spot_img

Latest Posts

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କାକଟପୁର, ଦିନରାତି ମୂର୍ତ୍ତି ଗଢ଼ୁଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ :  ମଝିରେ ଆଉ ୪ଟା ଦିନ। ଧରାପୃଷ୍ଠକୁ ଅବତରଣ କରିବେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନ। ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ପୁରୀ ଜିଲ୍ଲା କାକଟପୁରର ଜଗନ୍ନାଥପୁର ଓ ସୋମନାଥପୁରରେ ଜୋରଦାର ଚାଲିଛି ଗଣେଶ ମୂର୍ତ୍ତି ନିର୍ମାଣ। ଗ୍ରାହକଙ୍କ ଚାହିଦା ଅନୁସାରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିଛନ୍ତି ୫୦ରୁ ଅଧିକ କୁମ୍ଭକାର ପରିବାର। କେଉଁଠି ରାଜା ବେଶରେ ଗଣେଶ ତ ଆଉ କେଉଁଠି ନିର୍ମାଣ ହୋଇଛି ବାଲ ଗଣେଶ। ମୂର୍ତ୍ତିର ଆକାର ଓ ଡିଜାଇନ୍ ଅନୁସାରେ ୨ ହଜାର ଟଙ୍କାରୁ ଆରମ୍ଭ କରି ୫୦ ହଜାର ଟଙ୍କା ଯାଏଁ ରହିଛି ଦର। ହାତରେ ଆଉ ଅଳ୍ପ ଦିନ ଥିବାରୁ ଦିନରାତି ଏକ କରି ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଜଗନ୍ନାଥପୁରର ଗଣେଶ ମୂର୍ତ୍ତିର ରହିଛି ବେଶ୍ ଚାହିଦା। ଏବେଠାରୁ ବିଭିନ୍ନ ମୂର୍ତ୍ତି ସେଣ୍ଟରରେ ଗ୍ରାହକଙ୍କ ଗହଳି ଲାଗିଲାଣି।

କେବଳ କାକଟପୁର ନୁହେଁ, ଅସ୍ତରଙ୍ଗ ବ୍ଲକର ହରିଣହୁଳା, ଗୋସିଙ୍ଗା ଓ ଅସନ ଅଞ୍ଚଳରେ ମଧ୍ୟ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ। ହେଲେ ମୂର୍ତ୍ତି ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ପାଇଥିବାରୁ ଉଚିତ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର। ତଥାପି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ପରମ୍ପରାକୁ ଆଗକୁ ନେବା ପାଇଁ ଜାରି ରଖିଛନ୍ତି ପ୍ରୟାସ।

Latest Posts

Don't Miss