spot_img
Home Blog Page 2044

ଜଙ୍ଗଲରୁ ଗଛ କାଟିବାକୁ ବିରୋଧ କରିବାରୁ ଫରେଷ୍ଟ ଗାର୍ଡଙ୍କ ଉପରେ ଆକ୍ରମଣ

ବାରିପଦା: ଜଙ୍ଗଲରୁ ଗଛ କାଟିବାକୁ ବିରୋଧ କରିବାରୁ ଫରେଷ୍ଟ ଗାର୍ଡଙ୍କ ଉପରେ ଆକ୍ରମଣ ଅଭିଯୋଗ। ଏନେଇ ଏକ ଭିଜୁଆଲ ଭାଇରାଲ ହୋଇଛି। ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ବନାଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ରେଞ୍ଜ ଯୋକା ବିଟ୍ ସଂରକ୍ଷିତ ଶାଳବଣରେ କିଛି ଲୋକ ଗଛ କାଟୁଥିଲେ। ବୁଧିରାମ ସିଂ ନାମକ ଫରେଷ୍ଟ ଗାର୍ଡ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା  ହୋଇଥିଲା। ଗଛ କାଟୁଥିବା ଲୋକମାନେ ଉତ୍ତ୍ୟକ୍ତ ହୋଇ ଫରେଷ୍ଟ ଗାର୍ଡ ବୁଧିରାମ ସିଂଙ୍କ ଉପରେ ଆକ୍ରମଣ କରିଥିବା ବନ ବିଭାଗ କହିଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନାହିଁ।

ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରାଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ମୋବାଇଲରୁ ମୋବାଇଲରୁ ଘୂରି ବୁଲୁଛି।

ରାଜ୍ଯରେ ଲ’ ଅଫିସରଙ୍କ ବଢିଲା ଦୈନିକ ଓ ରିଟେନର ଫି’

ଭୁବନେଶ୍ୱର: ରାଜ୍ଯରେ ଲ’ ଅଫିସରଙ୍କ ବଢିଲା ଦୈନିକ ଓ ରିଟେନର ଫି’। କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି’ ୫୦% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ବର୍ଦ୍ଧିତ ଫିଜ୍ ଅନୁଯାୟୀ, ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ପାଉଣା ୧୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର ଫିଜ୍ ପୂର୍ବରୁ ୮ ହଜାର ୨୦୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ୧୨ ହଜାର ୩୦୦ ଟଙ୍କା ପାଇବେ।

ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲମାନେ ମାନେ ପୂର୍ବରୁ ଦୈନିକ ଫିଜ୍ ବାବଦକୁ ୧୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୬୫୦ ଟଙ୍କା ପାଇବେ। ରିଟେନର ଫିଜ୍ ବାବଦକୁ ପୂର୍ବରୁ ୪ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬ ହଜାର ଟଙ୍କା ପାଇବେ। ୮୫ ଜଣ ସ୍ଵତନ୍ତ୍ର ସରକାରୀ ଓକିଲମାନେ ପୂର୍ବରୁ ଡେଲି ଫିଜ୍ ବାବଦରେ ୧୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୮୭୫ ଟଙ୍କା ପାଇବେ। ରିଟେନର ଫିଜ୍ ବାବଦରେ ପୂର୍ବରୁ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨ ହଜାର ୩୦୦ ଟଙ୍କା ପାଇବେ। କାର୍ଯ୍ୟରତ ୨୯ ଜଣ ସରକାରୀ ପ୍ଲିଡର ଏବଂ ୧୧୩ ଜଣ ସହକାରୀ ସରକାରୀ ପ୍ଲିଡର ପୂର୍ବରୁ ରିଟେନର ଫିଜ୍ ବାବଦରେ ୮ ହଜାର ୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨ ହଜାର ୩୦୦ ଟଙ୍କା ପାଇବ। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଆଇନ ଅଧିକାରୀ ଉପକୃତ ହେବେ।

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ

ବ୍ୟୁରୋ ରିପୋର୍ଟ: ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ। ସପୋର୍ଟ ଷ୍ଟାଫ ଭାବେ ଅଧିକ ଦରମା ଅଫର ପାଇ କାମ କରିବାକୁ ଯାଇଥିଲେ ୨୦ ଭାରତୀୟ । ହେଲେ ସେମାନଙ୍କୁ ଋଷ-ୟୁକ୍ରେନ ଯୁଦ୍ଧରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି। ଯୁଦ୍ଧରେ ନିୟୋଜିତ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । ଯୁଦ୍ଧଭୂମିରେ ନିଯୁକ୍ତ ହୋଇଥିବା ଭାରତୀୟଙ୍କ ସହ ସମ୍ପର୍କରେ ରହିଛି ଭାରତୀୟ ବୈଦୈଶିକ ବ୍ୟାପାର ବିଭାଗ।  ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଋଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି। ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଗୁଳି ମାଡ଼ରେ ଆହତ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ସେମାନେ ଫସି ରହିଥିବା ବେଳେ ଏବେ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପାଖକୁ ଖବର ପଠାଇଛନ୍ତି।

ୱାରଜୋନରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଥିବା କହିଛନ୍ତି ବୈଦୈଶିକ ବ୍ଯାପାର ବିଭାଗ ମୁଖପାତ୍ର। ଋଷ ଅଧିକାରୀଙ୍କ ସହ ମଧ୍ୟ ଭାରତ ସରକାର ଯୋଗାଯୋଗରେ ରହିଥିବା ସେ କହିଛନ୍ତି। ଏହାପରେ ଭାରତୀୟଙ୍କୁ ଋଷ-ୟୁକ୍ରେନ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଅନେକ ଭାରତୀୟଙ୍କୁ ଋଷ ପ୍ରତିରକ୍ଷା ବିଭାଗରେ ଚାକିରି କରାଇ ଦେବାର ଲୋଭ ଦେଖାଇ କିଛି ଏଜେଣ୍ଟ ମସ୍କୋ ନେଇ ଯାଇଛନ୍ତି। ସେଠାରେ ସେମାନଙ୍କୁ ବଳପୂର୍ବକ ୟୁକ୍ରେନ ସହ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି।

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନାଲି ମହାବଳ ବାଘୁଣୀ ସାରା ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନାଲି ମହାବଳ ବାଘୁଣୀ ସାରା ଅସୁସ୍ଥ। କିଛି ଦିନ ଧରି ସେ ଚାଲିବାରେ ଯନ୍ତ୍ରଣା ଭୋଗୁଛି। ଚାଲି ପାରୁନଥିବାରୁ ଅସୁସ୍ଥ ହୋଇ ପଡ଼ିରହୁଥିଲା। ସାରାକୁ ଏବେ ଫିଡିଙ୍ଗ ଚାମ୍ବରକୁ ନେଇ ଚିକିତ୍ସା କରାଯାଉଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତା ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ସାରା ୨୦୦୯ ମସିହା ଏପ୍ରିଲ ୧୮ ତାରିଖରେ ହାଇଦ୍ରାବାଦ ଚିଡ଼ିଆଖାନାରୁ ନନ୍ଦନକାନନ ଆସିଥିଲା। ବାଘୁଣୀ ସାରା ୩ଟି ସନ୍ତାନର ମାଆ ହୋଇଛି। ଏବେ ନନ୍ଦନକାନନରେ ମୋଟ ୨୭ଟି ବାଘ ରହିଛନ୍ତି ।

 

ଚନ୍ଦାପଣ ଏବଂ ରୂପି ସମସ୍ୟା ଦୂର କରିବ ଘରର ଏହି ପାଣି

ବ୍ୟୁରୋ ରିପୋର୍ଟ: କେଶ ଝଡ଼ିବା ବା ଚନ୍ଦାପଣ ଅନେକ ଲୋକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଜିକାଲି କେଶ ଝଡ଼ିବା ଏବଂ ରୂପି ସମସ୍ୟା ଅନେକଙ୍କ ସହ ଘଟୁଛି। ବିଶେଷ କରି ଖରାଦିନରେ ରୁପି ସମସ୍ୟା ମଧ୍ୟ ବଢ଼ିଯାଇଥାଏ। ଏହି କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ସାମ୍ପୁ ବ୍ୟବହାର କରନ୍ତି। ଏଥିରେ ଥିବା କେମିକାଲ କେଶର କ୍ଷତି କରିଥାଏ। ଯଦି ଆପଣ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିନ୍ତ ଅଛିନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଘରୋଇ ଉପଚାର କହିବାକୁ ଯାଉଛୁ । ଯାହା ଚନ୍ଦାପଣ ଏବଂ ରୂପି ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରିବ।

କେଶ ସମସ୍ୟା ଦୂର କରିଥାଏ ଚାଉଳ ପାଣି । ଚାଉଳ ପାଣି ଆମ ଶରୀର ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ଅନେକ ଲୋକ ଧଳା ଚାଉଳ ପାଣି ସେବନ କରିଥାନ୍ତି। କିନ୍ତୁ ଧଳା ଚାଉଳ ଅପେକ୍ଷା ନାଲି ଚାଉଳରେ ଅଧିକ ପୋଷଣ ଥାଏ। ଏଥିରେ ପ୍ରୋଟିନ୍, ଫାଇବର୍, ଜିଙ୍କ୍, କ୍ୟାଲସିୟମ, ଆଇରନ୍, ପୋଟାସିୟମ୍ ଆଦି ପୋଷଣ ଭରପୂର ମାତ୍ରାରେ ରହିଥାଏ ।

ଚାଉଳର ପାଣି ବା ଚାଉଳ ମଣ୍ଡର ବହୁ ଉପାଦେୟ ଗୁଣ ରହିଛି। ଚାଉଳର ପାଣି ବା ଚାଉଳ ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି। ଚାଉଳ ପାଣିକୁ ସେବନ କରିବା ଦ୍ୱାରା ଏହା କେଶକୁ ପୋଷଣ ଯୋଗାଇଥାଏ। ଯାହା କେଶକୁ ମଜବୁତ କରିବା ସହ କେଶ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପିଇବା ବ୍ୟତୀତ ଆପଣ ଏହାକୁ କେଶରେ ମଧ୍ୟ ଲଗାଇପାରିବେ ।

ଏହି ପାଣିରେ ମୁଣ୍ଡ ସଫା କଲେ ଚୁଟି ବହୁତ ଚିକ୍କଣ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରିଥାଏ। ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ। ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ। ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ।

କେବଳ ଚୁଟି ନୁହେଁ ଆମ ତ୍ୱଚା ଓ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ଚାଉଲ ପାଣି। ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ। ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ।

ଗଣଶିକ୍ଷକଙ୍କୁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଉପହାର, ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ହେବେ ଗଣଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ବାରା ରାଜ୍ୟର ୧ ହଜାର ୪୭୨  ଗଣଶିକ୍ଷକ ଉପକୃତ ହୋଇଛନ୍ତି । ସେହିପରି OTET ପାସ କରିନଥିବା ଗଣଶିକ୍ଷକଙ୍କ ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି ରାଜ୍ଯ ସରକାର । ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧ ହଜାର ୧୨୧ ଜଣ ଗଣଶିକ୍ଷକ  ଉପକୃତ ହୋଇଛନ୍ତି।

ଏହାସହିତ ଯେଉଁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡରମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁ ନାହିଁ, ସେମାନଙ୍କ ମଧ୍ୟରୁ OTET ପାସ କରିଥିବା ଏକ୍ସ କ୍ୟାଡରଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ। ଏହାଦ୍ୱାରା ୯ ହଜାର ୫୨୦ ସହକାରୀ ଶିକ୍ଷକ ଉପକୃତ ହେବେ। ଏସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

ସୂଚନା ଅନୁଯାୟୀ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢିଲା କମର୍ସିଆଲ ଗ୍ୟାସ୍ ଦର

ବ୍ୟୁରୋ ରିପୋର୍ଟ: ପୁଣି ବଢିଲା ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ଦର। ସିଲିଣ୍ଡର ପିଛା ୨୫ ଟଙ୍କା ବଢିଛି ଗ୍ୟାସ ଦର। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଗ୍ୟାସ ଦର ବୃଦ୍ଧି ପରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ଚେନ୍ନାଇରେ ସବୁଠାରୁ ଅଧିକ ରହିଛି। ଚେନ୍ନାଇରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ୧୯୬୦ ଟଙ୍କା ରହିଛି।

ଏହାପରେ କୋଲକାତାରେ ଦ୍ଵିତୀୟ ସର୍ବାଧିକ ଦର ରହିଛି । କୋଲକାତାରେ ୧୯ କେଜି ଏଲପିଜି ସିଲିଣ୍ଡର ଦର ୧୯୧୧ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ଏହି ଦର ରହିଛି ୧୭୯୫ ଟଙ୍କା। ମୁମ୍ବାଇରେ ୧୯ କେଜି ଏଲପିଜି ଦର ୧୭୪୯ ଟଙ୍କା ରହିଛି। ତେବେ ସାଧାରଣ ଖାଉଟିଙ୍କ ଲାଗି ବ୍ୟବହୃତ ସବଡିଜିଯୁକ୍ତ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

ଘରୋଇ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନାହିଁ। ପ୍ରତିମାସର ପ୍ରଥମ ତାରିଖରେ ବିଭିନ୍ନ ଗ୍ୟାସ କମ୍ପାନୀ ଆନ୍ତର୍ଜାତିକ ବଜାର ଦର ଅନୁସାରେ ଏହି ଦର ସ୍ଥିର କରିଥାନ୍ତି। ଏହାସହ ବିଭିନ୍ନ  ରାଜ୍ୟ ଗୁଡିକର କର ବୃଦ୍ଧି ହୋଇଥିବାରୁ ଏହି ଦର ବୃଦ୍ଧି କରିଥିବା କହିଛନ୍ତି ବିଭିନ୍ନ ତୈଳ କମ୍ପାନୀ।

ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା

ଭୁବନେଶ୍ୱର: ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା। ଏଥିପାଇଁ କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର। ୨୦୨୫ ସୁଦ୍ଧା କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ ୱାର୍ଣ୍ଣିଙ୍ଗ ସିଷ୍ଟମ। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ବାଲେଶ୍ୱରରେ ଡଫ୍ଲର ରାଡାର ଅଧାକାମ ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ପହଞ୍ଚି ସାରିଛି।

ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ମଧ୍ୟ ପ୍ରତିଷ୍ଠା ହେବ।  ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡିଶା ରହିଛି। ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ନେଇ ରାଜ୍ୟରେ ଅଧିକ ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ

ବ୍ୟୁରୋ ରିପୋର୍ଟ: ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ୪୪ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଢାକାର ବେଲି ରୋଡରେ ଥିବା ଏକ ୭ ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ।

ସୂଚନା ଅନୁଯାୟୀ, ବେଲି ରୋଡରେ ଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏହି କୋଠାରେ ଏକାଧିକ ରେଷ୍ଟୁରାଣ୍ଟ ଥିବା ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ୍। ସେଠାରେ ଫସିଥିବା ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୪୨ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ସୂଚନା ପାଇ ପହଞ୍ଚିଥିଲେ ବାଂଲାଦେଶ ସ୍ଵାସ୍ଥ୍ୟମନ୍ତ୍ରୀ। ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ଶେଖ ହସିନା ଇନଷ୍ଟିଚ୍ଯୁଟରେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଣ୍ଟ୍ରାଲ ପୋଲିସ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ଯୁ ଘଟିଥିଲା। ୪୪ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ବାଂଲାଦେଶ ପୋଲିସ ଆଇଜି।

ଗାଜାରେ ଇସ୍ରାଏଲ ସେନାର ଜବରଦସ୍ତ ଆକ୍ରମଣ, ଗୁଳିକାଣ୍ଡରେ ଗାଜାର ୧୦୦ ନାଗରିକଙ୍କ ମୃତ୍ୟୁ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ଇସ୍ରାଏଲର ବଡ଼ ହମଲା। ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଆହତ ହୋଇଛନ୍ତି। ଗାଜାର ଉତ୍ତର ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ ହୋଇଛି। ସହାୟତା କେନ୍ଦ୍ର ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା ଇସ୍ରାଏଲ ସେନା। ଏଥିରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ଯୁ ହୋଇଛି। ୭୬୦ ଜଣ ଆହତ ହୋଇଛନ୍ତି। ସହାୟତା କେନ୍ଦ୍ରରେ ଗହଳି ହୋଇଥିବାବେଳେ ବିପଦ ଆଶଙ୍କା କରି ଆକ୍ରମଣ କରିଥିଲା ଇସ୍ରାଏଲ ସେନା। ନିଜ ନାଗରିକଙ୍କ ମୃତ୍ଯୁ ନେଇ ସ୍ପଷ୍ଟ କରିବା ସହ ଏହାର କଡ଼ା ନିନ୍ଦା କରିଛି ପାଲେଷ୍ଟାଇନ। ନରସଂହାର ଭାବେ ଏହାକୁ କହିବା ସହ ଇସ୍ରାଏଲକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛି।

ସୂଚନା ଅନୁଯାୟୀ, ସହାୟତା କେନ୍ଦ୍ରରେ ଖାଦ୍ୟ ସଂଗ୍ରହକୁ ନେଇ ହୋହାଲ୍ଲା ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ  ଇସ୍ରାଏଲ ସେନା ଆଖିବୁଜା ଗୁଳିମାଡ଼ କରିଥିଲା। ଟ୍ରକ ଭର୍ତ୍ତି ଖାଦ୍ୟସାମଗ୍ରୀ ଲୋକଙ୍କ ପାଇଁ ଆସିଥିବାବେଳେ ଲୋକେ ଖାଦ୍ଯ ପାଇଁ ହଙ୍ଗାମା କରିଥିଲେ। ସହାୟତା ଲାଗି ଆସିଥିବା ଟ୍ରକକୁ ଲୋକେ ଲୁଟ୍ କରିଥିଲେ। ଲୋକେ ସେନାର ନିକଟତର ହେବାପରେ ଗୁଳି ବର୍ଷାଇଥିଲା ଇସ୍ରାଏଲ। ଗାଜା ହମଲାକୁ ସ୍ଵୀକାର କରିଛି ଇସ୍ରାଏଲ ସେନା। ପ୍ରବଳ ହଙ୍ଗାମାରୁ ଯବାନଙ୍କ ଉପରେ ବିପଦ ସୃଷ୍ଟି ହୋଇଥିବା ଆଇଡିଏଫ୍ କହିଛି। ଆକ୍ରମଣରେ ଆଗକୁ ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅଲ ସିଫା ହସ୍ପିଟାଲରେ ଶହ ଶହ ସଂଖ୍ଯାରେ ଆହତ ଆସୁଥିବାରୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଫେଲ ମାରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ କତାରର ଅମିର ଶେଖ ତମିମ ବିନ ହମ୍ମଦ ଅଲ ଥାନି ଗୁରୁବାର ଦିନ ଗାଜାରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ଯୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।