କଟକ: କଟକ ଗୋପାଳପୁର ଛକରେ ଓଲଟିଲା ବସ୍ । ଏନଏଚ-୧୬ରେ ଓଲଟିଲା ବସ, ଅନେକ ଯାତ୍ରୀ ଆହତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରୁଛି ପ୍ରଶାସନ । ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବାବେଳେ ବସଟି ଓଲଟି ପଡ଼ିଥିବା କୁହାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରୁଛି ପ୍ରଶାସନ । ଉଦ୍ଧାର ଯାତ୍ରୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଉଛି ।
ପୁନମ ପାଣ୍ଡେଙ୍କ ବିରୋଧରେ ୧୦୦ କୋଟିର ମାମଲା
ମୁମ୍ବାଇ: ପୁନମ ପାଣ୍ଡେଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିବା ନେଇ ବର୍ତ୍ତମାନ ମହଙ୍ଗା ପଡିଛି । ଅଭିନେତ୍ରୀଙ୍କ ନାଁରେ ନିକଟରେ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ପୁଣି ତାଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁନମ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ୱେଙ୍କ ନାଁରେ ୧୦୦କୋଟିର ମାନହାନି ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡିଛି ।
ରିପୋର୍ଟ ଅନୁଯାୟୀ, ମୁମ୍ୱାଇର ଫୈଜାନ ଅନସାରୀ ନାମକ ଜଣେ ବ୍ୟକ୍ତି ପୁନମ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ସାମ ବମ୍ୱେଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା ରୁଜୁ କରିଥିବା ଜଣାପଡିଛି । ପୁନମ ପାଣ୍ଡେ କର୍କଟ ଭଳି ବିପଜ୍ଜନକ ରୋଗ ନେଇ ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ କରି ଲକ୍ଷ ଲକ୍ଷ ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ଫୈଜାନ । କାନପୁର ପୋଲିସ କମିଶନରଙ୍କ ନିକଟରେ ଫୈଜାନ ଏହି ମାମଲା ରୁଜୁ କରିଛନ୍ତି । ଏଥିସହ ସେ ପୁନମ ଏବଂ ସାମଙ୍କୁ ଗିରଫ କରିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିବା ଜଣାପଡିଛି ।
ସୂଚନା ଥାଉ କି, ଫେବୃଆରୀ ୨ରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତାଙ୍କ ଇନଷ୍ଟାଗ୍ରାମରେ ପୁନମଙ୍କ ମ୍ୟାନେଜର ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ ରୋଗରେ ଦେହାନ୍ତ ହୋଇଥିବା ସୂଚନା ଦେଇଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ଫେବୃଆରୀ ୩ରେ ପୁନମ ନିଜେ ଲାଇଭ ଭିଡିଓ କରି ଜୀବିତ ଥିବା କହି ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ କରିଥିବା କହିଥିଲେ ।
ଅଭିନେତ୍ରୀଙ୍କ ଏପରି ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ ନେଇ ସବୁ ମହଲରୁ ନିନ୍ଦା କରାଯାଇଥିଲା । ଏପରିକି ଅଭିନେତ୍ରୀଙ୍କ ଏହି ଉଦ୍ୟମକୁ ‘ପବ୍ଲିସିଟି ଷ୍ଟଣ୍ଟ’ କହି ମଧ୍ୟ ଟ୍ରୋଲ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ଏହା ପରେ ପୁନମ ପାଣ୍ଡେଙ୍କ ନାଁରେ ଓକିଲ ଅଲି କାଶିଫ ଖାନ ଦେଶମୁଖ ମାମଲା ମଧ୍ୟ ରୁଜୁ କରିଥିଲେ । ସେପଟେ ଘଟଣା ପରେ ପୁନମଙ୍କ ସ୍ୱାମୀ ସାମ ବମ୍ବେ କିନ୍ତୁ ତାଙ୍କୁ ସମର୍ଥନ କରିଥିଲେ । ଏହି ସମୟରେ ସାମ ଉଭୟଙ୍କ ଛାଡପତ୍ର ନେଇ ମଧ୍ୟ ଖୁଲାସା କରି କହିଥିଲେ ଯେ, ଉଭୟଙ୍କ ଏ ପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ ।
ଆଜି ଅନୁଷ୍ଠିତ ହେବ ରଥକାଠ ଅନୁକୂଳ ପୂଜା ନୀତି
ପୁରୀ: ଶ୍ରୀପଞ୍ଚମୀ ଅବସରରେ ବୁଧବାର ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ଏଥିସହିତ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ। ରାଜପୁରୋହିତ, ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ଦିପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯିବ । ରଥ ଖଳାକୁ ପରିଷ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯିବ। ଶ୍ରୋତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଏହି ଅବସରରେ ଶ୍ରୀଫଳ ବାଡେଇ ଏହାକୁ ପୂଜାର୍ଚ୍ଚନା କରାଯିବ |
ସଜେଇ ହେଲାଣି ଖଣ୍ଡଗିରି
ଭୁବନେଶ୍ବର: ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନ କୋଲାହଳ ହେବ ଖଣ୍ଡଗିରି ଗୁମ୍ଫା । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି ।
ଦିନକ ପରେ କୁମ୍ଭମେଳା । ସଜେଇ ହେଲାଣି ଖଣ୍ଡଗିରି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ପରିମଳରୁ ପାନୀୟ ଓ ପାର୍କିଂ । ସବୁଠି ବିଏମସିର ବ୍ଯାପକ ବ୍ଯବସ୍ଥା । ଖଣ୍ଡଗିରି ମାଘସପ୍ତମୀ ମେଳା ନେଇ ପାହଡର ପାଦଦେଶ ଚାରିଆଡେ ସଫା ସୁତରା । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଚାରିଆଡେ ଆଲୋକୀକରଣ କରିବା ପାଇଁ ଲାଇଟ ଲଗାଯାଇଛି । ଏହାସହ ପାଣି, ପରିମଳ, ସ୍ବଚ୍ଛତାକୁ ପ୍ରାଥମିକତା ଦେଇଛି ବିଏମସି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି ।
ମାଘସପ୍ତମୀ ମେଳା ନେଇ ରାଜ୍ୟ ତଥା ରାଜ୍ଯ ବାହରର ସାଧୁସନ୍ଥ ଓ ବାବାଙ୍କ ଆଗମନ ହେଲାଣି । ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ନେଇ ଯୋଜନା ହୋଇଛି । ବାବା ଓ ସାଧୁସନ୍ଥଙ୍କ ସ୍ବତନ୍ତ୍ର ଭାବରେ ଟେଣ୍ଟ ବନ୍ଧା ହୋଇଛି । ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁ ମାନେ ସଫା କରିଛନ୍ତି । ଉତ୍କଳ ପଞ୍ଚଶାଖା ଭାଗବତ ଆଖଡା ପକ୍ଷରୁ ୯ ଦିନ ଧରି ହେବାକୁ ଥିବା ମେଳାରେ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଆଧ୍ଯାତ୍ମିକ ଦିଗଦର୍ଶନ, ଐତିହ, ସଂସ୍କୃତି ଓ ପରମ୍ପରାର ଉପରେ ଜନ ସଚେତନା ସୃଷ୍ଟି କରିବେ । ବେଦପାଠ ସହିତ ଜାଗମରା ଠାରୁ ଖଣ୍ଡଗିରି ପଯ୍ଯନ୍ତ ସଂର୍କୀତନ ଓ କଳସ ଶୋଭାଯାତ୍ରା କରାଯିବ । ପ୍ରତିଦିନ ସନ୍ଧ୍ଯା ଧର୍ମ ଆଲୋଚନା, ପ୍ରବଚକ, ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହେବ ବୋଲି ଉତ୍କଳ ପଞ୍ଚଶାଖା ଭଗବତ ଆଖଡା ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା କଳାକାରଙ୍କ ଭତ୍ତା
ଭୁବନେଶ୍ବର: ଭୁବନେଶ୍ବର: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ଯତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ 5T ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ ।
ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାର ମାନଙ୍କୁ ମାସିକ ଟ୧୨୦୦/-ଙ୍କା(ବାରଶହ) ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦ କୁ ବୃଦ୍ଧି କରାଯାଇଅଛି ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି ।
ଅଶି ବର୍ଷ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୦୦୦/-ଙ୍କା (ଦୁଇ ହଜାର ଟଙ୍କା)କୁ ଓ ଅଶି ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୫୦୦/-ଙ୍କା (ଦୁଇ ହଜାର ପାଞ୍ଚଶହ ଟଙ୍କା)କୁ ବୃଦ୍ଧି କରାଯାଇଅଛି ।
ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ DBT ମାଧ୍ୟମରେ ଫେବୃଆରୀ ମାସ ୨୦ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଷଷ୍ଠଥର ଇଡିର ନୋଟିସ୍
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍ । ଏହା ଷଷ୍ଠଥର ପାଇଁ ନୋଟିସ ଜାରି କରିଛି ଇଡି । ଆସନ୍ତା ଫେବୃଆରୀ ୧୯ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ପାଞ୍ଚଥର ନୋଟିସ ହୋଇଥିବାବେଳେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ଗତ ଫେବୃଆରୀ ୨ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିଲା । ମାତ୍ର ସେ ଇଡି ଅଫିସରେ ହାଜର ହୋଇନଥିଲେ । କେନ୍ଦ୍ର ସରକାର ଜାଣିଶୁଣି ତାଙ୍କୁ ଇଡି ମାଧ୍ୟମରେ ନୋଟିସ୍ କରୁଛନ୍ତି ବୋଲି କେଜ୍ରିଓ୍ବାଲ ନିଜର ପ୍ରତିକ୍ରିୟାରେ କହିଥିଲେ । ଏହାସହ କହିଛନ୍ତି କି, ରାଜେନୖତିକ ଉଦ୍ଦେଶ୍ୟ ରଖି ଏଭଳି ତାଙ୍କୁ ନୋଟିସ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଜାଣନ୍ତୁ କେଉଁଠି କେମିତି ରହିବ ପାଗ
ଭୁବନେଶ୍ବର: ଓଡ଼ିଶାରେ ଲାଗିଛି ଖରା ଛାଇର ଖେଳ । ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଏଭଳି ପାଗ। ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି। କାଲି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାର ସ ବୁ ଜିଲ୍ଲାରେ ପାଗ ମୁଖ୍ୟତ ଶୁଖିଲା ରହିବ। ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ବର୍ଷା ସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଏଥିପାଇଁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ନୟାଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ରୁ ୨ଶହ ମିଟର ରହିବ। ତେଣୁ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ଯାନାବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ହେଲେ ବି ଦିନରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।
ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧୀ
ଜୟପୁର: ରାଜ୍ୟସଭା ପାଇଁ ଲଢ଼ିବେ ସୋନିଆ। ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ଜୟପୁରରେ ନିଜ ସମର୍ଥକଙ୍କ ସହ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ସୋନିଆ । ଉତ୍ତରପ୍ରଦେଶର ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି ସୋନିଆ ଗାନ୍ଧୀ।
୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି।
ଦାଗୀ ହେବେ ତଡିପାର, ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ
ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ। ଦାଗୀ ହେବେ ତଡିପାର । ନିର୍ବାଚନକୁ ନେଇ ଭୁବନେଶ୍ୱରରେ ପୁଲିସ ଅଫିସରଙ୍କ ବୈଠକ । ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇ ସାରିଛି । ନିର୍ବାଚନ ପୂର୍ବରୁ ୨୪ ଶହରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ବିଶେଷକରି ଅଭ୍ୟାସଗତ ଅପରାଧୀ, ଅସାମାଜିକ, ଦାଗୀଙ୍କୁ ତଡିପାର କରିବାକୁ ଯୋଜନା କରାଯାଇଛି । ଯେଉଁମାନେ ନିର୍ବାଚନ ସମୟରେ ଉପସ୍ଥିତ ରହିଲେ, କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ହେବାର ସମ୍ଭାବନା ଆଶଙ୍କା ଥାଏ ସେମାନଙ୍କ ଉପରେ ନଜର ରଖାଯିବ । ଏଥିସହିତ ଲାଇସେନ୍ସ ବନ୍ଧୁକଧାରୀ ବ୍ୟକ୍ତିଙ୍କ ନାଁରେ ଯଦି କୌଣସି ମାମଲା ଥାଏ, କିମ୍ବା ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଥାଏ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ବନ୍ଧୁକ ପୈଠ କରିବା ପାଇଁ ନୋଟିସ ଜାରି କରାଯିବ । ସମସ୍ତ ଘଟଣା ଉପରେ ନଜର ରଖିବା ସହ ଦାଗୀଙ୍କୁ ସ୍କାନରରେ ରଖିବ କମିସନରେଟ ପୋଲିସ । ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ନେଇ ପୁରୀ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୋଲିସ । ପ୍ରାଥମିକ ଭାବେ ଏ ନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ । ପୋଲିସର ଏପରି ପଦକ୍ଷେପକୁ ସେବାୟତ ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।
ଶ୍ରୀମନ୍ଦିର ଉପରେ ଉଡ଼ି ପାରିବନି ଡ୍ରୋନ୍ । ଭିତରେ ଫଟୋ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଭିତର ବାହାରେ ନଜର ରଖିବ ପୁରୀ ପୋଲିସ୍ । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ସୁରକ୍ଷା ଓ ପବିତ୍ରତା ବଜାୟ ରଖିବା ପାଇଁ ଏପରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ପୁରୀ ପୋଲିସ୍ । ଏ ନେଇ ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ପକ୍ଷରୁ ସଚେତନତା ନେଇ ଅପିଲ ମଧ୍ୟ କରାଯାଇଛି । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ଯାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଉ ଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଶ୍ରୀମନ୍ଦିର ଭିତରେ ମଧ୍ୟ ମୋବାଇଲ ଫଟୋ ଉଠାଇବା ନଜରକୁ ଆସିଛି । ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୁରୀ ପୋଲିସ୍ । ପୁରୀ ଏସ୍ପି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବା ବେଳେ ଆଗାମୀ ଦିନରେ ଏଭଳି ନିୟମ ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।
ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ ନେଇ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନ ପକ୍ଷରୁ ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଦାବି କରାଯାଉଥିଲା । ସେହିପରି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୁ ନେଇ ଶ୍ରୀମନ୍ଦିର ଭିତରକୁ ମୋବାଇଲ କଟକଣା ଉପରେ ଗୁରୁତ୍ୱ ଦିଆଯିବାକୁ ସେବାୟତ ମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଉପରେ ଫ୍ଲାଇଂ ଓ ଭିତର ଫୋଟୋ ଭାଇରାଲକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ଅନେକ ମାମଲା ରହିଥିବା ବେଳେ DGCA ପକ୍ଷରୁ ନିୟମ କୁ ନେଇ ସ୍ୱତନ୍ତ୍ର ପଦକ୍ଷେପର ଆବଶ୍ୟକତା ରହିଛି।

