spot_img
Home Blog Page 2051

ବିଜେଡିରେ ବଢୁଛି ଟିକେଟ୍ ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର: ବିଜେଡି ଟିକେଟ୍ କ୍ରେଜ୍ । ପ୍ରତିଦିନ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢୁଛି । କିଏ ସଂଗନଠ ଜରିଆରେ ଆବେଦନ କରୁଛନ୍ତି ତ କିଏ ନବୀନ ନିବାସକୁ ନିଜ ପ୍ରୋଫାଇଲ ପଠାଉଛନ୍ତି । ଆଗାମୀ ନିର୍ବାଚନରେ ବିଜେଡିର ବଡ଼ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଏହି ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ଆଗ୍ରହ ବଢୁଛି । ବିଜେଡି ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଜିତିବା ଚିତ୍ର ସ୍ପଷ୍ଟ ହେଉଥିବାରୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି ।

୧୦ ହଜାରରୁ ଅଧିକ ଆବେଦନ ଆସିଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ୨୪ରେ ବିଜେଡିର ଐତିହାସିକ ବିଜୟ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସର୍ଭେ ରିପୋର୍ଟ ଓ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଥିବା ସଂକେତ ମିଳିବା ପରେ ବିଜେଡି ପ୍ରାର୍ଥୀ ହେବାକୁ ଜାତୀୟ ଦଳର ନେତା, ବିଭିନ୍ନ ବର୍ଗର ପେସାଦାର ବ୍ୟକ୍ତି ଓ ମହିଳାଙ୍କ ଆଗ୍ରହ ବଢ଼ିଛି । ତେବେ ମୁଖ୍ଯମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

 

ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

ଭୁବନେଶ୍ୱର: ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଆସନ୍ତାକାଲି ସେ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ଯାନ କରିବେ ବିଲ ଗେଟ୍ସ।

କିଟ ଆଉ କିସର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛି। ଏହାପରେ କୃଷି ଭବନ ପରିଦର୍ଶନ କରିବା ସହ କୃଷି ସମୀକ୍ଷା କେନ୍ଦ୍ର ଯାଇ ଅନୁଧ୍ୟାନ କରିବେ। ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି। କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି।

ଏହାପରେ ବିଲ ଗେଟ୍ସ ମିଶନ ଶକ୍ତି ବଜାର ମଧ୍ଯ ଯିବାର କାର୍ଯ୍ଯକ୍ରମ ରହିଛି। ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବିଲ ଗେଟ୍ସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି। ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି।

ଗଛ ପାଇଁ ସମର୍ପିତ ଜୀବନ, ଜାଣନ୍ତୁ ବୃକ୍ଷ ପ୍ରେମୀ ଦୀନବନ୍ଧୁଙ୍କ ସମ୍ପର୍କରେ…

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଲକ ବରକୁଦା ଗ୍ରାମନିବାସୀ ଦୀନବନ୍ଧୁ। ଯୁଆଡ଼େ ଯାଆନ୍ତି ସିଆଡେ ଗଛଟିଏ ଲଗାନ୍ତି। ଏହା ତାଙ୍କର ଜୀବିକା ନୁହେଁ ବରଂ ତ୍ଯାଗର ବିରଳ ଉଦାହରଣ। ସମାଜ ଓ ପ୍ରକୃତି ଲାଗି ନେଇଛନ୍ତି ବଡ଼ ନିଷ୍ପତ୍ତି। ଦୀନବନ୍ଧୁଙ୍କ ପରିବାର କହିଲେ ପତ୍ନୀ, ପୁଅ, ବୋହୂ ଓ ଗୋଟିଏ ନାତି । ପରିବାରର ହସଖୁସି ଭିତରେ ଦୁନିଆକୁ ବଞ୍ଚାଇବା ଲାଗି ପଣ କରିଛନ୍ତି ଦୀନବନ୍ଧୁ। ଚାଷ ଓ ପୁଅଙ୍କ ରୋଜଗାରରେ ଘର ଚଳେ । ଦୀନବନ୍ଧୁଙ୍କ ମହତ କାର୍ଯ୍ୟକୁ ସହଯୋଗ କରିଆସିଛନ୍ତି ଗ୍ରାମବାସୀ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ଶତାଧିକ ସମ୍ମାନ ଓ ପ୍ରଶଂସା ପତ୍ର।

କେବଳ ମନରେ ନୁହେଁ, ଦେହରେ ବି ସବୁଜିମାର ବାର୍ତ୍ତା। ପରିଣତ ବୟସରେ ବିରଳ ଉନ୍ମାଦନା। ପ୍ରାଣର ସ୍ପନ୍ଦନ ସହ ଏକୀଭୂତ ବୃକ୍ଷର ଜୀବନ। ଏ ହେଉଛନ୍ତି ଦୀନବନ୍ଧୁ ବେହେରା। ନା ଖରା, ନା ବର୍ଷା, ଗାଁ ରାସ୍ତା ହେଉ ବା ରାଜରାସ୍ତା । ସବୁଠି ଦେଖାଯାନ୍ତି ଦୀନବନ୍ଧୁ। ସବାରୀ- ପୁରୁଣାକାଳିଆ ଲୁନା। ପଛରେ ବି ଲେଖାଅଛି ଆହ୍ବାନର ବାର୍ତ୍ତା। ଆଉ ଲୁନା ମଝିରେ ଲଦା ବିଭିନ୍ନ କିସମର ଗଛ। ବୟସର ସାୟାହ୍ନରେ ଦୀନବନ୍ଧୁ। ହେଲେ ଥକିନାହାନ୍ତି ଏ ସବୁଜ ସାଧକ।

କେବଳ ଏତିକି ନୁହେଁ ଗଛ ଲଗାଇବା ପରେ ତାହାର ଯତ୍ନ ନେବାକୁ ପଛାନ୍ତି ନାହିଁ ଦୀନବନ୍ଧୁ। ୬୫ ବର୍ଷ ବୟସରେ ବି ଥକିନଥିବା ଦୀନବନ୍ଧୁ ଗତ ୪୫ବର୍ଷ ମଧ୍ୟରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋପଣ କରିଛନ୍ତି ଲକ୍ଷାଧିକ ବୃକ୍ଷ। ନିଜ ଘରେ କରିଥିବା ଚାରା ଫାର୍ମରୁ କିଛି ଗଛ, କଟୁରୀ, ଲୁହାରଡ, ପାଣି ବୋତଲ ଧରି ବାହାରି ଯାଆନ୍ତି। ଆଉ ରାସ୍ତା ପାର୍ଶ୍ଵ, ମନ୍ଦିର, ସ୍କୁଲ ଓ ମସଜିଦ ଓ ପଡିଆରେ ଗଛ ଲଗାନ୍ତି । ଲୁନା ପଛରେ ବି ଲେଖିଛନ୍ତି ଗୋଟିଏ ଗଛ ବଢେଇ ଦିଅ, ପ୍ରଳୟର ଦିନ ଘୁଞ୍ଚାଇ ଦିଅ । ସ୍ଥାନୀୟ ଅଞ୍ଚଳରେ ତାଙ୍କୁ କିଏ ଗଛ ମଉସା ଡାକେ ତ କିଏ କହେ ଗ୍ରୀନ ମ୍ୟାନ । ଆଉ କିଏ କୁହନ୍ତି ସେ ଦୀନବନ୍ଧୁ ନୁହନ୍ତି ସେ ବୃକ୍ଷର ବନ୍ଧୁ ।

ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା

ଭୁବନେଶ୍ୱର: ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା। କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରଖାଯିବ ନଜର । ଗତକାଲି ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି।

ପ୍ରାଣୀ ପ୍ରେମୀଙ୍କ ଲାଗି ଖୁସି ଖବର। ଓଡ଼ିଶାରେ ବଢୁଛି ବାଘ ସଂଖ୍ୟା। ଶିମିଳିପାଳ ବ୍ୟତୀତ ହୀରାକୁଦ, ପାରଳାଖେମୁଣ୍ଡି ଓ କେନ୍ଦୁଝରରେ ବି ରହିଛି ବାଘଙ୍କ ଉପସ୍ଥିତି। ସାରା ବିଶ୍ୱରେ କେବଳ ଶିମିଳିପାଳରେ ଅଛନ୍ତି ୧୩ କଳା ବାଘ। ହଦଗଡ଼, କେନ୍ଦୁଝର ଓ କୁଲଡ଼ିହା ଅଭୟାରଣ୍ୟକୁ ନେଇ ବଢିବ ଶିମିଳିପାଳର କରିଡ଼ର।

୨୦୨୨ରେ ଏନଟିସିଏ ଦ୍ବାରା ହୋଇଥିବା ବାଘ ଗଣନାରେ ରାଜ୍ୟରେ ୨୦ଟି ବାଘ ଥିବା ବେଳେ ଏଥର ଏହା ୩୦କୁ ବୃଦ୍ଧି ପାଇଛି। ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିଛନ୍ତି। ଶିମିଳିପାଳରେ ମୋଟ ୨୭ଟି ବାଘ ଥିବା ବେଳେ ଏଥିରୁ କଳାବାଘ ସଂଖ୍ୟା ୧୩। ଇନ୍ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍। ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା ହୋଇଛି। ଏଥିପାଇଁ NTCA ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି।

ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା

କଟକ: ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣା। ମାଟ୍ରିକ ପରୀକ୍ଷା ଭଣ୍ଡୁର କରିବା ଚକ୍ରାନ୍ତ ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଚରମ ପଦକ୍ଷେପ। ଗୁଜବକାରୀଙ୍କ ବିରୁଦ୍ଧରେ ସାଇବର ଥାନାରେ ଲିଖିତ ଏତଲା ଦେଲେ ବୋର୍ଡ ଅଧିକାରୀ। କିଏ ଭାଇରାଲ କରୁଛନ୍ତି ତାଙ୍କୁ ସାମ୍ନାକୁ ଆଣିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରାଯାଇଛି।

ଗତକିଛି ଦିନ ହେବ ବାରମ୍ବାର ଭାଇରାଲ ଗୁଜବ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହିତ ଏନେଇ ପରୀକ୍ଷାର୍ଥୀ ବିବ୍ରତ ହେଉଥିଲେ। ପରୀକ୍ଷାର୍ଥୀଙ୍କୁ ସୋସିଆଲ ମିଡିଆ ଓ ଏହି ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହିତ କାର୍ଯ୍ଯାନୁଷ୍ଠାନ ଲାଗି ପଦକ୍ଷେପ ନେଇଛନ୍ତି।

ଭୁବନେଶ୍ବରରେ ମିଶନ ଶକ୍ତି ବଜାର ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟିତ ହୋଇଛି ମିଶନ ଶକ୍ତି ବଜାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜାରକୁ ଉଦଘାଟନ କରିଛନ୍ତି। ମାଆଙ୍କ ଉଦ୍ଯୋଗୀ ଆଶାକୁ ଆହୁରି ମଜଭୁତ କରିବ ମିଶନ ଶକ୍ତି ବଜାର। ଏହା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ବଜାରକୁ ଲୋକାର୍ପଣ କରିବା ପରେ ଏହାକୁ ବୁଲି ଦେଖିଥିଲେ ମୁଖ୍ଯମନ୍ତ୍ରୀ।

ବଜାରରେ ପରିସରରେ ନିର୍ମିତ ମିଶନ ଶକ୍ତି କାଫେରେ କଫି ପିଇଥିଲେ ମୁଖ୍ଯମନ୍ତ୍ରୀ। ମିଶନ ଶକ୍ତି ବଜାରରୁ ଏକ କଂସାର ବେଲା କିଣିଥିଲେ ମୁଖ୍ଯମନ୍ତ୍ରୀ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ଏହି ବଜାର। ଏହାର ପରିଚାଳନା ଦାୟିତ୍ବ ପାଇଛି ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡ୍।

ଲୋକଙ୍କ ପାଇଁ ଏହି ବଜାର ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ବଜାରରେ ଲୋକେ ଝାଡ଼ୁଠାରୁ ପାଟଶାଢ଼ୀ, ବେତ ସୋଫା, ସବାଇ ଘାସରେ ନିର୍ମିତ ସାମଗ୍ରୀ, ମାଟି ବାସନ, ଡୋକରା ସାମଗ୍ରୀ, ଘରକରଣା ଜିନିଷ, ମିଲେଟ୍ସ୍ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦି, ମାଣ୍ଡିଆ, କୋରାପୁଟ କପି, ମହୁ, ସମେତ ପ୍ରାୟ ପ୍ରାୟ ୨୮ ପ୍ରକାର ଉତ୍ପାଦ କିଣିବାର ସୁବିଧା ପାଇବେ। ୩୦ ଜିଲ୍ଲାରେ ମାଆମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଏହି ବଜାରରେ ୩୬୫ ଦିନ ମିଳିବ। ଏବେ ବଜାର ସୁବିଧା ଦେଇ ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ବଳିଷ୍ଠ ପଦକ୍ଷେପ।

ମିଶନ ଶକ୍ତି ମା’ଙ୍କୁ ବଡ଼ ଉପହାର; ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

ଭୁବନେଶ୍ୱର: ଏଣିକି ଆଉ ୫ ଲକ୍ଷ ନୁହେଁ ୭୦ ଲକ୍ଷ ଏସଏଚଜିକୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବାକୁ ଲକ୍ଷ୍ଯ ରଖାଯାଇଛି। ଏହାଛଡ଼ା ୭୩୦ କୋଟି ଟଙ୍କା ଅଟକଳରେ ମିଶନ ଶକ୍ତି ମାଆଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ  ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରିଥିଲେ ନବୀନ।

ଏହି ଅବସରରେ ନବୀନ କହିଥିଲେ, ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ବିଦେଶ ଯାଇ ମହିଳାମାନେ ଭିନ୍ନ ଅନୁଭୂତି ନେଇଥିବାରୁ ଖୁସି ପ୍ରକାଶ କରିଥିଲେ ମୁଖ୍ଯମନ୍ତ୍ରୀ।

ମିଶନ ଶକ୍ତି ମାଆମାନେ ହୋଇଛନ୍ତି ସରକାରଙ୍କ ପାର୍ଟନର। ସେମାନଙ୍କ ହାତ ତିଆରି ଜିନିଷର ବିକ୍ରି ପାଇଁ ହୋଇଛି ମିଶନ ଶକ୍ତି ବଜାର।  ଭୁବନେଶ୍ୱରରେ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଖୋଲାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ ଖୋଲାଯିବ। ମାଆଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ମୁଖ୍ଯମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ନୀତି ନାରୀ ଶକ୍ତିରେ ଆଣିଛି ଆନ୍ଦୋଳନ। ମାଆମାନଙ୍କୁ ଘରର ଚାରିକଣରୁ ନେଇ ଦୁବାଇ ଓ ସିଙ୍ଗାପୁରର ଅନୁଭୂତି ଦେଇଛନ୍ତି ରାଜ୍ଯ ସରକାର। ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ସଦସ୍ଯା।

ରାଜ୍ଯ କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ, ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ

କଟକ: ରାଜ୍ଯ କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ବିଶ୍ବରେ ଏକ ମେଜର କ୍ରିକେଟ ଡେଷ୍ଟିନେସନ ହେବ ବାରବାଟୀ ଷ୍ଟାଡିୟମ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତଙ୍କ ଶୁଭେଚ୍ଛା ଓ ଧନ୍ଯବାଦ ଜଣାଇବା ସହ ବିଶ୍ବର ସମସ୍ତ ସୁବିଧା ବାରବାଟୀରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ।

ତେବେ ଷ୍ଟାଡିୟମର ଐତିହ୍ୟ ବହନ କରୁଥିବା ସମସ୍ତ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖାଯାଇ ଏହାର ନବୀକରଣ କାର୍ଯ୍ୟ କରାଯିବ । ଏଠାରେ ଏକ ନୂଆ ଓ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଯେଉଠାରେ ଖେଳାଳିଙ୍କ ପାଇଁ ରହିବ ସମସ୍ତ ଅତ୍ଯାଧୁନିକ ସୁବିଧା । ଆଜି ବାରବାଟୀ ନବୀକରଣ ସହ ରାଜ୍ଯର ବିଭିନ୍ନ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ଓ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହା ରାଜ୍ଯରେ କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କ କ୍ଯାରିୟର ଗଠନ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ।

ଏହି ଅବସରରେ ବ୍ରହ୍ମପୁରରେ ଥିବା କ୍ରିକେଟ ଷ୍ଟାଡିୟମକୁ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ। ଶୀତଳାପଲ୍ଲୀ ସ୍ପୋର୍ଟସ କମ୍ପ୍ଲେକ୍ସ, ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଏକାଡେମୀ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଓସିଏ ଦ୍ବାରା ବିକଶିତ ଓଡ଼ିଶାର ୪୨ଟି କ୍ରିକେଟ ଏକାଡେମୀ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଗଞ୍ଜାମ ଭାରୋତ୍ତଳନ ଏକାଡେମୀ ସହ ୨ଶହ ବେଡ ବିଶିଷ୍ଟ ହଷ୍ଟେଲର ଶୁଭ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହି ଉଦଘାଟନୀ ଅବସରରେ ବାରବାଟୀରେ ଏହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଏଥିରେ ପୂର୍ବତନ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା । ଏଥି ସହିତ ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂହ ଧୂମାଲ, କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ଦୀନେଶ ମଙ୍ଗିଆ, ଆଶୀର୍ବାଦ ବେହେରା, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ। କ୍ରୀଡ଼ା କ୍ଷେତ୍ରରେ ଏପରି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଥିଲେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ।

ସିଦ୍ଧୁ ମୁସେୱାଲାଙ୍କ ବନ୍ଧୁ ବଣ୍ଟିକୁ ମରଣାନ୍ତକ ଆକ୍ରମଣ

ମୋହାଲି: ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ତଥା ସିଦ୍ଧୁ ମୋସେୱାଲାଙ୍କ ବନ୍ଧୁ ବଣ୍ଟି ବେନ୍ସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଣ୍ଟି ପଞ୍ଜାବ ମୋହାଲିର ଏକ ରେଷ୍ଟୁରାଣ୍ଟରେ ବସିଥିବା ବେଳେ କିଛି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଯଦିଓ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବଣ୍ଟି । ସେ ଏବେ ସୁରକ୍ଷିତ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ଗୁଳି ମାଡ଼ ପରେ ତାଙ୍କୁ ୧ କୋଟି ଟଙ୍କା ଦେବାଲାଗି ଧମକପୂର୍ଣ୍ଣ କଲ୍ ଆସିଥିଲା। ଟଙ୍କା ନ ଦେଲେ ଜୀବନରୁ ମାରିଦେବକୁ ଫୋନ କଲରେ ଧମକ ମଧ୍ୟ ଦିଆଯାଇଛି। ବଣ୍ଟି କହିଛନ୍ତି ଯେ, ଏହି କଲ୍ ତାଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲକି ପାଟିଆଲଙ୍କ ନାମରେ କରାଯାଇଥିଲା। ଲକି ଏବେ କାନାଡାରେ ଅଛି। କୁହାଯାଏ, ଲକି ପାଟିଆଲ ଏବଂ ଲରେନ୍ସ ବିଷ୍ଣୋଇ ପରସ୍ପର ବିରୋଧି । ଲକି ବାମ୍ବିହା ଗ୍ୟାଙ୍ଗର ଲିଡର ।

ଏହି ଆକ୍ରମଣକୁ ନେଇ ବଣ୍ଟି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପଞ୍ଜାବ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବଣ୍ଟି ବେନସ୍ କେବଳ ସିଦ୍ଧୁ ମୁସାୱାଲାଙ୍କର ଜଣେ ଭଲ ବନ୍ଧୁ ନୁହଁନ୍ତି ଏବଂ ତାଙ୍କର ଅନେକ ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ପୂର୍ବେ, ୨୦୨୨ ମସିହା ମେ ୨୯ରେ ସିଦ୍ଧୁ ମୋସେୱାଲାଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା

 

ପଞ୍ଚଭୂତରେ ବିଲୀନ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ

ମୁମ୍ବାଇ: ଶୋକାକୁଳ ପରିବେଶ, ସମସ୍ତେ ସ୍ତବ୍ଧ। ନିରବୀ ଯାଇଛି ଯେମିତି ପୁରା ବଲିଉଡ। ପଞ୍ଚଭୂତରେ ବିଲୀନ ହୋଇଛି ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପାର୍ଥିବ ଶରୀର। ମୁମ୍ବାଇର ବର୍ଲ୍ଲି ସ୍ଥିତ ହିନ୍ଦୁ କ୍ରିମେଟୋରିୟମରେ ପଙ୍କଜ ଉଧାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ଅନ୍ତିମ ସଂସ୍କାର ପୂର୍ବରୁ ପଙ୍କଜଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ପଙ୍କଜଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ପହଞ୍ଚିଥିଲା ପୁରା ବଲିଉଡ଼। ଗତକାଲି ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପଙ୍କଜ ଉଧାସ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପଙ୍କଜଙ୍କ ମୃତ୍ଯୁ ନେଇ ଝିଅ ନାୟାବ ଉଧାସ ସୂଚନା ଦେଇଥିଲେ। କୋଟି କୋଟି ସଂଗୀତ ଓ ଗଜଲ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ, ୧୯୫୧ ମେ’ ୧୭ରେ ଗୁଜରାଟର ଜେଟପୁରରେ ପଙ୍କଜ ଜନ୍ମଗ୍ରହଣ କରିଥିଲେ । ନାମ୍ ଫିଲ୍ମର ଲୋକପ୍ରିୟ ଗୀତ ‘ଚିଠି ଆଇ ହେ…’ ଗୀତର ଗାୟକ ହେଉଛନ୍ତି ପଙ୍କଜ । ଏହି ଗୀତ ତାଙ୍କୁ ଲୋକପ୍ରିୟତା ଦେଇଥିଲା। କୋଟି କୋଟି ସଂଗୀତ ଓ ଗଜଲପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।ଅନ୍ତିମ ସଂସ୍କାର ସମୟରେ ସୋନୁ ନିଗମ, ଅନୁପ ଜଲୋଟାଙ୍କ ସମେତ ବହୁ ସେଲିବ୍ରିଟି ଶେଷ ଦର୍ଶନ କରିଥିଲେ।