spot_img
Home Blog Page 2084

ରଙ୍ଗ ଖେଳ ଭିତରେ ୨୪ ବିଜୟ ତିଳକ ପିନ୍ଧିବା ପାଇଁ ବିଜେଡି ପ୍ରସ୍ତୁତି

ଭୁବନେଶ୍ବର: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ମାହୋଲ ହୋଇଛି ଉଷ୍ମ । ହୋଲିରେ ରଙ୍ଗ ଖେଳ ଭିତରେ ଚବିଶ ବିଜୟ ତିଳକ ପିନ୍ଧିବା ପାଇଁ ପ୍ରସ୍ତୁତି ହେଲେଣି ବିଜେଡି, ବିଜେପି ଓ କଂଗ୍ରେସ । ୨୪ ବର୍ଷ ଶାସନ କାଳରେ ସବୁ କ୍ଷେତ୍ରରେ ଓଡ଼ିଶାର ଶୀର୍ଷରେ ରହିବା ସହ ଦେଶ ପାଇଁ ନବୀନ ଶାସନ ଏବେ ରୋଲ ମଡ଼େଲ ସାଜିଛି । ଯାହା ବିଜେଡିକୁ ନିର୍ବାଚନରେ ଏକପାଖିଆ ବିଜୟ ମୁକୁଟ ପିନ୍ଧାଇବ ବୋଲି ଶାସକ ଦଳ ଯୁକ୍ତି ବାଢ଼ିଛି । ଅନ୍ୟପଟେ ବିରୋଧୀ ଏଯାଏଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।

ଫଗୁଣରେ ଉଷ୍ମ ହେବାରେ ଲାଗିଛି ଓଡିଶାର ରାଜନୀତି । ହୋଲି ରଙ୍ଗ ଖେଳ ଭିତରେ ଚବିଶ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ମୁଖ୍ୟ ପୁଞ୍ଜି କରି ବିଜେଡି ୨୦୨୪ ନିର୍ବାଚନରେ ବଡ ବିଜୟ ପାଇଁ ଲମ୍ବା ରଣନୀତି ପ୍ରସ୍ତୁତ କରିଛି । ୧୨୮ ବିଧାନସଭା ଓ ୧୮ ଲୋକସଭା ଦଳ ହାତେଇବା ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛି । ଏନେଇ ସଂସଦୀୟ କ୍ଷେତ୍ରୱାରୀ ରଣନୀତି ପ୍ରସ୍ତୁତ କରିବା ସହ ବରିଷ୍ଠ ନେତାଙ୍କୁ ବିଜୟ ମନ୍ତ୍ର ଦେଉଛନ୍ତି ନବୀନ । ତେଣୁ ହୋଲିର ରଙ୍ଗରେ ରଙ୍ଗୀନ ହୋଇ ଓଡିଶାବାସୀ ବିଜେଡିକୁ ବିଜୟର ନାଲି ଟିକା ପିନ୍ଧାଇବାକୁ ପ୍ରସ୍ତୁତ ଥିବା କହିଛି ବିଜେଡି ।

୨୦୨୪ରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି ଫୋକସ କରିଛି । ନବୀନ ନିବାସରେ ଘନ ଘନ ବୈଠକ କରି ବିଜେଡିର ଶୀର୍ଷ ନେତୃତ୍ଵ, ନେତା ଓ କର୍ମୀଙ୍କ ମନରେ ଜୋସ ଭରୁଛନ୍ତି । ଅନ୍ୟପଟେ ଏଥର ହୋଲି କଂଗ୍ରେସ୍ ପାଇଁ ନୂଆ ରଙ୍ଗ ଆଣିବ ବୋଲି ବରିଷ୍ଠ କଂଗ୍ରେସ୍ ବିଧାୟକ ସୁରେଶ ରାଉତରାୟ କହିଛନ୍ତି l କିନ୍ତୁ ଏଥର ନିର୍ବାଚନୀ ସମୟରେ ହୋଲି ସବୁ ଦଳ ପାଇଁ ଅଧିକ ରଙ୍ଗୀନ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରାର୍ଥୀ ମାନେ ବି ଗାଁ ମୁହାଁ ହୋଇଛନ୍ତି । ତେବେ ହୋଲିର ରଙ୍ଗ କାହାକୁ ନିର୍ବାଚନରେ ରଙ୍ଗୀନ କରୁଛି ତାହା ଦେଖିବାର ଅଛି ।

ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ରାଜ୍ୟ ବିଜେପିରେ ବିଦ୍ରୋହ

ଭୁବନେଶ୍ବର: ବିଜେପିରେ ପ୍ରାର୍ଥିତ୍ବକୁ ନେଇ ବିଦ୍ରୋହ । ବାଲେଶ୍ବରରୁ ସୂତ୍ରପାତ, ନବରଙ୍ଗପୁରରେ ବିକ୍ଷୋଭ, ଭୁବନେଶ୍ବରରେ ଅଭିଯୋଗ । ପୂର୍ବତନ ସାଂସଦ ତଥା ବାଲେଶ୍ବର ସଂସଦୀୟ କ୍ଷେତ୍ରର ଟିକେଟ ଆଶାୟୀ ଖାରବେଳ ସ୍ବାଇଁ ଦଳ ବିରୋଧରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । ଏପରିକି ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । ଏପଟେ ନବରଙ୍ଗପୁର ଆସନରୁ ଟିକେଟ ନମିଳିବା ପରେ ଖଡଗହସ୍ତ ପର୍ଶୁରାମ ମାଝୀ । ଭୁବନେଶ୍ବରରେ ଅପରାଜିତାଙ୍କ ପ୍ରାର୍ଥିତ୍ବକୁ ଖୋଦ୍ ଭୋଟରମାନେ ବିରୋଧ କରିଛନ୍ତି । ତେବେ ଆଗକୁ ବିଜେପିରେ ବଡ଼ ବିସ୍ଫୋରଣ ହେବା ଆଶଙ୍କା କରାଯାଉଛି ।

ରାଜ୍ୟ ବିଜେପିର ଟିକେଟ୍ ଘୋଷଣା ପରେ ତେଜିଲା ବିଦ୍ରୋହ । ଉପକୂଳରୁ ଦକ୍ଷିଣ, ସାଂସଦ ପ୍ରାର୍ଥିତ୍ବକୁ ନେଇ ଟେନସନରେ ଦଳ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣାକୁ ୨୪ ଘଣ୍ଟା ନପୁରୁଣୁ ଦଳରେ ଦେଖାଦେଲାଣି ତୀବ୍ର ଅସନ୍ତୋଷ । ଖୋଲାଖୋଲି ବିଦ୍ରୋହ କରିଛନ୍ତି ଦଳର ଦୁଇ ପୁରୁଖା ନେତା । ବାଲେଶ୍ବରର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଦଳୀୟ ନିଷ୍ପତ୍ତି ବିରୋଧରେ ଦେଇଛନ୍ତି ଯୁଦ୍ଧଂଦେହୀ ଡାକରା । ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ସିଧାସଳଖ ଦେଇଛନ୍ତି ଚେତାବନୀ । ଏପଟେ ନବରଙ୍ଗପୁର ଆସନରେ ପ୍ରାର୍ଥୀକୁ ନେଇ ଅନ୍ତକନ୍ଦଳ ଚରମ ଶିଖରରେ । ବଳଭଦ୍ର ମାଝୀଙ୍କୁ ଟିକେଟ୍ ମିଳିବା ପରେ ଦୁଇ ଦୁଇ ଥର ସାଂସଦ ହୋଇଥିବା ପର୍ଶୁରାମ ମାଝୀ ଖଡ଼ଗହସ୍ତ । ତାଙ୍କ ସମର୍ଥକ ବି ଦଳୀୟ ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରିଛନ୍ତି । ଏପରିକି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଇଛନ୍ତି ଅଲଟିମେଟମ୍ । ନିଷ୍ପତ୍ତି ନବଦଳାଇଲେ ଦଳୀୟ କର୍ମୀ ଚୁପଚାପ ଘରେ ଶୋଇପଡ଼ିବେ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ।

ଖାଲି ବାଲେଶ୍ବର କି ନବରଙ୍ଗପୁର ନୁହେଁ ହାଇପ୍ରୋଫାଇଲ ଆସନ ଭୁବନେଶ୍ବରରେ ବି ପ୍ରାର୍ଥିତ୍ବକୁ ନେଇ ଟେନସନରେ ବିଜେପି । ଅପରାଜିତା ଷଡଙ୍ଗୀ ପୁଣି ପ୍ରାର୍ଥୀ ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖୋଦ୍ ଭୋଟର । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ସପରିବାର ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଅପରାଜିତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି ମନ୍ଦିର ସେବାୟତ । ସେବାୟତଙ୍କ ଅଭିଯୋଗ, ଦିନେ ହେଲେ ଲିଙ୍ଗରାଜ ମନ୍ଦିର କି ସେବାୟତଙ୍କ ଉନ୍ନତି ପାଇଁ ଅପରାଜିତା ଉଦ୍ଯମ କରିନାହାନ୍ତି । ଏପରିକି ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ବତନ୍ତ୍ର ଆଇନକୁ ବିରୋଧ କରିଛନ୍ତି । ଏଣୁ ତାଙ୍କୁ କାହିଁକି ପୁଣି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି ।

୨୧ ଲୋକସଭା ଆସନରୁ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯାଜପୁର, କନ୍ଧମାଳ, କଟକ ଆସନ ପାଇଁ ଅଡ଼ୁଆ ତୁଟି ନଥିବାରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଆଗକୁ ବିଧାନସଭା ଆସନ ପାଇଁ ବି ଟିକେଟ ଚୂଡାନ୍ତି ହେବ । ଦଳରେ ଆରମ୍ଭରୁ ଏତେ ଅସନ୍ତୋଷ, ତେବେ ଆଗକୁ ବିସ୍ଫୋରଣ ହେବନି ତ ?  ଏବେଠାରୁ ଦଳୀୟ ନିଷ୍ପତ୍ତି ଉପରେ ଆଶାୟୀଙ୍କ ଖୋଲାଖୋଲି ବିଦ୍ରୋହ ଦଳ ଉପରେ ପ୍ରଭାବ ପକାଇବା ନିଶ୍ଚିତ ।

ଛାତ୍ରଛାତ୍ରୀ ଦେବେ ମତାମତ, ଇସ୍ତାହାରରେ ସାମିଲ କରିବ ବିଜେଡି

ଭୁବନେଶ୍ବର: ନିର୍ବାଚନ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡ଼ିଶାରେ ବିଜେଡି ନିର୍ବାଚନ ପ୍ରସ୍ତୁତିରେ ବିରୋଧୀଙ୍କଠାରୁ ଢେର ଆଗରେ ରହିଛି । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରସ୍ତୁତିରେ ଘାଣ୍ଟି ହେଉଥିବା ବେଳେ ବିଜେଡି ଓଡ଼ିଶାବାସୀଙ୍କ ସେବା ପାଇଁ ଏଥର ନିର୍ବାଚନୀ ଇସ୍ତାହାରରେ କ’ଣ ଆଣିବ ଚିନ୍ତା କରୁଛନ୍ତି । ଯାହାକୁ ନେଇ ବିଜୁ ଛାତ୍ର ଜନତା ଦଳ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଖୁସି କରିଦେବା ଭଳି ସୂଚନା ଦେଇଛି । ଚଳିତ ନିର୍ବାଚନରେ ବିଜେଡି ଆଣିବାକୁ ଯାଉଥିବା ନିର୍ବାଚନୀ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ଘୋଷଣା ପତ୍ର ।

ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି । ଛାତ୍ର ବିଜେଡି ପକ୍ଷରୁ କୁହାଯାଇଛି ବିଜେଡି ଇସ୍ତାହାରରେ ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଘୋଷଣାପତ୍ର ରହିବ । ଏହି ଘୋଷଣା ପତ୍ରରେ କ’ଣ ରହିବ ତାହା ସ୍ଥିର କରିବେ ରାଜ୍ୟର ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ପରାମର୍ଶ ନିଆଯିବ । ଆସନ୍ତା ୭ ଦିନ ରାଜ୍ୟର ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଏଥିପାଇଁ ପରାମର୍ଶ ଦେବେ । ଏହାକୁ ବିଚାର କରି, ଦଳ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣାପତ୍ର ଆଣିବ । ଯାହା, ନବୀନ ପଟ୍ଟନାୟକ ଷଷ୍ଠର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୋହର ବାଜିବ । ତେବେ ଛାତ୍ରଛାତ୍ରୀ ସେମାନଙ୍କ ବହୁମୂଲ୍ୟ ମତାମଦ ଦେବାକୁ ବିଜେଡି ପକ୍ଷରୁ ଦୁଇଟି ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ 9078404444 ନମ୍ବରରେ ଫୋନ କରି ନିଜ ମତାମତ ଦେଇ ପାରିବେ । ଏହାସହ [email protected] ଜରିଆରେ ମେଲ୍ କରି ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କ ମତାମତ ପଠାଇ ପାରିବେ ।

କୁନି ପିଲା ସହ କୁକୁର ବାହାଘର, ଟଟିଘର ଗାଁରେ ହଜାରେ ବର୍ଷର ପରମ୍ପରା

ଢେଙ୍କାନାଳ: ବିବିଧତାର ଦେଶ ଭାରତ । ଏଠି ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ଜାତି, ଭାଷ ଓ ସେମାନଙ୍କ ପରମ୍ପରା । ଆଉ ଏସବୁ ପରମ୍ପରାର ରହିଛି ସ୍ବତନ୍ତ୍ରତା । ଏମିତି ଏକ ପରମ୍ପରା ଢେଙ୍କାନାଳ ଜିଲ୍ଲା ସୋରିଷିଆପଦା ଟଟିଘର ଗାଁରେ ଦେଖିବାକୁ ମିଳିଥାଏ । ଏହି ପରମ୍ପରାଟି ହଜାରେ ବର୍ଷରୁ ଅଧିକ ପୁରୁଣା । ତେବେ ଜାଣିଛନ୍ତି କି କ’ଣ ଏହି ପରମ୍ପରା । ଆଜ୍ଞା ହଁ ଏଠାରେ ହଜାରେ ବର୍ଷରୁ ଅଧିକ ହେବ ପାଳନ ହେଉଛି କୁକୁର ବାହାଘର । ବେଶ ଜାକଜମକରେ ଏଠାରେ ଏହି କୁକୁର ବାହାଘର ହୋଇଥାଏ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ କନ୍ୟା ବେଶରେ କୁକୁର ସଜେଇ ହୋଇଥିବା ବେଳେ ବର ହୋଇଥାଏ ଏକ କୁନି ପୁଅ । ତେବେ ଆସନ୍ତୁ ଜାଣିବା ଢେଙ୍କାନାଳର ସୋରିଷିଆପଦା ଟଟିଘର ଗାଁର ଏହି କୁକୁର ବାହାଘର ସମ୍ପର୍କରେ ।

ଟଟିଘର ଗାଁ । ରାଜରାସ୍ତା ସାଜିଛି ବେଦୀ । କନିଆ ସାଜିଛି କୁକୁର ଓ ବର ସାଜିଛି କୁନିପୁଅ । ବାଜାର ତାଳେ ତାଳେ ଝୁମି ଝୁମି ଅଣ୍ଟାକୁ ଅଣ୍ଟା ଧରି ନାଚୁଛନ୍ତି ଲୋକ । ରାସ୍ତା ଉପରେ ଚାଲିଛି ବାହାଘର । କନ୍ୟା ବେଶରେ ସଜେଇ ହୋଇଛି କୁକୁର । ପାଦରେ ଲଗାଯାଇଛି ଅଳତା, ଗୋଡରେ ପିନ୍ଧିଛି ଘୁଙ୍ଗୁର ଓ ଚୁଡି, ମୁଣ୍ଡରେ ପକାଯାଇଛି ଓଢଣୀ । ଖାଲି ଏତିକି ନୁହେଁ ମନ୍ତ୍ରପାଠ ସହ ହୋଇଛି ବିବାହ । ଶେଷରେ ବରଯାତ୍ରୀଙ୍କୁ ଭୋଜିରେ ଦିଆଯାଇଥାଏ ତାଡି । ଯୌତୁକ ଟଙ୍କା ହିସାବରେ ଦିଆଯାଇଥିଲା ଛୋଟ ମାଟି ଖଣ୍ଡ ଏବଂ ବାଇକ ହିସାବରେ ଦିଆଯାଇଥିଲା ଗୋଟିଏ ଖେଳନା ।

ଏହି ନିଆରା ପରମ୍ପରାଟି କାହିଁ କେତେ କାଳରୁ ଚାଲିଆସିଛି । ଯଦି କୌଣସି କୁନି ପୁଅର ପାଟିର ଉପର ଭାଗରେ ଦାନ୍ତ ଉପରେ ଦାନ୍ତ ଉଠିଥାଏ ତା’ହାଲେ ଆଦିବାସୀମାନେ ଏହାକୁ ଭାବିଥାନ୍ତି ଅଶୁଭ । ତେଣୁ କୁକୁର ସହ ବାହାଘର କରିଦେଲେ ରିଷ୍ଟ ଖଣ୍ଡନ ହୁଏ ବୋଲି ସେମାନଙ୍କ ବିଶ୍ବାସ ରହିଛି । ପୁଅର ଏପରି ଦାନ୍ତ ଉଠିଥିଲେ ମାଇ କୁକୁରଙ୍କ ସହ ତାର ବାହାଘର କରାଯାଏ । ଆଉ ଝିଅର ଦାନ୍ତ ଉଠିଥିଲେ ପୁରୁଷ କୁକୁର ସହ ବାହାଘର କରାଯାଏ । ପିଲାର ୭ ବର୍ଷ ଭିତରେ କରାଯାଇଥାଏ ଏହି ବାହାଘର । ଜୁଆଙ୍ଗ, ମାଝୀ ପରି ବହୁ ସଂପ୍ରଦାୟ ଏହି ପ୍ରଥାକୁ ମାନିଥାନ୍ତି । ଯାହାର ନାମ ରହିଛି ମା ଦେଶାଉଲି ବାର୍ଷିକ ମାଗେ ପରବ ।

ବାପା ଶବ ଦାହ କରିବାକୁ ପୁଅଝିଅ ଅମଙ୍ଗ, ଘରେ ପଡିଛି ମୃତଦେହ

ସୋନପୁର: ବାପା ଦ୍ବିତୀୟ ବିବାହ କରିଥିଲେ । ତାହା ପୁଣି ଭିନ୍ନ ଜାତିରେ । ଏଥିପାଇଁ ବାପାଙ୍କ ମୃତ୍ୟୁ ପରେ ଶବଦାହ ପାଇଁ ଆଓୁନି ପୁଅ । ଏମିତି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରିନାଲି ଗାଁରେ ।

ସୂଚନା ଅନୁସାରେ, ଚିଙ୍ଗିରିନାଲି ଗାଁର ବେଦ ପ୍ରଧାନଙ୍କର ଆଜି ସକାଳେ ପରଲୋକ ହୋଇଥିଲା । ତେବେ ତାଙ୍କ ମର ଶରୀରକୁ ଦାହ କରିବା ପାଇଁ କେହି ପାଖକୁ ଆସୁନାହାନ୍ତି । ତାଙ୍କ ପୂର୍ବ ସ୍ତ୍ରୀଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ହେଲେ ସେମାନେ ବାପାଙ୍କ ସତ୍କାର କରିବାକୁ ଅରାଜି । ଫଳରେ ଦୀର୍ଘ ସମୟ ଧରି ମୃତଦେହ ଘରେ ପଡ଼ି ରହିଛି । ଗ୍ରାମବାସୀ ବେଦଙ୍କ ପୁଅକୁ ଖବର ଦେଇଥିଲେ ମଧ୍ଯ କେହି ନ ଆସିବାରୁ ଏନେଇ ପୋଲିସକୁ ଖବର ଦେଇଛନ୍ତି ।

ଫେକ ଡେଟିଂ ଆପ ଜରିଆରେ ଠକି ବନ୍ଧା ହେଲେ ଦୁଇ ଜଣ

ରାଉରକେଲା: ଫେକ୍ ଡେଟିଂ ଆପ ଓ ଷ୍ଟକ ମାର୍କେଟରେ ଇନଭେଷ୍ଟର ଲୋଭ ଦେଖାଇ ଲୋକଙ୍କୁ ଠକିଥିବା ଦୁଇ ଠକଙ୍କୁ ବାନ୍ଧିଲା ରାଉରକେଲା ପୋଲିସ । ଗିରଫ ଅଭିଯୁକ୍ତ ଦ୍ବୟ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଅଞ୍ଚଳର ବୋଲି ଜଣାପଡିଛି । ବିଭିନ୍ନ ଡେଟିଙ୍ଗ ଫେକ ଆପ ଜରିଆରେ ଓ ଷ୍ଟକ ମାର୍କେଟରେ ଉନଭେଷ୍ଟ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ୫ କୋଟିରୁ ଅଧିକ ଟଙ୍କା ଠକିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ଅଭିଯୁକ୍ତ ଦ୍ବୟ ଦେଶର ବିଭିନ୍ନ ସ୍ଥାନରୁ ୨ ହଜାରରୁ ଅଧିକ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଠକେଇର ରିଙ୍ଗ ଲିଡର ଚାଇନାର ହୋଇଥିବା ବେଳେ ଏଜେଣ୍ଟ ଭାରତ, ବାଂଲାଦେଶ, ପାକିସ୍ତାନ, ନେପାଳ, କାମ୍ବୋଡିଆରେ ଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଭାରତର ୧୬ ଜଣ ଅଭିଯୁକ୍ତ କାମ୍ବୋଡିଆରେ ରହି ସାଇବର କ୍ରାଇମ କରି ଲୋକଙ୍କୁ ଠକୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଠକେଇ ଘଟଣାରେ ସମୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଡିଆଇଜି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି ।

ନିର୍ବାଚନ ଆଚରଣ ବିଧିକୁ ବେଖାତିର, ଜୟନାରାୟଣ ପିଟିଲେ ନଡ଼ିଆ

ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଦର୍ଶ ନିର୍ବାଚନ ଆଚରଣବିଧିକୁ ବେଖାତିର । ନଡ଼ିଆ ପିଟି କମ୍ୟୁନିଟି ସେଣ୍ଟ ନିର୍ମାଣର କରିଛନ୍ତି ଭୂମି ପୂଜନ । ସମ୍ବଲପୁରରୁ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ ।

ଅଭିଯୋଗ ଅନୁସାରେ, ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଦେଶରେ ଲାଗୁ ହୋଇଛି ଆଦର୍ଶ ନିର୍ବାଚନ ଆଚରଣବିଧି । ହେଲେ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ଆଚରଣବିଧିକୁ ନାହିଁ ଖାତିର । ସମ୍ବଲପୁର ମହାନଗର ନିଗମ ବରେଇପାଲି ମଖନାପଡାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ନିଜ ସମର୍ଥକଙ୍କ ସହ ମିଶି ଭୂମିପୂଜା କରିଛନ୍ତି ।

ଜୟନାରାୟଣଙ୍କ ଭଳି ଜଣେ ବରିଷ୍ଠ ବିଜେପି ବିଧାୟକ ହୋଇଥିବା ବେଳେ ଆଦର୍ଶ ଆଚରଣ ବିଧି ନମାନିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାବେଳେ କିଭଳି ଜୟନାରାୟଣ ଭୂମି ପୂଜନ କଲେ ସେନେଇ ପ୍ରଶ୍ନ ଉଠିଛି ।

ଅପରାଜିତାଙ୍କ ପ୍ରାର୍ଥିତ୍ବକୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବିରୋଧ

ଭୁବନେଶ୍ବର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ଏହି ବିରୋଧ କରିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଅପରାଜିତାଙ୍କ ବିରୋଧରେ ହୋଇଛନ୍ତି ଫେରାଦ ।

ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ କହିଛନ୍ତି, ‘ଲିଙ୍ଗରାଜ ମନ୍ଦିର ପ୍ରତି ଅପରାଜିତାଙ୍କ କୌଣସି ଅବଦାନ ନାହିଁ । ଲିଙ୍ଗରାଜକୁ ନେଇ ଭୁବନେଶ୍ବର ପରିଚିତ । କିନ୍ତୁ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କ ଉନ୍ନତି ପାଇଁ ସେ ଆଦୌ ଚେଷ୍ଟା କରୁନାହାଁନ୍ତି । ଲୋକସଭାରେ ଲିଙ୍ଗରାଜ ମନ୍ଦିର ଆଇନକୁ ସେ ବିରୋଧ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆସିବ ବୋଲି ଘୋଷଣା କରିଥିଲେ । ଏହି ଆଇନ ରାଜ୍ୟସଭାରେ ପାରିତ ହେଲା, କିନ୍ତୁ ଲୋକସଭାରେ ଅପରାଜିତା ଏହାକୁ ବିରୋଧ କଲେ । ଲିଙ୍ଗରାଜ ମନ୍ଦିର ପାଇଁ ଆଇନର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି । ଯଦି ଲିଙ୍ଗରାଜ ମନ୍ଦିର ପାଇଁ ତାଙ୍କର କୌଣସି ଅବଦାନ ନାହିଁ, ସେ କାହିଁକି ପ୍ରାର୍ଥୀ ହେବେ ।’

ବିଜେପିରେ ବିଦ୍ରୋହ: ପର୍ଶୁରାମ ଦେଲେ ଅଲଟିମେଟମ୍, କହିଲେ- ଟିକେଟ ନଦେଲେ…

ଭୁବନେଶ୍ବର: ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ବିଭିନ୍ନ ସଥାନରୁ ଉଠିବାରେ ଲାଗିଛି ବିଦ୍ରୋହର ନିଆଁ । ବାଲେଶ୍ବରରୁ ଟିକେଟ ନପାଇ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ବିଦ୍ରୋହର ବିଗୁଲ ବଜାଇଥିବା ବେଳେ ଏବେ ନବରଙ୍ଗପୁରରୁ ଉଠିଛି ବିଦ୍ରେହର ନିଆଁ । ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ କ୍ଷୁବ୍ଧ ।

ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ଲେଖି ପର୍ଶୁରାମ ଅଲଟିମେଟମ୍ ଦେଇଛନ୍ତି । ପ୍ରାର୍ଥୀ କରା ନଗଲେ ସେ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟରୁ ବିରତ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସମର୍ଥକଙ୍କ ସହ ସେ ଆଲୋଚନା କରିଥିବା ପର୍ଶୁରାମ କହିଛନ୍ତି ।

୩୧ ମାର୍ଚ୍ଚ ପୂର୍ବରୁ ସାରନ୍ତୁ ଏହି କାମ

ନନ୍ଦିଘୋଷ ବ୍ୟୁରୋ: ଆର୍ଥିକ ବର୍ଷ ୨୦୨୩-୨୪ ଶେଷ ହେବାକୁ ଯାଉଛି | ମାର୍ଚ୍ଚ ୩୧,୨୦୨୪  କେବଳ ଆର୍ଥିକ ବର୍ଷ ପାଇଁ ଶେଷ ଦିନ ନୁହେଁ । ବରଂ ବିନିଯୋଗ, ଟିକସ ଦାଖଲ, ଟିକସ ସଞ୍ଚୟ ଭଳି ସମସ୍ତ ବ୍ୟକ୍ତିଗତ ଆର୍ଥିକ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏହି ତାରିଖ ମଧ୍ୟ ସମୟସୀମା ଅଟେ  । ଯେଉଁଥିରେ ଫାଶଟ୍ୟାଗ KYC, ଟିକସ ରିହାତି ପାଇଁ ଟିକସ ଦାଖଲ ପ୍ରମାଣପତ୍ର, ଟିକସ ସଞ୍ଚୟ, ITR ପରି କାର୍ଯ୍ୟ ଅନ୍ତର୍ଭୁକ୍ତ  । ଚଳିତ ଆର୍ଥିକ ବର୍ଷର ଶେଷ ମାସ ଚାଲିଛି  । କୌଣସି ପ୍ରକାରର ସମସ୍ୟା କିମ୍ବା କ୍ଷତିକୁ ଏଡାଇବା ପାଇଁ, ମାର୍ଚ୍ଚ 31, 2024 ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

 

ଆର୍ଥିକ ବର୍ଷ ୨୦୨୧ (ମୂଲ୍ୟାଙ୍କନ ବର୍ଷ ୨୦୨୧-୨୨) ପାଇଁ ଅପଡେଟ୍ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, ୨୦୨୪ । ଏହି ସମୟସୀମା ଟିକସଦାତାମାନଙ୍କ ଦ୍ବାରା ବ୍ୟବହୃତ ହୋଇପାରିବ, ଯେଉଁମାନେ ପୂର୍ବରୁ FY 2020-21 (ମୂଲ୍ୟାଙ୍କନ ବର୍ଷ 2021-22) ପାଇଁ ରିଟର୍ନ ଦାଖଲ କରିନାହାଁନ୍ତି କିମ୍ବା ଅଜାଣତରେ ସେମାନଙ୍କର କୌଣସି ଆୟ ବିଷୟରେ ରିପୋର୍ଟ କରିବା କିମ୍ବା ପୂର୍ବରୁ ଦାଖଲ କରିବା ସମୟରେ ବଞ୍ଚିତ ହୋଇଥିଲେ  । ଅତିରିକ୍ତ ଭାବରେ, ଟିକସଦାତାମାନେ ୨୪ ମାସ ମଧ୍ୟରେ ଅପଡେଟ୍ ରିଟର୍ନ ଫାଇଲ୍ କରିବାର ସୁବିଧା ପାଇଥା’ନ୍ତି ଯଥା ନିର୍ଦ୍ଦିଷ୍ଟ ବର୍ଷ ଅନୁଯାୟୀ ମୂଲ୍ୟାଙ୍କନ ବର୍ଷ ଶେଷରୁ ୨ ବର୍ଷ  । ଏଭଳି ପରିସ୍ଥିତିରେ, ସେହି ଟିକସଦାତା ଯେଉଁମାନେ 2019-20 ଆର୍ଥିକ ବର୍ଷ ପାଇଁ ଆବେଦନ କରିନାହାଁନ୍ତି ତଥାପି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି।

ଯଦି ଆପଣ ପୁରୁଣା ଟିକସ ବ୍ୟବସ୍ଥାକୁ ବାଛିଛନ୍ତି ଏବଂ 2023-24 ଆର୍ଥିକ ବର୍ଷ ପାଇଁ ଟିକସ ଛାଡ ପାଇବାକୁ ଏକ ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ବିକଳ୍ପ ବାଛିବା ପାଇଁ ଶେଷ ତାରିଖ ହେଉଛି 31 ମାର୍ଚ୍ଚ 2024  । ଏହି ତାରିଖ ପୂର୍ବରୁ ବିନିଯୋଗ କରି ଆପଣ ଟିକସ ଛାଡ ପାଇପାରିବେ  । ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍), ଇକ୍ୱିଟି-ଲିଙ୍କ୍ ସେଭିଂ ସ୍କିମ୍ (ELSS) ଏବଂ ଟର୍ମ ଜମା (FD) ଭଳି ବିଭିନ୍ନ ଟିକସ ସଞ୍ଚୟ ଯୋଜନା ଆୟକର ବିଭାଗର ୮୦C ଅଧୀନରେ ଉପଲବ୍ଧ |

ଏହା ବ୍ୟତୀତ ସ୍ୱାସ୍ଥ୍ୟ ବୀମା ବୀମା ପ୍ରିମିୟମ, ଶିକ୍ଷା ଋଣ ଏବଂ ଘର ଋଣ ପରି ଖର୍ଚ୍ଚ ମଧ୍ୟ ଅନ୍ୟାନ୍ୟ ବିକଳ୍ପ ଅଟେ ଯାହା ଆପଣଙ୍କୁ ଆପଣଙ୍କ ଆୟ ଉପରେ ଟିକସ ରିହାତିର ଲାଭ ଦେଇପାରେ  । ଆପଣଙ୍କ ଟିକସ ଦାୟିତ୍ବ ହ୍ରାସ କରିପାରିବ  । ଏହା ବ୍ୟତୀତ, ପୁରୁଣା ଟିକସ ବ୍ୟବସ୍ଥା ପାଇଁ ଚୟନ କରୁଥିବା ଟିକସଦାତାମାନେ ମଧ୍ୟ ଆୟକର ବିଭାଗ ୮୦ଡି, ୮୦ଜି ଏବଂ ୮୦ସିସିଡି (1B) ଅନୁଯାୟୀ ଅତିରିକ୍ତ ସୁବିଧା ପାଇପାରିବେ  । ଏଥିପାଇଁ ଆପଣ ଆପଣଙ୍କର ଆର୍ଥିକ ପରାମର୍ଶଦାତାଙ୍କ ସାହାଯ୍ୟ ନେଇପାରିବେ  ।

 

ପିପିଏଫ୍ କିମ୍ବା ସୁକନ୍ୟା ସମ୍ରିଦ୍ଧି ଯୋଜନା (SSY) ପରି ସରକାରୀ କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡିକ ଯଥାକ୍ରମେ ସର୍ବନିମ୍ନ 500 ଏବଂ 250 ଟଙ୍କା ବିନିଯୋଗ ଆବଶ୍ୟକ କରନ୍ତି  । ଯଦି ଆପଣ କୌ ଣସି ଆର୍ଥିକ ବର୍ଷରେ ଏହି ସର୍ବନିମ୍ନ ଜମା ଜମା କରିବାକୁ ହରାଇଛନ୍ତି, ତେବେ ଆପଣଙ୍କର ଆକାଉଣ୍ଟକୁ ଡିଫଲ୍ଟ ଭାବରେ ଚିହ୍ନିତ କରାଯାଇପାରେ  । ଏପରି ଖାତା ଖୋଲିବା ପାଇଁ ଜରିମାନା ମଧ୍ୟ ଲାଗୁ କରାଯାଇପାରେ  । ତେଣୁ, ଯଦି ଆପଣ ଏହିପରି କୌଣସି ଯୋଜନାରେ ବିନିଯୋଗ କରିଛନ୍ତି କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏଥିରେ ସର୍ବନିମ୍ନ ପରିମାଣ ବିନିଯୋଗ କରିନାହାଁନ୍ତି, ତେବେ ଡିଫଲ୍ଟ କିମ୍ବା ଜରିମାନା ଦେବାକୁ ଏଡାଇବାକୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆପଣଙ୍କର ସମୟ ଅଛି  ।

 

ମାର୍ଚ୍ଚ ୩୧, ୨୦୨୪ ପୂର୍ବରୁ ଟିକସଦାତାଙ୍କୁ TDS ସାର୍ଟିଫିକେଟ୍ ଦେବାକୁ ପଡିବ | ସେମାନଙ୍କୁ ବିଭିନ୍ନ ବିଭାଗ ଅଧୀନରେ କଟାଯାଇଥିବା ଟିକସ ରିହାତି ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ପଡିବ | ଏହା ବ୍ୟତୀତ ୩୧ ମାର୍ଚ୍ଚ ପୂର୍ବରୁ ଚ୍ୟାଲେନ୍ ଷ୍ଟେଟମେଣ୍ଟ ଦାଖଲ କରିବା ମଧ୍ୟ ଆବଶ୍ୟକ ହେବ  ।

 

ସମ୍ପ୍ରତି, FASTag ଉପଭୋକ୍ତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) FASTag KYC ବିବରଣୀକୁ ଫେବୃଆରୀ ୨୯ ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ କରିବାର ସମୟସୀମା ବୃଦ୍ଧି କରିଛି।