spot_img
Home Blog Page 2048

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ମାମଲା; ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ମାମଲା। ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର। ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରିଛି ପୋଲିସ । ଶିଶୁଟିକୁ ଚୋରି କରିଥିବା ମହିଳାଙ୍କୁ ଅଟକ ରଖାଯାଇଛି ।

ଗତକାଲି ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ ୭ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକଙ୍କ ସ୍ତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଜଣ୍ଡିସ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତୀ ବିଭାଗର ବେଡରୁ ନବଜାତକକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ମେଡିକାଲ ଫାଣ୍ଡିରେ ଏତଲା ପରେ ପୋଲିସ ତଦନ୍ତ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ମହିଳାଙ୍କୁ ପଚରାଉଚରା କରୁଛି।

ବାଲେଶ୍ବର ଏସପି ସାଗରିକା ନାଥ କହିଛନ୍ତି, ଶିଶୁପୁତ୍ର ଲୋଭରେ ମହିଳା ଜଣଙ୍କ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବର୍ତ୍ତମାନ ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ରହିଛି । ଆଗକୁ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି ।

ନିଆରା ଢଙ୍ଗରେ ନିର୍ବାଚନୀ ପ୍ରଚାର, ଦିନକ ପାଇଁ ବାରିକ ସାଜି ସହଯୋଗ ଲୋଡିଲେ

ରାମେଶ୍ୱରମ: ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର। ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। କେହି କେହି ନିଜ ପାର୍ଟି ପାଇଁ ପ୍ରଚାର କରୁଥିବା ବେଳେ ଏବଂ ଆଉ କେହି କେହି ନାମାଙ୍କନପତ୍ର ଦାଖଲ କରୁଛନ୍ତି। ସେହିପରି ଭୋଟରଙ୍କୁ ନିର୍ବାଚନରେ ​​ଭାଗ ନେବାକୁ ସଚେତନ କରାଇବା ପାଇଁ ନିର୍ବାଚନ ଆୟୋଗ ଅଭିଯାନ ମଧ୍ୟ ଚଳାଉଛନ୍ତି। ପ୍ରଚାର ପାଇଁ ସଭିଏଁ ଅଣ୍ଟା ଭିଡିଥିବା ବେଳେ ଏହାରି ମଧ୍ୟରେ ତାମିଲନାଡୁ ରାମନାଥପୁରମର ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ  ନିର୍ବାଚନୀ ପ୍ରଚାର ଏବେ ଚର୍ଚ୍ଚାରେ ରହିଛି । ଖାଲି ଏତିକି ନୁହେଁ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ପ୍ରଚାର ପାଇଁ ସେଲୁନ୍ ଭିତରେ ଦାଢି କାଟିଛନ୍ତି ପ୍ରାର୍ଥୀ । ଏହାସହ ଲୋକଙ୍କ ସହାୟତା ଲୋଡିଛନ୍ତି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେଲୁନ ଭିତରେ ଜଣେ ଲୋକ ଦାଢ଼ି କାଟିବାକୁ ବସିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପରିରାଜନ୍ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ପରେ ପରେ ତାଙ୍କ ସହ କଥାବାର୍ତ୍ତା ହେବା ସଙ୍ଗେସଙ୍ଗେ ହାତ ଯୋଡି ସହଯୋଗ ପାଇଁ ନିବେଦନ ମଧ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ, ରମେଶ୍ୱରମର ଏକ ସେଲୁନକୁ ଯାଇ ସ୍ୱାଧୀନ ପ୍ରାର୍ଥୀ ପରିରାଜନ୍ ଦିନକ ପାଇଁ ବାରିକ ସାଜିଥିଲେ। ଏହି ସମୟରେ ସେ ଲୋକଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ କହିବାନୁଯାୟୀ, ଲୋକଙ୍କ ସହ ଯୋଡିହେବା ହେଉଛି ତାଙ୍କର ପ୍ରଥମ ଲକ୍ଷ୍ୟ।

ତେବେ ନିକଟରେ ମଧ୍ୟ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଥିଲା । ଯେତେବେଳେ ଗୋରଖପୁରରୁ ପ୍ରାର୍ଥୀ ରବି କିଶନ ଚା’ ତିଆରି କରୁଥିବା ଦେଖିବାକୁ ମିଳିଥିଲା । ସେ ସମୟରେ ରବି କିଶନ ଗୋରଖପୁରରେ ଏକ ଜନସମ୍ପର୍କ ଅଭିଯାନ ଚଳାଉଥିଲେ। ଯାହାପରେ ସେ ଏକ ଚା ଦୋକାନରେ ଅଟକିଥିଲେ ଏବଂ ପରେ ଅଦା ପକାଇ ଚା ତିଆରି କରିଥିଲେ। ଯାହାର ଦୃଶ୍ୟ ଖୁବ୍ ଭାଇରାଲ୍ ହୋଇଥିଲା ।

ଅସହ୍ଯ ଖରାରେ ଅସ୍ତବ୍ଯସ୍ତ ଜନଜୀବନ

ଭୁବନେଶ୍ୱର: ଅସହ୍ଯ ଖରାରେ ସିଝୁଛି ଓଡିଶା। ଜନଜୀବନକୁ ଅସ୍ତବ୍ଯସ୍ତ କରୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଗତକାଲି ରାଜ୍ଯର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ଯରେ ୧୦ରୁ ଅଧିକ ସହରର ତାତି ୪୦ ଡିଗ୍ରୀ ଉପରେ ରହୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରଖର ଗ୍ରୀଷ୍ମ ପ୍ରବାହର ସାଙ୍ଗକୁ ବିଭିନ୍ନ ସ୍ଥାନରେ ଖରା ୪୦ ଡିଗ୍ରୀ ପାର୍ କରିପାରେ। ଆଜି ଅଧିକ ଖରା ନେଇ ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କାଲି ପରେ ପଶ୍ଚିମାଝଡ଼ ସକ୍ରିୟ ହେବା ସହ ତାତି କମିବା ସମ୍ଭାବନା ରହିଛି।

ଅଧରାତିରେ ମନ୍ମଥଙ୍କ ଏମ୍ସ ପରିଦର୍ଶନ, ରୋଗୀ ଓ ସମ୍ପର୍କୀୟଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ଅଧରାତିରେ ଏମ୍ସ ପରିଦର୍ଶନ। ରାତି ପ୍ରାୟ ୩ଟା ୧୫ରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିଦର୍ଶନ କରି ଅନୁଧ୍ଯାନ କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ନିଜେ ଗାଡ଼ି ଚଳାଇ ଡାକ୍ତରଖାନାକୁ ଯିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସମସ୍ଯା ସମ୍ପର୍କରେ ସେ ଅନୁଧ୍ଯାନ କରିଥିଲେ।

ରାଜ୍ଯ ତଥା ରାଜ୍ଯ ବାହାରର ରୋଗୀ ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବାବେଳେ ରାତିରେ ବାହାରେ ଶୋଉଥିବା ଦେଖି ସେମାନଙ୍କ ସହ କଥା ହୋଇଥିଲେ ମନ୍ମଥ। ଏହି ସମୟରେ କିଛି ଲୋକ ମନ୍ମଥଙ୍କ ଆଗରେ କାନ୍ଦିକାନ୍ଦି ସମସ୍ୟା କହିଥିଲେ। କିଏ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଆଉ କିଏ ଟିକେଟ ପାଇଁ ରାତିରେ ଲାଇନ ଲଗାଇ ସମସ୍ୟା ଭୋଗୁଥିବା କହିଥିଲେ। ଏମ୍ସ ବାହାରେ ଲୋକ ଅସୁବିଧା ଭୋଗୁଥିବା ଦେଖି ଦୁଃଖ ପ୍ରକାଶ ସହ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ମନ୍ମଥ।

ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି, ରେପୋ ରେଟରେ ହେବ କି ପରିବର୍ତ୍ତନ?

ନୂଆଦିଲ୍ଲୀ: ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି। ଭାରତୀୟ ରିଜର୍ଭ ବ୍ଯାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚଳିତ ଏପ୍ରିଲରେ ରେପୋ ରେଟକୁ ୬ ଦଶମିକ ୫ରେ ଅପରିବର୍ତ୍ତିତ ରଖିପାରନ୍ତି ଆରବିଆଇ। ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ।

ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇ ଆସଛନ୍ତି। ଏମପିସି ବୈଠକ ନେଇ ଗତ ଏପ୍ରିଲ ୩ ତାରିଖରୁ ବୈଠକ ବସିଥିଲା। ଚଳିତ ବର୍ଷ ଏପ୍ରିଲ ୩ରେ ଏମପିସି ବୈଠକ ବସିଥିବାବଳେ ଆସନ୍ତା ଜୁନ ୫ରୁ ୭, ଅଗଷ୍ଟ ୬ରୁ ୯, ଅକ୍ଟୋବର ୭ରୁ ୯, ଡିସେମ୍ବର ୪ରୁ ୬ ଏମପିସି ବୈଠକ ବସିବ।

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୋରରୁ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ଭିତର ବେଢା ପରିକ୍ରମା କରିଥିଲେ। ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିବା ପରେ ତାଙ୍କୁ ଜନସାଧାରଣମାନେ ଅଭିବାଦନ ଜଣାଇଥିଲେ। ପରେ 5T ଅଧ୍ଯକ୍ଷ ଭୁବନେଶ୍ବର ପ୍ରତ୍ଯାବର୍ତ୍ତନ କରିଥିବା ନେଇ ସୂଚନା ମିଳିଛି।

ବଡମ୍ବା ବିଜେପିରେ ଗୋଷ୍ଠୀ କନ୍ଦଳ

ନନ୍ଦିଘୋଷ ବ୍ୟୁରୋ: ବଡମ୍ବା ବିଜେପିରେ ଗୋଷ୍ଠୀ କନ୍ଦଳ । ଗୋପାଳପୁର ନିକଟରେ ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ଗାଡି ଅଟକାଇଲେ ଅସାମାଜିକ ବ୍ୟକ୍ତି । ଥାନାରେ ବିଜେପି କର୍ମୀଙ୍କ ନାଁରେ ଏତଲା ଦେଲେ ବିଜେପି ନେତା ସମ୍ବିତ ତ୍ରିପାଠୀ ।  ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟରୁ ଲଢ଼ିବେ ପୂର୍ବତନ ପ୍ରଶାସକ ସମ୍ବିତ ତ୍ରିପାଠୀ । ଆଜି ସମ୍ବିତ ନିର୍ବାଚନ ପ୍ରଚାରରେ ବାହାରି ଥିବା ବେଳେ ବଡମ୍ବା ଗୋପାଳପୁର ଛକ ନିକଟରେ ତାଙ୍କ ଗାଡି ପୂର୍ବତନ ବିଜେପି ନେତା ବିଜୟ ଦଳ ବେହେରାଙ୍କର ଗୋଷ୍ଠୀ ଅଟକାଇଥିବା ଅଭିଯୋଗ ହୋଇଛି । ଏପରିକି ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।  ଟିକେଟ ଫେରାଇବା ପାଇଁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବଡମ୍ବା ଥାନାରେ ଏନେଇ ବିଜେପି ନେତା ସମ୍ବିତ ଏତଲା ଦେଇଛନ୍ତି । ପ୍ରତିବାଦରେ  ୧୦୦ରୁ ଅଧିକ ବିଜେପି କର୍ମୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ବଡମ୍ବା ପୋଲିସ ଅଧିକ ତଦନ୍ତ ଚଳାଇଛି ।

ବିଆରଏସ ନେତ୍ରୀ କେ. କବିତା ନିରାଶ

ନନ୍ଦିଘୋଷ ବ୍ୟୁରୋ: ବିଆରଏସ ନେତ୍ରୀ କେ. କବିତା ନିରାଶ। ଅନ୍ତରୀଣ ଜାମିନ ପ୍ରସଙ୍ଗରେ କରିଥିବା ଆବେଦନ ସମ୍ପର୍କିତ ରାୟ ସଂରକ୍ଷିତ। ଆସନ୍ତା ଏପ୍ରିଲ ୮ରେ ହେବ ପରବର୍ତ୍ତୀ ଶୁଣାଣି। ଆଜି ଆବେଦନର ଶୁଣାଣି କରିଥିଲେ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । କବିତାଙ୍କ ଲାଗି ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି। ଆସନ୍ତା ଏପ୍ରିଲ ୧୬ରେ ପୁଅଙ୍କର ପରୀକ୍ଷା ଥିବାରୁ ତାଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି ଦିଆଯାଉ ବୋଲି ଆବେଦନ କରିଥିଲେ। ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ 9ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଥିଲେ ସ୍ବତନ୍ତ୍ର ଜଜ କାବେରୀ ବାଓ୍ବେଜା । ପୂର୍ବରୁ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ ଏହି କିକବ୍ଯାକ ଗ୍ରହଣ କରାଯାଇଥିଲା ଏବଂ କିକବ୍ଯାକ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି । ବର୍ତ୍ତମାନ ତିହାର ଜେଲରେ ୧୪ ଦିନି ବିଚାର ବିଭାଗୀୟ ହେପାଜତରେ ଅଛନ୍ତି କବିତା ।

ଟ୍ରକ ପଛକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

ଭୁବନ: ଟ୍ରକ ପଛକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । କୋଇଲା ଟ୍ରକ୍ ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ  ଗଡନୃଷିଂହ ପ୍ରସାଦ ଛକରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା ।   ଖବର ପାଇ ଘଟଣା ସ୍ଥଳରେ ଭୁବନ ଦମକଳ ବାହୀନି ପହଞ୍ଚି ଗୁରୁତର ଅବସ୍ଥାରେ କୋଇଲା ବୋଝେଇ ଟ୍ରକ ଡ଼୍ରାଇଭର ସୈଳେନ୍ଦ୍ର ଯାଦବଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି କରାଯାଇଥିଲା । ପରେ ତାଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୈଳେନ୍ଦ୍ରଙ୍କ ଘର ବିହାର ଜିଲ୍ଲାରେ ବୋଲି ଜଣାଇଛନ୍ତି ।

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ୭ ଦିନର ଶିଶୁ ପୁତ୍ର ଚୋରି ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି। ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ୭ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକଙ୍କ ସ୍ତ୍ରୀ ଜିଲ୍ଲା ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜଣ୍ଡିସ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତୀ ବିଭାଗର ବେଡରୁ ଏକ ନବଜାତ ଶିଶୁ ପୁତ୍ରକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମେଡିକାଲର ମୁଖ୍ୟ ଚିକିତ୍ସାଳୟରେ ସଦର ଏସଡିପିଓ ଗାୟତ୍ରୀ ନାୟକ ପହଁଚି ତଦନ୍ତ କରୁଥିବା ବେଳେ ନବଜାତ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ ।