ଲାଲବାହିନୀକୁ ବଡ଼ ଧରଣର ଝଟକା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଟା କିସ୍ତାରାମ ଜଙ୍ଗଲରେ ୧୪ ମାଓବାଦୀ ନିହତ। ସେମାନଙ୍କ ମଧ୍ୟରେ ୩ ଜଣ ଏରିଆ କମାଣ୍ଡର ଅଛନ୍ତି। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ଜାରି ରହିଛି। ଘଟଣାସ୍ଥଳରୁ AK 47 ଏବଂ INSAS ଭଳି ସ୍ୱୟଂଚାଳିତ ରାଇଫଲ ଜବତ କରାଯାଇଛି। ଘଟଣାସ୍ଥଳରେ ସୁକମା DRG ସୈନିକ ଉପସ୍ଥିତ ଥିଲେ। ଏସପି କିରଣ ଚୌହାନ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ
ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ
ନନ୍ଦିଘୋଷ ବ୍ୟୁରୋ: ଇରାନରେ ବଢ଼ି ଚାଲିଛି ଆୟାତୋଲ୍ଲା ଖୋମେନେଇ ବିରୋଧୀ ସଂଗ୍ରାମ I ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଦେଶବାସୀ I ସେପଟେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ନିର୍ବାସନରେ ଥିବା ପ୍ରିନ୍ସ ରେଜା ପହଲବି I ଦେଶର ୨୨ ପ୍ରଜାତନ୍ତ୍ରର ଶତାଧିକ ସହରରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି I ଏପରିକି ଶିହାବହୁଳ ସହର କୋମରେ ବି ଆନ୍ଦୋଳନ ତୀବ୍ର ହୋଇଛି I ବର୍ତ୍ତମାନ ସୁଦ୍ଧା ପୋଲିସ ଗୁଳିରେ ୮ ଜଣ ପ୍ରାଣ ହରାଇଥିବାବେଳେ ଦିନକୁ ଦିନ ଆନ୍ଦୋଳନ ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି I ଆନ୍ଦୋଳନକାରୀଙ୍କ ଉପରେ ବଳ ପ୍ରୟୋଗ ନ କରିବା ଲାଗି ଇରାନ ସରକାରଙ୍କୁ ଚେତାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ I
ଇରାନର ବହୁ ନେତା ଦେଶ ଛାଡ଼ି ବ୍ରିଟେନ ଚାଲିଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି I ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ତେହେରାନ, ମସହାଦ, ଜାହେଦାନ, କାଜଭିନ, ହାମଦାନ ସମେତ ବହୁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି I ଦେଶରେ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ଆମେରିକା I ମାନବାଧିକାରକୁ ଗୁରୁତ୍ବ ଦେବା ଲାଗି ବହୁ ମାନବିକ ଅଧିକାର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି I
ଶାନ୍ତପୂର୍ଣ୍ଣ ଭାବେ କ୍ଷମତାର ହସ୍ତାନ୍ତର କରିବାକୁ ଆହ୍ବାନ ଦେଇଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଜାଫର ପାନାହି ଓ ନୋବେଲ ଶାନ୍ତି ବିଜେତା ନର୍ଗେସ ମହମ୍ମଦି I ଦେଶ ଦେବାଳିଆ ହେବା ସହ ଅର୍ଥନୈତିକ ପ୍ରଗତି ଠପ୍ ହୋଇଯାଇଛି I ଦେଶରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଥିବାବେଳେ ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି ବ୍ୟାପକ ହୋଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ କରାଯାଉଛି I ଅତ୍ୟାଚାରର ଅନ୍ତ ଘଟିବା ସହ ଦେଶରେ ନୂଆ ଶାସନ ପ୍ରତିଷ୍ଠା କରିବାକୁ ଆହ୍ବାନ ଜଣାଇଛନ୍ତି ପହଲବି I ଆନ୍ଦୋଳନକୁ ସୁପରିଚାଳନା କରିବା ଲାଗି ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି I
ସେପଟେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛି କୁର୍ଦ୍ଦିସ ପାର୍ଟି I ତେଣେ ଟ୍ରମ୍ପ ଜାତିସଂଘ ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଇରାନ ପ୍ରସିକ୍ୟୁଟର ଜେନେରାଲ ମହମ୍ମଦ ମୋବାହେଦି ଆଜାଦ I ନିଜର ନୀତିକୁ ସମୀକ୍ଷା କରିବା ସହ ଅର୍ଥନୈତିକ ସମସ୍ୟାର ସମାଧାନ ଲାଗି ଆଲୋଚନାକୁ ସରକାର ଖୋଲା ରଖିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ମାସୁଦ ପେଜସକିଆନ I ତେଣେ ଇରାନ ଉପରେ ଯଦି ଆକ୍ରମଣ କରାଯାଏ ତେବେ ଇସ୍ରାଏଲ ଓ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଇରାନ ହମଲା କରିପାରେ ବୋଲି ଚେତାବନୀ ଦେଇଛନ୍ତି ଇରାନ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା IRGCର ପୂର୍ବତନ ମୁଖ୍ୟ ମହସିନ ରେଜେଇ I
ବନବିଭାଗ କବଜାରେ ବାଘଛାଲ ବେପାରୀ: ୬ ଜଣ ଗିରଫ
ବନବିଭାଗ କବଜାରେ ବାଘଛାଲ ବେପାରୀ । ନୂଆପଡା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ଦୁଇଟି କଲରା ପତରିଆ ବାଘ ଛାଲ ସହ ଦୁଇଟି ସମ୍ଭର ଶିଙ୍ଗ ଜବତ କରାଯାଇଛି । ଘଟଣାରେ ସହ ୬ ଜଣଙ୍କୁ ଗିରଫ କରାଯାଇଛି । ବନବିଭାଗର ଏକ ଟିମ ବୋଡେ଼ନ ରେଞ୍ଜ ଅଧିନସ୍ଥ ଶରଧାପୁର ଗାଁରେ ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘଛାଲ ସହ ଦୁଇଟି ସମ୍ଭର ଶିଙ୍ଗ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଶରଧାପୁର ଗାଁ ର ଦିନେଶ ମାଝୀ, ଶୁକରାମ ଚିନ୍ଦା, କେନ୍ଦୁବାହାରା ଗାଁର କୁମା ଚନ୍ଦ୍ର ମାଝୀ, ଖଇର ପଡ଼ାର ମଧୁସୂଦନ ମାଝୀ । ସେହିପରି ନୂଆପଡା ରେଞ୍ଜର ପାତାଳଗୁଡ଼କରୀ ଗାଁରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ ଜବତ କରିଥିବା ବେଳେ ବାପା ପୁଅକୁ ଗିରଫ କରାଯାଇଛିଛି । ବାପା ମହେଶ ସାହୁ ଏବଂ ପୁଅ ଗଜାନନ ସାହୁ ବୋଲି ଜଣା ପଡିଛି । ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।
ଆସନ୍ତକାଲି ଦେଖାଯିବ ପ୍ରଥମ ସୁପରମୁନ
ଏ ବର୍ଷ ଦେଖାଯିବ ୩ଟି ସୁପରମୁନ୍ ଓ ୩ଟି ମାଇକ୍ରୋମୁନ୍ । ଆସନ୍ତକାଲି ଦେଖାଯିବ ପ୍ରଥମ ସୁପରମୁନ। ସୁପରମୁନ ପୂର୍ଣ୍ଣିମାରେ ହୋଇଥାଏ। କାରଣ ଏହି ଦିନ ପୃଥିବୀର ପୁରାପୁରି ପାଖକୁ ଆସିଥାଏ ଚନ୍ଦ୍ର। ତେଣୁ ଏହା ଅଧିକ ଉଜ୍ଜ୍ଵଳ ଓ ଆକାରରରେ ବଡ଼ ଦେଖାଯାଏ। ସ୍ଵାଭାବିକ ଅପେକ୍ଷା ଚନ୍ଦ୍ର ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜଳ ଦେଖାଯିବ। ଅଣ୍ଡାକୃତି କକ୍ଷପଥରେ ପୃଥିବୀକୁ ଚନ୍ଦ୍ର ପରିକ୍ରମା କରୁଥିବାରୁ ଏପରି ହୋଇଥାଏ। ଆଉ ଦୁଇଟି ସୁପରମୁନ ଦେଖାଯିବ ନଭେମ୍ଵର ୨୪ ଓ ଡିସେମ୍ଵର ୨୩ ତାରିଖରେ ଦେଖାଯିବ। ସେହିପରି ଏବର୍ଷ ୩ଟି ମାଇକ୍ରୋମୁନ ଦେଖାଯିବ। ଏହି ଦିନ ପୃଥିବୀଠାରୁ ସବୁଠୁ ଅଧିକ ଦୂରରେ ରହିବ ଚନ୍ଦ୍ର। ତେଣୁ ଛୋଟ ଓ ଅଳ୍ପ ଉଜ୍ଜ୍ଵଳ ଦେଖାଯିବ ଚନ୍ଦ୍ର। ମେ ୧, ମେ ୩୧ ଓ ଜୁନ୍ ୨୯ ତାରିଖରେ ଦେଖାଯିବ ମାଇକ୍ରୋମୁନ। ଉଭୟ ମାଇକ୍ରୋମୁନ୍ ଓ ସୁପରମୁନ୍ ଖାଲି ଆଖିରେ ଦେଖି ହେବ। ଏହା ସାଧାରଣ ମହାଜାଗତିକ ଦୃଶ୍ୟ ଓ ଏହାର କୌଣସି କୁପ୍ରଭାବ ଆମ ଉପରେ ପଡ଼ିବନି ବୋଲି କହିଛନ୍ତି ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ।

