spot_img
Home Blog Page 1987

ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ସରିଲା ନାମାଙ୍କନ , ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ସରିଛି ନାମାଙ୍କନ । ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।  ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସର୍ବାଧିକ ୨୦ ଜଣ ପ୍ରାର୍ଥୀ କରିଛନ୍ତି ନାମାଙ୍କନ। ୪ଟି ଲୋକସଭା ଆସନ ପାଇଁ ୩୯ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ଆସନ ପାଇଁ ସର୍ବାଧିକ ୧୩ ଜଣ କରିଛନ୍ତି ପ୍ରାର୍ଥିପତ୍ର ଦାଖଲ।

ଶୁକ୍ରବାର ନାମାଙ୍କନ ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ  ଦାଖଲ ବାବଦରେ ସମସ୍ତ ତଥ୍ୟ ଦିଆଯାଇଛି । ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  ।

ଆଜି ନବରଙ୍ଗପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି

ନବରଙ୍ଗପୁର : ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ଯ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ମୁଖ୍ଯତଃ ରାଜ୍ଯ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।

ଆଚରଣ ବିଧି ଉଲ୍ଲଂଘନ ରାଜ୍ଯ ବିଜେପିର ଅଭ୍ଯାସ ହୋଇଗଲାଣି : ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ଯ ବିଜେପିର ଅଭ୍ଯାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ଏନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ପିଲାଙ୍କୁ ବ୍ଯବହାର କରିଛନ୍ତି । ପୂର୍ବରୁ ସେ ଏନସିସି ଅଫିସ ଓ ସରକାରୀ ଅଫିସକୁ ପ୍ରଚାର ପାଇଁ ବ୍ଯବହାର କରିଥିଲେ ।

ସେହିପରି ବିଜେପି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ଯ ପ୍ରଚାର ବେଳେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଛନ୍ତି । ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡିଆରେ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ଯବହାର କରିଥିଲେ । ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଲିରେ ଛୋଟ ପିଲାମାନେ ନାଚୁଥିବା ନଜିର ମଧ୍ଯ ରହିଛି । ଏଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବିପତ୍ର ଦେଇଛି ବିଜେଡି ।

ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ : ଭୁବନେଶ୍ବର ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର : ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ । ବହୁପ୍ରତିକ୍ଷୀତ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ସର୍ଭେ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ କରାଯାଉଛି । ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ଦ୍ବାରା କରାଯାଉଥିବା । ଏଥିରେ ବିଡିଏ, ବିଏମସି, ୱାଟକୋ, ଟିପିସିଓଡିଏଲ, ଗେଲ୍‌ ବିଏସଏନଏଲ, ଟ୍ରାଫିକ ପୋଲିସ ଟିମ୍ ନିୟୋଜିତ ଅଛନ୍ତି । ମେଟ୍ରୋ ଯିବାକୁ ଥିବା ରାସ୍ତାରେ ଗଛ, ବିଦ୍ଯୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି । ମେଟ୍ରୋ ପାଇଁ ରାସ୍ତାରୁ ହଟିବ ୟୁଟିଲିଟି ଲାଇନ ।

ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିସ୍ଥାପନ କରିଥିଲେ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।କ୍ୟାପିଟାଲ ହସ୍ପିଟାଲରୁ ବାପୁଜୀନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର ଦେଇ ଆଚାର୍ଯ୍ୟବିହାର ଛକ ଯାଏଁ ପ୍ରାୟ ୭ କିଲୋମିଟର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬୮କୋଟି ଟଙ୍କାର ଟେଣ୍ଡର ଡକାଯାଇଛି । ଏପଟେ ବାରଙ୍ଗ ଅଞ୍ଚଳର ରତାଗଡ଼ରେ ମେଟ୍ରୋ ରେଳର କେନ୍ଦ୍ରୀୟ ଡିପୋ ପାଇଁ ୪୦ଏକର ଜାଗାରେ କାମ ଆରମ୍ଭ ହୋଇଛି।

ଅଜଣା ଟ୍ରକ ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ଯୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ଯୁ ହୋଇଛି । ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ କଲୋନୀ ନିକଟରେ ଗତକାଲି ରାତିରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ରାତିରେ ଅଜଣା ଟ୍ରକ ତିନି ବାଇକଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ମୃତକ ହେଲେ ସ୍ଥାନୀୟ ଯୁବକ ରଞ୍ଜନ ପ୍ରଧାନ , ଆଶିଷ ଭୋଇ ଏବଂ ରୂପକ ଧୃଆ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଇ ଦେଇବାବେଳେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଆସନ୍ତା ୫ ଦିନ ରାଜ୍ଯରେ ଅସମ୍ଭାଳ ତାତି; ଆଜି ଓ କାଲି ପାଇଁ ରେଡ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର :  ଆସନ୍ତା ୫ ଦିନ ରାଜ୍ଯରେ ହେବ ଅସମ୍ଭାଳ ତାତି । ଆକାଶରୁ ବର୍ଷିବ ନିଆଁ । ଆଜି ଓ କାଲି ପ୍ରଚଣ୍ଡ ଖରା ପାଇଁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସଭିୟରରୁ ସିଭିୟର ହିଟ୍ଓ୍ବେଭ୍ ପାଇଁ ୯ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରୁସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗିର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କ କରାଯାଇଛି ।

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ୪୫ ରୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ପିକ୍ ଆଓ୍ବାର ଘୋଷଣା । ଶିଶୁ, ବୟସ୍କ, ରୋଗୀ ଓ ଗର୍ଭବତୀଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ । ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ମେ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ।

୨୭ ତାରିଖରେ ମଧ୍ୟ ରାଜ୍ୟରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ। ଏଥିପାଇଁ ୧୫ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୮ ଏବଂ ୨୯ ତାରିଖରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ୩୦ଟି ଯାକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେଲେ ମଧ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିବ।

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ବିଜେପି କର୍ମୀ

ଦେବଗଡ଼ : ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ବିଜେପି କର୍ମୀ । ବାପପୁଅଙ୍କୁ ଗିରଫ କଲା ରିଆମାଳ ଥାନା ପୋଲିସ । ଦେବଗଡ଼ ଜିଲ୍ଲା ଗୁଣ୍ଡିଆପାଲି ପଞ୍ଚାୟତର ବିଜେପି କର୍ମୀ ଦେବେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଗଞ୍ଜେଇ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକଙ୍କ ବିରୋଧ ସତ୍ତ୍ବେ ଉଭୟ ନିଶା କାରବାର ଜାରି ରଖିଥିଲେ । ଗତକାଲି ବାଇକରେ ଗଞ୍ଜେଇ ନେଇ ଯାଉଥିବାବେଳେ ଉଭୟଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ସହ ବାଇକ ଓ ମୋବାଇଲ ଜବତ ହୋଇଛି । ଉଭୟ କେଉଁଠାକୁ ଗଞ୍ଜେଇ ଚାଲାଣ କରୁଥିଲେ ସେନେଇ ତଦନ୍ତ ଜାରି ରହିଛି ।

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ,୧୩ ରାଜ୍ଯର ୮୯ ଆସନରେ ମତଦାନ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ :  ଦେଶରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ଭୋଟଦାନ ଆରମ୍ଭ ହୋଇଛି  । ୧୨୧୦ ପ୍ରାର୍ଥୀଙ୍କର ହେଉଛି ଭାଗ୍ଯ ନିର୍ଦ୍ଧାରଣ ।  ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ। ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ ମାହୋଲ୍ । ଦେଶରେ ପଞ୍ଚମ ତଥା ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତାସହ ନାମାଙ୍କନ ଦାଖଲ ପ୍ରକ୍ରିୟା ବି ଆରମ୍ଭ ହେଉଛି । ମେ ୩ ତାରିଖରେ ନାମାଙ୍କନ ସରି ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ମେ’ ୨୦ରେ ନିର୍ବାଚନ ହେବ ।

ଏହି ପର୍ଯ୍ୟାୟରେ ୫ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କାରେ ମତଦାନ ହେବ । ଏହି ୫ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବରଗଡରେ ବିଜେଡି ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି । ସୁନ୍ଦରଗଡ଼ରେ ବିଜେଡିର ଦିଲ୍ଲୀପ ତିର୍କୀ, ବିଜେପିର ଜୁଏଲ ଓରାମ ଓ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ମଧ୍ଯରେ ଟକ୍କର ହେବ ।

ସେହିପରି ବଲାଙ୍ଗୀରରେ ବିଜେଡିର ସୁରେନ୍ଦ୍ର ସିଂଭୋଇ ବିଜେପିର ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ମନୋଜ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ସେହିପରି କନ୍ଧମାଳରେ ଅଚ୍ଯୁତ ସାମନ୍ତଙ୍କୁ ବିଜେଡି ରିପିଟ୍ କରିଥିବାବେଳେ ବିଜେପି ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସ ଅମିରଚାନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଛି । ଆସିକା ଲୋକସଭାରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଫାଇଟ । ଏଠାରେ ବିଜେଡି ଏଥର ନବାଗତା ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅନୀତା ଶୁଭଦର୍ଶିନୀ ଓ କଂଗ୍ରେସ ଦେବକାନ୍ତ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି ।

ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କଲେ ଭୃଗୁ ବକ୍ସିପାତ୍ର

ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ଯ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ଯ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ଯ ଉଦ୍ଦେଶ୍ଯ ରହିଥଇଲା ।

ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ଯ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ଯ ରାଜ୍ଯମାନଙ୍କ ପାଇଁ ଉଦାହରଣ ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ବିଗତ ୧୦ ବର୍ଷରେ ଓଡ଼ିଶାର ଅନେକ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ପ୍ରତିଷ୍ଠିତ ଏଜେନ୍ସିଙ୍କ ସର୍ଭେ ରିପୋର୍ଟରେ ନବୀନ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିପାରିଛି । ବେକାରୀ ହ୍ରାସରେ ଓଡ଼ିଶା ଏକ ନମ୍ବର ହୋଇଥିବାବେଳେ ବିଜେପି ଶାସିତ ରାଜ୍ଯରେ ସ୍ଥିତି ଉଦବେଗଜନକ । ମହିଳା ସଶକ୍ତିକରଣରେ ନବୀନ ଓଡ଼ିଶା ଏକ ମଡେଲ । ଯାହାକୁ ଅନ୍ଯ ରାଜ୍ଯ ଓ କେନ୍ଦ୍ର ସରକାର ମଧ୍ଯ ଅନୁକରଣ କରୁଛନ୍ତି ।

ମାତ୍ର ମହିଳାଙ୍କ ଏକ୍ସପୋଜର ଭିଜିଟକୁ ଓଡ଼ିଶା ବିଜେପି ନେତା ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛି । ଓଡ଼ିଶାର ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିଜେପି ନେତାଙ୍କ ଦେହରେ ଯାଉନି । ବିଏସକେୱାଇ ହେଉଛି ଦେଶରେ ଅନନ୍ଯ ଯୋଜନା । ଏହାକୁ ବି ବନ୍ଦ କରିବାକୁ ବିଜେପି ନେତା ଷଡ଼ଯନ୍ତ୍ର କରୁଛି । ଫାଇଭ-ଟି ମାଧ୍ଯମରେ ରାଜ୍ଯରେ ୭ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ମାତ୍ର ଓଡ଼ିଶାରେ ଥିବା କୌଣସି କେନ୍ଦ୍ରୀୟ ବିଦ୍ଯାଳୟରେ ସ୍ମାର୍ଟ କ୍ଲାସରୁମ ହୋଇପାରଲାନି । ନବୀନଙ୍କ ନେତୃତ୍ବରେ ରାଜ୍ଯରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ଯ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।