ସତ ଦେଖାଇବାରୁ ରାଗ ତମତମ ବିଜେପି ନେତା

ଭୁବନେଶ୍ବର: ଦଳୀୟ କନ୍ଦଳ ପୋଲ୍ ଖୋଲିଯିବାରୁ ପ୍ରତିଶୋଧପରାୟଣ ରାଜ୍ଯ ବିଜେପି । ସତ ଦେଖାଇବାରୁ ରାଗ ତମତମ ବିଜେପି ନେତା । ଟିକେଟ ଘୋଷଣା ପରେ ବିଜେପିରେ ଅସନ୍ତୋଷ ଶୀଖର ଛୁଇଁଛି । ଦଳୀୟ ନେତାମାନେ ପାର୍ଟି ଅଫିସରେ ପଶି ହଙ୍ଗାମା କରୁଛନ୍ତି । ହେଲେ ଦଳୀୟ କର୍ମୀଙ୍କୁ ଅଟକାଇବା ପରିବର୍ତ୍ତେ ଗଣମାଧ୍ଯମକୁ ଅଟକାଇବାର ହୀନ ପ୍ରୟାସ କରୁଛି ରାଜ୍ଯ ବିଜେପି । ଜୟଦେବ ନିର୍ବାଚନମଣ୍ଡଳୀର ଅସନ୍ତୁଷ୍ଟ ବିଜେପି କର୍ମୀମାନେ ଯେତେବେଳେ ବିଜେପି କାର୍ଯ୍ୟାଳୟରେ ପଶି ବିକ୍ଷୋଭ କରୁଥିଲେ ସେତେବେଳେ ଗଣମାଧ୍ଯମର ଦାୟିତ୍ବ ସଂପାଦନ କରୁଥିଲା ନନ୍ଦିଘୋଷ ଟିଭି । ନିରପେକ୍ଷ ଭାବେ ସଠିକ ଖବର ପ୍ରସାରଣ ସମୟରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ଯାମେରାମ୍ଯାନଙ୍କୁ ଆକ୍ରମଣ କରିଥିଲେ ବିଜେପି ନେତା । ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ଯକୁ । ଖବର ପ୍ରସାରଣ ସମୟରେ କିଭଳି ନନ୍ଦିଘୋଷ ଟିଭିକୁ ଅଟକାଇବାକୁ ଉଦ୍ଯମ ହେଉଛି ।

ବିଜେପି ସାଧାରଣ ସଂପାଦକ ଯତୀନ ମହାନ୍ତି ସିଧାସଳଖ କ୍ଯାମେରା ଆଗରେ ହାତ ରଖିବା ସହ ବୁମ୍ ଛଡ଼ାଇନେବାକୁ ଉଦ୍ଯମ କରୁଛନ୍ତି ଦଳର ବିଦ୍ରୋହୀଙ୍କୁ ଆୟତ୍ତ କରିପାରୁନଥିବା ନେତା ଗଣମାଧ୍ଯମ ଉପରେ ରାଗ ସୁଝାଉଛନ୍ତି । ସତ ଦେଖାଇବାରୁ ଆମ ରିପୋର୍ଟରଙ୍କୁ ଧମକ୍ ଓ ଆକ୍ରମଣ ଦେଉଛନ୍ତି । ନିର୍ବାଚନ ଆସିଲେ ବିଜେପି ଗୁଣ୍ଡାଗର୍ଦ୍ଦି କରୁଥିବାର ଅନେକ ସମୟରେ ଅଭିଯୋଗ ହୁଏ । ଯାହାକି ଆଜି ପୁଣି ଥରେ ସତ ପ୍ରମାଣିତ ହୋଇଛି ।  ଆଉ ଏଥରର ଗୁଣ୍ଡାଗିରିର ସର୍ଦ୍ଦାର ସାଜିଛନ୍ତି ଯତୀନ ମହାନ୍ତି । ଏଠି ପ୍ରଶ୍ନ ଉଠୁଛି ଗଣମାଧ୍ଯମକୁ ଅଟକାଇବାକୁ ଉଦ୍ଯମ କରୁଥିବା ଏ ଯତୀନ ମହାନ୍ତି ବାସ୍ତବରେ କିଏ ? ଜଣେ ନେତା ନା ବିଜେପିର ଗୁଣ୍ଡା । ଜଣେ ନେତା ହୋଇଥିଲେ କେବେବି ଗଣମାଧ୍ଯମକୁ ଏଭଳି ବ୍ଯବହାର କରିନଥାନ୍ତେ ଯତିନ । ଆମେ ଏଠାରେ କହି ରଖୁଛୁ, ନନ୍ଦିଘୋଷ ଟିଭି ସବୁବେଳେ ସତ ଖବର ଲୋକଙ୍କ ପାଖରେ ରଖିଥାଏ । ସେହି କ୍ରମରେ ରାଜ୍ଯ ବିଜେପିରେ ଘଟୁଥିବା ଅସନ୍ତୋଷକୁ ଆମେ ପ୍ରସାରଣ କରିଛୁ । ଏଥିରେ ଅନ୍ଯ କୌଣସି ଅଭିସନ୍ଧି ନାହିଁ । ମାତ୍ର ବିଜେପି ନେତାଙ୍କ ଅପରାଧିକ ଆଚରଣ ଗଣମାଧ୍ଯମର କଣ୍ଠରୋଧ ସଦୃଶ । ଯାହାକି ଗଣତନ୍ତ୍ର ପାଇଁ ବିପଦ । ସେପଟେ ଘଟଣାକୁ ଘୋଡ଼ାଇବାକୁ ଉଦ୍ଯମ କରିଛନ୍ତି ଯତିନ ।