ନିଆରା ଢଙ୍ଗରେ ନିର୍ବାଚନୀ ପ୍ରଚାର, ଦିନକ ପାଇଁ ବାରିକ ସାଜି ସହଯୋଗ ଲୋଡିଲେ

1 min read

ରାମେଶ୍ୱରମ: ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର। ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। କେହି କେହି ନିଜ ପାର୍ଟି ପାଇଁ ପ୍ରଚାର କରୁଥିବା ବେଳେ ଏବଂ ଆଉ କେହି କେହି ନାମାଙ୍କନପତ୍ର ଦାଖଲ କରୁଛନ୍ତି। ସେହିପରି ଭୋଟରଙ୍କୁ ନିର୍ବାଚନରେ ​​ଭାଗ ନେବାକୁ ସଚେତନ କରାଇବା ପାଇଁ ନିର୍ବାଚନ ଆୟୋଗ ଅଭିଯାନ ମଧ୍ୟ ଚଳାଉଛନ୍ତି। ପ୍ରଚାର ପାଇଁ ସଭିଏଁ ଅଣ୍ଟା ଭିଡିଥିବା ବେଳେ ଏହାରି ମଧ୍ୟରେ ତାମିଲନାଡୁ ରାମନାଥପୁରମର ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ  ନିର୍ବାଚନୀ ପ୍ରଚାର ଏବେ ଚର୍ଚ୍ଚାରେ ରହିଛି । ଖାଲି ଏତିକି ନୁହେଁ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ପ୍ରଚାର ପାଇଁ ସେଲୁନ୍ ଭିତରେ ଦାଢି କାଟିଛନ୍ତି ପ୍ରାର୍ଥୀ । ଏହାସହ ଲୋକଙ୍କ ସହାୟତା ଲୋଡିଛନ୍ତି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେଲୁନ ଭିତରେ ଜଣେ ଲୋକ ଦାଢ଼ି କାଟିବାକୁ ବସିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପରିରାଜନ୍ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ପରେ ପରେ ତାଙ୍କ ସହ କଥାବାର୍ତ୍ତା ହେବା ସଙ୍ଗେସଙ୍ଗେ ହାତ ଯୋଡି ସହଯୋଗ ପାଇଁ ନିବେଦନ ମଧ୍ୟ କରୁଛନ୍ତି ।

ସୂଚନା ଅନୁଯାୟୀ, ରମେଶ୍ୱରମର ଏକ ସେଲୁନକୁ ଯାଇ ସ୍ୱାଧୀନ ପ୍ରାର୍ଥୀ ପରିରାଜନ୍ ଦିନକ ପାଇଁ ବାରିକ ସାଜିଥିଲେ। ଏହି ସମୟରେ ସେ ଲୋକଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ କହିବାନୁଯାୟୀ, ଲୋକଙ୍କ ସହ ଯୋଡିହେବା ହେଉଛି ତାଙ୍କର ପ୍ରଥମ ଲକ୍ଷ୍ୟ।

ତେବେ ନିକଟରେ ମଧ୍ୟ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଥିଲା । ଯେତେବେଳେ ଗୋରଖପୁରରୁ ପ୍ରାର୍ଥୀ ରବି କିଶନ ଚା’ ତିଆରି କରୁଥିବା ଦେଖିବାକୁ ମିଳିଥିଲା । ସେ ସମୟରେ ରବି କିଶନ ଗୋରଖପୁରରେ ଏକ ଜନସମ୍ପର୍କ ଅଭିଯାନ ଚଳାଉଥିଲେ। ଯାହାପରେ ସେ ଏକ ଚା ଦୋକାନରେ ଅଟକିଥିଲେ ଏବଂ ପରେ ଅଦା ପକାଇ ଚା ତିଆରି କରିଥିଲେ। ଯାହାର ଦୃଶ୍ୟ ଖୁବ୍ ଭାଇରାଲ୍ ହୋଇଥିଲା ।