ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ଅଧିରାଜ। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ। କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଧିରାଜ ପାଣିଗ୍ରାହୀ। ଏହାସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ନେଇ ପିସିସି ସଭାପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳର ବିଧାୟକ ହେଉଛନ୍ତି ଅଧିରାଜ ପାଣିଗ୍ରାହୀ।
ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ, ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି
ଭୁବନେଶ୍ବର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ନିର୍ବାଚନୀ ଏକ୍ସରସାଇଜ ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ଲୋକାଭିମୁଖୀ ଯୋଜନା ନେଇ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ବଡ଼ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଗ୍ରାଉଣ୍ଡରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରୁଛି ଦଳ। ଦୁଇ ବିରୋଧୀ କିନ୍ତୁ ନିର୍ବାଚନ ପ୍ରସ୍ତୁତିରେ ପଛରେ ପଡ଼ିଯାଇଛନ୍ତି ।
ବିଜେଡିର ଯୋଦ୍ଧା ପ୍ରସ୍ତୁତ । ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ । ନିର୍ବାଚନମଣ୍ଡଳୀରେ ଅଧିକ ଶକ୍ତିଶାଳୀ କର ସଂଗଠନ । ରେକର୍ଡ ବିଜୟ ପାଇଁ ସମରସଜ୍ଜା। ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ବହୁଛି ବିଜେଡି ହାଓ୍ବା । ଉଭୟ ବିଧାନସଭା ଓ ଲୋକସଭାରେ ଦଳ ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଆରମ୍ଭ କରିଛ ସମରସଜ୍ଜା । ଶ୍ରୀକ୍ଷେତ୍ର ପାଇଁ ବିଜେଡି ଯୋଦ୍ଧା ପ୍ରସ୍ତୁତ କରିଛି । ତୃଣମୂଳ ସ୍ତରରୁ ସଂଗଠନ ଶକ୍ତି ବୃଦ୍ଧି ସହ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।
ପର୍ଯ୍ୟାୟକ୍ରମେ ଅନ୍ୟ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧା ପ୍ରସ୍ତୁତ କରିବ ବିଜେଡି। ଲୋକଙ୍କୁ ବିକଶିତ ଓଡ଼ିଶା ଗଠନ ସମ୍ପର୍କରେ ଜଣାଇବା ସହ ନିର୍ବାଚନ ଏକ୍ସରସାଇଜ ଆରମ୍ଭ କରିଛି ଦଳ। ପୂର୍ବରୁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେଇଥିବା ୪ଲକ୍ଷ ଯୋଦ୍ଧାଙ୍କୁ ବିଜେଡି ୨୧ଟି ସଂଦୀୟ କ୍ଷେତ୍ରରେ ଦାୟିତ୍ବ ବଣ୍ଟନ କରି ନିର୍ବାଚନୀ କାମ ଆରମ୍ଭ କରିଦେଇଛି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ଯୋଜନା କରିଛନ୍ତି, ତାହା ଦଳକୁ ବଡ଼ ବିଜୟ ଦେବ ବୋଲି ବିଧାୟକ କହିଛନ୍ତି ।
ଏଥର ବିଜେଡି ପୁଣି କ୍ଷମତା ଦଖଲ କରିବା ସହ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଆସିଛି । ବିଜେଡି ମଧ୍ୟ ନିର୍ବାଚନ ଘୋଷଣା ପୂର୍ବରୁ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ନିର୍ବାଚନ ଘୋଷଣା ପରେ ଦଳ ଲୋକଙ୍କ ପାଖକୁ ଯିବାର ଅଭିଯାନକୁ ଅଧିକ କ୍ରୀୟାଶୀଳ କରିଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛି । କଂଗ୍ରେସ କିନ୍ତୁ ଆଗୁଆ ଟିକେଟ ବଣ୍ଟନରେ ଫେଲ୍ ମାରିବା ପରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଣି ନିର୍ବାଚନୀ ମାହୋଲ ସୃଷ୍ଟି କରିବାକୁ ଯୋଜନା କରିଛି । ବରିଷ୍ଠ ରାଜନୈତିକ ସମୀକ୍ଷକ କହିଛନ୍ତି, ଏଯାଏଁ ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି କରିନାହାନ୍ତି କି ଲୋକଙ୍କ ପାଖକୁ ଯାଇନାହାନ୍ତି । ବିଜେଡି କିନ୍ତୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରି ଲୋକଙ୍କ ପାଖକୁ ଯାଉଛି ।
ନିର୍ବାଚନ ଫଳାଫଳର ସବୁ ରେକର୍ଡ ଭାଙ୍ଗିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ମଧ୍ଯ ଲମ୍ବା ସମୟ ଓ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନ ବଜାୟ ରଖିବେ। ଏଥିପାଇଁ ସଂସଦୀୟ କ୍ଷେତ୍ରରୁ ବିଜୟ ଅଭିଯାନ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।
କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ
ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ମାନସମନ୍ଥନ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ଅନୁଷ୍ଠିତ ହୋଇଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଓ ଜିଲ୍ଲା ସଭାପତିଙ୍କ ସହିତ ଜରୁରୀ କାଳୀନ ବୈଠକ କରାଯାଇଛି । ଯଦିଓ ଦଳ CECକୁ ସବୁ କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପଠାଇ ଦେଇଛି ତାପୂର୍ବରୁ ଯୋଗ୍ୟ ଓ ଜିତିବା ପ୍ରାର୍ଥୀଙ୍କ ଉପରେ ଚାଲିଛି ଆଲୋଚନା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଗମନ ଇନ ଚାର୍ଜ ପ୍ରବୀଣ ପାଠକ ମିଳିତ ଯୋଗଦେଇଥିଲେ । ଆଗକୁ ଦଳ କେଉଁଠି ପ୍ରାର୍ଥୀ ବଦଳାଇବ ଓ କେଉଁ ସ୍ଥାନରେ କଂଗ୍ରେସ ଅଛି ମଜବୁତ୍ ସେ ନେଇ ଆଲୋଚନା ହୋଇଛି ।
ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ, ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ
ପୁରୀ: ମଙ୍ଗଳବାର ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠାରୁ ଦୋଳୋତ୍ସବର ପ୍ରାରମ୍ଭ ହୋଇଥିବା ବେଳେ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ହେବ ଉତ୍ସବ । ଆସନ୍ତାକାଲି ଠାରୁ ଶ୍ରୀଜୀଉମାନଙ୍କର ୪ ଦିନ ଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ଶ୍ରୀଜିଉଙ୍କ ଫଗୁ ଦଶମୀ । ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ। ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ । ଚଳିତ ବର୍ଷ ଅଧିକ ଏକ ଦିନ ମଳ ପଡ଼ୁଥିବାରୁ ମହାପ୍ରଭୁଙ୍କର ୪ ଦିନଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ୩ ବାଡ଼ରେ ତିନି ଠାକୁରଙ୍କର ମଇଲମ କରାଯାଇ ନାଲି ଲୁଗା ଲାଗି ହୋଇଥିବା ବେଳେ ସର୍ବାଙ୍ଗ ହୋଇ ଚାଚେରୀ ବେଶ କରାଯିବ । ଏହି ଚାଚେରୀ ବେଶ ପରେ ଚାଚେରୀ ଭୋଗ ହୋଇ ଅନ୍ୟାନ୍ୟ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ମହାଜନ ସେବକମାନଙ୍କ ଦ୍ବାରା ଜୟବିଜୟ ଦ୍ଵାର ଲଣ୍ଡାବର୍ତ୍ତକୁ ଆସିବେ । ପରେ ମୁଦିରସ୍ତ ସେବକ ଫଗୁ ଚନ୍ଦନ ମୁଣି ପ୍ରସାଦ ଲାଗି କରିବା ସହ ବନ୍ଦାପନା ଓ ଆଲଟ ଚାମର ସେବା ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ସହ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଦୋଳଉତ୍ସବ।
ହିନ୍ଦୁ ରୀତିନୀତି ଓ ଉତ୍କଳୀୟ ପରମ୍ପରାରେ ଦୋଳଉତ୍ସଭ ସମୟରେ ପୁରପଲ୍ଲୀ ହୋଇଥାଏ ଉତ୍ସବ ମୁଖର । ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଥାଏ ପାରମ୍ପରିକ ଅବିରରେ ରଙ୍ଗ ଖେଳ। ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ସମୟରେ ମହାବାହୁଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଦର୍ଶନ ସହ ଭକ୍ତି ଅର୍ଘ୍ୟ ପ୍ରଦାନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ।
ପୁଣି ଶୁଣିବାକୁ ମିଳିବ ସିଦ୍ଧୁଙ୍କ ଦମଦାର ଡାଇଲଗ ଭରା କ୍ରିକେଟ୍ କମେଣ୍ଟ୍ରି
ନୂଆଦିଲ୍ଲୀ: ହୋମ ଗ୍ରାଉଣ୍ଡକୁ ଫେରିଲେ ସିଦ୍ଧୁ। ପୁଣି କ୍ରିକେଟ ଜଗତକୁ କମବ୍ଯାକ୍ କଲେ ନବଜୋତ ସିଦ୍ଧୁ। ଟିଭିରେ ପୁଣି ସିଦ୍ଧୁଙ୍କ ଶୁଣିବାକୁ ମିଳିବ ଡାଇଲଗ ଭରା କ୍ରିକେଟ କମେଣ୍ଟ୍ରି। ଇଣ୍ଡିଆନ ପ୍ରିମିୟର ଲିଗର ହିନ୍ଦୀ କମେଣ୍ଟ୍ରିକୁ ଫେରିଛନ୍ତି ନବଜୋତ ସିଦ୍ଧୁ।
ଚଳିତ ସିଜିନର ଆଇପିଏଲରେ ହିନ୍ଦୀ କମେଣ୍ଟ୍ରିରେ ସିଦ୍ଧୁଙ୍କ ଦମଦାର ଲାଇଭ କମେଣ୍ଟ୍ରି ଶୁଣିବାକୁ ମିଳିବ। ପାଖାପାଖି ୧୦ ବର୍ଷ ପରେ କମେଣ୍ଟ୍ରିକୁ ଫେରିଛନ୍ତି ସିଦ୍ଧୁ। ତେବେ ରାଜନୀତିରେ ରହିବେ ନା ନାହିଁ ଏନେଇ କୌଣସି ସୂଚନା ଦେଇନାହାନ୍ତି ନବଜୋତ ସିଂ ସିଦ୍ଧୁ। କ୍ରିକେଟକୁ ଫାଷ୍ଟ ଲଭ୍ ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ।ମାଛ ପାଇଁ ପାଣି ଯେପରି ମୋ ପାଇଁ ସେଭଳି କ୍ରିକେଟ ବୋଲି କହିଛନ୍ତି ସିଦ୍ଧୁ।
୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କ୍ରିକେଟ କମେଣ୍ଟ୍ରି କରି ଆସୁଥିଲେ ସିଦ୍ଧୁ। ସିଦ୍ଧୁଙ୍କ ଏହି କମେଣ୍ଟ୍ରି ଲାଗି ପାଖାପାଖି ଦିନକୁ ୨୫ ଲକ୍ଷ ଟଙ୍କା ପାଉଣା ମିଳିବ। ତେବେ ଟଙ୍କା ତାଙ୍କ ପାଇଁ ସେତେ ଗୁରୁତ୍ଵପୂର୍ଣ୍ଣ ନାହିଁ ବୋଲି ପ୍ରକାଶ କରିଛନ୍ତି ସିଦ୍ଧୁ।
ଚିନ୍ତା ବଢାଇଲାଣି ବାୟୁ ପ୍ରଦୂଷଣ, ବାୟୁମଣ୍ଡଳରେ ଉଡ଼ୁଛି ବିଷାକ୍ତ ପିଏମ୍ ୨.୫
ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣରେ ଭାରତ ବିଶ୍ବରେ ତୃତୀୟ । ପୁଣି ଥରେ ପ୍ରଦୂଷିତ ତାଲିକାର ଶୀର୍ଷରେ ଦିଲ୍ଲୀ ସହର । ପ୍ରଦୂଷଣ ଯୋଗୁ ଭାରତରେ ବାର୍ଷିକ ୨୩ ଲକ୍ଷ ଜୀବନ ଯାଉଥିବାବେଳେ ୧୬ ଲକ୍ଷଙ୍କର ଜୀବନ କେବଳ ବାୟୁ ପ୍ରଦୂଷଣ ଯୋଗୁ ଯାଉଛି । ୨୦୩୦ ପର୍ଯ୍ୟନ୍ତ ଜାତିସଂଘ ଦ୍ବାରା ପ୍ରଣୀତ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି ଚାଲିଥିଲେ ବି ସଚେତନ ଅଭାବରୁ ପିଲା, ଯୁବ ଓ ବୟସ୍କଙ୍କର ଜୀବନ ଯାଉଛି । ବାୟୁ ପ୍ରଦୂଷଣ ହ୍ରାସ ପାଇଁ ସହରାଞ୍ଚଳରେ ବରଗଛ, କରଞ୍ଜ, ପଣସ ସମେତ ସହରୀ ବନାଞ୍ଚଳ ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ।
ନିଃଶ୍ବାସ ପ୍ରଶ୍ବାସରେ ଯାଉଛି ବିଷ । ବାୟୁମଣ୍ଡଳରେ ଉଡ଼ୁଛି ବିଷାକ୍ତ ପିଏମ୍ ୨.୫ । ଅକାଳରେ ଜୀବନ ନେଉଛି ବାୟୁ ପ୍ରଦୂଷଣ । ବିଶ୍ବର ତୃତୀୟ ପ୍ରଦୂଷିତ ଦେଶ ପାଲଟିଛି ଭାରତ । ପୁଣି ଥରେ ରାଜଧାନୀ ଦିଲ୍ଲୀ ଅଧିକ ପ୍ରଦୂଷିତ । ଏପରି ରିପୋର୍ଟ କରିଛି ସୁଇଜରଲ୍ୟାଣ୍ଡ ସଂସ୍ଥା IQ AIR । ବାୟୁ ପ୍ରଦୂଷଣର ପ୍ରଭାବ ସହରାଞ୍ଚଳ ଅପେକ୍ଷା ବେଶୀ ଭୋଗୁଛନ୍ତି ସହରାଞ୍ଚଳ ଲୋକେ । ଘରେ ବ୍ୟବହାର ହେଉଥିବା ଏୟାରକଣ୍ଡିସନ୍, ଜୈବ ଇନ୍ଧନ ଦ୍ବାରା ଚାଳିତ ଗାଡ଼ି, ଧୂଳି ଧାରଣ କରିପାରୁନଥିବା ରାସ୍ତା ଯୋଗୁ ଉତ୍କଟ ହେଲାଣି ବାୟୁ ପ୍ରଦୂଷଣ । ଭାରତର ୬୬ ପ୍ରତିଶତ ସହର ବାର୍ଷିକ ୩୫ ମାଇକ୍ରୋଗ୍ରାମ୍ ପିଏମ୍ରୁ ଅଧିକ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛନ୍ତି । ଭୁବନେଶ୍ବର ମଧ୍ୟ ଏଥିରେ ସାମିଲ ।
ଏହି ମାତ୍ରା ହ୍ରାସ କରିବାକୁ ଜାତିସଂଘ ୨୦୨୧ରୁ ୨୦୩୦ ପର୍ଯ୍ୟନ୍ତ ସହରୀ ବନାଞ୍ଚଳ ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଚାଲିଛି ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି । ହେଲେ ଲୋକଙ୍କ ସଚେତନତା ଓ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରଦୂଷଣ ବଢିଚାଲିଛି । କେବଳ ମିଟିଂ, ଇଟିଂ, ଶୋଭାଯାତ୍ରାରେ ସୀମିତ ରହିଛି ପରିବେଶ ସୁଧାର କାର୍ଯ୍ୟକ୍ରମ । ସବୁଜ ଗୃହ ପ୍ରଭାବ ସହିତ ଜୈବ ଇନ୍ଧନ ଦ୍ବାରା ଚାଳିତ ଗାଡ଼ିରୁ କାର୍ବନ୍ ମନୋକ୍ସାଇଡ୍ ନିର୍ଗତ ହେଉଛି । କାର୍ବନମନୋକ୍ସାଇଡ ହିମୋଗ୍ଲୋବିନ୍ ସହିତ ମିଶି ଶରୀରରେ କାର୍ବୋକ୍ସିହିମୋଗ୍ଲୋବିନ୍ ତିଆରି କରୁଛି । ଫଳରେ ଶରୀରକୁ ଅମ୍ଲଜାନ କମ ପଡ଼ିବା ସହିତ ସବୁ ଅଂଶକୁ ସଞ୍ଚାଳିତ ରକ୍ତର ଶୋଧନ ହୋଇପାରୁନି। ଫଳରେ ଏବେ ଯକ୍ଷ୍ମା, ଶ୍ବାସ ଓ ହୃହରୋଗ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ପ୍ରଦୂଷଣ ଯୋଗୁ ୨୩ ଲକ୍ଷ ଲୋକଙ୍କର ଅକାଳରେ ଜୀବନ ଯାଉଛି । ସେଥିରୁ ୧୬ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏବେ କୋଭିଡ ପରେ ବାୟୁ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଅଧିକାଂଶ ଲୋକଙ୍କ ଛାତି ରୋଗ ଦେଖାଦେଉଛି । ଏପରିକି କର୍କଟ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ସଂଖ୍ୟା ବି ବଢ଼ିଚାଲିଛି । ପରିବେଶ ସୁରକ୍ଷା ନେଇ ଅନେକ ନୀତି ନିୟମ ଥିଲେ ବି ଠିକ୍ ଭାବେ ପାଳନ ହେଉନି । ଏନଫୋର୍ସ୍ମେଣ୍ଟ୍ ଏଜେନ୍ସିଙ୍କ ଖାମଖିଆଲି ମନୋଭାବ ଯୋଗୁ ଲୋକେ ଏ ନେଇ ସଚେତନ ହେଉନାହାନ୍ତି । ସହରାଞ୍ଚଳ ବନୀକରଣ ସୃଷ୍ଟି କରିବାରେ ଓଡ଼ିଶା ସରକାର କିଛିଟା ଆଗେଇଛନ୍ତି । କିନ୍ତୁ ଯେଉଁ ପରିମାଣରେ ଶିଳ୍ପାୟନ ଓ ପ୍ରଦୂଷଣ ବଢଛି ସେତିକି ଅନୁପାତରେ ବଢୁନି ସହରାଞ୍ଚଳ ସବୁଜ ବଳୟ ।
ବାୟୁ ପ୍ରଦୂଷଣ ଏବେ ବଡ଼ ଚାଲେଞ୍ଜ୍ । ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ହେବାରୁ ଛୋଟ ପିଲା ମାନସିକ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ସରକାର, ସାଧାରଣ ଲୋକେ ଯଦି ଏବେଠୁ କାୟ ମନୋବାକ୍ୟରେ ପରିବେଶ ସନ୍ତୁଳନ ନେଇ ସଚେତନ ନ ହୁଅନ୍ତି ତାହେଲେ ସ୍ଥିତି ଆଗକୁ ଏପରି ହେବ ଯେ, ଧନ, କୋଠାବାଡ଼ି ସବୁ ଥିବା ହେଲେ ତାକୁ ଉପଭୋଗ କରିବାକୁ ଆୟୁଷ ନଥିବ ।

