ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ବଢ଼ୁଛି ଦଳୀୟ କନ୍ଦଳ

1 min read

ଭୁବନେଶ୍ବର: ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ଥମୁନି ବିବାଦ। ଅସନ୍ତୋଷ ତେଜିବାରେ ଲାଗିଛି। ଦଳ ବିରୋଧରେ ବିଦ୍ରୋହ ବ୍ୟାପିବାରେ ଲାଗିଛି।ଦଳରୁ ନେତା ଓ କର୍ମୀଙ୍କ ଇସ୍ତଫାର ପର୍ବ ଚାଲିଛି। ଉପକୂଳ ଓଡ଼ିଶାରୁ ପଶ୍ଚିମ, ସବୁଠି ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ। ଦଳର ପ୍ରତିଷ୍ଠା ଦିବସରେ ବି ଦଳ ଭିତରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡିଥିଲା। ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି। ଏପଟେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ତୀବ୍ର ପ୍ରତିବାଦକୁ ନଜରରେ ରଖି ପ୍ରାର୍ଥୀ ବଦଳ ସମ୍ଭାବନା ଥିବାରୁ ଟିକେଟ ପାଇଥିବା ନେତାମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ବଢୁଛି ଅସନ୍ତୋଷ, ବ୍ୟାପୁଛି ବିଦ୍ରୋହ। ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ତୀବ୍ର ହୋଇଛି କନ୍ଦଳ। ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀ ଛାଡୁଛନ୍ତି ଭାରତୀୟ ଜନତା ପାର୍ଟି। ପ୍ରାର୍ଥୀ ଘୋଷଣା ପରଠାରୁ ବ୍ୟାପିଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ତୁଙ୍ଗ ନେତା ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳ ବିରୋଧରେ ଶୁଭିଥିଲା ଜୋରଦାର ପ୍ରତିବାଦ। ବାଲେଶ୍ଵର ରେମୁଣା ଆସନରେ ଗୋବିନ୍ଦ ଦାସଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିବା ସହ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼଼ାରେ ଦୁଷ୍ମନ୍ତ ସ୍ଵାଇଁଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିଥିଲେ ଦଳୀୟ କର୍ମୀ ଓ ନେତା। କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ନେତୃତ୍ବରେ ଶତାଧୀକ କର୍ମୀ ରାଜ୍ୟ ସଭାପତିଙ୍କୁ ସ୍ବାରକପତ୍ର ଦେଇଛନ୍ତି। ଏହା ସହ ଭୁବନେଶ୍ବର-ଜୟଦେବ ନିର୍ବାଚନମଣ୍ଡଳୀରେ ଗୋ ବ୍ୟାକ୍ ଅରବିନ୍ଦ ଢାଲି ସ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି।

ପ୍ରାର୍ଥୀ ଚୟନରେ ଘୋର ଅସନ୍ତୋଷ ଲମ୍ବି ଚାଲିଥିବାରୁ ବିଜେପିରେ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନାକୁ ଦେଖି ଟିକେଟ ପାଇଥିବା ନେତାମାନେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସ୍ମତିରେଖା ପହିଙ୍କୁ ବିରୋଧ କରି ହିମାଂଶୁ ସାହୁଙ୍କ ସମର୍ଥକ ୨ ଦିନ ଧରି ଦଳୀୟ କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ। ଏହାପରେ ରାଜ୍ୟ ସଭାପତି ନିଷ୍ପତି ପରିବର୍ତ୍ତନ ପାଇଁ ଅପେକ୍ଷା କରିବାକୁ କହିଲେ। ପ୍ରାର୍ଥୀ ପରିବର୍ତ୍ତନର ଆଭାସ ପାଇ ସ୍ମୃତିରେଖା ଦଳୀୟ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନିଜ ସପକ୍ଷରେ ସଙ୍ଗଠନ ଥିବା ଦେଖାଇବାକୁ ଚେଷ୍ଟା କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥିତ୍ବକୁ ଜୋରଦାର ବିରୋଧ ପରେ ରାଜୁ ଦାସ କହିଛନ୍ତି, ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲିବି। ସମ୍ଭାବ୍ୟ ପ୍ରାର୍ଥୀ ପରିବର୍ତ୍ତନର ଭୟ ରାଜେନ୍ଦ୍ର ଦାସକୁ ବି ସଙ୍କଟରେ ପକାଇଛି ।

ଅନୁଗୁଳରୁ ମୟୁରଭଞ୍ଜ, ବରଗଡ଼ରୁ ବାଲେଶ୍ବର, ଯାଜପୁରରୁ ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ନୂଆପଡ଼ା, ସବୁଠି ତେଜୁଛି ବିଜେପିର ଅନ୍ତଃକନ୍ଦଳ। ବିଧାନସଭା ପ୍ରାର୍ଥୀ ଚୟନକୁ ନେଇ ବଢୁଛି ଅସନ୍ତୋଷ। ନିର୍ବାଚନ ପର୍ବୂରୁ ଦଳ ଭିତରେ ବଢୁଥିବା ବିଦ୍ରୋହକୁ ମୁକାବିଲା ପାଇଁ ଚିନ୍ତାରେ ବିଜେପିର ରାଜ୍ୟ ନେତୃତ୍ବ ।