spot_img
Home Blog Page 2073

ବିହାରରେ ୧୫ ଆସନରେ ପ୍ରାର୍ଥୀ ଦେଲା AIMIM

ପାଟନା: ବିହାରରେ କଡା ଟକ୍କର ଦେବାକୁ ଯାଉଛି ଅସଦୁଦ୍ଦିନ ଓଓ୍ବେସୀଙ୍କ ଦଳ ଏଆଇଏମଏଆଇଏମ । ମୋଟ ୧୫ ଆସନରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପୂର୍ବରୁ ୧୦ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ଆଉ ୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ଏଆଇଏମଆଇଏମ ବିହାର ପ୍ରଦେଶ ଅଧ୍ଯକ୍ଷ ଅଖତୁରୁଲ ଇମାମ କହିଛନ୍ତି, ବିହାରରେ ପ୍ରଥମ ଦଳ ୧୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲା । ମାତ୍ର ପରେ ଆଉ ୫ଟି ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ଦଳ ନିଷ୍ପତ୍ତି ନେଇଛି । ଏହି ୫ଟି ଆସନ ହେଲା ଗୋପାଳଗଞ୍ଜ, ଶିବହର, ଦରଭଙ୍ଗା, ବାଲ୍ମୀକି ନଗର ଓ ମଧୁବନୀ । କିଷନଗଞ୍ଜ ଆସନରୁ ଲଢେଇ କରିବେ ରାଜ୍ଯ ସଭାପତି ଅଖତୁରୁଲ ଇମାମ । ଏହି ଆସନଗୁଡିକରେ ଦଳର ପ୍ରାର୍ଥୀ ଭଲ ସ୍ଥିତିରେ ଅଛନ୍ତି ଏବଂ ସେମାନଙ୍କ ବିଜୟ ଆଶା ଉଜ୍ଜ୍ବଳ ବୋଲି ସେ କହିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଦଳ ଘୋଷଣା କରିଥିବା ୧୫ ଆସନରୁ ପ୍ରାୟ ୫୦ ପ୍ରତିଶତରେ ହୁନ୍ଦୁ ପରିବାରର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଛି ।

ରାଜନୖେତିକ ବନବାସରୁ ଫେରିଲେ ଗୋବିନ୍ଦା, ସିନ୍ଦେଙ୍କ ଶିବସେନାରେ ହେଲେ ସାମିଲ

ମହାରାଷ୍ଟ୍ର: ରାଜନୈତିକ ବନବାସ ସାରି ଶେଷରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ସୁପରଷ୍ଟାର ଗୋବିନ୍ଦା । ୨୦୧୦ରୁ ୨୦୨୪ ଯାଏଁ ରାଜନୀତିରୁ ଉଭାନ ହୋଇଯାଇଥିଲେ ଗୋବିନ୍ଦା । ରାଜନୀତିକୁ ଫେରିବା କରେ ଗୋବିନ୍ଦା କହିଛନ୍ତି, ବନବାସ ପରେ ସିନ୍ଦେଙ୍କ ରାମରାଜ୍ଯରେ ପ୍ରବେଶ କରିଛି ।

ସୂଚନାଯୋଗ୍ୟ, ୨୦୦୪ରେ କଂଗ୍ରେସ ଟିକେଟରୁ ନର୍ଥ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ଗୋବିନ୍ଦ । ବିଜେପି ଭେଟେରାନ ତଥା ୫ ଥରର ସାଂସଦ ରାମ ନାଏକଙ୍କୁ ୫୦ ହଜାରରୁ ଅଧିକ ଭୋଟରେ କରିଥିଲେ ପରାସ୍ତ । ବିଜେପି ଦୁର୍ଗରେ ଗୋବିନ୍ଦାଙ୍କ ବିଜୟ ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ନିର୍ବାଚନରେ ବିଜୟ ପରେ ସେ ଲୋକସଭାକୁ ସଠିକ୍ ପ୍ରତିନିଧିତ୍ବ ନ କରିପାରିଥିବାରୁ ସମାଲୋଚନାର ଶିକାର ହୋଇଥିଲେ । ୨୦୦୮ରେ ସେ ରାଜନୀତିରୁ ଦୂରେଇ ଅଭିନୟ ଉପରେ ଫୋକସ ଦେବାକୁ ଘୋଷଣା କରିଥିଲେ ।

ବିଚାର ବିଭାଗକୁ ପ୍ରଭାବିତ କରିବାକୁ ପ୍ରୟାସ, CJIଙ୍କ ପାଖକୁ ୬ ଶହ ଓକିଲଙ୍କ ଚିଠି

ନୂଆଦିଲ୍ଲୀ: ବିଚାର ବିଭାଗକୁ ପ୍ରଭାବିତ କରିବା ଲାଗି ନ୍ଯସ୍ତସ୍ବାର୍ଥ ଗୋଷ୍ଠୀର ପ୍ରୟାସ ଅଭିଯୋଗ । କୋର୍ଟ ପରି ପବିତ୍ର ପ୍ରତିଷ୍ଠାନର ଆଦର୍ଶକୁ ବିପଥଗାମୀ କରିବା ଅଭିଯୋଗ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନିକଟକୁ ଏନେଇ ପତ୍ର ଲେଖିଛନ୍ତି ଦେଶର ୬ ଶହରୁ ଅଧିକ ଓକିଲ । ସିଜେଆଇଙ୍କ ନିକଟକୁ ପତ୍ର ଲେଖିଥିବା ଓକିଲଙ୍କ ମଧ୍ଯରେ ରହିଛନ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ଯକ୍ଷ ମନନ କୁମାର ମିଶ୍ର ଏବଂ ଅନ୍ୟ ଆଇନଜୀବୀ । ସେମାନେ ବିଚାର ବିଭାଗର ସଂହତି ଉପରେ ଗୁରୁତ୍ବାରୋପ କରିଛନ୍ତି ।

ପତ୍ରରେ ଆଇନଜୀବୀ ଦର୍ଶାଇଛନ୍ତି ବିଚାର ପ୍ରକ୍ରିୟା, କୋର୍ଟ ରାୟକୁ ପ୍ରଭାବିତ କରିବା ଲାଗି କିଛି ନ୍ଯସ୍ତ ସ୍ବାର୍ଥଗୋଷ୍ଠୀ ଉଦ୍ଯମ କରୁଛନ୍ତି । ବିଚାର ବିଭାଗ ବିରୋଧରେ ଭିତ୍ତିହୀନ ମନ୍ତବ୍ଯ ଦେବା ସହ ଏହାକୁ ଏକ ରାଜନୈତିକ ଏଜେଣ୍ଡାରେ ପରିଣତ କରିଛନ୍ତି । ବିଶେଷ କରି ଦୁର୍ନୀତିରେ ଅଭିଯୁକ୍ତ ରାଜନୈତିକ ବ୍ଯକ୍ତିଙ୍କଠାରୁ ଏହାର ପ୍ରମାଣ ମିଳୁଛି । ଏପରିକି କୋର୍ଟ ରାୟକୁ ନିନ୍ଦିତ କରିବା ଦେଖାଯାଉଛି । ଏହି ଧରଣର ଉଦ୍ଯମ ଯୋଗୁଁ ବିଚାର ବିଭାଗ ଉପରେ ସର୍ବସାଧାରଣଙ୍କ ରହିଥିବା ବିଶ୍ବାସ କ୍ଷତିଗ୍ରସ୍ତ ହେଉଛି । ଯେଉଁ ଦେଶରେ ଆଇନକାନୁନ ବୋଲି କିଛି ନାହିଁ ସେହି ଦେଶର କୋର୍ଟଗୁଡିକ ସହ ଭାରତୀୟ କୋର୍ଟଗୁଡିକୁ ଏହି ଗୋଷ୍ଠୀ ତୁଳନା କରୁଛନ୍ତି ଓ ଉଦ୍ଦେଶ୍ୟମୂଳକ ଭାବେ ବିଚାର ବିଭାଗୀୟ ପ୍ରତିଷ୍ଠାନଗୁଡିକୁ ନିନ୍ଦିତ କରୁଛନ୍ତି । ଏହି ନ୍ଯସ୍ତସ୍ବାର୍ଥ ଗୋଷ୍ଠୀ ସପକ୍ଷରେ ଯଦି କୋର୍ଟ ରାୟ ନଯାଏ ତେବେ ସେମାନେ କୋର୍ଟକୁ ଖୋଦ୍ କୋର୍ଟ ଭିତରେ ଓ ମିଡିଆ ଜରିଆରେ ସମାଲୋଚନା କରିଥାନ୍ତି । ଏପରିକି ଯେଉଁ ବ୍ଯକ୍ତିଙ୍କ ମାମଲାର ବିଚାର ଯେଉଁ ବିଚାରପତି କରିଥାନ୍ତି ତାଙ୍କୁ ପ୍ରଭାବିତ କରିବା ଲାଗି ଚେଷ୍ଟା କରାଯାଉଛି ଓ ସେହି ବିଚାରପତିଙ୍କୁ ପ୍ରଭାବିତ କରିବା ଲାଗି ସୋସିଆଲ ମିଡିଆର ବ୍ଯବହାର କରିଥାନ୍ତି ବୋଲି ପତ୍ରରେ ଦର୍ଶାଯାଇଛି । ବିଚାର ବିଭାଗକୁ ସୁରକ୍ଷା ଦେବା ଲାଗି ଏହି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ଦୁଶ୍ଚିନ୍ତା ଓ ମାନସିକ ଚାପ ନେଉଛି ଭାରତୀୟଙ୍କ ଜୀବନ, ପ୍ରତି ତିନି ଜଣରେ ଜଣେ ଆକ୍ରାନ୍ତ

ଭୁବନେଶ୍ବର: ଜୀବନ ନେଉଛି ହାଇପର ଟେନସନ୍ । ଦେଶରେ ଅଧାରୁ ଅଧିକ ବ୍ୟକ୍ତି ରକ୍ତଚାପରେ ପୀଡ଼ିତ । ଏପରି ରିପୋର୍ଟ ଦେଇଛନ୍ତି ଆଇସିଏମ୍ଆର୍ ଓ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ । ହୃଦରୋଗ, ମଧୁମେହ ରୋଗରେ ଅକାଳରେ ଝରିପଡ଼ୁଛି ଜୀବନ । ରିପୋର୍ଟ ଅନୁଯାୟୀ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ପ୍ରାକ୍ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ । ବିଶେଷଜ୍ଞଙ୍କ ମତରେ ମାନସିକ ଚାପ, ଖାଦ୍ୟରେ ଅତ୍ୟଧିକ ଲୁଣ ସେବନ, ଜଙ୍କ ଫୁଡ୍, ଶାରୀରିକ ପରିଶ୍ରମ ନକରିବା ଯୋଗୁଁ ଯୁବକଯୁବତୀ ବି ରକ୍ତଚାପ ରୋଗରେ ପଡୁଛନ୍ତି ।

ଭାରତୀୟ ଖାଦ୍ୟରେ ଅଧିକ ଲୁଣ ଖାଇବାରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ହୃଦରୋଗର ଶିକାର ହେଉଛନ୍ତି । ପ୍ରତି ୩ ଜଣ ବ୍ୟକ୍ତିରେ ଜଣେ ପ୍ରାକ୍ ହାଇପରଟେନ୍ସନ୍ ରୋଗରେ ପୀଡିତ । ଏଭଳି ରିପୋର୍ଟ ଦେଇଛି ଇଣ୍ଡିଆନ୍ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍ଆର୍ । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଭୁବନେଶ୍ବର ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଦେଶର ମହିଳାଙ୍କ ସଂଖ୍ୟାରୁ ୨୧.୩ ପ୍ରତିଶତ ଓ ପୁରୁଷଙ୍କ ଭିତରୁ ୨୪ ପ୍ରତିଶତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ଫଳରେ ଅନିୟନ୍ତ୍ରିତ ଓ ଡାୟୋଗ୍ନଷ୍ଟିକ୍ ନହୋଇ ହୃଦରୋଗ ଓ ମଧୁମେହ ରୋଗରେ ଅଧିକାଂଶ ଲୋକଙ୍କ ଜୀବନ ଯାଉଛି । ଏପରିକି ଅକାଳରେ ଯୁବକଯୁବତୀ ବି ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଲୁଣ ମାତ୍ରା ଶରୀରରେ ଅଧିକ ହେଲେ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ । ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୧୮ରୁ ୫୪ ବର୍ଷ ବୟସ ଭିତରେ ୭ ଲକ୍ଷ ୪୩ ହଜାର ୬୭ ଜଣ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସେମାନେ ସମସ୍ତେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ମାନସିକ ଚାପ, ଜଙ୍କ୍ ଫୁଡ ଏଥିପାଇଁ ଦାୟୀ । ଏହାସହ ଆଜିକାଲି ଅଧିକାଂଶ ଲୋକ ଶାରୀରିକ ପରିଶ୍ରମ କରୁନାହାନ୍ତି । ଯାହା ବଡ଼ ସମସ୍ୟା ହୋଇ ଉଭା ହୋଇଛି ।

ଯେଉଁ ବ୍ୟକ୍ତିର ରକ୍ତଚାପ ସିଷ୍ଟୋଲିକ୍ ପ୍ରେସର୍ ୧୩୦ରୁ ୧୩୯ ଓ ଡାୟୋଷ୍ଟୋଲିକ୍ ପ୍ରେସର୍ ୮୦ରୁ ୮୯ ଭିତରେ ରହୁଛି । ସେ ପ୍ରାକ୍ ହାଇପରଟେନ୍ସନରେ ପୀଡ଼ିତ । ଏହାସହିତ ବରା, ପିଆଜି, ଫାଷ୍ଟଫୁଡ, ସୋଡିୟମ କ୍ଲୋରାଇଡ ଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ଏସବୁ ରୋଗର କାରଣ ବନୁଛି । ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତି ଦିନ ଭିତରେ ମାତ୍ର ୫ ମିଲିଗ୍ରାମ ବା ଗୋଟିଏ ଚା ଚାମୁଚ ପରିମାଣର ଲୁଣ ଖାଇବା ଦରକାର । କିନ୍ତୁ ଆଜିକାଲି ଦିନ ଭିତରେ ୧୫ ମଲିଗ୍ରାମ ଲୁଣ ଲୋକେ ଖାଉଛନ୍ତି । ଯେଉଁଥିପାଇଁ ସାମାନ୍ୟ ମାନସିକ ଚାପଗ୍ରସ୍ତ ହେଲେ ରକ୍ତଚାପରେ ପୀଡ଼ିତ ହେଉଛନ୍ତି । ଏପରି ଲାଇଫଷ୍ଟାଇଲ୍କୁ ବଦଳାଇବାକୁ ପଡ଼ିବ । ସ୍କୁଲ ପିଲାମାନେ ବାହାରକୁ ଆସିଲେ ଆଜିନୋମୋଟୋ ମିଶ୍ରିତ ଖାଦ୍ୟ ସହିତ ବଜାରରେ ମିଳୁଥିବା ଅସନ୍ତୁଳିତ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଏସବୁ ଖାଦ୍ୟ ଶରୀରରେ କୋମରବିଡିଟି ବୃଦ୍ଧି କରିବାରେ ସହାୟକ ହେଉଛି ।

ରକ୍ତଚାପ ସହିତ ଭାରତରେ ଦିନକୁ ଦିନ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଗୋଟିଏ ପରିସଂଖ୍ୟାନରୁ ଜଣାପଡ଼ିଛି ଦେଶର ୭୦ ପ୍ରତିଶତ ଲୋକ ଏହି ରୋଗରେ ପୀଡ଼ିତ । ଯାହାକି ସ୍ଲୋ ପଏଜନ୍ ପରି ଜୀବନ ନେଉଛି ।

ରାଜ୍ୟ କଂଗ୍ରେସରେ ଟିକେଟ୍ ଝଡ଼, ନେତା ଘୋଷଣା କରୁଛନ୍ତି ନିଜ ପ୍ରାର୍ଥିତ୍ବ

ଭୁବନେଶ୍ବର: ବିଜେଡି ୭୨ ବିଧାୟକ ଓ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ହେଲେ ରାଜ୍ୟ କଂଗ୍ରେସରେ କାହାକୁ ମିଳିବ ଟିକେଟ୍ ଏବେ ବି ଅଙ୍କ ଛିଣ୍ଡୁନି । ନେତାଙ୍କ ନାଁରେ ଫାଇନାଲ ଷ୍ଟାମ କେନ୍ଦ୍ରୀୟ ନେତୃବୃନ୍ଦ ମାରିବାକୁ ଥିବା ବେଳେ ରାଜ୍ୟରେ ନେତାମାନେ ଧର୍ଯ୍ୟହରା ହୋଇଯିବା ପରିଲାଗୁଛନ୍ତି । ଏପରିକି ନିଜେ ନିଜର ପ୍ରାର୍ଥିତ୍ବ ନେଇ ଘୋଷଣା କରୁଛନ୍ତି । କଂଗ୍ରେସର ହେଭିଓ୍ବେଟ୍ ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନର୍ଲାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ତେବେ କଂଗ୍ରେସ ମଡିଆ ସେଲ୍ ଅଧ୍ୟକ୍ଷ କହିଛନ୍ତି, ଟିକେଟ୍ ବଣ୍ଟନ ନେଇ ସ୍କ୍ରିନିଂ ଓ ସିଇସି ବୈଠକରେ ସ୍ଥିର ହେବ । ଯାହାକୁ ନେଇ ଦଳରେ ଟିକେଟ କଳି ଜଟିଳ ହୋଇଛି ।
ରାଜ୍ଯ କଂଗ୍ରେସ ଟିକେଟ୍ ଚୟନରେ ବିଳମ୍ବ ପରେ ଆଗକୁ ଆସିଲେ ଭକ୍ତ ଦାସ । ପିଇସି, ସ୍କ୍ରିନିଂ ଓ ସିଇସିର ଉଡ଼ାଇଲେ ଧଜିଆ । ହାଇକମାଣ୍ଡଙ୍କ ଘୋଷଣା ପୂର୍ବରୁ କହିଲେ, ନର୍ଲାରୁ ଲଢ଼ିବି । ପିସିସି କହିଲା, କିଛି ହୋଇନାହଁ ଚୂଡ଼ାନ୍ତ । କଂଗ୍ରେସ ପ୍ରଗମନ ଆପ୍ ଜରିଆରେ ଆଗୁଆ ଟିକେଟ ବାଣ୍ଟିବାରେ ଫେଲ୍ ମାରିବା ପରେ ଦଳୀୟ ନେତା ହାଇକମାଣ୍ଡଙ୍କ ଘୋଷଣାକୁ ଅପେକ୍ଷା କରିବାକୁ ନାରାଜ । ଖୋଦ୍ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନର୍ଲାରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏହାସହ ତାଙ୍କ ପୁଅ ସାଗର ଦାସ ଟିକେଟ ପାଇବା ନେଇ ଯୁକ୍ତି ବାଢ଼ିଛନ୍ତି ଭକ୍ତ । ତେବେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, ଖୁବଶୀଘ୍ର ସ୍କ୍ରିନିଂ ଓ ସିଇସି ବୈଠକରେ ପ୍ରାର୍ଥୀ ସ୍ଥିର କରାଯିବ ।
୨୪ ବର୍ଷ ଧରି ରାଜ୍ୟରେ କ୍ଷମତା ବାହାରେ ରହିଛି କଂଗ୍ରେସ । ଦଳର ଭୋଟ ହାର କମିବାରେ ଲାଗିଛି । ଏପରି ସ୍ଥିତିରେ ୨୦୨୪ ନିର୍ବାଚନରେ କଂଗ୍ରେସ ଆଗୁଆ ଟିକେଟ ବଣ୍ଟିବା ପାଇଁ ୨ ମାସ ଧରି କସରତ କରିଥିଲା । ଫଳ କିନ୍ତୁ ଶୂନ ହୋଇଛି । ଟିକେଟ ବଣ୍ଟନରେ ବିଳମ୍ବ ଯୋଗୁଁ ନେତାମାନେ ନିଜେ ସର୍ବେସର୍ବା ନୀତିକୁ ଆପଣାଇଛନ୍ତି । ଫଳରେ ବରିଷ୍ଠ କଂଗ୍ରେସ ନେତାମାନେ ନିଜେ ନିଜ ଟିକେଟ ଘୋଷଣା କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
୨ ମାସ ବିଳମ୍ବ ପରେ ପୁଣି କଂଗ୍ରେସ ନେତାମାନେ କହିଛନ୍ତି, ଏପ୍ରିଲ ପ୍ରଥମ ସପ୍ତାହରେ ଦଳର ପ୍ରାର୍ଥୀ ତାଲିକା ଆସିବ । ତେବେ ଆଗୁଆ ଟିକେଟ ବାଣ୍ଟିବାର ଡିଣ୍ଡିମ ପିଟୁଥିବା କଂଗ୍ରେସ ସବୁ ବେଳେ ଫେଲ୍ ମାରୁଥିବା ନେଇ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ହେଉଛି ।

ଆଉ ୪ ଦିନ ବଢ଼ିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି ଆଉ ୪ ଦିନ ବଢିଲା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ କେଜ୍ରିଓ୍ବାଲ । ଇଡି ୭ ଦିନିଆ ରିମାଣ୍ଡ ଦାବି କରିଥିବା ବେଳେ ୪ ଦିନର ଅନୁମତି ଦେଇଛନ୍ତି ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ ।

ଆଜି କେଜ୍ରିଓ୍ବାଲଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବା ପରେ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଜେରାବେଳେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ଦିଆଯାଇଥିଲା । ତେବେ ତଦନ୍ତରେ କେଜ୍ରିଓ୍ବାଲ ସହଯୋଗ କରୁ ନଥିବା ଇଡି କହିଛି । କିଛି ଡିଜିଟାଲ ତଥ୍ୟ ମିଳିଥିବାରୁ ଏହାର ଛାନବିନ କରାଯାଉଛି । କେଜ୍ରିଓ୍ବାଲଙ୍କୁ ଆହୁରି ଅଧିକ ତଦନ୍ତ କରିବାର ଆବଶ୍ୟକ ଅଛି ବୋଲି ଇଡି ଦର୍ଶାଇଥିଲା । ତେଣୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା ଇଡି । ମାମଲାରେ ଗୋଆର କିଛି ନେତାଙ୍କ ସହ କେଜ୍ରିଓ୍ବାଲଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଚାହୁଁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେପଟେ ତାଙ୍କୁ କାହିଁକି ଇଡି ଗିରଫ କରିଛି ବୋଲି କୋର୍ଟରେ ପଚାରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଗତ ୨ ବର୍ଷ ଧରି ଏହି ମାମଲା ଚାଲି ଆସୁଛି । ୨୦୨୨ରେ ସିବିଆଇରେ ମାମଲା ରୁଜୁ ହୋଇଥିଲା । ମାମଲାରେ କୌଣସି ଅଦାଲତ ଦୋଷୀ ସାବ୍ୟସ୍ତ କରି ନଥିବାରୁ ମୋତେ କାହିଁକି ଗିରଫ କରାଯାଇଛି ବୋଲି କହିଥିଲେ କେଜ୍ରିଓ୍ବାଲ । ମୋ ସପକ୍ଷରେ ବୟାନ ଦେଇଥିବା ସାକ୍ଷୀଙ୍କୁ ଜବରଦସ୍ତ ମୋ ବିରୋଧରେ ସାକ୍ଷ ଦେବାକୁ ବାଧ୍ୟ କରାଯାଉଛି ବୋଲି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି । କୋର୍ଟ ଯିବା ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଓ ଆପକୁ ଧ୍ଵଂସ କରିବାକୁ ଇଡିର ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ କେଜ୍ରିଓ୍ବାଲ ।

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ଉତ୍ସାହ, ଇଷ୍ଟଦେବଙ୍କ ଦର୍ଶନ କରି ନେତା ନେଉଛନ୍ତି ଆଶୀର୍ବାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ରାର୍ଥୀଙ୍କ ନାଁ । ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଏବେ ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଉତ୍ସାହ । ବାଣ ଫୁଟାଇ, ମିଠା ବାଣ୍ଟି ନିଜ ନିଜର ଲୋକପ୍ରିୟ ନେତାଙ୍କ ନାଁ ଘୋଷଣାକୁ ନେଇ ଖୁସି ପାଳନ କରୁଛନ୍ତି ଦଳୀୟ କର୍ମୀ । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରି ନିର୍ବାଚନ ଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ମା’ ମାଣିକେଶ୍ଵରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର । ଚାରିଆଡ଼େ ଏବେ ଖୁସି, ଉତ୍ସାହ ଆଉ ଚର୍ଚ୍ଚା । ନିଜ ନିଜ ଲୋକପ୍ରିୟ ପ୍ରତିନିଧିଙ୍କୁ ଜିତାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସକାଳୁ ପୁରୀରେ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଶ୍ରୀମନ୍ଦିରରେ କୋଟି ଓଡି଼ଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ଯାଜପୁରରେ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ସେହିପରି ଜୁନାଗଡ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ପ୍ରାର୍ଥୀ ପ୍ରଦୀପ ଦିଶାରୀ, ଭବାନୀପାଟଣା ପ୍ରାର୍ଥୀ ଲଳିତା ନାଏକ ସମେତ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି । ବରଗଡ଼ରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବା ପରେ ଦେବେଶ ଆଚାର୍ଯ୍ୟ ସମର୍ଥକଙ୍କ ଗହଣରେ ମା’ ସମଲେଇଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ।

ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଭାବେ ସୁଦାମ ମାର୍ଣ୍ଡିଂଙ୍କ ନାଁ ଘୋଷଣା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଉଚ୍ଚ ଶିକ୍ଷିତା ରଞ୍ଜିତା ସାହୁଙ୍କୁ ଆସିକା ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ନେତା ଓ କର୍ମୀ । ଚାନ୍ଦବାଲିରୁ ବ୍ଯୋମକେଶ ରାୟ ଟିକେଟ ପାଇବା ପରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ପାଳନ କରିଥିଲେ ।

ନୟାଗଡ଼଼ରେ ୪ ଶହରୁ ଅଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । କଟକ ବାଙ୍କୀରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଛନ୍ତି ଅନେକ ନେତା ଓ କର୍ମୀ । କନ୍ଧମାଳ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର କେ.ନୂଆଗାଁରେ ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡା ବିଧାନସଭା ଆସନରୁ ଅନସୂୟା ମାଝିଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ଟିକେଟ ବଣ୍ଟନରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ… ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭାକୁ ଓହ୍ଲାଇଲେ ୭୨ ଯୋଦ୍ଧା

ଭୁବନେଶ୍ବର: ଟିକେଟ ବଣ୍ଟନରେ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ । ବିଧାନସଭା ପାଇଁ ଯୋଦ୍ଧା ପ୍ରସ୍ତୁତ କଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ୭୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ବିକଶିତ ଓଡ଼ିଶା ଗଠନ ସହ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ଅଧିକାଂଶ ନେତାଙ୍କୁ ରିପିଟ କରିଛନ୍ତି ନବୀନ । ଯୁବ, ବରିଷ୍ଠ ଓ ଅଭିଜ୍ଞତା ଭିତ୍ତିରେ ଟିକେଟ ବଣ୍ଟନ କରି ଓଡ଼ିଶାବାସୀଙ୍କ ସେବାରେ ଦଳକୁ ସମର୍ପିତ କରିଛି । ଟିକେଟ ପାଇବା ପରେ ବିକାଶଧାରାକୁ ଆଗକୁ ନେବାକୁ ସଙ୍କଳ୍ପ ନେଇଛନ୍ତି ନେତା ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭା ପାଇଁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାଁ । ସମସ୍ତଙ୍କୁ ଚକିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୭୨ ଜଣଙ୍କୁ ଦେଇଛନ୍ତି ବିଧାନସଭା ଟିକେଟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିକଶିତ ଓଡ଼ିଶା ଗଠନର ଯୋଦ୍ଧାଙ୍କୁ ବିଧାୟକ ଟିକେଟ ଦେଇ ଗ୍ରାଉଣ୍ଡକୁ ପଠାଇଛି ଦଳ । ଲୋକପ୍ରିୟତା, ନୂଆ, ପୁରୁଣା ଓ ଅଭିଜ୍ଞ ନେତାଙ୍କୁ ଭରଷା କରିଛନ୍ତି ନବୀନ ପଟ୍ଟନାୟକ । ଟିକେଟ ପାଇବା ପରେ ଦଳୀୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ନିଜ ଅଞ୍ଚଳରେ ବିକାଶଧାରା ବଜାୟ ରଖିବାକୁ ନେଇଛନ୍ତି ସଙ୍କଳ୍ପ ।

ଖାଲି ବିଧାନସଭା ନୁହେଁ, ୨୪ ପାଇଁ ଦୁଇଟି ପର୍ଯ୍ୟାୟରେ ୧୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଅଧିକାଂଶ ସଂସଦୀୟ କ୍ଷେତ୍ରରେ ନୂଆ ମୁହଁକୁ ମଇଦନାକୁ ଓହ୍ଲାଇଛି ଦଳ । ଯାଜପୁର, କନ୍ଧମାଳ, ଜଗତସିଂହପୁର ଲୋକସଭା ଆସନରେ ରିପିଟ୍ ହୋଇଛନ୍ତି ପ୍ରାର୍ଥୀ । ଦ୍ବିତୀୟ ଥର ପାଇଁ ଯାଜପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଶର୍ମିଷ୍ଠା ସେଠୀ । ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଶର୍ମିଷ୍ଠା । ଅନ୍ୟପଟେ ନବୀନ ଆଗୁଆ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା କରି ବିରୋଧୀଙ୍କୁ ଧରାଶାୟୀ କରିଛନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ସାଧାରଣ ନିର୍ବାଚନରେ ବଡ଼ ବିଜୟ ପାଇଁ ଲକ୍ଷ୍ୟ ରଖିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଭିନ୍ନ ଜାତୀୟ ସର୍ଭେରେ ପ୍ରକାଶ ପାଇଛି । ପୂର୍ବରୁ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଯାହାକି ଓଡିଶାବାସୀ ଓ ବିଜେଡି ନେତାଙ୍କ ଭିତରେ ଭରି ଦେଇଛି ଉତ୍ସାହ ।

ରାଜଧାନୀରେ ମୁଡକି ଫ୍ୟାକ୍ଟ୍ରିରେ ଆଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଭୟାବହ ଆଗ୍ନିକାଣ୍ଡ । ପୁନମାଗେଟ ଅରବିନ୍ଦ ନଗରରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ ମୁଡକି ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡିଛି ।

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ ।

ମିଳିଥିବା ସୂଚନା ଅନୁସାରେ ମୁଡକି ତିଆରି ବେଳେ ଆଗ୍ନିକାଣ୍ଡ ଘଟିଥିଲା । ତେଲ କଡେଇରୁ ନିଆଁ ଲାଗି ବ୍ୟାପି ଯାଇଥିଲା । ତେବେ ଏହି ସମୟରେ ସେଠାରେ ଥିବା ଲୋକମାନେ ସୁରକ୍ଷିତ ବାହାରି ଆସିଥିଲେ । ନିଆଁ ଲାଗିବା ପରେ ଏକ ସିଲିଣ୍ଡର ଗ୍ୟାସ ବ୍ଲାଷ୍ଟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବାଦୁଡ଼ିଙ୍କ ପାଇଁ ସ୍ବର୍ଗ ହରେକୃଷ୍ଣଙ୍କ ବାଡ଼ି, ପୂରା ପରିବାର ଦେଉଛନ୍ତି ସୁରକ୍ଷା

ସିମୁଳିଆ: ଗଛ ଡାଳରେ ଝୁଲିଛନ୍ତି ହଜାର ହଜାର ବାଦୁଡି। ବର୍ଷେ କି ଦୁଇ ବର୍ଷ ନୁହେଁ, ୨ ଶହ ବର୍ଷରୁ ଊର୍ଦ୍ଧ୍ବ ହେବ ଗଛ ଡାଳରେ ବସା ବାନ୍ଧି ରହିଛନ୍ତି । କେବେ ତେନ୍ତୁଳି ଗଛରେ, ତ ଆଉ କେବେ ଆମ୍ବ ଗଛରେ । ସୁରକ୍ଷା ଦେଉଛନ୍ତି ଗୋଟିଏ ପରିବାର ।

ରାତି ପାହିବାଠାରୁ ଆରମ୍ଭ କରି ସନ୍ଧ୍ୟା ଗଡିବା ପର୍ଯ୍ୟନ୍ତ କିଚିରି ମିଚିରି ଶଦ୍ଧରେ କମ୍ପୁଛି ପୁରା ପରିବେଶ । ସତେ ଯେପରି କୌଣସି ଏକ ଚିଡିଆଖାନା । ବିଲେଶ୍ବର ଜିଲ୍ଲା ସିମୁଳିଆ ଖଇରା ବ୍ଲକ ସାରଡାଙ୍ଗ ଗାଁର ହରେକୃଷ୍ଣ ଦାଶଙ୍କ ଘର । ଘର ପାଖରେ ଥିବା ବିଭିନ୍ନ ଗଛରେ ବସା ବାନ୍ଧିଛନ୍ତି ବାଦୁଡି । ହଜାର ହଜାର ବାଦୁଡି ଏଠାରେ ରହୁଥିବା ଦେଖିବାକୁ ମିଳେ । ବାଦୁଡ଼ିଙ୍କୁ ଧରିବାକୁ ଶିକାରୀ ଜାଲ ବସାଉଥିବା ବେଳେ ହରେକୃଷ୍ଣଙ୍କ ପୁଅ ଶରତସେସବୁ ଜାଲ କାଟି ଦେବା ସହ ଥାନାରେ ମଧ୍ୟ ଅଭିଯୋଗ କରିଥାନ୍ତି । ଖରାଦିନରେ ବାଦୁଡି ପାଣି ପିଇବା ପାଇ ଗଛ ଡାଳରେ ପାଣି ବାଲତି ବାନ୍ଧିଛନ୍ତି ପରିବାର ଲୋକେ ।

ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ପାଣି ପାଇଁ ଡହଳବିକଳ ହେଉଛନ୍ତି ବାଦୁଡି । ଯାହାକି ବଂଶବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ ପାଉଛି । ପ୍ରତିଟି ପ୍ରତିକୂଳ ପରିବେଶରେ ନିଜକୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବାଦୁଡି ଲୋପ ପାଇବାକୁ ବସିଲାଣି । ବନବିଭାଗ ସହିତ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ବିଲପ୍ତ ହେବାକୁ ବସିଥିବା ବାଦୁଡି ପ୍ରଜାତିକୁ ସୁରକ୍ଷା ମିଳିପାରିବ ।

ବାଦୁଡିଙ୍କ ସୁରକ୍ଷା ହରେକୃଷ୍ଣ କରୁଥିବାକୁ ସ୍ଥାନୀୟ ଲୋକେ ଏହାକୁ ପ୍ରଶଂସା କରୁଛନ୍ତି । ବିଲପ୍ତ ହେବାକୁ ବସିଥିବା ଏହି ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହେଉଛି ।