ନନ୍ଦିଘୋଷ ବ୍ୟୁରୋ :ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ନିକଟରେ ବିମ୍ବାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଥାଏ । ମାର୍କଣ୍ଡେଶ୍ବର ସାହି ପକ୍ଷରୁ ଏହି ବିମ୍ବାସୁର ବଧପ୍ରସ୍ତାବ ନୀତି କରିଥାନ୍ତି ।ଆଜି ଷଷ୍ଠୀ ତିଥିରେ ଶ୍ରୀମନ୍ଦିର ରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପାରେ ପ୍ରଭୁଙ୍କର ଛାମୁରେ ମାର୍କଣ୍ଡେସ୍ୱର ସାହି ଲୋକ ବିମ୍ବାସୁର ବଧପ୍ରସ୍ତାବ ନୀତି କରିବେ। ଦ୍ୱାପର ଯୁଗର କଥା ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ ମାର୍କଣ୍ଡେସ୍ୱର ସାହିରୁ ବିମ୍ବାସୁର ବଧ ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ତିତ ହେବା ସହ ନୀତି ଅନୁଷ୍ଠିତ ହୋଇଥାଏ।ପରେ ସେହି ସମୟ ରେ ନାଟମଣ୍ଡପ ରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢେ। ଏହା ପରେ ଦକ୍ଷିଣୀ ଘରକୁ ପ୍ରଭୁ ପ୍ରତ୍ୟାବର୍ତନ କରିବାର ଵିଧି ରହିଅଛି।ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ମଧ୍ୟରେ ଆଜି ଏହି ଦିବ୍ୟ ଲୀଳା ଅନୁଷ୍ଠିତ ହେବ।
ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡ ମାମଲା
ନନ୍ଦିଘୋଷ ବ୍ୟୁରୋ :ଛତିଶଗଡ଼ର ଝିରମ୍ ଘାଟି ହତ୍ୟାକାଣ୍ଡର ତେର ବର୍ଷ ପରେ ଅ୍ରଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ । ୧୦ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ । ଏଥିରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ଏହା ପୂର୍ବରୁ, ସେପ୍ଟେମ୍ବର ୫ ତାରିଖରେ, ଜଗଦଲପୁର ଏନଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତଙ୍କ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଝିରମ୍ ଭ୍ୟାଲି ହତ୍ୟାକାଣ୍ଡରେ ଜଣେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କୁ ହତ୍ୟା କରାଯାଇଥିଲା । ଯାହା ସମଗ୍ର ଦେଶକୁ ଚକିତ କରିଦେଇଥିଲା। ୨୦୧୩ ମେ ୨୫ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନକ୍ସଲମାନେ ଦରଭା ଉପତ୍ୟକାର ଝିରମରେ କଂଗ୍ରେସର ପରିବର୍ତ୍ତନ ଯାତ୍ରାକୁ ଟାର୍ଗେଟ କରିଥିଲେ। ନକ୍ସଲମାନେ ପରିବର୍ତ୍ତନ ଯାତ୍ରାର ନେତା ଏବଂ ଅଂଶଗ୍ରହଣକାରୀଙ୍କୁ ଘେରି ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅନେକ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେର ବର୍ଷ ପରେ, ୧୦୧ ଜଣ ସାକ୍ଷୀଙ୍କ ବୟାନ, NIA ଦ୍ୱାରା ଉପସ୍ଥାପିତ ପ୍ରମାଣ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କୋର୍ଟ ସମସ୍ତ ୧୦ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। …
ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା। ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ
ନନ୍ଦିଘୋଷ ବ୍ୟୁରୋ :ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା। ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ। ପାରାଦୀପ, ଅନୁଗୁଳ ଓ ରାଉରକେଲାରେ ବେଶ ଧୂମଧାମର ସହ ହେଉଛି ବିଶ୍ଵକର୍ମା ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ପ୍ରସ୍ତୁତ ହୋଇଛି।
ସଜେଇ ହୋଇଛି ବନ୍ଦର ନଗରୀ ପାରାଦୀପ । ଚଳିତ ବର୍ଷ ୧୫ ରୁ ଉର୍ଦ୍ଧ୍ୱ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ । ପୂଜାକୁ ସୁରୁଖୁରୁରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ୧୬ ଜଣ ଅଫିସର ନିୟୋଜିତ ରହିଛନ୍ତି । ବନ୍ଦର ପକ୍ଷରୁ ୬୬ ଟି ସିସିଟିଭି କ୍ୟାମେରା ଓ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ସିସିଟିଭି କ୍ୟାମେରା ଲଗାଯାଇଛି । ଆସନ୍ତା ୭ ଦିନ ଧରି ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୪ଟି କଣ୍ଟ୍ରୋଲ ରୁମ୍ କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସେହିପରି ବିଭିନ୍ନ ମଣ୍ଡପ ପକ୍ଷରୁ ମଧ୍ୟ ରାତି ଭିତରେ ସମସ୍ତ ସାଜସଜ୍ଜା ସାରିବା ପାଇଁ ପ୍ରୟାସ ଜାରି ରହିଛି । ଗାଡି ପାର୍କିଂ ପାଇଁ ବିଜୁ କନଭେନସନ ଓ ଏମ୍ପାୟାର୍ସ ହୋଟେଲ ନିକଟ ସ୍ଥାନକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ସକାଳୁ କଳସ ଯାତ୍ରା ଆରମ୍ଭ ହେବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା ନୀତି କରାଯିବ ଏବଂ ୧୮ ତାରିଖ ଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ….
ପୁରୀ ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପା ପଛରେ ଦୁର୍ନୀତି ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ :ଶ୍ରୀମନ୍ଦିର କ୍ୟାଲେଣ୍ଡର ଛପାରେ ଦୁର୍ନୀତି ଅଭିଯୋଗ । ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା । ବିକ୍ରି ନହୋଇ ପଡ଼ି ରହିଲା ୫ ହଜାରରୁ ଅଧିକ କ୍ଯାଲେଣ୍ଡର । ଇଂରାଜୀ ବର୍ଷକୁ ନେଇ କ୍ୟାଲେଣ୍ଡ ମୁଦ୍ରଣକୁ ନିନ୍ଦା । ପୁରୀ ଶ୍ରୀମନ୍ଦିର ତଥ୍ୟ ଅନୁଯାୟୀ ୨୦୨୬ରେ ଛପାଯାଇଥିଲା ୪ ହଜାର ୱାଲ କ୍ୟାଲେଣ୍ଡର ଓ ୨ ହଜାର ୫ଶହ ଡେକ୍ସ କ୍ୟାଲେଣ୍ଡର । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୧ ଲକ୍ଷ ୧୧ ହଜାର ୬ଶହ ୫୦ ଟଙ୍କା । ରାଜ୍ଯ ସରକାରଙ୍କ PSU ତରଫରୁ ଭୁବନେଶ୍ୱର କେତକୀ ଏଣ୍ଟର ପ୍ରାଇଜର୍ସ ଏହାର ମୁଦ୍ରଣ ଦାୟିତ୍ବ ନେଇଥିଲା । ହେଲେ ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ ମାତ୍ର ୧୭୧୬ଟି କ୍ୟାଲେଣ୍ଡର ବିକ୍ରି ହୋଇଥିବାବେଳେ ଆଦାୟ ହୋଇଛି ୧ଲକ୍ଷ ୭୧ ହଜାର ୬ଶହ ଟଙ୍କା । ବଳକା କ୍ୟାଲେଣ୍ଡର ବିକ୍ରି ନହୋଇ ପଡ଼ି ରହିଛି । ଏହାଦ୍ବାରା ଶ୍ରୀମନ୍ଦିରର ବିପୁଳ ଆର୍ଥିକ କ୍ଷତି ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।
ଉତ୍କଳୀୟ ସଂକୃତିରେ ପାଞ୍ଜି ଅନୁସାରେ କ୍ୟାଲେଣ୍ଡର ଛାପିବାର ବ୍ୟବସ୍ଥା ରହିଛି । ହେଲେ ଶ୍ରୀମନ୍ଦିର ଭିତରେ ଇଂରାଜୀ ବର୍ଷକୁ ନେଇ କ୍ୟାଲେଣ୍ଡର ଛାପିବା ଉତ୍କଳୀୟ ସଂସ୍କୃତି ପ୍ରତି କୁଠାରଘାତ ବୋଲି କହିଛନ୍ତି ଜ୍ଯୋତିର୍ବିଦ । ଏଥିରେ CSR ଫଣ୍ଡର ଅର୍ଥ ବାଟ ମାରଣା ନେଇ ଆଶଙ୍କା ପ୍ରକାଶ ପାଇଛି । ଘଟଣା ପଛରେ ଦୁର୍ନୀତିର ଗନ୍ଧ ବାରି ହେଉଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି ।
ଚଳିତବର୍ଷ ପ୍ରଥମରୁ ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର ଛପା ଯିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସମାଲୋଚିତ ହୋଇଥିବା ବେଳେ କ୍ୟାଲେଣ୍ଡର ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ ଏହା ବିକ୍ରି ନହେବା ସନ୍ଦେହ ସୃଷ୍ଟି କରିଛି
ମରଣଯନ୍ତା ପାଲଟିଲାଣି ବ୍ରହ୍ମପୁର ରାସ୍ତା
ନନ୍ଦିଘୋଷ ବ୍ୟୁରୋ :ଟିଏକ ନଜର ପକାନ୍ତୁ । ବ୍ରହ୍ମପୁର ବିକାଶର ନୂଆ ଚିତ୍ର । ପାର୍ବଣରେ ରାସ୍ତାରେ ଚାଲିଛି ଜୀବନ ମରଣର ଖେଳ । ରାସ୍ତାସାରା ଖାଲଖମା । କେଉଁଠି ପିଚୁ ଉଠିଲାଣି ତ କେଉଁଠି ଗାତରେ ପଡ଼ି ଖଣ୍ଡିଖାବରା ହେଉଛନ୍ତି ଯାତ୍ରୀ । ବୁଦ୍ଧିଜୀବୀଙ୍କ ଅଭିଯୋଗ, ରାସ୍ତା ମରାମତି ନାଁରେ ପ୍ରତିବର୍ଷ ଚାଲିଛି ଦୁର୍ନୀତିର ପୁରୁଣା ଖେଳ ? ଏବେ ପାର୍ବଣ ନାଁରେ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । ପ୍ରତିବର୍ଷ ଏପରି ପ୍ୟାଚ ପଡୁଛି, ହେଲେ ପାର୍ବଣ ସରିରେ ଯଥା ପୂର୍ବମ ତଥା ପରମ । ଲୋକେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ତୁରନ୍ତ ଜରିମାନା ଆଦାୟ ହେଉଛି । ହେଲେ ପ୍ରଶାସନ ଭୁଲ କଲେ ତା ଠାରୁ ତଣ୍ଡ କିଏ ଆଦାୟ କରିବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟୁଛି, ଗାଡ଼ି ଭାଙ୍ଗୁଛି । ସହରର ଗାନ୍ଧୀ ନଗର, ଆସିକା ରୋଡ, ସୁବାରାଓ ଛକ, ଅନ୍ନପୂର୍ଣ୍ଣା ମାର୍କେଟ ପ୍ରମୁଖ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି ।
ମହାନଗର ନିଗମର ୪୨ ୱାର୍ଡରେ ଏପରି ସ୍ଥିତି ଥିଲେ ସୁଦ୍ଧା ମେୟର ଓ ପ୍ରଶାସନର ନଜର ପଡୁ ନଥିବା ଅଭିଯୋଗ କରିଛନ୍ତି ଲୋକେ । ସବୁ କାମର ସମୀକ୍ଷା କରୁଥିବା ବ୍ରହ୍ମପୁର ବିଧାୟକଙର୍କ ବି ଏଥିପ୍ରତି ନଜର ନାହିଁ । ପ୍ରତି କଥାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଥିବା ସାଂସଦ ମଧ୍ୟ ନୀରବ । ଯାହାକୁ ନେଇ ସହରବାସୀ ଓ ବିଭିନ୍ନ ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଉଦ୍ୟୋଗୀଙ୍କ ଅଣ୍ଟା ଭାଙ୍ଗିଦେଲା ଝଡ଼ ତୋଫାନ… ଉଜୁଡ଼ିଗଲା କୁକୁଡ଼ା ଫାର୍ମ.
ନନ୍ଦିଘୋଷ ବ୍ୟୁରୋ :ଆଶା ଥିଲା ସ୍ଵାବଲମ୍ବୀ ହେବେ । ହେଲେ ଦାଉ ସାଧିଲା ଝଡ଼ ତୋଫାନ । ଉଡ଼ିଗଲା ଆଜବେଷ୍ଟସ । ଦେଖନ୍ତୁ କିପରି ଏଣେ ତେଣେ ପଡ଼ିଛି ଆଜବେଷ୍ଟସ । ଖଣ୍ଡେ କି ଦୁଇ ଖଣ୍ଡ ନୁହେଁ ସମ୍ପୂର୍ଣ୍ଣ ସେଡ ନଷ୍ଟ ହୋଇଯାଇଛି । ପ୍ଲାଷ୍ଟିକ ଡ୍ରମ ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଗାଁର ଏକ ବ୍ରଏଲର କୁକୁଡ଼ା ଫାର୍ମର । ଦେଢ଼ ବର୍ଷ ପୂର୍ବେ ସରିଫାନ ବେଗମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ କୁକୁଡ଼ା ଫାର୍ମ କରିଥିଲେ । ହେଲେ କାଳବୈଶାଖୀରେ ଫାର୍ମଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । …
ସରିଫାନ ବେଗମ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ କୁକୁଡ଼ା ଫାର୍ମ କରିଥିଲେ । ବ୍ୟାଙ୍କରୁ ଋଣ ମଧ୍ୟ ନେଇଥିଲେ । ହେଲେ ପ୍ରକୃତିର ତାଣ୍ଡବରେ ସେ ସବୁ ଚୁରମାର ହୋଇଯାଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବୀମା କମ୍ପାନୀକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । …
ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି ଉଦ୍ୟୋଗୀ । ସରକାର ତାଙ୍କୁ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡ଼ିଛି ।
ଶିଳ୍ପ ଓ ଖଣି ସମୃଦ୍ଧ ଯାଜପୁର ଜିଲ୍ଲାରେ ବିକାଶ ଠପ୍
ନନ୍ଦିଘୋଷ ବ୍ୟୁରୋ :ବଦଳିଲା ସରକାର । ଅଟକିଗଲା ବିକାଶ । ଯାଜପୁରରେ ଥମିଯାଇଛି ବିକାଶର ଗତି । ପୂର୍ବ ସରକାରଙ୍କ ସମୟରେ ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଥିଲା । ହେଲେ ଶାସନ ଭାର ବଦଳିବା ପରେ ସେସବୁ ଯୋଜନା ଯେମିତି କାଗଜପତ୍ର ଓ ଇଟା ପଥର ଭିତରେ ବନ୍ଦୀ ହୋଇଯାଇଛି। କେଉଁଠି ରାସ୍ତା କାମ ଅଧାରେ ଅଟକିଛି ତ ଆଉ କେଉଁଠି ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ନୂଆ କାର୍ଯ୍ୟର ଦେଖାନାହିଁ । ଗ୍ରାମାଞ୍ଚଳର ରାସ୍ତା, ପାନୀୟ ଜଳ, ଡ୍ରେନେଜ, ସ୍ଵାସ୍ଥ୍ୟ ଭଳି ସମସ୍ୟା କଥା ନକହିବା ଭଲ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।…
କଳିଙ୍ଗନଗର ଇସ୍ପାତ କାରଖାନା ହେଉ କି ସୁକିନ୍ଦାର କ୍ରୋମାଇଟ ଖଣି, ପ୍ରଚୁର ପ୍ରାକୃତିକ ସମ୍ପଦ ଓ ଶିଳ୍ପରେ ଭରପୁର ଯାଜପୁର ଜିଲ୍ଲା । ଏହି ଜିଲ୍ଲାରୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ଵ ଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ, ସେହି ଜିଲ୍ଲା ଏବେ ବିକାଶ ଦୌଡ଼ରେ ପଛରେ ପଡ଼ିଯାଇଛି । ଏଥିପାଇଁ ଦାୟୀ କିଏ ? ପ୍ରଶାସନିକ ଅବହେଳା ନା ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତିର ଅଭାବ ? ଅଟକି ରହିଥିବା ପ୍ରକଳ୍ପ କେବେ ଗତି ପାଇବ ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ
ଶିଳ୍ପ ଅଛି… ଖଣି ଅଛି… ରାଜସ୍ୱ ଅଛି । କିନ୍ତୁ ଯାଜପୁର ଜିଲ୍ଲା ବିକାଶରେ କାହିଁକି ଲାଗିଛି ବ୍ରେକ ? ତାକୁ ନେଇ ସନ୍ଦିହାନ ଲୋକେ ।
ଭୂତକୋଠି ପାଲଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଡାକ ବଙ୍ଗଳା
ନନ୍ଦିଘୋଷ ବ୍ୟୁରୋ :ଭୂତକୋଠି ପାଲଟିଛି ସରକାରୀ ଡାକ ବଙ୍ଗଳା । ସରୀସୃପଙ୍କ ପାଲଟିଛି ଆଡ୍ଡାସ୍ଥଳୀ । ଗୁମୁରି ଗୁମୁରି କାନ୍ଦୁଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମ୍ନାରେ ଥିବା ଡାକ ବଙ୍ଗଳା ।… ଦିନ ଥିଲା ବଙ୍ଗଳାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବସୁଥିଲେ । ଲୋକଙ୍କ ଅଭିଯୋଗ ଶୁଣୁଥିଲେ, ସମସ୍ୟାର ସମାଧାନ କରୁଥିଲେ । କିନ୍ତୁ ଦୀର୍ଘ ବର୍ଷ ହେଲା ବଙ୍ଗଳାରେ ତାଲା ଝୁଲୁଛି । କାନ୍ଥ ଫାଟି ଆଁ କରିଥିବା ବେଳେ ଛାତରୁ ପାଣି ଗଳୁଛି । ଚାରିପଟେ ଗଛଲତା ମାଡ଼ିଗଲାଣି । ଦିନରେ ବି ଲୋକେ ଯିବାକୁ ଡରୁଛନ୍ତି ।…
ଡାକ ବଙ୍ଗଳାଟି ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ହେଲେ ମରାମତି ପାଇଁ ଗୋଟିଏ ଟଙ୍କା ଖର୍ଚ୍ଚ ହେଉନାହିଁ । ବିଭାଗୀୟ ଅଧିକାରୀ କହୁଛନ୍ତି ଏହା ପୂର୍ତ୍ତର । ପୂର୍ତ୍ତ ବିଭାଗ କହୁଛି ଏହା ସାଧାରଣ ପ୍ରଶାସନର । ଦୁଇ ବିଭାଗର ଅବହେଳାରୁ ଖତ ଖାଉଛି ଘର । ଅନ୍ୟପଟେ ଖୁବଶୀଘ୍ର ଡାକବଙ୍ଗଳା ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତହସିଲଦାର ।…
ଧର୍ମ ପରିବର୍ତ୍ତନ ପରେ ଶବ ସତ୍କାରକୁ ନେଇ ବିବାଦ ଘଟଣା
ନନ୍ଦିଘୋଷ ବ୍ୟୁରୋ :ଧର୍ମ ପରିବର୍ତ୍ତନ ପରେ ଶବ ସତ୍କାରକୁ ନେଇ ବିବାଦ ଘଟଣା । ୩୫ ଘଣ୍ଟା ପରେ ହେଲା ଶବ ସତ୍କାର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଥାନା ଅଧୀନ ଅଡଣ୍ଡି ଗାଁରେ । ୬୦ ବର୍ଷୀୟା ଗାଗରୀ ଗଣ୍ଡଙ୍କ ମୃତ୍ୟୁ ପରେ ତାଙ୍କ ଶବ ସତ୍କାରକୁ ନେଇ ପ୍ରାୟ ୩୫ ଘଣ୍ଟା ଧରି ଅନିଶ୍ଚିତତା ଲାଗି ରହିଥିଲା। ମୂଳ ଧର୍ମ ଛାଡି ଗତ କିଛି ବର୍ଷ ହେଲା ମୃତକଙ୍କ ପରିବାର ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ଗାଁରେ ଉକ୍ତ ଧର୍ମର କୌଣସି ସ୍ମଶାନ ନଥିବାରୁ ମୃତକଙ୍କ ପରିବାର ଗ୍ରାମର ସ୍ମଶାନରେ ଶବ ସତ୍କାର କରିବାକୁ ସ୍ଥିର କରିଥିଲେ । କିନ୍ତୁ ଗାଁ ମଶାଣିରେ ଶବ ସତ୍କାର କରିବାକୁ ଗ୍ରାମବାସୀ ବିରୋଧ କରିଥିଲେ । ପରେ ମୃତଦେହକୁ ଛତିଶଗଡ଼ର କେଶ୍କାଲକୁ ଜଣେ ସମ୍ପର୍କୀୟଙ୍କ ଘରକୁ ନିଆଯାଇଥିଲା। ସେଠାରେ ମଧ୍ୟ ତାଙ୍କୁ ବାରଣ କରାଯାଇଥିଲା। ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍ ଲହରାକାନି ଗାଁରେ ହୋଇଛି ଶବ ସତ୍କାର । ଖବର ପାଇ କୁନ୍ଦେଇ ପୋଲିସ ଗାଁରେ ପହଞ୍ଚି ବୁଝାସୁଝା କରୁଛି।
ହାତର ଯାଦୁରେ ବିଶ୍ୱକପ୍ରେ ଓଡ଼ିଆ ପୁଅର କମାଲ ।
ନନ୍ଦିଘୋଷ ବ୍ୟୁରୋ :ଓଡ଼ିଶାର ପୁଅଙ୍କ ହାତର ଯାଦୁ ଇଜିପ୍ଟର କାଇରୋ ସହରରେ ଆୟୋଜିତ ସିଜିସି ୱାର୍ଲ୍ଡ କପ୍ରେ ଇଣ୍ଡିଆ ପାଇଁ ପ୍ରତିନିଧିତ୍ୱ କରି ଚର୍ଚ୍ଚାରେ ଓଡ଼ିଶା ର ବୌଦ୍ଧ ଜିଲ୍ଲା ର ଅଞ୍ଜନ କୁମାର ମାରଣ । ୧୭ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ୫୨ ଜଣ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଭାରତର ଏକମାତ୍ର ପ୍ରତିନିଧି ଭାବେ ଅଞ୍ଜନ ଦେଖାଇଛନ୍ତି ନିଜ ହାତର ଯାଦୁ ।ମୋବାଇଲ ମରାମତି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ।
ଆଉ ଏବେ ବିଦେଶ ମାଟିରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପୁଅ ଅଞ୍ଜନ କୁମାର ମାରଣ । ଇଜିପ୍ଟର କାଇରୋ ସହରରେ ଆୟୋଜିତ ସିଜିସି ୱାର୍ଲ୍ଡ କପ୍ -୨୦୨୬ ପାଇଁ ମନୋନୀତ ହୋଇଥିଲେ ଅଞ୍ଜନ ବିଶ୍ୱର ୧୭ଟି ଦେଶରୁ ୫୨ ଜଣ ପ୍ରତିଯୋଗୀ ଏହ ପ୍ରତି ଯୋଗିତାରେ ଭାଗ ନେଇଥିବା ବେଳେ ଭାରତର ଏକମାତ୍ର ପ୍ରତିନିଧି ଭାବେ ସେ ନେଇଥିଲେ ଭାଗ । ଆଇଫୋନ ମୋବାଇଲକୁ କେତେ କମ୍ ସମୟରେ ଖୋଲିବା ମରାମତି କରିବା ଏବଂ ପୁଣି ଫିଟିଂ କରି ଚାଲୁ କରିବା ଏହି ଦକ୍ଷତାର ପରୀକ୍ଷା ହୋଇଥିଲା ୱାର୍ଲ୍ଡ କପ୍ରେ । ଆଉ ଏଥିରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଅଞ୍ଜନ ।ବିଦେଶ ମାଟିରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ । ନିଜ ଦକ୍ଷତାକୁ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଅଞ୍ଜନ ମଧ୍ୟ ଖୁସି
କେବଳ ଏହି ପ୍ରତିଯୋଗିତା ନୁହେଁ ପୂର୍ବରୁ ମଧ୍ୟ ଏକାଧିକ ଦେଶକୁ ଯାଇ ଆଇଫୋନ ମୋବାଇଲ ମରାମତିରେ ନିଜ ଦକ୍ଷତା ଦେଖାଇଛନ୍ତି ଅଞ୍ଜନ । ଆଇଫୋନ୍ ଭଳି ଦାମୀ ମୋବାଇଲକୁ କମ୍ ସମୟରେ ମରାମତି କରି ଗ୍ରାହକଙ୍କୁ ଫେରାଇବା ହେଉଛି ତାଙ୍କର ଲକ୍ଷ୍ୟ ଆଧୁନିକ ଯୁଗରେ ଆଇଫୋନ୍ର ଚାହିଦା ବଢ଼ୁଥିବା ବେଳେ ଦ୍ରୁତ ଏବଂ ଦକ୍ଷତାର ସହ ମରାମତି ସେବା ଯୋଗାଇବାକୁ ଗୁରୁତ୍ୱ ଦେଉଛନ୍ତି ଅଞ୍ଜନ । କାଇରୋରେ ନିଜ ହାତର ଯାଦୁ ଦେଖାଇବା ପରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ମିଳୁଛି ଶୁଭେଚ୍ଛା । ଆଗାମୀ ୨୦୨୭ ୱାର୍ଲ୍ଡ କପ୍ରେ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ଆଶା ରଖିଛନ୍ତି ଅଞ୍ଜନ
ଓଡ଼ିଶାର ମାଟିରୁ ଇଜିପ୍ଟର କାଇରୋ ରେ ଇଜିପ୍ଟର କାଇରୋ ସହରରେ ହର ସିଟ୍ ବସି ହାତର ଯାଦୁରେ ଭାରତୀୟ ତ୍ରିରଙ୍ଗା ପତାକା ଓ ଝଣ୍ଡା ଗଡ଼ିବା ସହ ପଞ୍ଜାବୀ ସଙ୍ଗୀତ ପରିବେଷଣ କରିଥିଲେ ଅଞ୍ଜନ କୁମାର ମହାରଣା। ଭାରତର ପତାକା ଓ ଦେଶର ଗୀତକୁ ବିଦେଶ ମାଟିରେ ପରିବେଷଣ କରି ଦେଶର ଗୌରବ ବଢ଼ାଇଥିବାରୁ ଏହି ମୁହୂର୍ତ୍ତକୁ ନେଇ ସେ ବେଶ୍ ଗର୍ବିତ ବୋଲି କହିଛନ୍ତି। ହାତର ଯାଦୁରେ ମୋବାଇଲ ମରାମତି କରି ବିଶ୍ୱମଞ୍ଚରେ ଦେଶର ନାଁ ଉଚ୍ଚା କରିଛନ୍ତି ଓଡ଼ିଆ ପୁଅ ଅଞ୍ଜନ । ଏବେ ନଜର ୨୦୨୭ ୱାର୍ଲ୍ଡ କପ୍ ଉପରେ ।

