ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ତେବେ କଟକରେ ରହୁଥିବା ୩୦ ହଜାର ତେଲଗୁ ସଂପ୍ରଦାୟର ଲୋକମାନେ ଆଜି ଭୋଗି ଉତ୍ସବ ପାଳନ କରୁଛନ୍ତି। ଅଗ୍ନୀ ଜାଳି ସେଥିରେ ପାତ୍ରରେ ପାଣି ଗରମ କରି ସେଥିରେ ସ୍ନାନ କଲେ ଶରୀର ସୁସ୍ଥ ରହେ ବୋଲି ବିଶ୍ଵାସ ରହିଛି। ଏଥି ସହିତ ଆସନ୍ତାକାଲି ତେଲଗୁ ଲୋକମାନେ ପବିତ୍ର ପୋଙ୍ଗଲ ପାଳନ ପାଇଁ ମନ୍ଦିର କୁ ସାଜ୍ଜସଜା କରି ପୂଜାପାଠ ଓ ଆଳତି ଅର୍ପଣ କରୁଛନ୍ତି।
ଅଭାବନୀୟ ଘଟଣା, ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର
ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା। ଚୁଲି ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ଅସାବଧାନତା ଯୋଗୁଁ ମାଆ ହାତରୁ ଶିଶୁଟି ଚୁଲିରେ ପଡି ଯାଇଥିଲା । ତେବେ ତୁରନ୍ତ ଚୁଲି ଭିତରୁ ଶିଶୁକୁ ପରିବାର ଲୋକେ ଉଦ୍ଧାର କରିଥିବା ବେଳେ ଅଧିକାଂଶ ଅଂଶ ପୋଡି ଯାଇଥିବା ଜଣାପଡିଛି । ଗୁରୁତର ଶିଶୁକୁ ପ୍ରଥମେ ବସ୍ତା ମେଡିକାଲ ଓ ପରେ ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ପଠାଯାଇଛି ।
ଆଜି ବି ସଂକ୍ରାନ୍ତିରେ ଉପବାସରେ ପ୍ରଭୁ ଲିଙ୍ଗରାଜ: ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି
ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି। ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି। ଫଳରେ ଆଜି ବି ଉପାସରେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ। ଯେପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ।
୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ। ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି। ଏନେଇ କୋର୍ଟରେ ମାମଲା ବି ରହିଛି। ୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା। ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା। କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି।
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିରୋଧ ପ୍ରଦର୍ଶନକାରୀଙ୍କୁ ଦେଶପ୍ରେମୀ ବୋଲି ସମ୍ବୋଧନ କରିଛନ୍ତି ଟ୍ରମ୍ପ । ବିରୋଧ ଜାରି ରଖିବା ସହ ପ୍ରତିଟି ସରକାରୀ ପ୍ରତିଷ୍ଠାନକୁ କବଜାକୁ ନେବାକୁ ଆନ୍ଦୋଳନକାରୀଙ୍କୁ ସେ ଅପିଲ କରିଛନ୍ତି । ଅତିଶୀଘ୍ର ସାହାର୍ଯ୍ୟ ପହଞ୍ଚୁଥିବା ମଧ୍ୟ ନିଜ ସୋସିଆଲ ମିଡ଼ିଆ ଏକ୍ସ ଲେଖି ବିରୋଧକାରୀଙ୍କୁ ଉତ୍ସାହିତ କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଏଭଳି ସଙ୍କେତକୁ ନେଇ ଇରାନ୍ ଉପରେ ଆମେରିକା ଆକ୍ରମଣ କରିବା ଅନୁମାନ ଦୃଢିଭୂତ ହୋଇଛି । ଟ୍ରମ୍ପ ତାଙ୍କ ନିଜ ସୋସିଆଲ ପେଜରେ ଲେଖିଛନ୍ତି “ଇରାନୀ ଦେଶଭକ୍ତମାନେ, ପ୍ରତିବାଦ ଜାରି ରଖନ୍ତୁ, ପ୍ରତିଷ୍ଠାନଗୁଡ଼ିକୁ କବଜା କରନ୍ତୁ । ହତ୍ୟାକାରୀ ଏବଂ ଅତ୍ୟାଚାରୀମାନଙ୍କ ନାମ ଲେଖନ୍ତୁ। ଏ ସବୁ ପାଇଁ ସେମାନେ ଭାରୀ ମୂଲ୍ୟ ଦେବେ। ଟ୍ରମ୍ପ ଇରାନୀ ଅଧିକାରୀଙ୍କ ସହ ସମସ୍ତ ବୈଠକ ବାତିଲ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପ୍ରଦର୍ଶନକାରୀଙ୍କ ନିର୍ବୋଧ ହତ୍ୟା ବନ୍ଦ ନହୁଏ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ସେ ତାଙ୍କର ପ୍ରିୟ ସ୍ଲୋଗାନ, MIGA ଉଲ୍ଲେଖ କରି ଇରାନୀ ପ୍ରଦର୍ଶନକାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଆମେରିକା ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି।” ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛି ।

