spot_img
Home Blog Page 1940

ବଢୁଛି ଆଣବିକ ପ୍ରତିଯୋଗିତା, ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଛି ଚୀନ

ନୂଆଦିଲ୍ଲୀ: ବଢୁଛି ଆଣବିକ ପ୍ରତିଯୋଗିତା। ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଥିବାବେଳେ ପାକିସ୍ତାନଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ। ବଡ଼କଥା ହେଉଛି ଗତ ୨୦୨୩ ଜାନୁଆରୀରେ ଚୀନ ନିକଟରେ ୪୧୦ ଆଣବିକ ଅସ୍ତ୍ର ରହିଥିବାବେଳେ ୨୦୨୪ ଜାନୁଆରୀରେ ଏହି ସଂଖ୍ଯା ହୋଇଛି ୫୦୦।

ଷ୍ଟକହୋମ ଇଣ୍ଟରନ୍ଯାସନାଲ ପିସ୍ ରିସର୍ଚ୍ଚ ସେଣ୍ଟର ବା ସିପ୍ରି ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଭାରତ, ପାକିସ୍ତାନ, ଚୀନ ସମେତ ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ରରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧି ପାଇଛି। ଏହା ସହ ସେମାନେ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବାରେ ଲାଗିଛନ୍ତି। ଅନ୍ଯ ଯେଉଁ ରାଷ୍ଟ୍ରମାନେ ପ୍ରତିଯୋଗିତାରେ ଲିପ୍ତ ରହିଛନ୍ତି ସେମାନେ ହେଲେ ଆମେରିକା, ବ୍ରିଟେନ, ରୁଷିଆ, ଫ୍ରାନ୍ସ, ଉତ୍ତରକୋରିଆ ଓ ଇସ୍ରାଏଲ।

ସିପ୍ରିର ରିପୋର୍ଟ ଅନୁସାରେ ବିଶ୍ବରେ ଯେତେ ପରିମାଣର ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାହାର ୯୦ ଭାଗ କେବଳ ରହିଛି ଆମେରିକା ଓ ରୁଷିଆ ନିକଟରେ। ସେମାନଙ୍କ ମଧ୍ଯରୁ ଅଧିକାଂଶ ରାଷ୍ଟ୍ର ନୂଆ ଆଣବିକ ସାମର୍ଥ୍ଯସମ୍ପନ୍ନ ଅସ୍ତ୍ରଶସ୍ତ୍ର ବି ମୁତୟନ କରିଛନ୍ତି। ଆମେରିକା ଓ ରୁଷିଆର ପ୍ରାୟ ୨୧ ଶହ ଆଣବିକ ଅସ୍ତ୍ରଶସ୍ତ୍ର ହାଇ ଅପରେସନାଲ ଆଲର୍ଟରେ ରହିଥିବା ସୂଚନା ଦିଆଯାଇଛି। ଚୀନ ମଧ୍ଯ ପ୍ରଥମ ଥର ଲାଗି ଏହି ମୋଡରେ ରହିଛି। ୨୦୨୪ ଜାନୁଆରୀରେ ଭାରତ ନିକଟରେ ୧୭୨ଟି ଆଣବିକ ଅସ୍ତ୍ର ରହିଛି। ତେବେ ପାକିସ୍ତାନଠାରୁ ଏହି ସଂଖ୍ଯା ମାତ୍ର ୨ ଅଧିକ।

ଗତ ୨୦୨୩ରୁ ଦୁଇ ରାଷ୍ଟ୍ର ବି ନ୍ଯୁକ୍ଳିୟର ଡେଲିଭରୀ ସିଷ୍ଟମର ବିକାଶ କରୁଥିବା ସୂଚନା ମିଳିଛି। ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ଉପରେ ଭାରତ ନଜର ରଖିଛି। ଏପରିକି ଭାରତ କେତେକ ଦୂରଗାମୀ କ୍ଷେପଣାସ୍ତ୍ର ହାସଲ କରିଛି ଯାହାକି ଚୀନର ଯେ କୌଣସି ସ୍ଥାନକୁ ବି ଟାର୍ଗେଟ କରିପାରିବ। ଭାରତ, ପାକିସ୍ତାନ ଓ ନର୍ଥକୋରିଆ ରାଷ୍ଟ୍ର ରୁଷିଆର ପଦାଙ୍କ ଅନୁସରଣ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି

ଭୁବନେଶ୍ବର: ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ଶପଥ ଗ୍ରହଣ ଉତ୍ସବ। ବିଧାନସଭାରେ ପ୍ରୋ-ଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଏଥର ସର୍ବାଧିକ ନୂଆ ବିଧାୟକ ନିର୍ବାଚିତ ହୋଇଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ପ୍ରଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ ।

୧୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ । ଶଙ୍ଖ ଭବନରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବ ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । କଂଗ୍ରେସ ମଧ୍ୟ ଏଥର ବିଧାନସଭାରେ ଶାଣିତ ସ୍ବର ଉଠାଇବ । କଂଗ୍ରେସର ୧୪ ଜଣ ବିଧାୟକ ଏକଜୁଟ ହୋଇ ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ସହ ଲୋକଙ୍କ ସମସ୍ୟା ପାଇଁ ଲଢେଇ କରିବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ଆମେ ସାମ୍ନା କରିବୁ ବୋଲି ଶାସକ ବିଜେପି କହିଛି ।

ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ, ତିନି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସରିଲା ଖରାଛୁଟି, ରାଜ୍ଯରେ ଖୋଲିଲା ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ ଚାଲିଛି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି ।

ତେବେ କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ୨୦ ତାରିଖ ଯାଏଁ ଛୁଟି ରହିଛି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଆଜି ସ୍କୁଲ ଛୁଟି ରହିଛି । କାଲିଠୁ ଏହି ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ନୟାଗଡ଼ରେ ଆଜି ଓ କାଲି ସ୍କୁଲ ଛୁଟି ରହିଥିବାବେଳେ ୨୦ରୁ ୨୨ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ ।

ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଜି ରାତି ୧୨ଟା ପର୍ଯ୍ୟନ୍ତ ବାଲେଶ୍ବରରେ କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ବାଲେଶ୍ବର ପୌରପାଳିକାରେ କର୍ଫ୍ୟୁ ଜାରି । ଏହାସହ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ମଧ୍ୟ ବଳବତ୍ତର ରହିବ କର୍ଫ୍ୟୁ । ଆଜି ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହାସହ ଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍ ହୋଇଛି। କୌଣସି ଜନସାଧାରଣ ଘରୁ ବାହାରକୁ ବାହାରି ପାରିବେ ନାହିଁ।

ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । କର୍ଫ୍ୟୁ ସମୟରେ କୌଣଷି ବ୍ୟାବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କଟକଣା କୋହଳ ହୋଇଛି।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାକୁ ନେଇ କର୍ଫ୍ୟୁ ଜାରି କରାଯାଇଛି।

ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ୫୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୁସ୍କଳନ ହୋଇଥିଲା। ଭୁସ୍କଳନରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଶହରୁ ଉଦ୍ଧ୍ବ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ।ପୂର୍ବରୁ ୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଥିବାବେଳେ ଆଜି ଆଉ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବ୍ୟକ୍ତି ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଅଧିକ କ୍ଷୟକ୍ଷତି ହେତୁ ଚିନ୍ତାରେ ଅଞ୍ଚଳବାସୀ। ବର୍ତ୍ତମାନ ସୁଦ୍ଧା ଟିଷ୍ଟା ନଦୀ କାଲିମ୍ପଙ୍ଗର ଧୋବିଖୋଲ ଅଞ୍ଚଳର ଜାତୀୟ ରାଜପଥ ବନ୍ଦ ରହିଛି। ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ୩୫୦ ଉଦ୍ଧାର ହୋଇଥିବାବେଳେ ଅନ୍ୟ ସମସ୍ତଙ୍କୁ ଯଥାଶିଘ୍ର ଉଦ୍ଧାର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ରାଜ୍ୟ ବଜେଟ ପାଇଁ ଏବେଠୁ କସରତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତୁତିର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଛି। ଖୁବ ଶୀଘ୍ର ସମସ୍ତ ବିଭାଗ ନିଜ ବଜେଟର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ଅବଗତ କରିବେ । ତା ପରେ ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି।

ରାଜ୍ୟ ବଜେଟ ପାଇଁ ଏବେଠୁ କସରତ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ ବିଭିନ୍ନ ବିଭାଗ । ନୂଆ ସରକାରରେ ଚାଷୀଙ୍କୁ ଫୋକସ। ନିଜ ଅଧିନରେ ଥିବା ଚାରି ବିଭାଗର ସମୀକ୍ଷା କଲେ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ଆସିବା ପରେ ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ କରିବେ ନୂଆ ସରକାର । ସେଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଜେଟର ରୂପରେଖ ସମ୍ପର୍କରେ ଅବଗତ କରାଯାଇଛି ।

ବଜେଟ କେମିତି ପ୍ରସ୍ତୁତ ହୁଏ, କ’ଣ ରହିଛି ପ୍ରକ୍ରିୟା, କେତେଦିନ ସମୟ ଲାଗେ, କାହାର ପରାମର୍ଶ ଲୋଡ଼ାଯାଏ,  ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ସେପଟେ ବିଜେପି ପକ୍ଷରୁ ଦିଆଯାଇଥିବା ଇସ୍ତାହାରରେ ପ୍ରତିଶ୍ରୁତି ଗୁଡିକୁ  ଅନୁଧ୍ୟାନ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ବଜେଟ ସମ୍ପର୍କରେ ଅବଗତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ, ଅର୍ଥ, ଜଳସମ୍ପଦ ସହ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଛନ୍ତି। ନୂଆ ସରକାର ଚାଷୀଙ୍କୁ ଫୋକସ କରୁଥିବାରୁ ଚାଷ ଜମିକୁ ପାଣି ଯୋଗାଇବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବିଭିନ୍ନ ଯୋଜନାରେ ଲୋକେ କିଭଳି ଉପକୃତ ହେବେ ଓ ଭଲ ବଜେଟର ପ୍ଲାନିଂ କରିବା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ଯୋଜନାଗୁଡିକୁ ଲୋକାଭିମୁଖୀ କରିବା ସହ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମହଙ୍ଗା ମାଡ଼ରେ ବେହାଲ ଖାଉଟି, ହୁ ହୁ ହୋଇ ବଢୁଛି ଆଳୁ-ପିଆଜ ସାଙ୍ଗକୁ ପରିବା ଦର

ନନ୍ଦିଘୋଷ ବ୍ୟୁରୋ: ପାଇକାରୀ ଦର କମ୍‌, ଖୁଚୁରା ଦର ଚଢ଼ା । ଖାଉଟି ଅବସ୍ଥା ବେହାଲ । ଏଭଳି ସ୍ଥିତି ଓଡ଼ିଶା ବଜାରରେ । ଆଳୁର ପାଇକାରୀ ଦର ୨୩ ଟଙ୍କା ଥିବାବେଳେ ଗ୍ରାହକ ଖୁଚୁରା ବଜାରରେ କିଣୁଛନ୍ତି ୩୫ ଟଙ୍କାରେ । ସେହିପରି ପିଆଜ କ୍ବିଣ୍ଟାର ପାଇକାରୀ ବଜାରରେ ୩୨ ଟଙ୍କା । ହେଲେ ଖୁଚୁର ବଜାରରେ ଗତ ଦୁଇଦିନ ହେଲାଣି ବିକ୍ରି ହେଉଛି ୪୫ ଟଙ୍କାରେ । ଖାଉଟିଙ୍କୁ ଶୋଷୁଛନ୍ତି ଖୁଚୁରା ବେପାରୀ । ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି ଖୁଚୁରା ବଜାର ଉପରେ ରାଜ୍ୟ ସରକାରଙ୍କ ମାର୍କେଟ ଇଣ୍ଟେଲିଜେନ୍‌ସର ଦାୟିତ୍ବ । ଏହାସହିତ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ସହ ଆଲୋଚନା କରନ୍ତୁ ବୋଲି ପୁଣି ଥରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ମହାସଂଘ ।

ଆଳୁ କିଲୋ ୩୫ । ପିଆଜ କିଲୋ ୪୫ ରୁ ୫୦ ଟଙ୍କା । କିଣିବ କେତେ ଖାଇବ କେତେ ? ମେ ଓ ଜୁନ୍‌ରେ ପନିପରିବା ଅମଳ କମ୍‌ ଥିଲେ ବି ଆଳୁ ଓ ପିଆଜ ଲୋକଙ୍କ ଅତ୍ୟାବଶ୍ୟକ ଖାଦ୍ୟ ଚାହିଦା ପୂରଣ କରିଥାଏ । ହେଲେ ଓଡ଼ିଶା ବଜାର ଏବେ କର୍ପୋରେଟ୍‌ ଓ ଅସାଧୁ ଖୁଚୁରା ବ୍ୟବସାୟୀଙ୍କ କବଳରେ । ବାସ୍ତବ ସ୍ଥିତି କିଛି ଏପରି । ଆଳୁ କ୍ବିଣ୍ଟାଲ ପିଛା ପାଇକାରୀ ବଜାରରେ ୨୩ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଖୁଚୁରା ବଜାରରେ କିଲୋ କାହିଁକି ୩୫ ଟଙ୍କାରେ ବିକ୍ରି ହେଉଛି ? ସେହିପରି ପିଆଜ କ୍ବିଣ୍ଟାଲ ପାଇକାରୀ ବଜାରରେ ୩୨ଶହ ଟଙ୍କାରେ ମିଳୁଛି । କ’ଣ ପାଇଁ ପିଆଜ କିଲୋ ଖୁଚୁରା ବଜାରରେ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି ? ଅମଳ କମ୍‌ ଥିଲେ ବି ଏବର ପାଇକରୀ ଦରରେ ଆଳୁ ଓ ପିଆଜ ଖୁଚୁରା ବଜାରରେ ୨୫ ଓ ୩୫ ଟଙ୍କାରେ ମିଳିବା କଥା ।

ଖୁଚୁରା ବଜାରରେ କାହିଁକି ଏତେ ତଫାତ୍‌ ? ଏହାକୁ ରାଜ୍ୟ ସରକାରଙ୍କ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ୍‌ ତଦାରଖ କରିବା କଥା । ସେପଟେ ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଓ ରାଜ୍ୟସ୍ତରରେ ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ବ୍ୟବସାୟୀ ମହାସଂଘ ପ୍ରସ୍ତାବ ଦେଇଛି । ସରକାର ଏ ନେଇ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରିବାକୁ ପୂର୍ବରୁ ନିବେଦନ କରାଯାଇଥିଲା । ଏବେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ ନିବେଦନ କରିଛି ମହାସଂଘ ।

ହୁ ହୁ ହୋଇ ବଢୁଛି ବଜାର ଦର । ହଜାରେ ଟଙ୍କା ମାର୍କେଟକୁ ନେଇ ଗଲେ ବ୍ୟାଗ ପୂରୁନି । ଫି ବର୍ଷ ଏହି ସିଜିନ୍‌ରେ ପନିପରିବା ଅମଳ କମ୍‌ ଥାଇ ବି ଦର ଏତେଟା ବଢ଼େନି । ଏବର୍ଷ ସବୁ ସୀମା ପାର୍‌ କରିଛି ଦରଦାମ ବୃଦ୍ଧି । ଗତ ୧୫ ଦିନ ଭିତରେ ପିଆଜ କିଲୋ ୩୫ ଟଙ୍କାରୁ ୪୫ ଟଙ୍କାରେ ପହଞ୍ଚିଲାଣି । ଏପରି ହେଲେ ଘର ଚଳାଇବା କଷ୍ଟ ।

ଖାଲି ଆଳୁ, ପିଆଜ ନୁହଁ । କୌଣସି ବି ପନିପରିବା ୫୦ ଟଙ୍କା ତଳକୁ ନାହିଁ । ଅମଳ କମ୍‌ ଥିବାରୁ ଏବେ ପନିପରିବା ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆମଦାନୀ ହେଉଛି । ଖରା ତାତିଠୁ ବଳିଲାଣି ବଜାର ତାତି । ପାଇକାରୀ ଓ ଖୁଚୁରା ବଜାରରେ ଏବେ ୧୨ ଟଙ୍କାରୁ ୧୮ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହେଉଛି ଆଳୁ-ପିଆଜ । ତୁରନ୍ତ ଯୋଗାଣ ବିଭାଗ ବଜାର ଉପରେ ଚଢ଼ଉ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠୁଛି ।

ଆଜି ବି ସମସ୍ତଙ୍କ ପସନ୍ଦ ପଞ୍ଚୁଆ ଭାଇଙ୍କ ପାନ

ନନ୍ଦିଘୋଷ ବ୍ୟୁରୋ: ବୟସର ଅପରାହ୍ନରେ ଆଜି ବି ଲୋକଙ୍କ ମନମୁତାଵକ ପାନ ଭାଙ୍ଗି ଲୋକଙ୍କ ମନ ଜିଣିଛନ୍ତି ପଞ୍ଚୁଆ ଭାଇ । ଦୀର୍ଘ ୫୧ବର୍ଷ ହେଲା କାକଟପୁର ଅଞ୍ଚଳରେ ବେଶ ପରିଚିତ ପାନ ବ୍ୟବସାୟୀ ପଞ୍ଚୁଆ ଭାଇ । ୧୩ବର୍ଷ ବୟସରୁ ଆରମ୍ଭ କରିଥିଲେ ପାନ ଭାଙ୍ଗିବା । ଦିନକୁ ଭାଙ୍ଗୁଛନ୍ତି ୮ହଜାର ରୁ ଉର୍ଦ୍ଧ ପାନ । ପାନ ନେବା ପାଇଁ ଯେତିକି ଭିଡ଼ ତା ଠାରୁ ଫୋନରେ ଅର୍ଡର କରୁଛନ୍ତି ଲୋକେ ।

୫୧ ବର୍ଷ ହେଲା ଭାଙ୍ଗୁଛନ୍ତି ପାନ , ଦେଖନ୍ତୁ ଏହି ବ୍ଯକ୍ତିଙ୍କୁ ଏ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକର ପାନ ବ୍ଯବସାୟୀ ପଞ୍ଚାନନ ମନ୍ଥନ ଓରଫ ସମସ୍ତଙ୍କର ଅତିପ୍ରିୟ ପଞ୍ଚୁଆ ଭାଇ। ମାତ୍ର ୧୩ ବର୍ଷ ବୟସରୁ ଏକ ଛୋଟ କ୍ଯାବିନରେ ଆରମ୍ଭ କରିଥିଲେ ଖିଲି ପାନ ଦୋକାନ । ପ୍ରତ୍ଯେକ ଦିନ ସକାଳ ୬ ଟାରୁ ବସି ଭାଙ୍ଗନ୍ତି ପାନ । ତିଆରି କରନ୍ତି ସୁଆଦିଆ ମିଠା ପାନ । ପ୍ରତ୍ଯେକ ଦିନ ୮ ହଜାରରୁ ଅଧିକ ପାନ ଭାଙ୍ଗୁଛନ୍ତି । ବିଭିନ୍ନ ରକମକର ମିଠା ମସଲାରେ ପାନ ଭାଙ୍ଗିବା ପରେ ରଙ୍ଗୀନ ପେପେର ଗୁଡ଼ାଇ ଗ୍ରାହକଙ୍କୁ ଯୋଗାଉଛନ୍ତି ପାନ । କେବଳ ରଜ ନୁହେଁ, ବର୍ଷକ ୩୬୫ଦିନ ଏଠାରେ ଲୋକ ପାନ ନେବା ପାଇଁ ଭିଡ଼ ଜମାଇଥାନ୍ତି ।

ବୟସର ଅପରାହ୍ନରେ ମଧ୍ଯ ଥକି ଯାଇନାହାନ୍ତି ପଞ୍ଚାନନ । ପାନ ବ୍ଯବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ୨ଟା ପାନକୁ ୪ ଟଙ୍କା । ପଞ୍ଚାନନଙ୍କ ପାନର ଚାହିଦା ବଜାରରେ ଭଲ ରହିଛି । କାକଟପୁର, ଅସ୍ତରଙ୍ଗ ଛଡା ବହୁଦୂର ଦୁରାନ୍ତରୁ ପଞ୍ଚୁଆ ଭାଇଙ୍କ ପାନ ନେବାକୁ ଆସନ୍ତି ଲୋକେ । କେଉଁ ଲୋକଙ୍କୁ କେଉଁ ପାନ ଦିଆଯିବ ସେ ଜାଣିଥାନ୍ତି । ବିଭିନ୍ନ ରକମର ମସଲା ପକାଇ ସୁସ୍ବାଦୁ ପାନ ଦେଇ ଲୋକଙ୍କ ମନ ଜିଣିଥାନ୍ତି ପଞ୍ଚାନନ ।

ଓ୍ବାୟନାଡ଼ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ରାଏବରେଲି ଆସନ ରଖିଲେ। ୱେୟନାଡ଼ ଆସନ ଛାଡ଼ିଲେ। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ଯରେ ଏକ ବୈଠକ ମଧ୍ଯ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱେୟନାଡ଼୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି। ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ବାମୀ ଫିରୋଜ ଗାନ୍ଧି ମଧ୍ଯ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ଯ ୱେୟନାଡ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱେୟନାଡରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ଯ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ ଗଣିତ କରିବାକୁ ପଡ଼ିଥିଲା। …

ବିକାଶର ମାଧ୍ଯମ ସାଜିଛି ବିଜୁ ସେତୁ

ନନ୍ଦିଘୋଷ ବ୍ୟୁରୋ: ବିକାଶର ମାଧ୍ଯମ ସାଜିଛି ବିଜୁ ସେତୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ ଏବେ ଶେଷ ପର୍ଯ୍ଯାୟରେ। ବ୍ଲକରୁ ବ୍ଲକ, ଜିଲ୍ଲାରୁ ଜିଲ୍ଲା ସବୁଠି ସଂଯୋଗର ସମ୍ପର୍କ ସାଜିଛି ବିଜୁସେତୁ । ଏହା ଶହ ବିଜୁ ସେତୁ ଉପରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଯୁବପିଢିଙ୍କ ପାଇଁ ନିର୍ମିତ ।

ସଂପର୍କର ସେତୁ ପାଲଟିଛି ବିଜୁ ସେତୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ଦିନେ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା । ତାଳଦାରେ ବିଜୁ ସେତୁ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ । ୧୧ କୋଟି ୮୭ଲକ୍ଷ ୬୫ହଜାର ୧୬୩ଟଙ୍କା ବ୍ଯୟ ଅଟକଳରେ ଦେବୀ ନଦୀ ଉପରେ ସେତୁ ନିର୍ମାଣ ହୋଇଛି । ସେତୁ ନିର୍ମାଣ ହେବା ଦ୍ୱାରା ଅସ୍ତରଙ୍ଗ ଦୀପାଞ୍ଚଳ ତାଳଦା ଗ୍ରାମ ପଂଚାୟତରୁ ଅସ୍ତରଙ୍ଗ ମୁଖ୍ୟ କାର୍ଯ୍ୟାଳୟକୁ ଗମନାଗମନ ସୁଗମ ହୋଇଛି । ସେତୁ ନିର୍ମାଣ ହେବା ଦ୍ୱାରା ପୁରୀ ଜିଲ୍ଲା ଜଗତସିଂହପୁର ଜିଲ୍ଲାକୁ ଅବଧି କମିଯାଇଛି ।  ଫଳରେ ଉଭୟ ଜିଲ୍ଲାରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆଶା ବଢିଛି ।

ପୂର୍ବରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଲୋକମାନେ ଭରା ନଦୀରେ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଥିଲେ । ଏମିତିକି ବନ୍ଯା ସମୟରେ ଯାତାୟତ ଠପ ହୋଇଯାଉଥିଲା । ହେଲେ ଏବେ ଦେବୀ ଉପରେ ବିଜୁ ସେତୁ ନିର୍ମାଣ ହେବା ପରେ ଲୋକେ ସ୍ଵାସ୍ଥ୍ଯସେବା ସାଙ୍ଗକୁ ଶିକ୍ଷା ସହଜରେ ପାଇପାରିବେ । ବିଜୁ ସେତୁରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ନୂତନ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବୋଷ୍ଟିଙ୍ଗି ଗାର୍ଡ ନିକଟରେ ହୋଇଥିବା ଯୁବପିଢିଙ୍କ ପାଇଁ ସେଲ୍ଫି ପଏଣ୍ଟ । ଅପରାହ୍ନରେ ବହୁ ଦୂରଦୂରାନ୍ତରୁ ଲୋକ ସେଲ୍ଫି ନେବାକୁ ଭିଡ ଲଗାଉଛନ୍ତି । ନିର୍ମିତ ବିଜୁ ସେତୁଟି ଲୋକଙ୍କ ପାଇ ବରଦାନ ପାଲଟିଛି । ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।