ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିବ ବେଲ୍ ନା ଯିବେ ଜେଲ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲଙ୍କୁ ଇଡିର ଗିରଫକୁ ଚ୍ଯାଲେଂଜ କରି ହୋଇଥିବା ମାମଲାରେ ଆଜି ଶୁଣାଣି ହେବ। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ପୂର୍ବରୁ ଗତ ୩ ତାରିଖରେ ମାମଲାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ଜଷ୍ଟିସ ସ୍ଵର୍ଣ୍ଣକାନ୍ତା। ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ଯାଲେଂଜ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଇଡିର ରିମାଣ୍ଡରେ ନେବା ଘଟଣାକୁ ନେଇ ମଧ୍ୟ କେଜରିୱାଲ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ହାଇକୋର୍ଟରେ ହୋଇଥିବା ଶୁଣାଣିରେ ଆସନ୍ତା ନିର୍ବାଚନକୁ ତାଙ୍କୁ ଦୂରରେ ରଖିବାକୁ ଏହି ଗିରଫ କରାଯାଇଛି ବୋଲି ଅଭିଯୋଗ କରିଥିଲେ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି। ମାମଲାରେ ୨୦୨୨ରେ ଇଡି ଯାଞ୍ଚ ଆରମ୍ଭ କରିଥିବାବେଳେ ଦେଢ ବର୍ଷ ପରେ ଗିରଫକୁ ନେଇ ପ୍ରଶ୍ନ ଉଠାଇଥିଲେ ସିଂହଭି। ତେବେ ଇଡି ବିରୋଧରେ ଆଣିଥିବା ଅଭିଯୋଗକୁ ଅସ୍ଵୀକାର କରିଥିଲେ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ। ଏହି ମାମଲାରେ ପୂର୍ବରୁ ଗତ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେଜରିୱାଲଙ୍କୁ ଇଡି ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଥିଲେ ସ୍ଵତନ୍ତ୍ର କୋର୍ଟ। ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜରିୱାଲ। ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ କେଜରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ଭୋଟ୍ ଦେଲେ କମାଇଦେବୁ ମଦ ଦାମ୍; ପ୍ରତିଶ୍ରୁତି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଉଠୁଛୁ ପଡୁଛି। ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ଏହି କ୍ରମରେ ଏବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟର୍ଙ୍କୁ ଦେଖାଇଛନ୍ତି ଲୋଭ।
ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମjl ଏକ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାବୁ ନାଇଡୁ ଭୋଟରଙ୍କୁ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ଜିତିଲେ ତଥା ୪୦ ଦିନ ପରେ କମ୍ ଦାମ୍ରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ। ମୋର ଛୋଟ ଭାଇମାନେ ମଦର ଦାମ୍ କମ୍ କରିବାକୁ ଦାବି କରୁଛନ୍ତି। କେବଳ ସେତିକି ନୁହେଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ତାଙ୍କ ଦଳ ଓ୍ୱାଆର୍ଏସ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ୨୦୧୯ରେ ଦକ୍ଷିଣର ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା ନେଇ ସେ ଜଗନ୍ନ ମୋହନ୍ନ ରେଡ୍ଡୀଙ୍କୁ ଟାର୍ଗେଟ୍ କରିଛନ୍ତି । ମଦ ସମେତ ପ୍ରତ୍ୟେକ ଜିନିଷର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଗୋଟିଏ ୧୮୦ ଏମ୍ଏଲ୍ ମଦର ଦାମ୍ ୬୦ ଟଙ୍କା ଥିବା ବେଳେ ଏହାକୁ ଜଗନ୍ନ ସରକାର ୨୦୦ ଟଙ୍କା ବଢ଼ାଇ ଦେଇଛନ୍ତି। ଏଥିରୁ ୧୦୦ ଟଙ୍କା ସିଧାସଳଖ ସରକାରଙ୍କ ପକେଟକୁ ଯାଉଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବ।
ଚଳିତ ଥର ଟିଡିପି-ଏନ୍ଡିଏ-ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ନିକଟରେ ଏମାନଙ୍କ ମଧ୍ୟ ସିଟ୍ ଭାଗବଣ୍ଟା ଅଙ୍କ ମଧ୍ୟ ଛିଣ୍ଡିଛି। ବିଜେପି ଯେଉଁଠି ୬ ଲୋକସଭା ଓ ୧୦ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ସେଠି ଜନସେନା ପାର୍ଟିକୁ ୨ଟି ଲୋକସଭା ଓ ୨୧ଟି ବିଧାନସଭା ଆସନ ମିଳିଛି। ଟିଡିପି ନିଜ ପାଖରେ ୧୭ଟି ଲୋକସଭା ଓ ୧୪୪ଟି ବିଧାନସଭା ଆସନ ରଖିଛି।
ସାଧାରଣ ନିର୍ବାଚନ ଲାଗି ଜୋର ଧରିଲା ପ୍ରଚାର
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲାଗି ଜୋର ଧରିଲା ପ୍ରଚାର। ପ୍ରଧାମନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଜୋରଦାର ପ୍ରଚାର କରିଛନ୍ତି। ଛତିଶଗଡ଼ ଓ ମହାରାଷ୍ଟ୍ରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀ କଂଗ୍ରେସକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ ବିଜେପି ସପକ୍ଷରେ ଭୋଟ ମାଗିଛନ୍ତି।
ଛତିଶଗଡ଼ର ବସ୍ତର ଓ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ବସ୍ତର ଭାନପୁରୀର ଅମ୍ବାଲ ଗାଁରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ଚନ୍ଦ୍ରପୁରରେ ବିଜେପି ଲୋକସଭା ପ୍ରାର୍ଥୀ ସୁଧୀର ମୁଙ୍ଗତିୱାରଙ୍କ ଲାଗି ସେ ଭୋଟ ମାଗିଥିଲେ ।
ସେପଟେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶରେ ପ୍ରଚାର କରିଛନ୍ତି। ମଧ୍ୟପ୍ରଦେଶର ସିଓନିରେ ଦଳୀୟ ନେତାଙ୍କ ସପକ୍ଷରେ ଭୋଟ ମାଗିଛନ୍ତି ରାହୁଲ। ସରକାରୀ ଦଳକୁ କଡ଼ା ସମାଲୋଚନା କରିବା ସହ ରାଜନୀତିର ବିଜେପି ଓ କଂଗ୍ରେସ ମଧ୍ୟରେ ଏ ନୀତି ଆଦର୍ଶର ଲଢେଇ ବୋଲି କହିଛନ୍ତି ରାହୁଲ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ଆଦିବାସୀ ଅଂଚଳରେ କଂଗ୍ରେସକୁ ଅନେକ ସମର୍ଥନ ମିଳିଛି। ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ଥିବା ୪୭ ବିଧାନସଭା ଆସନରୁ ୨୨ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ। ଆସନ୍ତା ସପ୍ତାହରେ ପ୍ରିୟଙ୍କା ମଧ୍ୟ ଏଠାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଜଣାପଡିଛି।
ଅପରପକ୍ଷେ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ଆମ ଆଦମୀ ପାର୍ଟି। ଦିଲ୍ଲୀର ଆନନ୍ଦପୁର ସାହିବରୁ ଆମ ଆଦମୀ ପାର୍ଟି ପ୍ରଚାର ଆରମ୍ଭ କରିଛି। ଜେଲ କା ଜବାବ ଭୋଟରେ ନାରା ଦେଇ ଏହି ପ୍ରଚାର ଆରମ୍ଭ କରିଛି ଦଳ। ନାରା ଦେଇଛି ଜେଲର ଜବାବ ଭୋଟରେ ଦିଆଯିବ। ଏହି ଅଭିଯାନ ଜରିଆରେ ଦିଲ୍ଲୀର ପ୍ରତି ଘରକୁ ଯିବ ଆମ ଆଦମୀ ପାର୍ଟି। ଦିଲ୍ଲୀର ୪ ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏହି କ୍ଯାମ୍ପେନ୍ ଆରମ୍ଭ କରିଛି। ଏହି ଅଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରିଛନ୍ତି ଆମ ଆଦମୀ ପାର୍ଟିର ନେତା ।

