁ। ଏହାକୁ ସୁଧାରିବାକୁ ସୁରକ୍ଷା କର୍ମୀଙ୍କୁ ଗୃହ ବିଭାଗ ତାଗିଦ କରିବ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଲୋକସେବା ଭବନ ପରିସରରେ ରିଲ୍ସ ସୁଟିଂ କରିଛି କିଏ ? କାହିଁକି କାମ ଛାଡ଼ି ମାଳ ମାଳ ହୋଇ ଫଟୋ ଉଠାରେ ବ୍ୟସ୍ତ ଥିଲେ କର୍ମଚାରୀ ? ପରିବାର ବର୍ଗଙ୍କୁ ସାଥିରେ ଆଣିବାକୁ ଅନୁମତି ଦେଲା କିଏ ? ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛି ସଚିବାଳୟ ସେବା ସଂଘ। ସଚିବାଳୟ ସେବା ସଂଘ ସଭାପତି ବିବେକାନନ୍ଦ ସାମଲ କହିଛନ୍ତି, ଭାଇରାଲ ହେଉଥିବା ରିଲ୍ସ ଉପରେ ଆମେ ଅନୁଧ୍ୟାନ କରିଛୁ। ଏହି ରିଲ୍ସ ଏଥରର ନୁହେଁ, ଗତ ବର୍ଷର ବୋଲି କହିଛନ୍ତି ସଭାପତି। ତଥାପି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ଫଟୋ ଉଠା, ଲନ୍ ଓ ଲବିରେ ବୁଲିବା ଏସବୁ ନିନ୍ଦନୀୟ ବୋଲି ସଭାପତି କହିଛନ୍ତି। ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିଲା । ୨୦୨୫ ନୂଆ ବର୍ଷ ମଧ୍ୟ କଟକଣାରେ ଯାଇଥିଲା। ହେଲେ ଏବର୍ଷ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକସେବା ଭବନ ପରିସରରେ ନୂଆବର୍ଷ ଉତ୍ସବ ପାଳନ ହେବନି ବୋଲି କଟକଣା ଲାଗୁ କରାଯାଇଥିଲା।