spot_img
Home Blog Page 1960

ଦେଢଶାଶୂକୁ ଏକ ତରଫା ପ୍ରେମ କରି ସ୍ତ୍ରୀକୁ ହତ୍ୟା ଉଦ୍ୟମ

ଭୁବନଶ୍ୱର: ସ୍ତ୍ରୀର ବଡ଼ ଭଉଣୀକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ପତ୍ନୀକୁ ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ। ରାସ୍ତାରେ ସ୍କୁଟିକୁ ଧକ୍କା ଦେଇ ଅଧା କିଲୋମିଟର ଘୋଷାଡି ନେଲା ପିକଅପ ଭ୍ୟାନ୍। ଏହି ଘଟଣାକୁ ନେଇ ଇନଫୋସିଟି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପଟିଆ ରେଲୱେ ଷ୍ଟେସନ ନିକଟରେ ରହୁଥିବା ଅକ୍ଷୟ ବେହେରା। ମାମଲାରୁ ଜଣା ପଡ଼ିଛି ପତ୍ନୀଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକ ପାଖିଆ ଭଲ ପାଇ ଆସୁଥିଲେ। ପୀଡିତାଙ୍କ ବଡ଼ ଭଉଣୀ ବିବାହିତା ହୋଇଥିବାରୁ ସେ ଅଭିଯୁକ୍ତର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏବଂ ଅଭିଯୁକ୍ତ ଜଣକ ପତ୍ନୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପତ୍ନୀ ଅଫିସରୁ ଘରକୁ ଫେରୁଥିବା ବେଳେ ପଟିଆ-ସିପେଟ ରାସ୍ତାରେ, ଅଭିଯୁକ୍ତ ସ୍ବାମୀ ନିଜ ପିକଅପ ଭ୍ୟାନକୁ ଦ୍ରୁତଗତିରେ ଆସି ପୀଡ଼ିତାଙ୍କୁ ଧକ୍କା ଦେଇଥିଲା। ପୀଡ଼ିତା ଜଣକ ସ୍କୁଟି ସହ ତଳେ ପଡ଼ିଯିବା ପରେ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଗାଡିଟିକୁ ଘୋଷାଡି ନେଇଥିଲା ଅଭିଯୁକ୍ତ ସ୍ବାମୀ। ସ୍ଥାନୀୟ ଲୋକେ ଦେଖିବା ପରେ ଅଭିଯୁକ୍ତର ଗାଡ଼ିକୁ ପିଛା କରି ଅଟକାଇବା ସହିତ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଇନଫୋସିଟି ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗଜପତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶଙ୍ଖ ଧରିଲେ ବିଜେପି-କଂଗ୍ରେସ କର୍ମୀ

ଗଜପତି: ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବାବେଳେ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ। ଅଞ୍ଚଳରେ ଅନେକ ଗୁଡ଼ିଏ ବିକାଶ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାର ଯାହା କିଛି ଉନ୍ନତି ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ତାଙ୍କ ନେତୃତ୍ଵରେ ଆଗକୁ ଆହୁରି ବିକାଶ ହେବ ତେଣୁ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି ବୋଲି କହିଛନ୍ତି  କର୍ମୀ।

ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ବ୍ଲକ ନାରାୟଣପୁର ପଞ୍ଚାୟତର ୭ ଓ୍ବାର୍ଡ ମେମ୍ବର ସହ ସମିତି ସଭ୍ୟ ଅନିତା ରାଣୀ ପଟ୍ଟନାୟକ, ପୋତାର ଓ ଏସ କରଡାସିଂ ପଞ୍ଚାୟତର ଓ୍ବାର୍ଡ ମେମ୍ବର ସହ ଶତାଧିକ କର୍ମୀ, ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ପର୍ଯ୍ୟବେକ୍ଷକ ପୃଥିବୀ ସାହୁ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପାଣି ପ୍ରମୁଖ ଉପସ୍ଥିତ ରହି ନବାଗତଙ୍କୁ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛନ୍ତି। ପଞ୍ଚାୟତ ସ୍ତରର ଏଭଳି ସଂଗଠକ ମାନେ ଦଳରେ ସାମିଲ ହୋଇଥିବା ଫଳରେ ମୋହନା ନିର୍ବାଚନ ମଣ୍ଡଳୀର ବିଜେଡ଼ି ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ।

ପାହାଡରୁ ପଥର ଖସି ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଆନ୍ଧ୍ରପ୍ରଦେଶ: ପାହାଡରୁ ପଥର ଖସି ମାଲବାହୀ ଟ୍ରେନ ଲାଇନଚ୍ୟୁତ। ମାଲବାହୀ ଟ୍ରେନର ଇଞ୍ଜିନ ଉପରେ ପଥର ଖସି ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଆନ୍ଧ୍ରପ୍ରଦେଶ ଶିବଲିଙ୍ଗପୁରମ ନିକଟରେ ଘଟିଛି ଦୁର୍ଘଟଣା। କୋରାପୁଟ ଆରୁଖୁ-ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି ।ବିଶାଖାପାଟଣାରୁ କିରଣ୍ଡୁଲ ଆସୁଥିୁଲା ମାଲବାହୀ ଟ୍ରେନ।

 

ମହାରାଷ୍ଟ୍ରର ହାଇଭୋଲଟେଜ ସିଟ୍ ବାରମତିକୁ ନେଇ ଅଙ୍କକଷା

ମହାରାଷ୍ଟ୍ର: ମହାରାଷ୍ଟ୍ର ବାରମତି ଆସନ ଉପରେ ସାରା ଦେଶର ନଜର। ରାଜ୍ଯର ଏକ ମାତ୍ର ଆସନ ଭାବେ ଏଠାରେ ହେଉଛି ଦୁଇ ମହିଳାଙ୍କ ମଧ୍ୟରେ ସିଧାସଳଖ ଫାଇଟ। ଆଉ ସେହି ଦୁଇ ମହିଳା ହେଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ କନ୍ଯା ସୁପ୍ରିୟା ସୁଲେ ଏବଂ ଶରଦଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର। ଗତ ୨୭ ବର୍ଷ ଧରି ପାଓ୍ବାର ପରିବାରର ନେତୃତ୍ବରେ ରହିଆସିଥିବା ବାରମତି ଏବେ କିନ୍ତୁ ସୃଷ୍ଟି କରିଛି ରାଜନୈତିକ ହଟଚମଟ । ଏପରିକି ଶରଦ ପାଓ୍ବାରଙ୍କ ଲିଗାସୀ ଉପରେ ବି ଆଣିଛି ସସପେନ୍ସ। ଏନସିପି ସଭାପତି ଶରଦ ପାଓ୍ବାର ବାରମତିରୁ ୫ ଥର ଜିତିଥିବାବେଳେ ଝିଅ ସୁପ୍ରିୟା ସୁଲେ ୨୦୦୯ରୁ ଆଜି ଯାଏ ରହିଆସିଛନ୍ତି।

ତେବେ ଏନସିପି ବିଭାଜିତ ହେବା ପରେ ଏନସିପି(ଶରଦ ପାଓ୍ବାର) ଗୋଷ୍ଠୀରୁ ସୁପ୍ରିୟା ଲଢୁଥିବାବେଳେ ଏନସିପି(ଅଜିତ ପାଓ୍ବାର) ଗୋଷ୍ଠୀରୁ ଲଢୁଛନ୍ତି ସୁନେତ୍ରା ପାଓ୍ବାର । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାରେ ଅଜିତ ପାଓ୍ବାର ନେତୃତ୍ବାଧୀନ ବିଭାଜନକୁ ମୂଳ ଏନସିପି ଦର୍ଶାଯାଇଥିବାବେଳେ ତାଙ୍କୁ ଘଣ୍ଟା ଚିହ୍ନ ମିଳିଛି। ସେପଟେ ଶରଦଙ୍କ ଗୋଷ୍ଠୀକୁ ମିଳିଛି ତୂରୀ ବାଦନ ଚିହ୍ନ । ୨୦୧୯ରେ ସୁପ୍ରିୟା ୬ ଲକ୍ଷ ୮୦ହଜାର ଭୋଟ ପାଇଥିବାବେଳେ ବିଜେପିର କାଞ୍ଚନ ରାହୁଲ କୁଲ ପାଇଥିଲେ ୫ ଲକ୍ଷ ୩୦ ହଜାର ଭୋଟ । ସୋନିଆ ଗାନ୍ଧୀଙ୍କ ବିଦେଶିନୀ ପ୍ରସଙ୍ଗ ନେଇ ଶରଦ ପାଓ୍ବାର, ପି.ଏ. ସାଙ୍ଗମା ଓ ତାରିକ ଅନଓ୍ବରଙ୍କୁ କଂଗ୍ରେସରୁ ୧୯୯୯ ମେ ମାସରେ ବହିଷ୍କାର କରାଯିବା ପରେ ସେମାନେ ସେହି ବର୍ଷ ଜୁନରେ ଗଠନ କରିଥିଲେ ଏନସିପି । ସେହି ବର୍ଷଠାରୁ ଶରଦ ଏହାର ନେତୃତ୍ବ ନେଇଆସୁଥିଲେ। ମାତ୍ର ଗତବର୍ଷ ବିଭାଜିତ ହେବା ପରେ ଏପରିକି ନାମ ଓ ଚିହ୍ନ ତାଙ୍କ ହାତରୁ ଚାଲିଯାଇଥିଲା।

ଜାମ୍ମୁ ଓ କାଶ୍ମୀରର ସୁରନକୋଟରେ ଆତଙ୍କବାଦୀ ହମଲା, ଜଣେ ଯବାନ ସହିଦ୍

ବ୍ୟୁରୋ ରିପୋର୍ଟ: ଜାମ୍ମୁ ଓ କାଶ୍ମୀରର ସୁରନକୋଟରେ ଆତଙ୍କବାଦୀ ହମଲା। ପୁଞ୍ଛ ଜିଲ୍ଲାରେ ମାତିଛନ୍ତି ଆତଙ୍କବାଦୀ। ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରକୁ ବଡ ଧରଣର ଆତଙ୍କବାଦୀ ହମଲା ହୋଇଥିଲା। ଏହି ଆକ୍ରମଣରେ ଆହତ ହୋଇଥିବା ୫ ଜଣ ଯବାନଙ୍କ ମଧ୍ୟରୁ ଆଜି ଜଣେ ସହିଦ ହୋଇଛନ୍ତି। ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଯବାନଙ୍କ ଗାଡି ଯିବାବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥବାବେଳେ ୪ ଜଣ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଦମନ ଅପରେସନ ଜୋରଦାର କରାଯାଇଛି। ଚଳିତ ବର୍ଷରେ ସଶସ୍ତ୍ର ବାହିନୀ ଉପରେ ଏହା ପ୍ରଥମ ବଡ଼ଧରଣର ଆକ୍ରମଣ। ଗତବର୍ଷ ବାରମ୍ବାର ଯବାନମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳକୁ ରାଷ୍ଟ୍ରୀୟ ରାଇଫଲସ ପକ୍ଷରୁ କର୍ଡନ କରାଯାଇ ଅପରେସନ ଆରମ୍ଭ କରାଯାଇଛି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହସିତାର ଠାରେ ଘଟିଛି ଘଟଣା।

ବହୁଚର୍ଚ୍ଚିତ ସେକ୍ସ ଭିଡିଓ ମାମଲା: ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଗିରଫ ଜେଡିଏସ ବିଧାୟକ ଏଚ.ଡି ରେବନ୍ନା

ବ୍ୟୁରୋ ରିପୋର୍ଟ: ବହୁଚର୍ଚ୍ଚିତ ସେକ୍ସ ଭିଡିଓ ମାମଲା। ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଗିରଫ ଜେଡିଏସ ବିଧାୟକ ଏଚ.ଡି ରେବନ୍ନା। ଗତକାଲି ଏହି ବହୁଚର୍ଚ୍ଚିତ ମାମଲାରେ ତାଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍। ତାଙ୍କ ବିରୋଧରେ ହୋଇଥିବା ଅପହରଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଅପହୃତ ମହିଳାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ରେବନ୍ନାଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସର ଏସଆଇଟି। ଅଭିଯୋଗ କରିଥିବା ମହିଳା ଜଣକ ସମ୍ପୃକ୍ତ ବିଧାୟକଙ୍କ ଘରେ ୫ ବର୍ଷ ଧରି କାମ କରୁଥିଲେ। ୩ ବର୍ଷ ପୂର୍ବରୁ ସେ ତାଙ୍କ ଘରେ କାମ ଛାଡି ଦେଇଥିଲେ। ପ୍ରଜ୍ବଳ ଓ ତାଙ୍କ ବାପାଙ୍କ ବିରୋଧରେ ଅପହୃତ ମହିଳାଙ୍କ ପୁଅ କରିଥିବା ସାନି ଅଭିଯୋଗ ଅଧିକ ଅଡୁଆ ସୃଷ୍ଟି କରିଛି। ଯୁବକଙ୍କ ଅଭିଯୋଗ ଅନୁସାରେ ଭିଡିଓ ପଦାକୁ ଆସିବା ପରେ ତାଙ୍କ ମାଙ୍କୁ ଅପହରଣ କରାଯାଇଥିଲା।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୁଖ୍ଯ ଅଭିଯୁକ୍ତ ତଥା ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ପତ୍ତା ମିଳିନାହିଁ। କିଛିଦିନ ତଳେ ପ୍ରଜ୍ଵଳ ଦେଶ ଛାଡି ଚାଲିଯାଇଥିଲେ ଜର୍ମାନୀ। ଅଭିଯୁକ୍ତ ତଥା ହାସନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ସିବିଆଇ ବ୍ଲୁ କର୍ଣ୍ଣର ନୋଟିସ କରିବା ସମ୍ଭାବନା ରହିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ ବି ପ୍ରଜ୍ବଳଙ୍କ ବାପା ତଥା ବିଧାୟକ ଏଚ.ଡି. ରେବନ୍ନାଙ୍କ ବିରୋଧରେ ଜାରି କରିିଥିଲା ଲୁକ ଆଉଟ ନୋଟିସ। ଯୌନ ନିର୍ଯାତନା ମାମଲା ପଦାକୁ ଆସିବା ପରେ ଏକ କୂଟନୈତିକ ପାସପୋର୍ଟ ଜରିଆରେ ପ୍ରଜ୍ବଳ ଜର୍ମାନୀ ଚାଲିଯାଇଥିଲେ।  ଗତ ଏପ୍ରିଲ ୨୮ ତାରିଖରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ହୋଲେନାରାସିପୁର ଟାଉନ ଥାନାରେ ମାମଲା ଦାୟର ହୋଇଥିଲା। ଜଣେ ୪୭ ବର୍ଷ ବୟସ୍କା ମହିଳା ଉଭୟ ବାପା ଓ ପୁଅଙ୍କ ନାମରେ ଏତଲା ଦାୟର କରିଥିଲେ। ଭିଡିଓରେ ମହିଳାଙ୍କୁ ବନ୍ଧାଯାଇ ତାଙ୍କୁ ପ୍ରଜ୍ବଳ ଦୁଷ୍କର୍ମ କରୁଥିବା ଦୃଶ୍ଯ ରହିଛି ।

ଲୋକସଭା ନିର୍ବାଚନରେ ଷ୍ଟାର ୱାର, ଚଳଚ୍ଚିତ୍ର ଓ କ୍ରିକେଟ ତାରକାଙ୍କ ଉପରେ ଭରସା

ବ୍ୟୁରୋ ରିପୋର୍ଟ: ଚଳିତ ଲୋକସଭା ନିର୍ବାଚନରେ ଷ୍ଟାର ୱାର। ବିଭିନ୍ନ ଦଳ ଭରସା କରିଛନ୍ତି ଚଳଚ୍ଚିତ୍ର ଓ କ୍ରିକେଟ ତାରକାଙ୍କ ଉପରେ। ଉତ୍ତରପ୍ରଦେଶ ମଥୁରାରୁ ବିଜେପି ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଅଭିନେତ୍ରୀ ହେମାମାଳିନୀ। ଉତ୍ତରପ୍ରଦେଶ ମିରଟରୁ ବିଜେପିରୁ ପ୍ରାର୍ଥୀ ଅଛନ୍ତି ରାମାୟଣର ରାମ ଅଭିନେତା ଅରୁଣ ଗୋଭିଲ। ଅଭିନେତ୍ରୀ କଙ୍ଗନା ରାଣାୱତ ଲଢୁଛନ୍ତି ହିମାଚଳ ପ୍ରଦେଶ ମଣ୍ଡିରୁ। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ଯ ସିଂଙ୍କ ବିରୋଧରେ ଲଢୁଛନ୍ତି। ବିଜେପି ଟିକେଟରୁ ନର୍ଥ ଇଷ୍ଟ ଦିଲ୍ଲୀରୁ ଲଢୁଛନ୍ତି ଭୋଜପୁରୀ ଅଭିନେତା ମନୋଜ ତିୱାରୀ। ତାଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର କହ୍ନେୟା କୁମାର। ଉତ୍ତରପ୍ରଦେଶ ଗୋରଖପୁରରୁ ବିଜେପିରୁ ଲଢୁଛନ୍ତି ଅଭିନେତା ରବି କିଷନ। ଥ୍ରୀଶୂର କେରଳରୁ ବିଜେପି ପକ୍ଷରୁ ଲଢୁଛନ୍ତି ସୁପରଷ୍ଟାର ସୁରଶ ଗୋପୀ। ଅଭିନେତା କ୍ରିଷ୍ଣକୁମାର ଲଢୁଛନ୍ତି କେରଳ କୋଲମରୁ। ଅଭିନେତା ରାଜ ବବର ଗୁରୁଗାଓଁ ହରିଆଣାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ସୁପରଷ୍ଟାର ଶତୃଘ୍ନ ସିହ୍ନା ପଶ୍ଚିମବଙ୍ଗ ଆସନସୋଲରୁ ଟିଏମସି ଟିକେଟରୁ ଲଢୁଛନ୍ତି। ହୁଗଲି ପଶ୍ଚିମବଙ୍ଗରୁ ଟିଏମସି ପକ୍ଷରୁ ଲଢୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ। ପଶ୍ଚିମବଙ୍ଗ ବୀରଭୂମରୁ ଲଢୁଛନ୍ତି ଅଭିନେତ୍ରୀ ଶତାବ୍ଦୀ ରୟ। ସେ ଟିଏମସି ପ୍ରାର୍ଥୀ ଅଛନ୍ତି। ସେହିପରି କ୍ରିକେଟ ତାରକା ୟୁସୁଫ ପଠାନ ପଶ୍ଚିମବଙ୍ଗ ବରହମପୁରରୁ ଟିଏମସି ପ୍ରାର୍ଥୀ ଅଛନ୍ତି। କ୍ରିକେଟ ତାରକା କୀର୍ତ୍ତି ଆଜାଦ ହୋଇଛନ୍ତି ପଶ୍ଚିମବଙ୍ଗ ବର୍ଦ୍ଧମାନରୁ  ଟିଏମସି ପ୍ରାର୍ଥୀ।

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍

ନୂଆଦିଲ୍ଲୀ: ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍। ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡିଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୪ ଲକ୍ଷ ୨୦ ହଜାର ଅଧିକ। ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟ ଅନ୍ୟ କେତେକ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ଦେଇପାରିବେ। ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟ ୨ ଲକ୍ଷ ସିଟ୍ ରହିଛି । ନିଟ୍ ପରୀକ୍ଷା ପାଇଁ ଏନଟିଏ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଡ୍ରେସ୍ କୋଡ୍ ଜାରି କରିଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ଡ୍ରେସ କୋଡକୁ ଫଲୋ ନକରିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରୁ ବାହାର କରିଦିଆଯିବ।

ପୁଅ ଏବଂ ଝିଅମାନଙ୍କ ପାଇଁ ପୃଥକ ଭାବରେ ନିଟ୍ ୨୦୨୪ ଡ୍ରେସ୍ କୋଡ୍ ଜାରି କରାଯାଇଛି। ନିଟ୍ ୟୁଜି ପରୀକ୍ଷା ଦେବାକୁ ଯାଉଥିବା ପୁଅମାନଙ୍କୁ ଅଧା ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ଏବଂ ଚପଲ ପିନ୍ଧିବାକୁ ପଡ଼ିବ। ଝିଅମାନଙ୍କ ପାଇଁ ଆସେସୋରିଜ୍ ଏବଂ ଅଳଙ୍କାରକୁ ନା କହିବା ବାଧ୍ୟତାମୂଳକ ଏବଂ ହାଲୁକା ପୋଷାକ ସହିତ ହିଲ୍ ଥିବା ଏବଂ ଜୋତା ପିନ୍ଧି ଯିବା ବାଧ୍ୟତାମୂଳକ। ଝିଅମାନଙ୍କୁ କୁର୍ତ୍ତି ପିନ୍ଧିବାକୁ ଅନୁମତି ନାହିଁ । ନିଟ୍ ପରୀକ୍ଷାରେ ଉପସ୍ଥିତ ହେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଛି।

ଡବଲ ଇଞ୍ଜିନ ସରକାରକୁ ଧୋଇଦେଲେ କାର୍ତ୍ତିକ ପାଣ୍ଡିଆନ

ପାରଳାଖେମୁଣ୍ଡି: ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଧୋଇଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପାରାଳାଖେମୁଣ୍ଡି ପ୍ରଚାର ସଭାରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଗୁଡ଼ାଏ ରାଜ୍ଯରେ ଡବଲ ଇଞ୍ଜିନ ଚାଲୁଛି, ଆଉ ବନ୍ଦ ହେଉଛି। ହେଲେ ଓଡ଼ିଶାରେ ୨୪ ବର୍ଷ ହେଲା ନବୀନ ଇଞ୍ଜିନ ଚାଲୁଛି, ଆଗକୁ ବି ଲୋକଙ୍କ ଆଶୀର୍ବାଦରେ ଚାଲିବ। ଡବଲ ଇଞ୍ଜିନ ସରକାର ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲା। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବାକୁ କଥା ଦେଇଥିଲା । ସେହି ଅନୁସାରେ ଓଡ଼ିଶାର ଭାଗ ହେଉଛି ୮୦ ଲକ୍ଷ ରୋଜଗାର। ଓଡ଼ିଶାର ତିନିଟି ପରିବାର ମଧ୍ଯରୁ ଜଣଙ୍କ ପରିବାରକୁ ଡବଲ ଇଞ୍ଜିନ ସରକାର ରୋଜଗାର ଦେବା କଥା । ହେଲେ ତାହା ହେଲାନି। ଡବଲ ଇଞ୍ଜିନ ସରକାରର ଜଣେ କେନ୍ଦ୍ରମନ୍ତ୍ରୀ ରୋଜଗାର ଦେବାରେ ରାଜ୍ଯ ସରକାର ବିଫଳ ହୋଇଥିବା କହିଛନ୍ତି । ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ ୮୦ ଲକ୍ଷ ଚାକିରି କୁଆଡ଼େ ଗଲା ? ୮୦ ଲକ୍ଷ ଛାଡନ୍ତୁ ୮୦ ହଜାର ଚାକିରି ଦେଇଛ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। କେନ୍ଦ୍ରର ତଥ୍ଯ ଅନୁସାରେ ଓଡ଼ିଶାରେ ବେକାରୀ ହାର ସବୁଠୁ କମ । ବିଜେପି ଶାସିତ ରାଜ୍ଯରେ ବେକାରୀ ସଂଖ୍ଯା ଅଧିକ। ଏଣୁ କେନ୍ଦ୍ରମନ୍ତ୍ରୀ ନବୀନ ଓଡ଼ିଶାର ବିକାଶ ଜାଣନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।

ଖରାରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳରେ ଜମୁଛି ତରଭୂଜ ବେପାର

ଯାଜପୁର: ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ। ଭୀଷଣ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ଜନଜୀବନ। ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଖୋଜିଥାନ୍ତି ଥଣ୍ଡା ପାନୀୟ। ମାତ୍ର ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଲାଲ ଡହ ଡହ ତରଭୁଜ। କିଏ ତରଭୁଜ ଖଣ୍ଡେ ଖାଇ ତୃଷ୍ଣା ମେଣ୍ଟାଉଛି ତ କିଏ ପୁଣି ତରଭୁଜ କିଣି ଘରକୁ ନେଇଯାଉଛି।

ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଡହଡହ ଖରା ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକ। ଗରମରୁ ତ୍ରାହି ଦେଉଛି ଲାଲ ଡହ ଡହ ତରଭୁଜ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ଅଞ୍ଚଳର। ୧୫ରୁ ଅଧିକ ତରଭୁଜ ଗାଦିର ଲାଗିଛି ପସରା । ଲୋକଙ୍କୁ ଟାଣୁଛି ତରଭୁଜ । ବଜାରରେ ମିଳୁଥିବା କେମିକାଲ ଯୁକ୍ତ କୋଲଡ୍ରିଙ୍ଗସ ଆଇସକ୍ରିମ ବଦଳରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ତରଭୁଜ। ଚଳିତ ବର୍ଷ ଖରାର ପ୍ରକୋପ ଅଧିକ ଥିବାରୁ ତରଭୁଜର ଭଲ ବ୍ଯବସାୟ ମଧ୍ଯ ହେଉଛି ।

ରସୁଲପୁର ବ୍ଲକର କୁଆଖିଆ ଓ ବାରବାଟୀ ଅଞ୍ଚଳରେ ତରଭୂଜ ଚାଷ ବ୍ୟାପକ ଭାବେ କରାଯାଇଥାଏ। ଏଠାରୁ ତରଭୂଜ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ଚାଲାଣ। ସ୍ଥାନୀୟ ଲୋକ ବର୍ଷ ତମାମ ଏଠାରେ ତରଭୁଜ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି ଏବଂ ତରଭୁଜ ବ୍ଯବସାୟ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ତେବେ ସମୟକ୍ରମେ ଏହି ଅଞ୍ଚଳ ଆଜି ତରଭୂଜ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟି ଯାଇଛି। ଚଳିତବର୍ଷ ତରଭୂଜର ଦର ଗ୍ରାହକଙ୍କୁ ସୁହାଇଲା ପରି ରହିଛି। ତେଣୁ ଏହି ଗ୍ରୀଷ୍ମରେ ଭଲ ବ୍ୟବସାୟ ହେବାନେଇ ଆଶା ରଖିଛନ୍ତି ତରଭୁଜ ବ୍ୟବସାୟୀ।