ଭୁବନେଶ୍ୱର : ଭଙ୍ଗ ହେବ ଷୋଡ଼ଶ ଓଡ଼ିଶା ବିଧାନସଭା । ଏ ନେଇ ରାଜ୍ଯ କ୍ଯାବିନେଟ ବୈଠକରେ ମୋହର ବାଜିଛି । ବିଧାନସଭା ଭଙ୍ଗ ନେଇ ରାଜ୍ଯପାଳଙ୍କୁ ସୁପାରିସ କରାଯାଇଛି । ଆଜି ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁପାରିସ ପ୍ରସ୍ତାବ ପାରିତ ହୋଇଛି । ନବୀନଙ୍କ ପଞ୍ଚମ ପାଳି ସରକାରଙ୍କ ଆଜି ଶେଷ କ୍ଯାବିନେଟ ବୈଠକ ଥିଲା ।
ଟାଇମ୍ସ ନାଓ ଏକଜିଟ୍ ପୋଲ୍ : ଓଡ଼ିଶାରେ ବିଜେଡ଼ିର ବିରାଟ ବିଜୟ,ପୁଣି ନବୀନ ସରକାର
ଭୁବନେଶ୍ୱର : ବିଧାନସଭାରେ ବିଜେଡିକୁ ୧୦୦ରୁ ୧୧୫ ଆସନ ମିଳିବା ସମ୍ଭାବନା । ଟାଇମ୍ସ ନାଓର ଓଡ଼ିଶା ବିଧାନସଭା ନିର୍ବାଚନ ଏକଜିଟ ପୋଲ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ବିଜେଡି ଜିତିବ ୧୦୦ରୁ ୧୧୫ ବିଧାନସଭା ଆସନ । ବିଜେପିକୁ ୩୦ରୁ ୩୮ ଆସନ ମିଳିପାରେ । କଂଗ୍ରେସ ୪ରୁ ୭ଟି ଏବଂ ଅନ୍ୟାନ୍ୟ ୧ରୁ ୨ଟି ଆସନ ପାଇବେ। ବିଜେଡିକୁ ମିଳିବ ୪୭ ପ୍ରତିଶତ ଭୋଟ୍। ବିଜେପିକୁ ୩୮ ଓ କଂଗ୍ରେସକୁ ୧୧ପ୍ରତିଶତ ଭୋଟ୍ ମିଳିବ। ଅନ୍ୟାନ୍ୟ ୫ପ୍ରତିଶତ ଭୋଟ୍ ପାଇପାରନ୍ତି। ଟାଇମ୍ସ ନାଓର ଓଡ଼ିଶା ବିଧାନସଭା ନିର୍ବାଚନ ଏକଜିଟ ପୋଲ୍ ସର୍ଭେ ରିପୋର୍ଟରେ ଏହା ଆକଳନ କରାଯାଇଛି।
ମହିଳାଙ୍କ ସହ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ମାରପିଟ୍ ବିବାଦ, ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ : ଏବେ ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ମୁମ୍ୱାଇରେ ରବୀନାଙ୍କ ନାଁରେ ହୋଇଥିବା ମାରପିଟ୍ ଅଭିଯୋଗକୁ ନେଇ ସତ ସାମ୍ନାକୁ ଆସିଛି । ଶନିବାର ରାତିରେ ରବୀନା ତାଙ୍କ ଡ୍ରାଇଭରକୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । କିନ୍ତୁ ଜଣେ ବୃଦ୍ଧାଙ୍କ ସମେତ ୩ଜଣ ମହିଳାଙ୍କ ସହ ମାରପିଟ୍ କରିବା ନେଇ ରବୀନାଙ୍କ ନାଁରେ ଅଭିଯୋଗ ହୋଇଥିଲା। କିନ୍ତୁ ସିସିଟିଭି ଫୁଟେଜ ଅନୁଯାୟୀ ଏହା ମିଥ୍ୟା ଅଭିଯୋଗ କରାଯାଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରବୀନା କୌଣସି ବୟାନ ଜାରି କରିନାହାନ୍ତି ।
ଅନ୍ୟପକ୍ଷେ ତଦନ୍ତ କରୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୋଗକାରୀମାନେ ରବୀନା ଟଣ୍ଡନଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଅଭିନେତ୍ରୀଙ୍କ ଡ୍ରାଇଭର କାର୍ ପଛକୁ କରି ପାର୍କିଂ କରୁଥିବା ବେଳେ , ସେହି ରାସ୍ତା ଦେଇ ମହିଳାଙ୍କ ଏକ ଗ୍ରୁପ୍ ଯାଉଥିଲେ ଏବଂ ସେମାନେ କହିଥିଲେ କି କାର୍ ବ୍ୟାକ୍ କରିବା ବେଳେ ପଛରେ କେହି ଅଛନ୍ତି କି ନାହିଁ ଦେଖିକି ବ୍ୟାକ୍ କରନ୍ତୁ । ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । କିନ୍ତୁ କାର କାହାକୁ ଧକ୍କା ମାରି ନାହିଁ କି କେହି ଆହତ ହୋଇନଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।
ରବୀନା ନିଜ ଉପରେ ଲାଗିଥିବା ଏପରି ଅଭିଯୋଗକୁ ନେଇ ଇଷ୍ଟାଗ୍ରାମରେ ଷ୍ଟୋରୀ ଅପଲୋଡ କରିଥିଲେ । ସେ କହିଥିଲେ କି ଯେଉଁପ୍ରକାର ଏହି ଘଟଣାକୁ ଦର୍ଶାଯାଇଛି, ସେଥିରେ ସେ ଭୁଲ୍ ବୋଲି ଜଣାପଡୁଛନ୍ତି । କିନ୍ତୁ ସିସିଟିଭିରେ ସତ କଥା ପ୍ରମାଣ ହୋଇଯିବ । କାର୍ ପାର୍କିଂ ବେଳେ ମହିଳାଙ୍କ ଏକ ଗ୍ରୁପ୍ ସହ ତାଙ୍କ ଡ୍ରାଇଭର ଯୁକ୍ତିତର୍କ ଏବଂ ଧକ୍କା ମରାମରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ସେତେ ବେଳେ ନିଜ ଡ୍ରାଇଭରକୁ ବଞ୍ଚାଇବା ପାଇଁ ସେ ଏଥିରେ ସାମିଲ ହୋଇଥିଲେ ବୋଲି ରବୀନା କହିଛନ୍ତି ।
ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ , ୨ ମୃତ ଓ ୧୦ ଆହତ
ସମ୍ୱଲପୁର : ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ । ସମ୍ବଲପୁର ଝାଙ୍କରପାଲି ନିକଟସ୍ଥ ଜାତୀୟ ରାଜପଥ ୫୫ରେ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଛତିଶଗଡରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି ।
ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ, ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା
ପୁରୀ : ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଭଉଁରି ଉତ୍ସବ ପରେ ଏବେ ନିର୍ମାଣକାରୀଙ୍କ ଟାର୍ଗେଟ ରହିଛି ସ୍ନାନ ପୂର୍ଣ୍ଣିମା । ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ । ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ । ଏଥିପାଇଁ ଚଳଚଞ୍ଚଳ ରଥଖଳା ।
ତିନି ରଥର ଅଖ ହଣା ଆରମ୍ଭ ହୋଇଛି । ରଥର ପାର୍ଶ୍ବ ମୁହାଁଟ କାମ ଚାଲିଛି । ବିଶ୍ବକର୍ମାମାନେ ରଥର ୮ଟି ଖମ୍ବୀ ତିଆରୁଛନ୍ତି । ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ସେପଟେ ରୂପକାରମାନେ ଗୁଜରେ ସିଂହବିରାଳ ଖୋଦେଇରେ ବ୍ୟସ୍ତ । ତାଳଧ୍ବଜ ଓ ନନ୍ଦିଘୋଷ ଓ ଦେବଦଳନର ୧୨ଟି ଗୁଜ ନିର୍ମାଣ ହେଉଛି । ଏସବୁ ରଥ କୋଣରେ ସ୍ଥାପନ ହେବ ।
ମିଳୁନି ଡାକ୍ତରଙ୍କ ପତ୍ତା; ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ । ଶନିବାରରୁ ସେ ନିଖୋଜ ଅଛନ୍ତି। ଡାକ୍ତରଙ୍କ ସରକାରୀ କ୍ଵାର୍ଟର୍ସରୁ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ମିଳିଛି । ସରକାରୀ କ୍ଵାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବାଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି । ଏସଡିପିଓ ସଚିନ ପଟେଲ ମେଡିକାଲକୁ ଯାଇ ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀଙ୍କ ନାଁରେ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହରେ ଖୋଳତାଡ଼ ଚାଲିଛି।
ଅପହୃତ ଡାକ୍ତରଙ୍କ ପରିବାରବର୍ଗ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମସ୍ତ ସହଯୋଗ କରିବେ ବୋଲି ଆଶ୍ଵାସନା ଦେଇଛନ୍ତି ।

