ମଇଦାନକୁ ଓହ୍ଲାଇଲେଣି ହେଭିଓ୍ବେଟ୍

ଭୁବନେଶ୍ବର: ଚବିଶ ମହାଲଢ଼େଇ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯୁଦ୍ଧ ପାଇଁ ଯୋଦ୍ଧା ମଇଦାନରେ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି । ଆଗରେ ଅଛି ବିଜେଡି। ହେଭିଓ୍ବେଟମାନେ ସମର୍ଥକଙ୍କ ସହ ଜୋରଦାର ପ୍ରଚାର କଲେଣି । ପ୍ରଥମ ରାଜନୈତିକ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଘୋଷଣା କରୁଛନ୍ତି । ଆଗକୁ ସବୁ ଦଳର ପ୍ରଚାର ଜମିବ।

୨୪ ମହାଲଢ଼େଇ ଜୋରଦାର । ଗ୍ରାଉଣ୍ଡରେ ଜମିଲାଣି ପ୍ରଚାର। ମଇଦାନକୁ ଓହ୍ଲାଇଲେଣି ହେଭିଓ୍ବେଟ । ବିକାଶ ପାଇଁ ବିଜେଡି ନେତାଙ୍କୁ ମିଳୁଛି ବିପୁଳ ଆଶୀର୍ବାଦ । ମନ ଜିଣୁଛନ୍ତି ବିଧାୟକ ଓ ସାଂସଦ ପ୍ରାର୍ଥୀ। ଟିକେଟ ପାଇଥିବା ନେତାମାନେ ଗ୍ରାଉଣ୍ଡରେ ଲୋକଙ୍କ ନିକଟତର ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ଓ ବିକାଶମୂଳକ କାର୍ଯ୍ୟ ଫୋକସରେ  ରହିଛି । ବିଜେଡିର ୨୦ ଜଣ ସାଂସଦ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ବିଧାୟକ ପ୍ରାର୍ଥୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି । ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଦେବଗଡ଼ରେ  ପ୍ରଚାର କରିଥିଲେ। ସଭାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା ।  ବିଶେଷକରି ମହିଳାମାନେ ପ୍ରଣବଙ୍କୁ ବିଜୟର ଆଶୀର୍ବାଦ ଦେଇଥିଲେ । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଜୋରଦାର ପ୍ରଚାର କରୁଛନ୍ତି  । ଭୁବେନଶ୍ବରରେ ଲୋକଙ୍କ ଆଶୀର୍ବାଦ ନେଉଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ।

୨୦୨୪, ବିଜେଡି ପାଇଁ ରେକର୍ଡର ବର୍ଷ ହେବ ବୋଲି  ଦଳ କହିଛି । ଓଡ଼ିଶାବାସୀ ଉତ୍ସାହର ସହ ବିଜେଡିକୁ  ଏକପାଖିଆ ବିଜୟ ଦେଇ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ।ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ମାଧ୍ୟମରେ ବୈପ୍ଲବିକ ପରିବତ୍ତର୍ନ  ଆସିଛି। ଆଗକୁ ସେହିଧାରା  ଜାରି ରହିବ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରାଯିବ ।  ଯେଉଁଥି ପାଇଁ  ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀଙ୍କ ପ୍ରତି ଆଶୀର୍ବାଦର ସୁଅ ଛୁଟିଛି ବୋଲି ବିଜେଡି ନେତା କହିଛନ୍ତି  । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମଇଦାନ ଆହୁରି ସରଗରମ ହେବ। ତାତିର ପାରଦ ଯେତେ ଉପର ମୁହାଁ ହେଉଛି, ନିର୍ବାଚନୀ ପ୍ରଚାର ତାତି ମଧ୍ୟ ସେତେ ଉଷ୍ମ ହେବାରେ ଲାଗଛି। ବିରୋଧୀ ଶିବିରରେ ପ୍ରାର୍ଥୀ ଚୟନ ବିବାଦ ଉଗ୍ରରୂପ ନେଉଥିବା ବେଳେ ଶାସକ ଦଳ ପ୍ରଚାରରେ ଆଗରେ ଅଛି ।