spot_img
Home Blog Page 2059

ଉତ୍କଳ ଦିବସ ଅବସରରେ ରାଜ୍ଯବାସୀଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ରାଜ୍ଯବାସୀଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା। ସେ କହିଛନ୍ତି ଯେ ଦେଶର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ମାଟିର ସ୍ବାଭିମାନର ସୁରକ୍ଷା ଲାଗି ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ସହିଦ ବାଜି ରାଉତ, ସହିଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅବିସ୍ମରଣୀୟ।

ଉତ୍କଳ ଦିବସ ଅବସରରେ ଏହି ସମସ୍ତ ମହାନ ବ୍ଯକ୍ତିଙ୍କୁ ମୁଖ୍ଯମନ୍ତ୍ରୀ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡ଼ିଶାର କଳା ଓ ସଂସ୍କୃତି ଦେଶ ବିଦେଶରେ ପରିଚୟ ଲାଭ କରିଛି। ଦେଶ ବିଦେଶର ଥିବା ଓଡ଼ିଆ ଭାଇ ଭଉଣୀମାନେ ସେମାନଙ୍କ ଦକ୍ଷତା ଦ୍ବାରା ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି। ଏ ପବିତ୍ର ଭୂମି ଯୁଗେଯୁଗେ ସାରା ବିଶ୍ବକୁ ଶାନ୍ତି, ପ୍ରେମ, ଅହିଂସା ଓ ସଦଭାବନାର ବାର୍ତ୍ତା ଦେଇ ଆସିଛି। ଏ ମହାନ ମାଟି ପ୍ରତି ସମସ୍ତଙ୍କ ଦାୟିତ୍ବ ରହିଛି। ବରପୁତ୍ରମାନଙ୍କ ଆଦର୍ଶରେ ଓଡ଼ିଆ ମାଟିର ଅସ୍ମିତା, ସ୍ବାଭିମାନର ସୁରକ୍ଷା ଲାଗି ମିଳିତ ଭାବେ କାର୍ଯ୍ୟ କରିଚାଲିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ।

ଦୁର୍ଗମ ଅଞ୍ଚଳରେ ଖୁସି ଆଣିଛି ଲକ୍ଷ୍ମୀ ବସ

ରାୟଗଡା: ଦୁର୍ଗମ ଅଞ୍ଚଳରେ ଖୁସି ଆଣିଛି ଲକ୍ଷ୍ମୀ ବସ। କମ୍ ଦାମରେ ଆରାମଦାୟକ ଭାବେ ଯାତାୟତ କରୁଛନ୍ତି ଲୋକ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ହେଉଛି ଯୋଗାଯୋଗ ସୁଗମ। ରାୟଗଡା ଜିଲ୍ଲାର ୧୮୨ଟି ପଞ୍ଚାୟତରେ ଗଡୁଛି ୩୯ଟି ଲକ୍ଷ୍ମୀ ବସ। ଉପକୃତ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା। ଗ୍ରାମାଞ୍ଚଳର ଚାଷୀ ସହରକୁ ସୁବିଧାରେ ପନିପରିବା ନେଇ କରିପାରୁଛନ୍ତି ବିକ୍ରି। ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବା ପାଇଁ ଅଟୋର ସାହାଯ୍ୟ ନେବାକୁ ପଡୁଥିଲା। ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ବସରେ ୫ ଟଙ୍କାରେ ସହରକୁ ଯାତ୍ରା କରୁଥିବାରୁ ଖୁସି ବ୍ଯକ୍ତ କରିଛନ୍ତି ଯାତ୍ରୀ।

ଲକ୍ଷ୍ମୀବସ ଜରିଆରେ ଗ୍ରାମାଞ୍ଚଳର ଲୋକ ଉପକୃତ ହେଉଛନ୍ତି । ଏଥିସହିତ ଗାଁର ଶିକ୍ଷିତ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିଛି ଲକ୍ଷ୍ମୀ ବସ । ବସରେ କଣ୍ଡକ୍ଟର ଓ ସୁପରଭାଇଜର ପଦବୀରେ ନିଯୁକ୍ତ ହେଉଛନ୍ତି ମହିଳା । ମାସିକ ରୋଜଗାର କରୁଛନ୍ତି ୧୩ ହଜାର ଟଙ୍କା । ସେହିପରି ଭାବେ ଡ୍ରାଇଭର ମାନେ ପୂର୍ବରୁ ଘରୋଇ ଗାଡିରେ କାର୍ଯ୍ୟ କରି ନିଜ ପରିବାର ଗୁଜରାଣ ମେଣ୍ଟାଇବା କଷ୍ଟ ଦାୟକ ହେଉଥିଲା। ବର୍ତମାନ ଲକ୍ଷ୍ମୀ ବସରେ ଦାୟିତ୍ୱ ପାଇବା ପରେ ମାସିକ ସ୍ଥାୟୀ ଦରମା ନିଶ୍ଚିତ ରହୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଡ୍ରାଇଭର।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଗୋପବନ୍ଧୁଙ୍କ ଜନ୍ମଭୂମି ସତ୍ୟବାଦୀ ସୁଆଣ୍ଡୋରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଗୋପବନ୍ଧୁଙ୍କ ଷଠିଘର ଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଗୋପବନ୍ଧୁ ଦାସଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ କାର୍ତ୍ତିକ ପାଣ୍ଡିଆନ।

ଏହାଛଡା ଉତ୍କଳମଣି ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥଙ୍କ ଘରକୁ ଯାଇ କିଛି ସମୟ ତାଙ୍କ ପରିବାରକୁ ଭେଟିଥିଲେ। ଏହାଛଡା ଉତ୍କଳମଣି ସଂଗ୍ରହାଳୟ ଭିତରେ ଥିବା ପାର୍କରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।  ସଂଗ୍ରହାଳୟ ବାହାରେ ବସି ବେପାର କରୁଥିବା ଉଠା ଦୋକାନୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ପାଣ୍ଡିଆନଙ୍କ ଏହି ଗ୍ରସ୍ତ ସମୟରେ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳର ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ।

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନେଇ ବିଜେଡି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ପରେ ବି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ର ନାଚିନ୍ଦ ଏବଂ ଅରୁଆବୃତି ୧ ରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୋଲାର ଲାଇଟ୍ ଲଗାଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ସବୁ ତଥ୍ୟ ସିଇଓଙ୍କୁ ଦିଆଯାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ ।

ଜ୍ଞାନବ୍ୟାପୀ ମାମଲା; ବ୍ୟାସ ଗର୍ଭଗୃହରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ବ୍ୟାସ ଗର୍ଭଗୃହରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା। ପୂଜା ଚାଲିଥିବାବେଳେ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଗତ ମାର୍ଚ୍ଚ ୩୧ରେ ବାରାଣସୀ ଜିଲ୍ଲା କୋର୍ଟରେ ବ୍ଯାସ ତହଖାନାରେ ପୂଜାର୍ଚ୍ଚନା ଲାଗି ଅନୁମତି ପ୍ରଦାନ କରିଥିଲେ। ଏହାପରଠାରୁ ବ୍ଯାସ ତହଖାନାରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା ଜାରି ରହିଛି।

ମୁସଲିମ ପକ୍ଷ ହାଇକୋର୍ଟରେ ଗୁହାରୀ କରିଥିଲେ ମଧ୍ୟ ପୂଜା ଉପରେ ରୋକ ଲଗାଇବାକୁ ମନା କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ପୂଜାର୍ଚ୍ଚନା ଉପରେ ରୋକ ଲଗାଇବାକୁ ମସଜିଦ କମିଟି କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମୁସଲିମ ପକ୍ଷ କରିଥିବା ଆବେଦନ ଉପରେ ହିନ୍ଦୁ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ହସ୍ତକ୍ଷେପ ବିନା ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସଲ୍ ମୁସଲିମ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା ଉପରେ ତତ୍କାଳ ରୋକ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ଯାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

୪ରୁ ପ୍ରବଳ ଗ୍ରୀଷ୍ମପ୍ରବାହ, ୪୦ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: କାଲିଠୁ ଉଷ୍ମ ରାତି। ୪ ରୁ ପ୍ରବଳ ଗ୍ରୀଷ୍ମପ୍ରବାହ। ଉପାନ୍ତରୁ ଉପକୂଳ ତାତି କରିବ ଅସ୍ତବ୍ୟସ୍ତ। ଦିନରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ରାତିରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଫଳରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ। ଏଥିପାଇଁ ଅଧିକାଂଶ ସହରକୁ ୟେଲୋ ଆଲର୍ଟ ଜାରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଟୁଇନସିଟିରେ ବର୍ଷିଲା ନିଆଁ। ସାରା ରାଜ୍ୟରେ ଏବେ ତାତିର ରାଜୁତି ଆରମ୍ଭ ହୋଇଛି।

ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିଛି ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ସ୍ଥିତି ନାହିଁ। ମେଘମୁକ୍ତ ଆକାଶ ସମେତ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇଛି। ପ୍ରଭାବରେ ୨ ଏବଂ ୩ ତାରିଖ ରାଜ୍ୟରେ ଉଷ୍ମ ରାତି ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏଥିପାଇଁ ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୫ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ସୋନପୁର ଜିଲ୍ଲାରେ ଅଗ୍ନି ବର୍ଷା ହେବ ବୋଲି ଆକଳନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ଉଷ୍ମ ରାତ୍ରୀ ରେକର୍ଡ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଶ୍ରୀମନ୍ଦିରକୁ ପ୍ରବେଶ ଉଦ୍ୟମ କରୁଥିବା ବିଦେଶୀ ପର୍ଯ୍ୟଟକ ଏମ୍ସ ସ୍ଥାନାନ୍ତର

ପୁରୀ: ପୁରୀ ସ୍ଵର୍ଗଦ୍ଵାର ବେଳାଭୂମିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଭିତରେ ପଶିବାକୁ ଉଦ୍ୟମ କରୁଥିବା ବିଦେଶୀ ପର୍ଯ୍ୟଟକ ଥୋମାସ୍ କ୍ରେଗ୍ ସେଲଡନଙ୍କ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଏସପି ପିନାକ ମିଶ୍ର କହିଛନ୍ତି।

ନିଶାଗ୍ରସ୍ତ ଅବସ୍ଥାରେ ବିଦେଶୀ ପର୍ଯ୍ୟଟକ ଗତ ଶନିବାର ଦିନ ସ୍ଵର୍ଗଦ୍ଵାରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଆଶ୍ରମ ପରିଚାଳକ ସମୁଦ୍ରକୂଳ ଥାନାକୁ ଆସି ଏକ ଅଣ୍ଡରଟେକିଂ ଲେଖି ବିଦେଶୀ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇଥିଲେ। ପୁନର୍ବାର ବିଦେଶୀ ପର୍ଯ୍ୟଟକ ଜଣକ ଆଶ୍ରମରୁ ଚାଲି ଆସି ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ ବେଳେ ସେବାୟତଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା।

ପରେ ପୋଲିସ ତାଙ୍କୁ ଅଧିକ ପଚରାଉଚରା ପାଇଁ ଟାଉନ ଥାନାକୁ ଆଣିଥିବା ବେଳେ ଥାନା ଭିତରେ ମଧ୍ୟ ବିଦେଶୀ ପର୍ଯ୍ୟଟକ ଜଣକ ହଙ୍ଗାମା କରିଥିଲେ। ପୁରୀ ପୋଲିସ ବିଦେଶୀ ନାଗରିକ ଥୋମାସଙ୍କ ଦେଶର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଛି। ଏନେଇ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି।

ଘରେ ପଶିଲା ବାଘ, ୫ ଆହତ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ୱାଜିରାବାଦର ଏକ ଗାଁରେ ସୋମବାର ଦିନ ଚିତାବାଘ ଆତଙ୍କ ଖେଳାଇଛି। ଖାଲି ଏତିକି ନୁହେଁ ଚିତା ଆକ୍ରମଣରେ ପାଖାପାଖି ପାଞ୍ଚ ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିଲେ।

ପରେ ଚିତାବାଘକୁ ଉଦ୍ଧାର କରାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଚିତାବାଘ ସକାଳୁ ଜଗତ୍ପୁର ଗାଁର ଏକ ଘରର ଛାତରୁ ଡେଇଁଥିବା ସୌଭାଗ୍ୟବଶତଃ ଘରେ ତାଲା ପଡ଼ିଥିଲା। ଏସମ୍ପର୍କିତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ସକାଳ ପ୍ରାୟ ୬ଟା ୨୦ମି. ସମୟରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ​​ଏବଂ ପରେ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଚିତାବାଘକୁ ଏକ ରୁମ୍ ଭିତରେ ବନ୍ଦ କରିବାରେ ସଫଳ ହୋଇଥିଲେ ଉଦ୍ଧାରକାରୀ ଦଳ। ପରବର୍ତ୍ତୀ ସମୟରେ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତେବେ ଏହି ଘଟଣାଟି ଭୋର୍ ପ୍ରାୟ ୪ଟା ୩୦ମି.ରେ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

୩,୫୦୦ କୋଟି ଟଙ୍କାର ଆୟକର ପ୍ରସଙ୍ଗରେ କଂଗ୍ରେସକୁ ଆଶ୍ବସ୍ତ, ନିର୍ବାଚନ ଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆୟକରକୁ ନେଇ ଆଶ୍ବସ୍ତ କଂଗ୍ରେସ। ଦଳ ଉପରେ ଧାର୍ଯ୍ୟ କରାଯାଇଥିବା ୩ ହଜାର ୫୦୦ କୋଟି ଟଙ୍କାର ଆୟକର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ରଖିଲେ ମତ। ସରକାର କହିଛନ୍ତି କଂଗ୍ରେସଠାରୁ ଏହି ଟଙ୍କା ଆଦାୟ ଲାଗି ବିରୋଧୀ ଦଳଙ୍କ ଉପରେ ସରକାର କୌଣସି ବଳପୂର୍ବକ ପଦକ୍ଷେପ ନେବେ ନାହିଁ। ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୨୪ରେ ହେବ।

୩ ହଜାର ୫୬୭ କୋଟି ଟଙ୍କାର ଆୟକର ନୋଟିସ ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା କଂଗ୍ରେସ। ଏହାକୁ କେନ୍ଦ୍ର ସରକାରଙ୍କ ଏକ ପ୍ରକାର ଟାକ୍ସ ଟେରରିଜିମ୍ ବୋଲି ଦର୍ଶାଇଥିଲା କଂଗ୍ରେସ। କଂଗ୍ରେସକୁ ଅର୍ଥନୈତିକ ଭାବେ ଧ୍ବଂସ କରିଦେବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ।

ଜଷ୍ଟିସ ବି.ଭି. ନାଗରନ୍ଥାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବାବେଳେ କେନ୍ଦ୍ର ପକ୍ଷରୁ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ନିର୍ବାଚନକାଳୀନ ସମୟରେ ବିରୋଧୀ ଦଳ ବିରୋଧରେ ସରକାର କୌଣସି ପଦକ୍ଷେପ ନେବେ ନାହିଁ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୪ରେ କଂଗ୍ରେସ ମୋଟ ଆୟକରର ୨୦ ପ୍ରତିଶତ ଅର୍ଥାତ ୧୩୫ କୋଟି ଟଙ୍କା ଦେବା ଲାଗି କୁହାଯାଇଛି। କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି କହିଥିଲେ- କଂଗ୍ରେସର ସମ୍ପତ୍ତି ବାଜ୍ଯାପ୍ତି କରି କେନ୍ଦ୍ର ସରକାର ୧୩୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ଷଷ୍ଠଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଶୀର୍ବାଦ ଦେଲେ ସାଧୁ ସନ୍ଥ

ଭୁବନେଶ୍ବର: ଷଷ୍ଠଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନବୀନ ନୀବାସରେ ସାଧୁ ସନ୍ଥ । ସନ୍ଥ ଭୀମ ଭୋଇ ମହିମା ଅଲେଖ ଟ୍ରଷ୍ଟ ପକ୍ଷରୁ ନବୀନ ଓ 5T ଅଧ୍ୟକ୍ଷଙ୍କୁ ଆଶୀର୍ବାଦ ଦେଲେ । ଓଡ଼ିଶାର ବିକାଶ କରୁଛନ୍ତି ମୁଖ୍ୟମନ୍ତ୍ରୀ  । ତେଣୁ ଆମେ ତାଙ୍କୁ ଆଶିର୍ବାଦ ଦେଲୁ ଆଗାମୀ ନିର୍ବାଚନରେ ପୁଣିଥରେ ବିଜୟ ହୋଇ ଓଡିଶାର ବିକାଶକୁ ଆଗକୁ ନିଅନ୍ତୁ ବୋଲି କହିଲେ ସାଧୁ ସନ୍ଥ । ଏଥିସହ ସୋମବାର ମୁଖ୍ଯମନ୍ତ୍ରୀ ଓ 5T ଅଧ୍ଯକ୍ଷଙ୍କୁ ଭେଟିଛନ୍ତି ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା। ରାଜ୍ଯ ସରକାରଙ୍କ ବିକାଶ ଆଭିମୁଖ୍ଯକୁ ସେମାନେ ପ୍ରଶଂସା କରିଛନ୍ତି।