ଆଉ ୪ ଦିନ ବଢ଼ିଲା କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି ଆଉ ୪ ଦିନ ବଢିଲା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ କେଜ୍ରିଓ୍ବାଲ । ଇଡି ୭ ଦିନିଆ ରିମାଣ୍ଡ ଦାବି କରିଥିବା ବେଳେ ୪ ଦିନର ଅନୁମତି ଦେଇଛନ୍ତି ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ ।

ଆଜି କେଜ୍ରିଓ୍ବାଲଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବା ପରେ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଜେରାବେଳେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ଦିଆଯାଇଥିଲା । ତେବେ ତଦନ୍ତରେ କେଜ୍ରିଓ୍ବାଲ ସହଯୋଗ କରୁ ନଥିବା ଇଡି କହିଛି । କିଛି ଡିଜିଟାଲ ତଥ୍ୟ ମିଳିଥିବାରୁ ଏହାର ଛାନବିନ କରାଯାଉଛି । କେଜ୍ରିଓ୍ବାଲଙ୍କୁ ଆହୁରି ଅଧିକ ତଦନ୍ତ କରିବାର ଆବଶ୍ୟକ ଅଛି ବୋଲି ଇଡି ଦର୍ଶାଇଥିଲା । ତେଣୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା ଇଡି । ମାମଲାରେ ଗୋଆର କିଛି ନେତାଙ୍କ ସହ କେଜ୍ରିଓ୍ବାଲଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଚାହୁଁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେପଟେ ତାଙ୍କୁ କାହିଁକି ଇଡି ଗିରଫ କରିଛି ବୋଲି କୋର୍ଟରେ ପଚାରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଗତ ୨ ବର୍ଷ ଧରି ଏହି ମାମଲା ଚାଲି ଆସୁଛି । ୨୦୨୨ରେ ସିବିଆଇରେ ମାମଲା ରୁଜୁ ହୋଇଥିଲା । ମାମଲାରେ କୌଣସି ଅଦାଲତ ଦୋଷୀ ସାବ୍ୟସ୍ତ କରି ନଥିବାରୁ ମୋତେ କାହିଁକି ଗିରଫ କରାଯାଇଛି ବୋଲି କହିଥିଲେ କେଜ୍ରିଓ୍ବାଲ । ମୋ ସପକ୍ଷରେ ବୟାନ ଦେଇଥିବା ସାକ୍ଷୀଙ୍କୁ ଜବରଦସ୍ତ ମୋ ବିରୋଧରେ ସାକ୍ଷ ଦେବାକୁ ବାଧ୍ୟ କରାଯାଉଛି ବୋଲି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି । କୋର୍ଟ ଯିବା ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଓ ଆପକୁ ଧ୍ଵଂସ କରିବାକୁ ଇଡିର ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ କେଜ୍ରିଓ୍ବାଲ ।