spot_img
Home Blog Page 1939

ପ୍ରେମ ପାଇଁ ରାଜନୀତି ଛାଡିଦେଇଥିଲେ ସୁଶୀଲ ମୋଦି

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିର ଜଣାଶୁଣା ଚେହରା ତଥା , ଜଣେ ବରିଷ୍ଠ ରାଜନେତା ସୁଶୀଲ ମୋଦି ଆଉ ନାହାନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ  ସୁଶୀଲ କୁମାରଙ୍କର ୭୨ ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କର ଅନେକ ରାଜନୈତିକ କାର୍ଯ୍ୟ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସୁଥିଲେ । କିନ୍ତୁ ସେ କେବଳ ରାଜନୀତି ପାଇଁ ନୁହେଁ ବରଂ ତାଙ୍କ ଲଭ୍ ଷ୍ଟୋରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହୁଥିଲେ ।

ବିହାରର ପୁଅ ଏବଂ ମୁମ୍ୱାଇର ଝିଅ । ଦୁହେଁ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନରେ ଦେଖା ହୋଇଥିଲେ । କିନ୍ତୁ କାହାକୁ ବା ଜଣାଥିଲା ଏହି ଏହି ୧୪୦୦ କିମି ଦୂର ରାସ୍ତା ଦୁହିଁଙ୍କ ଜୀବନ ବଦଳାଇଦେବ । ଏହି କାହାଣୀ ଫିଲ୍ମ ପରି ଲାଗୁଥିଲେ ମଧ୍ୟ ଏହା ପ୍ରେମ କାହାଣୀ ସତ  ଏବଂ ଏହି କାହାଣୀ ସୁଶୀଲ କୁମାର ମୋଦି ଏବଂ ତାଙ୍କ ପତ୍ନୀ ଜେସୀ ଜୋର୍ଜଙ୍କର ।

କୁହାଯାଏ କି ଦୁହେଁ ଏହି ଟ୍ରେନରେ ଏକାଠି ଅନେକ ଦିନ ଧରି ଯିବା ଆସିବା କରିଥିଲେ ଏବଂ ସେହି ଠାରୁ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା  । ଏପରିକି  ଦୁହେଁ ଦୁହିଁଙ୍କୁ ପ୍ରେମ ପତ୍ର ଲେଖୁଥିଲେ । କିନ୍ତୁ ଦୁହେଁ ଅଲଗା ଅଲଗା ଧର୍ମର ହୋଇଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଘର ଲୋକଙ୍କ ବିରୋଧ ବ୍ୟତୀତ ସୁଶୀଲ ମୋଦି ଆରଏସଏସ  ସହ ଜଡିତ ଥିବାରୁ ତାଙ୍କ ପ୍ରେମରେ ବଡ଼ ବାଧା ସୃଷ୍ଟି ହୋଇଥିଲା  । କିନ୍ତୁ ସେ ଏଠାରେ ରାଜନୀତିକୁ ଛାଡି ପ୍ରେମକୁ ବାଛି ଥିଲେ । ସେ ଆରଏସଏସ  ଛାଡି ୧୯୮୬ ମସିହାରେ ପ୍ରେମ ବିବାହ କରିଥିଲେ  । ତାଙ୍କ ବିବାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ବଡ଼ ନେତା ସାମିଲ ହୋଇଥିଲେ ।

ବିବାହ ପରେ ସେ ରାଜନୀତି ଠାରୁ କିଛି ଦିନ ଦୂରେଇ  ରହିଥିଲେ । ଏହା ପରେ ସେ ଏକ କମ୍ପ୍ୟୁଟର ଇନଷ୍ଟିଟ୍ୟୁଟ୍ ଖୋଲିଥିଲେ । କିନ୍ତୁ ଏଥିରେ ସେ ବେଶୀ ଦିନ ଧରି ରହିପାରି ନଥିଲେ। ଏହାପରେ ୧୯୯୦ ମସିହାରେ ସେ ବିଧାନସଭା ପହଞ୍ଚି ଯାଇଥିଲେ। ସୁଶୀଲ ମୋଦି ବିହାରର ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀ ଏକ କଲେଜରେ ଅଧ୍ୟାପିକା ଥିଲେ ।

ପ୍ରଥମ ପର୍ଯ୍ୟାୟ ଭୋଟର ୨୮ ଆସନରୁ ୨୪ରେ ଜିତିବ ବିଜେଡି଼,କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢୋକ୍ତି

ନନ୍ଦିଘୋଷ ବ୍ୟୁରୋ : ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ୭୪ ପ୍ରତିଶତ ଭୋଟ୍ ହୋଇଥିବା ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ସହିତ ଆସିଛି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ସବୁ ପର୍ଯ୍ୟୟରେ ବିଜେଡି ଆଗରେ ରହିବ । ବିଶେଷକରି ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେଡି କ୍ଲିନ୍ ସ୍ୱିପ୍ କରିଛି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ୱିପ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି,ସେଥିରୁ ବିଜେଡି ୨୪ ଆସନ ଜିତିବ ବୋଲି ଦମ୍ଭୋକ୍ତି ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ,ସବୁ ପର୍ଯ୍ୟାୟ ଭୋଟରେ ବିଜେଡି ଆଗୁଆ ରହିବ । ତେଣିକି ତାହା ପ୍ରଥମ, ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ହେଉ । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ହୋଇଛି ସେଥିରୁ ୨୪ ଆସନ ବିଜେଡି ଜିତିବ ବୋଲି ସେ କହିଛନ୍ତି । । ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ । ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ।
ଲୋକଙ୍କ ଭଲପାଇବା ହିଁ ଆମକୁ ଦୃଢ ବିଶ୍ୱାସ ଦେଉଛି । ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ଆପେକ୍ଷା କରିଥାନ୍ତି , ଯାହା ଆମକୁ ଓଡ଼ିଶାବାସୀଙ୍କ ପାଇଁ ଲଢିବାକୁ ଶକ୍ତି ଦେଇଥାଏ ଏବଂ ଓଡ଼ିଶାର ବିକାଶ ଆଗକୁ ନେବାକୁ ପାଇଁ ସାହାସ ଦେଇଥାଏ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଗାଜା ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ, ଜାତିସଂଘ ପାଇଁ କରୁଥିଲେ କାମ

ନୂଆଦିଲ୍ଲୀ : ଗାଜା ଯୁଦ୍ଧରେ ବଳି ପଡୁଛନ୍ତି ଭାରତୀୟ ।  ପୁଣି ଜାତିସଂଘ ପାଇଁ କାମ କରୁଥିବା ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଜାର ରଫାରେ ମିଳିତ ଜାତିସଂଘର ଏକ ଗାଡିକୁ ନିଶାନା କରି ଆକ୍ରମଣ ହୋଇଥିଲା । ଯେଉଁଥିରେ ଜାତିସଂଘର ସୁରକ୍ଷା ବିଭାଗ (ଡିଏସଏସ)ର ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣାରେ ଏଯାଏଁ ମୃତ ଭାରତୀୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ସେ ଭାରତୀୟ ସେନାର ପୂର୍ବତନ ସୈନିକ ଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷେ ଜାତିସଂଘର ମହାନିର୍ଦ୍ଦେଶକ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍  ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି  ଏବଂ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପୂରା ଘଟଣାର ଯାଞ୍ଚ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ସେ ମୃତ ଭାରତୀୟଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଗାଜାରେ ହେଉଥିବା ଆକ୍ରମଣରେ କେବଳ ନାଗରିକ ନୁହଁନ୍ତି ଏପରିକି ମାନବୀୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଯୁଦ୍ଧ ବିରାମ ଏବଂ ସେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସେ ପୁନର୍ବାର ଅପିଲ କରିଛନ୍ତି ।

ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ୪୪ଡିଗ୍ରୀ ପାର୍ ହେବ ପାରଦ

ନୂଆଦିଲ୍ଲୀ : ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଦେଶର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ସପ୍ତାହରେ ଦିଲ୍ଲୀରେ ୪୪ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ । ପୂର୍ବ ସପ୍ତାହରେ କେତେବେଳେ  ଖରା ତ କେତେବେଳେ ଛାଇ ଏବଂ ମୌସୁମୀ ବର୍ଷା ଲାଗି ରହିଥିଲା  । କିନ୍ତୁ ଏବେ ରାଜ୍ୟରେ ଭୀଷଣ ଖ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ସମ୍ଭାବନା ଅଧିକ ରହିଛି , ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି । ଆସନ୍ତା ସପ୍ତାହ ପାଗ ଶୁଷ୍କ ରହିବ ବୋଲି ସୂଚନା ରହିଛି ।

ମଙ୍ଗଳବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଥିବା ବେଳେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି । ମେ’ ୧୨ରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଥିବାରେ ଜଣାପଡିଛି । ଅନ୍ୟପକ୍ଷେ ପୁରା ସପ୍ତାହ ଏହି ପରି ତାତି ଲାଗି ରହିବାର ସମ୍ଭାବନା  ନେଇ ଆଇଏମଡି ପକ୍ଷରୁ ସୂଚନା ରହିଛି  ।

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ନୂଆଦିଲ୍ଲୀ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା କର୍କଟ ରୋଗ କାରଣରୁ ସେ ଅସୁସ୍ଥ ଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ସୁଶୀଲ ମୋଦିଙ୍କ ଦେହାନ୍ତ ଖବରରେ ସାରା ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ୍ସରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସୁଶୀଲଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ପାଟନା ଆସିବ  । ତାଙ୍କୁ ପ୍ରଥମେ ଏୟାରପୋର୍ଟରୁ ତାଙ୍କ ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ , ଏହାପରେ ବିଜେପି କାର୍ଯ୍ୟାଳୟରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ ।

ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ୫ ଡକାୟତଙ୍କୁ ଧରିଲା ପୋଲିସ

ଅନୁଗୁଳ : ଡକାୟତି ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟ ପଡ଼ିଆରେ ଏକ ଡକାୟତ ଗ୍ୟାଙ୍ଗ କିଛି ଯୋଜନା କରୁଥିବା ଖବର ପାଇଥିଲା ପୁଲିସ ।

ଖବର ପାଇ ସଦଳବଳ ଘେରାଉ କରି ପୁଲିସ ୫ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୫ଟି ହାତ ତିଆରି ବୋମା , କଟୁରୀ ସମେତ ଲୁହା ରଡ଼୍ ଓ ଛୁରୀ ଜବତ କରା ଯାଇଥିଲା । ରାତିରେ ଯାଉଥିବା ରଡ଼ ବୋଝେଇ ଟ୍ରକ ଲୁଟ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ନୂଆଁହତା ଗାଁର ରିପୁନ ବେହେରା , ବବୁଲୁ ବେହେରା , ଦେବଗଡ଼ ଜିଲ୍ଲା କଣ୍ଢାଳ ଗାଁର ଅଭୟ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ଗାଁର ଚନ୍ଦନ ସାହୁ ଓ ଗଂଜାମ ଜିଲ୍ଲା ରମ୍ଭା ଅଂଚଳର ବଳରାମ ବେହେରା। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ବିଳମ୍ବ ଯୋଗୁଁ ଯାତ୍ରୀ ହନ୍ତସନ୍ତ

ପୁରୀ : ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ବିଳମ୍ବ ଯୋଗୁଁ ଯାତ୍ରୀ ହନ୍ତସନ୍ତ। ଗତକାଲି ରାତି ୧୧ ଟାରେ ପୁରୀରୁ ଅଜମେର  ଛାଡ଼ିବାକୁ ଥିବା ଟ୍ରେନ ପୁରୀ ଅଜମେର ଏକ୍ସପ୍ରେସ ସକାଳ ୭ ଟା ସୁଦ୍ଧା ଛାଡି ନ ଥିବା ଜଣାପଡିଛି। ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାତି ତମାମ ଯାତ୍ରୀମାନେ ରେଳ ଷ୍ଟେସନରେ ହନ୍ତସନ୍ତ ହୋଇଥିଲେ।

ଅନ୍ୟପକ୍ଷରେ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପୁରୀରୁ ଆଜି ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଛାଡିଥିବା ଜଣାପଡିଛି। ସେହିପରି ପୁରୀରୁ ଛାଡ଼ିବାକୁ ଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ସମେତ ପୁରୀ ପାରାଦୀପ ଓ ପୁରୀ ବଡ଼ବିଲ ଏକ୍ସପ୍ରେସ ମଧ୍ୟ ବିଳମ୍ବରେ ଛାଡିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୈଷୟିକ ତ୍ରୁଟି ଯୋଗୁଁ  ଟ୍ରେନ ବିଳମ୍ବ ହୋଇଥିବା ପୁରୀ ରେଳ ବିଭାଗର କର୍ତ୍ତୃପକ୍ଷ ଘୋଷଣା କରିଥିବା ଜଣାପଡିଛି।

ଭାରତ-ଇରାନ ମଧ୍ୟରେ ବଡ଼ ବ୍ଯାବସାୟିକ ଡିଲ୍, ଇରାନର ଚବାହାର ପୋର୍ଟ ଦାୟିତ୍ଵ ନେଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଇରାନ ସହିତ ଭାରତର ବଡ୍ ଡିଲ। ପାକିସ୍ତାନ ଓ ଚୀନକୁ ଲାଗିଛି ଜବରଦସ୍ତ ଝଟକା। ଭାରତ ଓ ଇରାନ ମଧ୍ୟରେ ଚବାହାର ବନ୍ଦରକୁ ନେଇ ବଡ଼ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚବାହାର ପୋର୍ଟର ପରିଚାଳନା ଦାୟିତ୍ଵ ସମ୍ପାଦନ କରିବ ଭାରତ। ପ୍ରଥମଥର ଲାଗି ଭାରତ ବିଦେଶରେ କୌଣସି ବନ୍ଦରର ପରିଚାଳନା ଦାୟିତ୍ଵ ସମ୍ପାଦନ କରିବ।  ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଏହି ବନ୍ଦରର ଉନ୍ନତୀକରଣ ସହ ପରିଚାଳନା କରିବ। ଭାରତ-ଇରାନ ମଧ୍ୟରେ ସମ୍ପରରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ବୋଲି କୁହାଯାଉଛି।

ଭାରତ ଇରାନର ଏହି ଡିଲରେ ପଡୋଶୀ ଦେଶ ପାକିସ୍ତାନ ଓ ଚୀନକୁ ଲାଗିଛି ବଡ଼ ଝଟକା। ଚବାହାରରେ ଦୁଇଟି ବନ୍ଦର ରହିଛି। ସେଥିମଧ୍ୟରୁ ଶାହିଦ ବହିସ୍ତୀ ବନ୍ଦର ଦାୟିତ୍ଵ ବୁଝିବ ଭାରତ। ବର୍ତ୍ତମାନ ମଧ୍ୟ ଏହି ବନ୍ଦର ପରିଚାଳନା ଦାୟିତ୍ଵ ସମ୍ପାଦନ କରୁଛି ଭାରତ। ତେବେ ଏହା ସ୍ଵଳ୍ପକାଳୀନ ଚୁକ୍ତି ଥିଲା। ସମୟ ବ୍ୟବଧାନରେ ଏହାକୁ ନବୀନକରଣ କରିବାକୁ ପଡୁଥିଲା। ବର୍ତ୍ତମାନ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ଵ ଭାରତକୁ ମିଳିଛି। ଏହି ଚୁକ୍ତି ଜରିଆରେ ଭାରତ ଏହି ବନ୍ଦରରେ ୧୨ କୋଟି ଆମେରିକୀୟ ଡଲାର ନିବେଶ କରିବ। ଏହି ବନ୍ଦରର ଉନ୍ନତୀକରଣ କରୁଛି ଭାରତ। ଏହାଦ୍ବାରା ଆଫଗାନିସ୍ଥାନ, ଇରାନ ଏବଂ ମଧ୍ୟ ଏସୀୟ ରାଷ୍ଟ୍ରଗୁଡିକ ସହ ଭାରତର ବ୍ୟବସାୟିକ କାରବାରର ରାସ୍ତା ଖୋଲିବ।

ଧୂଳିଝଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ; ୧୪ ମୃତ ଓ ୭୪ ଆହତ

ମୁମ୍ବାଇ : ମୁମ୍ବାଇରେ ଧୂଳିଧଡ଼ରେ ଭାଙ୍ଗିଲା ବିଜ୍ଞାପନ ହୋର୍ଡିଂ। ହୋର୍ଡିଂ ପଡି ୧୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ମୁମ୍ବାଇ ପୂର୍ବ ଘାଟକୋପର ଅଂଚଳରେ ଘଟିଥିଲା ଏହି ଅଘଟଣ । ସୋମବାର ମୁମ୍ବାଇରେ ଅପରାହ୍ନରେ ପ୍ରବଳ ଧୂଳିଝଡ଼ ଦେଖାଦେଇଥିଲା। ପ୍ରବଳ ଧୂଳି ସହ ପବନରେ ଭାଙ୍ଗି ପଡ଼ିଥିଲା ଏହି ହୋର୍ଡିଂ। ସେତେବେଳେ ଏହି ହୋର୍ଡିଂ ନିକଟରେ ପ୍ରାୟ ୮୦ରୁ ଅଧିକ ଲୋକ ଥିଲେ। ଲୁହାରେ ନିର୍ମିତ ହୋର୍ଡିଂ ପଡିଯିବାରୁ ୧୪ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୭୪ ଜଣ ଆହତ ହୋଇଛନ୍ତି।

ଏକ ପେଟ୍ରୋଲ ପମ୍ପ ସାମନାରେ ଏହି ହୋର୍ଡିଂ ଲାଗିଥିଲା। ଅପରାହ୍ନ ସାଢେ ୪ଟା ସମୟରେ ଘଟିଥିଲା ଏ ଦୁର୍ଘଟଣ।  ଦୁର୍ଘଟଣାର ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ। ଭୟଙ୍କର ଝଡ଼ ତୋଫାନରେ ଘାଟକୋପର, ବାନ୍ଦ୍ରା, କୁର୍ଲା ଓ ଧାରାବୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ହୋର୍ଡିଂ ଭାଙ୍ଗି ପଡ଼ିବାରୁ ଏହା ତଳେ ବହୁ ଲୋକ ଚାପି ହୋଇ ରହିଥିଲେ। ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା। ଏହି ଘଟଣାରେ ପେଟ୍ରୋଲ ପମ୍ପ ମାଲିକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ପ୍ରଦୀପ ପାଣିଗ୍ରାହୀ- ଶିବଶଙ୍କର ଦାସ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ବ୍ରହ୍ମପୁରରେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଗୋଷାଣୀ ନୂଆଗାଁରେ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି। ଜଣାପଡିଛି ଯେ, ଆଜି ଅପରାହ୍ନରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗୋଷାଣୀ ନୂଆଗାଁର ଏକ ବୁଥକୁ ଯାଇଥିଲେ। ପ୍ରଦୀପ ବୁଥ୍ ରିଗିଂ କରୁଥିବା ଆଶଙ୍କା କରି ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହି ଘଟଣା ସମ୍ପର୍କରେ ଗୋଷାଣୀ ନୂଆଗାଁ ଥାନାରେ ପ୍ରଦୀପଙ୍କ ଅଭିଯୋଗକ୍ରମେ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖିଛି। ଶିବଶଙ୍କରଙ୍କୁ ତୁରନ୍ତ ଥାନାରୁ ଛାଡିବା ଦାବିରେ ଗୋଷାଣୀ ନୂଆଗାଁର ଶତାଧିକ ଲୋକ ଥାନା ଆଗରେ ଅଡି ବସିଛନ୍ତି।